ଗୁଜରାଟ ଲଢ଼େଇ

ଆକାର ପଟେଲ

ଗୁଜରାଟ ନିର୍ବାଚନ ଲଢ଼େଇର ପ୍ରସଙ୍ଗଗୁଡ଼ିକ କ’ଣ? ୨୨ବର୍ଷ ହେଲା ଏଠାରେ ଭାଜପା ଶାସନ କରିଆସୁଛି ଏବଂ କହୁଛି ଯେ ଏହା ବିକାଶକୁ ପ୍ରାଥମିକତା ଦେଉଛି। ଯେମିତି ମନେହେଉଛି, ଏ ‘ବିକାଶ’ ଶବ୍ଦଟି ଉପରେ ଭାଜପାର ଏକା ସ୍ବତ୍ୱାଧିକାର ରହିଛି ଏବଂ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ଛଡ଼ା ଅନ୍ୟ କେହି ବିକାଶ ଆଣିପାରିବେ ନାହିଁ। ଭାଜପା ଯାହା କରୁଛି ତାହା ହେଉଛି ବିକାଶ ଏବଂ ଅନ୍ୟମାନେ ଯାହା କରୁଛନ୍ତି ତାହା ହେଉଛି ଦୁର୍ନୀତି, ବଂଶାନୁକ୍ରମିକ ଶାସନ ଇତ୍ୟାଦି। ଏ ପ୍ରକାର ଦାବି କରିବା ପିଲାଳିଆମି ହେଲେ ବି ବିରୋଧୀ ଦଳଗୁଡ଼ିକ ଭାଜପାକୁ ଏପରି ଦାବି କରି ଖସିଯିବାକୁ ଛାଡ଼ିଦେଉଛନ୍ତି। ଏପରି କି ଭାଜପା ତଥ୍ୟ ଦେଇ ଓ ନିଜର ନୀତି ବିଷୟରେ କହି ଦେଶର ଅର୍ଥନୈତିକ ଓ ସାମାଜିକ ଉନ୍ନତି ହେଉଛି ବୋଲି ପ୍ରମାଣ କରିବାକୁ ଚେଷ୍ଟା କଲାବେଳେ ହତବୁଦ୍ଧି ହୋଇଯାଉଛି। ଭାଜପା ଉନ୍ନୟନର ଡିଣ୍ଡିମ ପିଟୁଥିବା ବେଳେ କଂଗ୍ରେସ କେଉଁ ପ୍ରସଙ୍ଗକୁ ଆପଣେଇବ ଜାଣିପାରୁ ନାହିଁ। କଂଗ୍ରେସ ଦଳର ରାଜକୁମାର ରାହୁଲ ଗାନ୍ଧୀ ଗୋଟିଏ ଦିନ ରାଫେଲ ଚୁକ୍ତିରେ ହୋଇଥିବା ଦୁର୍ନୀତି ଉପରେ ଆଲୋଚନା କରିବାକୁ ଚାହୁଁଛନ୍ତି ତ ତାଙ୍କୁ ଗଣମାଧ୍ୟମର ସମର୍ଥନ ନ ମିଳିବାରୁ ତା’ ପରଦିନ ଜିଏସ୍‌ଟି ଓ ବିମୁଦ୍ରୀକରଣ ପ୍ରସଙ୍ଗକୁ ଧରୁଛନ୍ତି। ତେଣୁ କୌଣସି ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଉପରେ ଜୋର ନ ଦେବା ଫଳରେ ଭାଜପା ବିରୋଧରେ ତାଙ୍କର ସ୍ବର ଦୁର୍ବଳ ହୋଇଯାଉଛି। ଦ୍ୱିତୀୟ କଥା ହେଲା ସଂଗଠନ। ଭାଜପାର ସଂଗଠନ ଅତ୍ୟନ୍ତ ସୁଦୃଢ଼। ଗଣତାନ୍ତ୍ରିକ ବିଶ୍ୱରେ ଏହା ହେଉଛି ସବୁଠାରୁ ଶକ୍ତିଶାଳୀ ରାଜନୈତିକ ଦଳ। ତୃଣମୂଳ ସ୍ତରରେ ଏହାର ବିଶାଳ ଉପସ୍ଥିତି ରହିଛି, ଯାହାର ପରିଚାଳନା କରୁଛି ଲକ୍ଷ ଲକ୍ଷ ସଦସ୍ୟ ବିଶିଷ୍ଟ ବିଶ୍ୱର ସର୍ବବୃହତ୍‌ ବେସରକାରୀ ସଂଗଠନ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)। ଏହାର ସଦସ୍ୟମାନେ ଦେଶ ପ୍ରତି ଓ ସଂଘ ପ୍ରତି ଉତ୍ସର୍ଗୀକୃତ ଏବଂ ତାଲିମପ୍ରାପ୍ତ। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଆର୍‌ଏସ୍‌ଏସ୍‌ ଅଧିକ ସକ୍ରିୟ ହୋଇପଡ଼ିଛି ଏବଂ ତୃଣମୂଳ ସ୍ତରରୁ ତାଙ୍କୁ ସମର୍ଥନ ଓ ପ୍ରଶଂସା ମିଳୁଛି। ଯେକୌଣସି ସଂଘର୍ଷପୂର୍ଣ୍ଣ ଲଢ଼େଇରେ ଭାଜପାର ସାଂଗଠନିକ ଶକ୍ତି ତାଙ୍କୁ ଜିତିବାରେ ସହାୟକ ହେବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଅନ୍ୟପକ୍ଷରେ ଯେହେତୁ ଏହା ଏକ ଦ୍ୱିଦଳପ୍ରଧାନ ରାଜ୍ୟ ଆମେ କଂଗ୍ରେସ ଉପରେ ନଜର ପକାଇବା ଉଚିତ। ଦକ୍ଷତା ଦୃଷ୍ଟିରୁ କଂଗ୍ରେସ ଏଠାରେ ଭାଜପାର ସମକକ୍ଷ ହୋଇପାରି ନାହିଁ। ସେବା ଦଳ ବା ଯୁବକଂଗ୍ରେସରୁ ଆସିଥିବା ପୁରୁଣା କଂଗ୍ରେସ କର୍ମୀ ଏଠାରେ ଆଉ ନାହାନ୍ତି। ଏଠାରେ ଦଳ ଖଣ୍ଡବିଖଣ୍ଡିତ ହୋଇଯାଇଛି ଏବଂ କେବଳ ରହିଛନ୍ତି ବୟକ୍ତିକ କଂଗ୍ରେସ ପ୍ରାର୍ଥୀ, ଯେଉଁମାନେ ହିଁ ଦଳର ଲୋକବଳ। ଏମାନଙ୍କ ଦ୍ୱାରା ଦଳର ନିର୍ବାଚନୀ ଖର୍ଚ୍ଚ ତୁଲାଇବା କଷ୍ଟକର। କାରଣ ଏଠାରେ ଦଳ ବାରମ୍ବାର ହାରୁଥିବାରୁ ପ୍ରାର୍ଥୀମାନେ ଆଉ ନିର୍ବାଚନ ଲଢ଼ିବା ପାଇଁ ହାତରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁନାହାନ୍ତି। ଉଭୟ ପ୍ରସଙ୍ଗ ଓ ସଂଗଠନ ଦୃଷ୍ଟିରୁ ମୋ ମତରେ ଭାଜପା ଯଥେଷ୍ଟ ଆଗରେ ଅଛି। ପୁଣି ଏହା ନିଜର ଶକ୍ତି ଦୃଷ୍ଟିରୁ ହେଉ ବା କଂଗ୍ରେସର ଦୁର୍ବଳତା ଦୃଷ୍ଟିରୁ ହେଉ ଆଗରେ ଅଛି। ତୃତୀୟ କଥା ହେଉଛି ନିର୍ବାଚନ ପ୍ରଚାରର ରଣକୌଶଳ। ଭାଜପା ନିଜର ସବୁଠାରୁ ଶକ୍ତିଶାଳୀ କାର୍ଡ ଖେଳୁଛି। ତାହା ହେଉଛନ୍ତି ପ୍ରଧାନମନ୍ତ୍ରୀ ଯିଏ ଅନେକ ର଼୍ୟାଲିରେ ଭାଗନେଇ ନିର୍ବାଚନ ପ୍ରଚାର କରିଛନ୍ତି। ଆଗରୁ ମୋଦି ହିନ୍ଦୀରେ ଅଧିକାଂଶ ଭାଷଣ ଦେଉଥିଲେ, ଏବେ ସେ ଗୁଜରାଟୀରେ ଭାଷଣ ଦେବା ଆରମ୍ଭ କରିଛନ୍ତି। ଏଥିରୁ ଜଣାପଡ଼ୁଛି ସେ ନିଜର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି, ତାଙ୍କ ନିଜ ମାତୃଭାଷାରେ। ସେ ଜଣେ ଉତ୍ତମ ବକ୍ତା ଏବଂ ରାହୁଲ କେବେ ବି ତାଙ୍କର ସମକକ୍ଷ ନୁହନ୍ତି। ମୋଦି ଯେତେବେଳେ ଭାଷଣ ଦିଅନ୍ତି, ସେ ଏକ ପୁରୁଣା ପ୍ରସଙ୍ଗକୁ ଏମିତି ନୂଆ ଢଙ୍ଗରେ ଉପସ୍ଥାପନ କରନ୍ତି, ଯାହା ଗଣମାଧ୍ୟମର ଶିରୋନାମା ମଣ୍ଡନ କରେ। ଉଦାହରଣସ୍ବରୂପ: ‘ମୁଁ ଚା ବିକିଛି କିନ୍ତୁ ଦେଶକୁ ବିକ୍ରି କରିନାହିଁ।’ ଅନ୍ୟ ପକ୍ଷରେ କଂଗ୍ରେସ ତ ରଣନୀତି ପ୍ରସ୍ତୁତ କରିପାରିବ ନାହିଁ, ବରଂ ସବୁଯାକ ଅଣପ୍ରସଙ୍ଗରେ ଆତ୍ମରକ୍ଷା ଲାଗି ଶକ୍ତି ଓ ସମୟ ବ୍ୟୟ କରିଚାଲିଥିବ। ଯେପରି ଅହମଦ ପଟେଲ ଏକ ହସ୍ପିଟାଲର ଟ୍ରଷ୍ଟି ହେବା ଭୁଲ୍‌ ଥିଲା କି ନା ବା ରାହୁଲ ଗାନ୍ଧୀ ଜଣେ କ୍ୟାଥଲିକ୍‌ ଖ୍ରୀଷ୍ଟିଆନ୍‌ କି ନା ଇତ୍ୟାଦି। ତେବେ କଂଗ୍ରେସ ଗତ ତିନିମାସ ଭିତରେ ତିନୋଟି ଅସନ୍ତୁଷ୍ଟ ଗୋଷ୍ଠୀକୁ ବୁଝାଇ ନିଜ ପକ୍ଷକୁ ଆଣିପାରିଛି। ସେମାନେ ହେଉଛି ହାର୍ଦ୍ଦିକ ପଟେଲଙ୍କ ପଟିଦାର, ଜିଗ୍ନେଶ ମଓ୍ବୋନିଙ୍କ ଦଳିତ ଓ ଅଳ୍ପେଶ ଠାକୁରଙ୍କ ଓବିସି କ୍ଷତ୍ରିୟ ଗୋଷ୍ଠୀ। ଏ ତିନି ଗୋଷ୍ଠୀଙ୍କ ଭିନ୍ନ ଭିନ୍ନ ଦାବି ଥିବାରୁ ସେମାନଙ୍କୁ କରାୟତ୍ତ କରିବା ସହଜ ନ ଥିଲା। ଏମାନେ ମଧ୍ୟ ସମସ୍ତେ କଂଗ୍ରେସ ସହ ମେଣ୍ଟ କରିବା ସ୍ବାଭାବିକ ନ ଥିଲା। ମୋର ଅନୁମାନ ମୁଖ୍ୟତଃ ଅହମଦ ପଟେଲଙ୍କ ଯୋଗୁ ଏହା ସମ୍ଭବ ହୋଇଛି। ଏହା ଦେଖି ଭାଜପା ବିଚଳିତ ହୋଇପଡ଼ିଛି। ସେମାନେ ଏ ମେଣ୍ଟ ଭାଙ୍ଗିବା ପାଇଁ ଚେଷ୍ଟା କରୁଥିବା ବିଭିନ୍ନ ନେତା ତଥା ମୁଖ୍ୟମନ୍ତ୍ରୀଙ୍କ ବିବୃତିରୁ ଜଣାପଡ଼ୁଛି। ପ୍ରଶ୍ନ ହେଉଛି, ଏତିକିରେ କ’ଣ କଂଗ୍ରେସ ଭାଜପାକୁ ହରାଇପାରିବ? ମୋର ମତ ନିର୍ବାଚନରେ ଜିତିବା ହାରିବା ଭୋଟ୍‌ଦାନର ହାର ଉପରେ ନିର୍ଭର କରିବ। ଭାଜପାକୁ ସୁନିଶ୍ଚିତ କରିବାକୁ ପଡ଼ିବ, ଯେପରି ଏହାର ସମର୍ଥକମାନେ ସମସ୍ତେ ଆସି ଭୋଟ ଦିଅନ୍ତି। ଏହା ମଧ୍ୟ ସହଜ ନୁହେଁ, କାରଣ ଦଳ ଏକ ପ୍ରତିରକ୍ଷାମୂଳକ ପ୍ରଚାର ବିରୋଧରେ ଲଢ଼େଇ କରୁଛି। କଂଗ୍ରେସ ଏ କ୍ଷେତ୍ରରେ ନିଶ୍ଚିତ ରହିପାରେ କାରଣ ଏହାର ସମର୍ଥକ ସଂଖ୍ୟା କମ୍‌ ହେଲେ ମଧ୍ୟ, ସେମାନେ ଭାଜପା ବିରୋଧରେ ରାଗିକରି ଥିବାରୁ ସମସ୍ତେ ଆସି ଭୋଟ୍‌ ଦେବେ। ଅନ୍ୟପକ୍ଷରେ ଗୁଜରାଟର ବାସ୍ତବ ସମସ୍ୟାକୁ ଯଦି ଦେଖିବା- ନିଯୁକ୍ତି, ସାର୍ଥକ ଅର୍ଥନୈତିକ ଉନ୍ନତି ଆଦି ଶାସକ ଦଳ ବିପକ୍ଷରେ ଯାଉଛି, ଯଦିଚ ସେମାନେ ବିକାଶ ପାଇଁ ଲଢ଼ୁଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି।

Email: aakar.patel@gmail.com



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri