ମାନବ ସେବା

ବୈକୁଣ୍ଠନାଥ ମିଶ୍ର

ମାନବ ସେବା ହିଁ ମାଧବ ସେବା। କାଷ୍ଠ, ପାଷାଣ, ଧାତୁ ଓ ମୃତ୍ତିକା ନିର୍ମିତ ମୂର୍ତ୍ତିକୁ ଭଗବାନଙ୍କ ସ୍ବରୂପ କଳ୍ପନା କରି ମଣିଷ ସଭକ୍ତି ପୂଜା କରେ ଓ ସେଥିରେ ତା’ର ଈପ୍‌ସିତ ଫଳପ୍ରାପ୍ତି ହୁଏ କି ନା କେବଳ ସେ ହିଁ ଜାଣେ। ବିଶ୍ୱାସ ଏ ସବୁ ପୂଜାର ମୂଳଭିତ୍ତି। ସେଥିପାଇଁ କୁହାଯାଏ ବିଶ୍ୱାସେ ମିଳଇ ହରି ତର୍କେ ବହୁଦୂର। ବିଶ୍ୱାସ ଯେତେ ଗଭୀର ଈଶ୍ୱରପ୍ରାପ୍ତି ସେତେ ସହଜ ବୋଲି କୁହାଯାଏ। ଯୁବକ ନରେନ୍ଦ୍ରନାଥ ଅନେକ ସ୍ଥାନରୁ ଫେରିଲା ପରେ ଦକ୍ଷିଣକାଳୀ ମନ୍ଦିର ପୂଜକ ରାମକୃଷ୍ଣ ପରମହଂସଙ୍କ ମୁଖମଣ୍ଡଳର ଅମଳିନ ଜ୍ୟୋତି ତାଙ୍କୁ ଗଭୀର ପ୍ରଭାବିତ କଲା। ସେ ସ୍ବୟଂକ୍ରିୟ ଭାବେ ରାମକୃଷ୍ଣଙ୍କୁ ସଭକ୍ତି ପ୍ରଣାମ କରି ପ୍ରଶ୍ନ କଲେ, ଆପଣ ଈଶ୍ୱରଙ୍କୁ ଦେଖିଛନ୍ତି? ଉତ୍ତରରେ ରାମକୃଷ୍ଣ ହଁ କହିବାରୁ ନରେନ୍ଦ୍ର ପୁଣି ପଚାରିଲେ, ମୋତେ ଦେଖାଇପାରିବେ? ରାମକୃଷ୍ଣ ଆଗ୍ରହର ସହ କହିଲେ, କାଲି ପ୍ରତ୍ୟୁଷରୁ ଏଠାକୁ ଆସ, ଈଶ୍ୱର ଦର୍ଶନ କରିବ। ଆଗ୍ରହୀ ନରେନ୍ଦ୍ରନାଥ ପରଦିନ ପ୍ରତ୍ୟୁଷରେ ରାମକୃଷ୍ଣଙ୍କ ନିକଟରେ ପହଞ୍ଚିଲେ। ରାମକୃଷ୍ଣ ତାଙ୍କୁ କହିଲେ, ଏ ଯେଉଁ ଦୀନଦୁଃଖୀ ରୋଗୀମାନେ ବସିଛନ୍ତି ଓ ଯନ୍ତ୍ରଣା ଭୋଗୁଛନ୍ତି, ସେମାନଙ୍କର ସେବା କର। ବୁଭୁକ୍ଷୁ ପାଇଁ ଅନ୍ନ ବ୍ୟବସ୍ଥା କର। ଯୁବକ ନରେନ୍ଦ୍ରନାଥ ସେହି ମୁହୂର୍ତ୍ତରୁ ସେମାନଙ୍କ ସେବାରେ ନିଜକୁ ସମ୍ପୂର୍ଣ୍ଣ ସମର୍ପି ଦେଲେ। ଦିନେ ଏକ କୁଷ୍ଠରୋଗୀର ସେବା କରୁଥିବା ସମୟରେ ପଛପଟୁ ତାଙ୍କ କାନ୍ଧରେ କାହାର ହସ୍ତସ୍ପର୍ଶ ଅନୁଭବ କରି ଚମକି ଚାହିଁଲେ। ପଛରେ ରାମକୃଷ୍ଣ ଠିଆହୋଇ ମୃଦୁହାସ୍ୟ କରୁଛନ୍ତି। ରାମକୃଷ୍ଣ କହିଲେ- ଯୁବକ ତୁମେ ଈଶ୍ୱର ଦର୍ଶନ କରିବ ବୋଲି କହୁଥିଲ ପରା! ଏଇମାନଙ୍କ ଭିତରେ ଈଶ୍ୱର ବିଦ୍ୟମାନ। ମାନବ ସେବା ହିଁ ମାଧବ ସେବା। ଯୁବକ ନରେନ୍ଦ୍ରନାଥ ତତ୍‌କ୍ଷଣାତ୍‌ ତାଙ୍କ ପାଦତଳେ ପଡିଗଲେ ଓ ନିଜକୁ ତାଙ୍କଠାରେ ସମର୍ପି ଦେଲେ। ରାମକୃଷ୍ଣ ତାଙ୍କୁୁ ସଶ୍ରଦ୍ଧ ଆଲିଙ୍ଗନ କରି ତାଙ୍କ ନାମଦେଲେ ବିବେକାନନ୍ଦ। ଇଂଲିଶ କବି ଲି’ହଣ୍ଟଙ୍କ କବିତା ଆବୋବେନ୍‌ ଆଦେମ୍‌ର ନାୟକ ବେନ୍‌ ଆଧେମ୍‌ ଥିଲେ ଜଣେ ନିଃସ୍ବାର୍ଥପର ଜନସେବୀ। ଦିନେ ରାତିରେ ସେ ଦେଖିଲେ ତାଙ୍କ ଅନ୍ଧକାରାଚ୍ଛନ୍ନ ପ୍ରକୋଷ୍ଠକୁ ଜ୍ୟୋତିର୍ମୟ କରି ଜଣେ ଦେବଦୂତଙ୍କର ଆବିର୍ଭାବ ଘଟିଲା। ସେ ଦେବଦୂତଙ୍କ ହାତରେ ଥିଲା ଈଶ୍ୱରଙ୍କ ଆଶୀର୍ବାଦ ଲାଭ କରିଥିବା ମନୁଷ୍ୟମାନଙ୍କର ଏକ ତାଲିକା, ଯେଉଁଥିରେ ବେନ୍‌ ଆଧେମ୍‌ଙ୍କ ନାମ ସର୍ବାଗ୍ରେ ଥିଲା। ଈଶ୍ୱରପ୍ରେରିତ ତାଲିକାଟି ଦେଖାଇଲା ପରେ ଦେବଦୂତ ଅନ୍ତର୍ହିତ ହୋଇଗଲେ। ଏ ବେନ୍‌ ଆଧେମ୍‌ କିଏ? କ’ଣ ତାଙ୍କ କାମ? ବାସ୍ତବରେ ବେନ୍‌ ଆଧେମ୍‌ ଥିଲେ ଜଣେ ନିଃସ୍ବାର୍ଥପର ଦରଦୀ ଜନସେବୀ। ଜନସେବାରେ ନିଜକୁ ବିନିଯୋଗ କରି ଭୁଲିଯାଇଥିଲେ ନିଜର ସୁଖମୟ ଜୀବନ ବଞ୍ଚିବା। ଈଶ୍ୱର ସେହିମାନଙ୍କୁ ଭଲପାନ୍ତି, ଯେଉଁମାନେ ନିଃସ୍ବାର୍ଥପର ଭାବେ ଦୁଃସ୍ଥର ସେବା କରନ୍ତି। ଚିକିତ୍ସକମାନେ ହେଉଛନ୍ତି ଜଣେ ଜଣେ ଦେବଦୂତ। ସେମାନେ ଈଶ୍ୱରପ୍ରେରିତ ହୋଇ ରୋଗୀସେବା ରୂପକ ପବିତ୍ର ବ୍ରତଧାରଣ କରିଥାନ୍ତି। ମାଲକାନଗିରି ଜିଲାର ଚିତ୍ରକୋଣ୍ଡା ବ୍ଲକ୍‌ ପପଲୁ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଯୁବ ଡାକ୍ତରଙ୍କ ଉଦାହରଣ ଦିଆଯାଇପାରେ। ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଦୁର୍ଗମ କୁର୍ମାନୁର ପଞ୍ଚାୟତ ଅନ୍ତର୍ଗତ ସାରିଗେଟା ଗାଁର ଜଣେ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ସାରିଗେଟା ଗାଁ ପପଲୁ ଡାକ୍ତରଖାନାଠାରୁ ଆଠ କିଲୋମିଟର ଦୂର ଯାହା ଅତ୍ୟନ୍ତ ଦୁର୍ଗମ। ଏପରି କି ସାଇକେଲଟିଏ ବି ଗଡିପାରିବ ନାହିଁ। ଏହି ଡାକ୍ତର ଜଣକ କିନ୍ତୁ ଆଠକିଲୋମିଟର ଦୁର୍ଗମ ପଥ ପାଦରେ ଚାଲିଚାଲି ରୋଗିଣୀ ଘରେ ପହଞ୍ଚି ତା’ର ସୁଖ ପ୍ରସବ କରାଇଲେ। କିନ୍ତୁ ମହିଳା ଜଣକ ଉତ୍କଟ ରକ୍ତହୀନତାର ଶିକାର ହୋଇ ସାଂଘାତିକଭାବେ ପୀଡିତ ଥିବାରୁ ତାକୁ ଡାକ୍ତରଖାନା ନେବା ଅତ୍ୟନ୍ତ ଜରୁରୀ ଥିଲା। ଡାକ୍ତର ଗ୍ରାମବାସୀଙ୍କୁ ଅନୁରୋଧ କରି ନିରାଶ ହେବା ପରେ ରୋଗିଣୀର ସ୍ବାମୀ ଏବଂ ନିଜେ ଡାକ୍ତର ରୋଗିଣୀର ଖଟିଆକୁ କାନ୍ଧରେ ବୋହି ଆଠକିଲୋମିଟର ଖାଲଢିପମୟ ପାହାଡି ରାସ୍ତା ପାରହୋଇ ଡାକ୍ତରଖାନାରେ ପହଞ୍ଚିଲେ। ଡାକ୍ତରଙ୍କ ଉପଯୁକ୍ତ ଚିକିତ୍ସା ସେବାରେ ରୋଗିଣୀଟି ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇ ସନ୍ତାନ ସହ ଘରକୁ ଗଲେ। ଡାକ୍ତରଟିଏ ରୋଗୀ ପାଇଁ ଚଳନ୍ତି ଦେବତା। ଅର୍ଥ ଉପାର୍ଜନକୁ ଗୁରୁତ୍ୱ ନ ଦେଇ ଏକ ସେବକର ମନ ନେଇ ପୀଡିତଙ୍କୁ ସ୍ବାସ୍ଥ୍ୟସେବା ପ୍ରଦାନ କଲେ ଈଶ୍ୱରଙ୍କ କରୁଣା ତାଙ୍କ ଉପରେ ଅଜାଡି ହୋଇପଡ଼େ। ଡାକ୍ତରଙ୍କ ଅବହେଳାରୁ ଅନେକ ରୋଗୀ ମୃତ୍ୟୁବରଣ କରୁଥିବାର ଅଭିଯୋଗ ଶ୍ରୁତିଗୋଚର ହେଉଛି। ରୋଗୀର ମୃତ୍ୟୁ ହେଲେ ରୋଗୀର ଆତ୍ମୀୟମାନେ ଡାକ୍ତରଙ୍କୁ ଆକ୍ରମଣ କରିବାକୁ ପଛାଉନାହାନ୍ତି। ଡାକ୍ତରମାନେ ମଧ୍ୟ ସଂଯମର ସମସ୍ତ ସୋପାନ ଅତିକ୍ରମ କରି ଯେସାକୁ ତେସା ମନୋଭାବ ପୋଷଣ କରୁଛନ୍ତି। ଡାକ୍ତରମାନେ ଅନେକ ରୋଗୀଙ୍କର ମୃତ୍ୟୁକୁ ପ୍ରତ୍ୟହ ପ୍ରତ୍ୟକ୍ଷ କରୁଛନ୍ତି। ତେଣୁ କୌଣସି ରୋଗୀର ମୃତ୍ୟୁ ତାଙ୍କୁ ପ୍ରଭାବିତ ନ କରିପାରେ। ମାତ୍ର ରୋଗୀଟିର ମୃତ୍ୟୁଜନିତ ଆଘାତର ଜ୍ୱାଳା ସମ୍ପର୍କୀୟଙ୍କ ପକ୍ଷେ ଅସହ୍ୟ। ତେଣୁ ସେମାନେ ଉତ୍ତେଜିତ ହୋଇ କିଛିଟା ଭୁଲ୍‌ କରିପକାନ୍ତି, ଯାହାଦ୍ୱାରା ଡାକ୍ତରଙ୍କର ସହନଶୀଳତା ଲୋପ ପାଇଯାଏ। ନିଜର ବିନୟୀ ସ୍ବଭାବ ଦ୍ୱାରା ଡାକ୍ତରମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଆବଶ୍ୟକ। ଏପରି ଡାକ୍ତର ଅଛନ୍ତି, ଯେଉଁମାନଙ୍କର ସାମାନ୍ୟ କେତେ ପଦ କଥାରେ ରୋଗୀ ପ୍ରାଣରେ ନବୋତ୍ସାହ ଜାଗ୍ରତ ହୁଏ। ପୁଣି ଏପରି ଡାକ୍ତର ବି ଅଛନ୍ତି, ଯେଉଁମାନେ ରୋଗୀଠାରୁ ଧାର୍ଯ୍ୟ ପ୍ରାପ୍ୟ ନ ପାଇଲେ ସ୍ବଲିଖିତ ଚିଠାକୁ ରୋଗୀଠାରୁ ଛଡାଇନେଇ ଚିରିଦିଅନ୍ତି। ପୁଣି ବୃଦ୍ଧ ରୋଗୀଟିଏ ଝରକା ପଟେ ଛେପ ପକାଇଲେ ଡାକ୍ତର ତା’ ଉପରକୁ ହାତ ଉଠାନ୍ତି। ଏମାନେ ଡାକ୍ତର ହିସାବରେ ଭଲ ହୋଇପାରନ୍ତି, ମାତ୍ର ମାନବିକତା ଦୃଷ୍ଟିରୁ ଏମାନେ ଢେର୍‌ ପଛୁଆ। ଅର୍ଥ ଲାଳସା ଏମାନଙ୍କୁ ଅନ୍ଧ କରିଦେଇଛି। ରୋଗୀର ଆର୍ଥିକ ଓ ମାନସିକ କୋହ ସେମାନଙ୍କୁ ସ୍ପର୍ଶ କରିପାରେ ନାହିଁ। ସେମାନେ ବୁଝିବା ଦରକାର, ଅର୍ଥ ଯେକେହି ରୋଜଗାର କରିପାରିବ। କିନ୍ତୁ ରୋଗୀସେବାର ପବିତ୍ର କର୍ମ ଜଣେ ଡାକ୍ତର ହିଁ କରିପାରିବ। ସମ୍ବଳହୀନ ରୋଗୀଟି ଡାକ୍ତରଙ୍କ ଉପଚାର ବଳରେ ସୁସ୍ଥ ହୋଇ ପୁନର୍ଜନ୍ମ ଲାଭ କଲା ପରି ମନେ କରେ। ସେ ସର୍ବାନ୍ତଃକରଣରେ ଡାକ୍ତରଙ୍କର ଯେଉଁ ଶୁଭକାମନା କରେ ତାହା ଅର୍ଥଲାଭଠାରୁ ଯଥେଷ୍ଟ ଅଧିକ ମୂଲ୍ୟବାନ ସାବ୍ୟସ୍ତ ହୋଇଥାଏ।

ସିଦ୍ଧଳ, ଜଗତ୍‌ସିଂହପୁର, ମୋ-୯୯୩୭୪୫୦୫୪୦



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri