ମୃତ୍ତିକା ସ୍ବାସ୍ଥ୍ୟ ପରିଚାଳନା

ଡ. ପ୍ରସନ୍ନ କୁମାର ସାମନ୍ତ ଓ ଡ. ମନୋରଞ୍ଜନ ମିଶ୍ର

ସୁସ୍ଥ ମୃତ୍ତିକା ସୁସ୍ଥ ମଣିଷ ପାଇଁ ଅତ୍ୟନ୍ତ ଆବଶ୍ୟକ। ଏହାର ଗୁରୁତ୍ୱ ଉପଲବ୍ଧି କରି ମିଳିତ ଜାତିସଂଘର ୬୮ତମ ସାଧାରଣ ଅଧିବେଶନର ନିଷ୍ପତ୍ତି ଅନୁସାରେ ୨୦୧୫ ମସିହାକୁ ଆନ୍ତର୍ଜାତିକ ମୃତ୍ତିକା ବର୍ଷ ଭାବରେ ପାଳନ କରାଯାଇଥିଲା। ସେହିପରି ଖାଦ୍ୟ ଏବଂ କୃଷି ସଂଗଠନ ଡିସେମ୍ବର ୫ ତାରିଖକୁ ବିଶ୍ୱ ମୃତ୍ତିକା ଦିବସ ରୂପେ ପାଳନ କରିଆସୁଛନ୍ତି। ଏହି ଦିବସଟି ଥାଇଲାଣ୍ଡର ସମ୍ରାଟ୍‌ ଭୂମିବଲ ଆଦୁଲ୍ୟଦେଜଙ୍କର ଜନ୍ମଦିନ। ସମ୍ରାଟ୍‌ ଭୂମିବଲ ମୃତ୍ତିକା ସଂରକ୍ଷଣ ଉପରେ ବିଶେଷ ଭାବରେ ଗୁରୁତ୍ୱ ଦେଇଥିଲେ। ଏହାଦ୍ୱାରା ମାନବ ସମାଜର ଖାଦ୍ୟ ନିରାପତ୍ତା ଓ ନିରନ୍ତର ବିକାଶ ହୋଇପାରିବ। ମୃତ୍ତିକା ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ ଏହି ମହାନ ସମ୍ରାଟ୍‌ଙ୍କର ସ୍ମରଣାର୍ଥେ ସମୁଦାୟ ବିଶ୍ୱ ସମାଜ ଏହି ଦିବସଟିକୁ ବିଶ୍ୱ ମୃତ୍ତିକା ଦିବସ ଭାବରେ ପାଳନ କରି ଆସୁଛି। ମାଟି ଏକ ସଜୀବ ପଦାର୍ଥ। ୧ ଗ୍ରାମ ମାଟିରେ ଅଗଣିତ ଅଣୁଜୀବ ରହିଥାନ୍ତି, ଯାହା ବିଶ୍ୱର ସମୁଦାୟ ଲୋକସଂଖ୍ୟାଠାରୁ ଯଥେଷ୍ଟ ଅଧିକ। ମାତ୍ର ଖାଲି ଆଖିରେ ଦେଖାଯାଉ ନ ଥିବା ଏହି ଅଣୁଜୀବମାନଙ୍କର କାର୍ଯ୍ୟକାରିତା ଶକ୍ତି ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଏହି ଅଣୁଜୀବମାନେ ମାଟିରେ ରହି ଜୈବିକ ଖତ ସୃଷ୍ଟି କରିବା ସହିତ ଫସଲକୁ ସମନ୍ବିତ ଖାଦ୍ୟସାର ଯୋଗାଇବା, ଗଛର ରୋଗ ପ୍ରତିରୋଧକାରୀ ଶକ୍ତି ବୃଦ୍ଧି କରିବା ସହିତ ଗଛକୁ ସୁସ୍ଥ ସବଳ ରଖିଥାନ୍ତି। ଅବଶ୍ୟ ରାସାୟନିକ ସାର, କୀଟନାଶକ ଓ ବୈଜ୍ଞାନିକ କୌଶଳ ଦ୍ୱାରା ସବୁଜ ବିପ୍ଳବ ହାସଲ କରି କୃଷିରେ ବୈପ୍ଳବିକ ପରିବର୍ତ୍ତନ ଆସିପାରିଛି। ମାତ୍ର ଚାଷୀଭାଇମାନେ ସହଜଲବ୍ଧ ଏବଂ ଶସ୍ତା ରାସାୟନିକ ସାର ଅବିଚାରିତ ଭାବରେ ମାଟିରେ ପ୍ରୟୋଗ କରିବା ହେତୁ ମାଟିରେ ଥିବା ଉପକାରୀ ଅଣୁଜୀବମାନଙ୍କର ସଂଖ୍ୟା ହ୍ରାସ ଘଟିଥାଏ, ଯାହାଫଳରେ ସୁସ୍ଥ ମାଟି ଅମ୍ଳ, ଲୁଣିଆ, କ୍ଷାରୀୟ ଓ ବିଷାକ୍ତ ମାଟିରେ ପରିଣତ ହୋଇଥାଏ। ତତ୍‌ସହିତ ଫସଲରେ ରୋଗପୋକ ବୃଦ୍ଧି, ଭୂତଳ ଓ ଉପରିସ୍ଥ ଜଳ ପ୍ରଦୂଷଣ ଏବଂ ସର୍ବୋପରି ବାୟୁମଣ୍ଡଳ ପ୍ରଦୂଷଣ ହୋଇଥାଏ। ମାନବ ସମାଜ ଉପରେ ଏହାର କୁପ୍ରଭାବ ପଡିଥାଏ ଏବଂ ମଣିଷ ବିଭିନ୍ନ ପ୍ରକାର ଦୁରାରୋଗ୍ୟ ବ୍ୟାଧିର ଶିକାର ହୋଇଥାଏ। ତେଣୁ ମାନବ ସମାଜକୁ ‘ମାଟିର ମଣିଷ’ ଓ ମୃତ୍ତିକାକୁ ‘ମାଟି’ ବୋଲି ସମ୍ବୋଧନ କରାଯାଇଛି। ମାନବ ସମାଜର ୯୫ ଭାଗ ଖାଦ୍ୟ ସହିତ ଗୋଖାଦ୍ୟ, ବସ୍ତ୍ର ଓ ଜାଳେଣି ଏହି ମାଟି ଯୋଗାଇଥାଏ। ମାତ୍ର ମାତ୍ରାଧିକ ଅସନ୍ତୁଳିତ ରାସାୟନିକ ସାର ପ୍ରୟୋଗ କରିବା ଦ୍ୱାରା ମାଟିର ଜୈବ ଅଙ୍ଗାରକ ଭାଗ ନଷ୍ଟ ହୋଇଥାଏ ଏବଂ ବାୟୁମଣ୍ଡଳର ଉତ୍ତାପ ବୃଦ୍ଧିରେ ସହାୟକ ହୋଇଥାଏ। ମାଟିର ଏହି କୁପରିଚାଳନା ହେତୁ ସିନ୍ଧୁ ଉପତ୍ୟକାରେ ସୃଷ୍ଟି ହୋଇଥିବା ଆର୍ଯ୍ୟ ସମାଜ ଭାରତବର୍ଷକୁ ପ୍ରବେଶ କରିଥିଲା। ଆଗ କାଳରେ ପର୍ବତାଞ୍ଚଳରେ ବସବାସ କରୁଥିବା ଆଦିମ ଅଧିବାସୀମାନେ ପୋଡୁ ଚାଷ ଉପରେ ଗୁରୁତ୍ୱ ଦେଉଥିଲେ, ଯାହାଫଳରେ ମାଟିର ଗୁଣବତ୍ତା ହ୍ରାସ ହୋଇଥାଏ। ମୃତ୍ତିକା ଭଗବାନଙ୍କର ଏକ ଅମୂଲ୍ୟ ଦାନ ଏବଂ ପ୍ରାୟ ଅଧଇଞ୍ଚ ମାଟି ଗଠନ ପାଇଁ ପ୍ରକୃତିକୁ ପ୍ରାୟ ୧୦୦୦ ବର୍ଷ ଲାଗିଥାଏ। ଏଥିରୁ ଏହାର ଉପାଦେୟତା ସହଜରେ ଅନୁମେୟ। ବର୍ଷା ଦ୍ୱାରା ପ୍ରତିବର୍ଷ ପ୍ରାୟ ୧୨ ଟନ ମୃତ୍ତିକା କ୍ଷୟ ହୋଇଥାଏ ଏବଂ ପ୍ରତି ମିନିଟରେ ୨ ହେକ୍ଟର ଚାଷଜମି ପୃଥିବୀରେ ସହରୀକରଣ ପାଇଁ ବିନିଯୋଗ ହେଉଛି। ନିଶ୍ଚିତ ଭାବରେ ଏହା ଏକ ଅପୂରଣୀୟ କ୍ଷତି। ବର୍ତ୍ତମାନ ପୃଥିବୀର ପ୍ରାୟ ୮୦ କୋଟି ଲୋକ ପୁଷ୍ଟିହୀନତା ରୋଗର ଶିକାର ହୋଇଛନ୍ତି ଏବଂ ଭାରତବର୍ଷରେ ଏହାର ମାତ୍ରା ସବୁଠାରୁ ଅଧିକ। ଏହି ପରିପ୍ରେକ୍ଷୀରେ ସୁସ୍ଥ ମୃତ୍ତିକା ଉପରେ ସଚେତନତା ଜାଗରଣର ଆବଶ୍ୟକତା ନିଶ୍ଚିତ ଭାବରେ ରହିଛି। ବିଶେଷ ଭାବରେ ସୁସ୍ଥ ମୃତ୍ତିକା ରଖିବା ପାଇଁ କେତେଗୁଡିଏ ଦିଗ ପ୍ରତି ଧ୍ୟାନଦେବା ନିହାତି ଆବଶ୍ୟକ। ଦେଖାଯାଇଛି ଯେ ଯେଉଁ ଦେଶରୁ ଯେତେ ଗୋଳିପାଣି ସମୁଦ୍ରକୁ ବୋହିଯାଏ, ସେହି ଦେଶ ସେତେ ଗରିବ। ତେଣୁ ମୃତ୍ତିକା କ୍ଷୟକୁ କିପରି ରୋକାଯାଇପାରିବ ତାହା ହିଁ ସମସ୍ତଙ୍କର ପ୍ରଥମ କର୍ତ୍ତବ୍ୟ ହେବା ଆବଶ୍ୟକ। ଢାଲୁ ଜମିରେ ଆଡିବନ୍ଧ ଦେବା, ସେଥିରେ ବେଣା ଘାସ ଲଗାଇବା, ବୃକ୍ଷରୋପଣ କରିବା ଏବଂ ବୁନ୍ଦା ଜଳସେଚନ କରିବା ଦ୍ୱାରା ମୃତ୍ତିକା କ୍ଷୟ କମ୍‌ ହୋଇଥାଏ। ଏହାସହିତ ଜୈବିକ ପଦାର୍ଥକୁ ସଂରକ୍ଷଣ କରି ପୁନଃ ବ୍ୟବହାର କରିବା, ଫସଲର ଜୈବିକ ଅଂଶକୁ ନ ଜଳାଇ ଖତରେ ପରିଣତ କରିବା, ସବୁଜ ସାର, ଜୈବସାର, ସବୁଜ ପତ୍ର ସାର ସହ ଅନୁମୋଦିତ ସାରର ଶତକଡା ୫୦ଭାଗକୁ ସମନ୍ବିତ ସାର ମାଧ୍ୟମରେ ପ୍ରୟୋଗ କରିବା ଦ୍ୱାରା ମାଟିର ଗୁଣବତ୍ତା ଅକ୍ଷୁଣ୍ଣ ରହିଥାଏ ଏବଂ ଫସଲ ଉତ୍ପାଦନ ବଢିଥାଏ। ଏହାସହିତ ଫସଲରେ ରୋଗପୋକ ପ୍ରାଦୁର୍ଭାବ କମ୍‌ ହୋଇଥାଏ। ମାଟିରୁ ନଷ୍ଟ ହୋଇଯାଇଥିବା ଉପକାରୀ ଅଣୁଜୀବମାନଙ୍କର ପୁନର୍ଜନ୍ମ ଓ ବିକାଶ ପାଇଁ ଜିଆଖତ, ଜୀବାଣୁସାର ବ୍ୟବହାର, ତତ୍‌ସହିତ ଫସଲର ରୋଗନାଶକାରୀ କବକ ଟ୍ରାଇକୋଡର୍ମା ଭିରିଡେ, ସିଡୋମୋନାସ ଓ ବାସିଲସ ବ୍ୟାକ୍ଟେରିଆର ବ୍ୟବହାର ଅତ୍ୟନ୍ତ ଅପରିହାର୍ଯ୍ୟ। ଆହୁରି ମଧ୍ୟ ମାଟିର ଉପରିଭାଗରେ ଥିବା ଉପକାରୀ ପୋକ ଯଥା ଟ୍ରାଇକୋଗ୍ରାମା ଏବଂ ଏନ୍‌ପିଭି ଭୂତାଣୁର ପ୍ରୟୋଗ କରି ଚାଷ କରିବା ଦ୍ୱାରା ପରିବେଶ ସୁରକ୍ଷା ହୋଇଥାଏ। ବର୍ତ୍ତମାନ ପରିସ୍ଥିତିରେ ମାଟି ପରୀକ୍ଷାର ଗୁରୁତ୍ୱକୁ ଉପଲବ୍ଧି କରି ଚାଷୀଭାଇମାନେ ସମନ୍ବିତ ଖାଦ୍ୟସାର ପରିଚାଳନା କରିବା, ଜୈବିକ ଫସଲକୁ ପ୍ରାଧାନ୍ୟ ଦେଇ ଜୈବିକ ପ୍ରଣାଳୀରେ ରୋଗପୋକ ଦମନକୁ ପ୍ରୋତ୍ସାହନ ଦେବା, ରାସାୟନିକ ସାରର କମ୍‌ ବ୍ୟବହାର କରିବା, ବର୍ଜ୍ୟ ଜମି ଓ ବସ୍ତୁ ପରିଚାଳନା କରିବା ଏବଂ ଜଳ ଓ ମୃତ୍ତିକା ସଂରକ୍ଷଣ କରିବା ଦରକାର। ଏହାଦ୍ୱାରା ନିରନ୍ତର ମୃତ୍ତିକା ସ୍ବାସ୍ଥ୍ୟ ପରିଚାଳନା ହେବା ସହ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ।

(ବିଶ୍ୱ ମୃତ୍ତିକା ଦିବସ ଉପଲକ୍ଷେ)

ଆଞ୍ଚଳିକ ଗବେଷଣା ଓ ବୈଷୟିକ ସଂପ୍ରସାରଣ କେନ୍ଦ୍ର, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri