ନିଆରା ମଣିଷପଣ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ

ମଣିଷ ଜୀବନ ସୁଖଦୁଃଖ, ଭଲମନ୍ଦ, ହସକାନ୍ଦର ଅସରନ୍ତି କଥାଟିଏ। ସେମିତି ପୁଣି ଆମ ସମାଜ ସତ୍ୟ ଅସତ୍ୟ, ନୀତି ଅନୀତି ଓ ଆଚାର ଅନାଚାରର ଦ୍ୱନ୍ଦ୍ୱ ମଧ୍ୟରେ ପରିପୁଷ୍ଟ। ଜୀବନ ହେଉ କି ସମାଜ, ଏ ଦୁହିଁଙ୍କର କଥା ଯେତେ କୁହାଗଲେ ବି ତଥାପି କିଛି କହିବାକୁ ବାକି ରହିଥାଏ। କଥାଟି ସମ୍ପୂର୍ଣ୍ଣ ବ୍ୟକ୍ତିଗତ ହୋଇପାରେ। ଏହା ସହ ଅନ୍ୟ କାହାର କିଛି ସମ୍ପର୍କ ନ ଥାଇପାରେ। ତଥାପି ଏହାକୁ ଅଲୋଡା କହି ଦୂରକୁ ଫିଙ୍ଗିଦେଇ ହୁଏନା। ଯେତେ ଅବହେଳା କଲେ ବି ଛାଇ ପରି ଏହା ପିଛା ଅନୁଧାବନ କରୁଥାଏ ପ୍ରତି ମୁହୂର୍ତ୍ତରେ। ନିଜ ପାଇଁ ସକଳ ସୁଖସମ୍ପଦ ସାଉଁଟୁଥିବା ସାଧାରଣମାନେ ସବୁରି ଅଲକ୍ଷ୍ୟରେ ବିସ୍ମୃତିରେ ହଜିଯାଉଥିବା ବେଳେ ଚିରକାଳ ଜନଶ୍ରୁତିରେ ବଞ୍ଚି ରହିଥାନ୍ତି ଅନ୍ୟର ଦୁଃଖମୋଚନ ପାଇଁ ନିଜ ଜୀବନକୁ ସମର୍ପିତ କରିଥିବା ଅନନ୍ୟ, ଅସାଧାରଣମାନେ। ଏହି ଅନନ୍ୟ, ଅସାଧାରଣମାନଙ୍କର ନିର୍ଦ୍ଦିଷ୍ଟ ଶ୍ରେଣୀ ନ ଥାଏ। ଏମାନେ ହୋଇପାରନ୍ତି ଧନୀ ଅବା ଗରିବ, ଶିକ୍ଷିତ ବା ଅଶିକ୍ଷିତ, ପୋଲିସ, ଡାକ୍ତର କିମ୍ବା ମାମୁଲି ମାଳୀର ଦରିଦ୍ର ସନ୍ତାନ। ଏମାନେ ଏକ ନିଆରା ଜୀବନ ବଞ୍ଚିବାରେ ରୁଚି ରଖନ୍ତି। ଦୁଃଖୀର ଦୁଃଖ ଲାଘବ କରି ନ ପାରିଲେ ବା ଅସହାୟକୁ ସହାୟତା ଦେଇ ନ ପାରିଲେ ଏମାନେ ନିଜକୁ ପରିପୂର୍ଣ୍ଣ ମନେ କରିପାରନ୍ତି ନାହିଁ। ଅନ୍ୟ କାହାର ସ୍ବୀକୃତି ବା ପ୍ରଶସ୍ତିକୁ ଅପେକ୍ଷା ନ କରି ଏମାନେ ନୀରବରେ ଆଗେଇ ଚାଲନ୍ତି ନିଜ ନିଜର ସାଧନା ପଥରେ। ଜୀବନର ଯାବତୀୟ ଜଟିଳତା ଓ ଅବକ୍ଷୟମାଣ ମଣିଷ ସମାଜର ସକଳ କାଳିମା ସତ୍ତ୍ୱେ ବି ଏ ସଂସାର ତଥାପି ଅପରିବର୍ଜନୀୟ ବୋଲି ମନରେ ବିଶ୍ୱାସ ଜନ୍ମେ। ମଦୁରାଇର ମନ୍ଦିର ବେଢାରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଫୁଲମାଳ ବିକିବାରେ ନିୟୋଜିତ ଥାଏ ପନ୍ଦରବର୍ଷ ବୟସର ତରୁଣଟିଏ। ବିଦ୍ୟାଳୟରେ ପାଠପଢା ମଧ୍ୟରେ ବାପାଙ୍କ ବେଉସା ସମ୍ଭାଳିବାର ଦାୟିତ୍ୱ ମୁଣ୍ଡାଇବାକୁ ପଡୁଥାଏ ପିଲାଟିକୁ ବାପାଙ୍କ ଅବର୍ତ୍ତମାନରେ। ଦିନେ ଫୁଲ ବିକୁ ବିକୁ ତା’ ନଜରରେ ପଡିଲା ମୁଣିଟିଏ। ବୋଧହୁଏ କେହି ଦର୍ଶନାର୍ଥୀ ଅସାବଧାନତାବଶତଃ ମୁଣିଟିକୁ ହଜାଇ ଥାଇପାରନ୍ତି ଭାବି ମୁଣିଟିକୁ ଆଣି ଯାହା ଦେଖିଲା, ସେଥିରେ ତା’ ଆଖି ଖୋସିହୋଇଗଲା। କିଛି କାଗଜପତ୍ର ସାଙ୍ଗକୁ ବିଡାଏ ଟଙ୍କା, ଯାହାର ପରିମାଣ ଥିଲା ତିନି ଲକ୍ଷରୁ ଅଧିକ। ବର୍ଷକ ପରେ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ପିଲାଟି ତା’ ବାପାର ଦାରିଦ୍ର୍ୟକୁ ଭଲ ଭାବେ ବୁଝିସାରିଥିଲା। ଏ କଥା ବି ବୁଝିଥିଲା ଯେ ପଇସା ଅଭାବରୁ ତା’ର ଅନ୍ୟ ସହପାଠୀମାନଙ୍କ ପରି ଟ୍ୟୁଶନ ପାଇପାରୁ ନ ଥିବା ବା ତାକୁ ତା’ ବାପା ମା’ ଓ ଦୁଇଟି ସାନଭଉଣୀଙ୍କୁ ଢୋକେ ପିଇ ଦଣ୍ଡେ ଜିଇବା ପର୍ଯ୍ୟାୟରୁ ଏକ ଉନ୍ନତ ଜୀବନର ସମ୍ବଳ ଯୋଗାଇବା ପାଇଁ ସେହି ମୁଣିଟିର ସାମର୍ଥ୍ୟ ଥିଲା ଯଥେଷ୍ଟରୁ ଅଧିକ। ତଥାପି ପରିବାରର ଦାରିଦ୍ର୍ୟ ବା ତାରୁଣ୍ୟର ଚପଳତା ତାକୁ ଦୁର୍ବଳ କରିପାରି ନ ଥିଲା। ସେ ମୁଣିଟିକୁ ନେଇ ମନ୍ଦିର ଅଫିସରେ ଜମା ଦେଇଥିଲା। କେବଳ ସେତିକି ନୁହେଁ, ତା’ ପରଦିନ ମୁଣିର ମାଲିକ ମନ୍ଦିର ଅଫିସରୁ ତାଙ୍କ ହୃତ ସମ୍ପଦ ଫେରାଇନେଲାବେଳେ ପିଲାଟିର ପିଠି ଥାପୁଡାଇ ତା’ ହାତରେ ହଜାରେ ଟଙ୍କା ଗୁଞ୍ଜି ଦେଲାବେଳେ ସେ ପ୍ରତିବାଦ କରିଥିଲା। କହିଥିଲା, ‘ଯାହା ମୋର ନୁହେଁ, ତାହା ମୁଁ ଗ୍ରହଣ କରିପାରିବି ନାହିଁ।’ ନାହିଁ ନାହିଁର ଜୀବନ ବଞ୍ଚୁଥିବା ଗୋଟିଏ ଗରିବ ବାଳକ ଯେମିତି ଜୀବନକୁ ଚିହ୍ନିଛି, ସେମିତି ଚିହ୍ନିଛନ୍ତି କି ଆମ ଭଳି ବିଜ୍ଞ ବୟସ୍କମାନେ ? ଏ ପ୍ରଶ୍ନର ଉତ୍ତରରେ ଆଉ ଏକ ଉଜ୍ଜ୍ୱଳ ଉଦାହରଣ। ମାଟ୍ରିକ୍‌ ପରୀକ୍ଷାରେ କ୍ରମାଗତ ଦୁଇଥର ଅସଫଳ ହେଲା ପରେ ହତାଶାରେ ହନ୍ତସନ୍ତ ହୋଇ ଦୁଇଟି ଗ୍ରାମ୍ୟ ବାଳକ ନିଜ ନିଜ ଘରୁ ପୁଳାଏ ସୁନାଗହଣା ଚୋରାଇ ଏକ ଅଜଣା ଲକ୍ଷ୍ୟରେ ପାଦ ବଢାଇଲେ। ଏକ ଦୂର ସହରରେ ପହଞ୍ଚି ଗହଣାତକ ବିକିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ଜଣେ ଦଲାଲ ହାବୁଡରେ ପଡିଗଲେ। ସେମାନଙ୍କ ପାଇଁ ସେ ଏକ ସହଜ ଜୀବନର ବ୍ୟବସ୍ଥା କରିଦେବ ବୋଲି ଲୋଭ ଦେଖାଇ ମୂଲ୍ୟବାନ ଗହଣାତକ ହାତେଇବାକୁ ଉଦ୍ୟମ କରୁଥିଲାବେଳେ ଅଚାନକ ଦୃଶ୍ୟପଟରେ ଆବିର୍ଭୂତ ହେଲେ ସ୍ଥାନୀୟ ଥାନାର ଜଣେ ପୋଲିସ। ଦଲାଲ ଜଣକୁ ନିଜର ଶୁଭାକାଂକ୍ଷୀ ଭାବୁଥିବା ପିଲା ଦୁହେଁ ପୋଲିସବାବୁଙ୍କ ଅଯଥା ହସ୍ତକ୍ଷେପରେ ଖୁସି ନ ହେଲେ ବି ସେମାନଙ୍କର କିଛି କରିବାର ନ ଥିଲା। ପୋଲିସବାବୁ ଚାହିଁଥିଲେ ପଳାତକ ପିଲାଦୁହିଁଙ୍କୁ ନେଇ ଆଇନର ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେଇପାରିଥାନ୍ତେ ବା ନିଜର ଅନ୍ୟ କିଛି ସହକର୍ମୀଙ୍କ ପରି ସୁରକ୍ଷାର କବଚ ପିନ୍ଧାଇବା ନାଁରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ହାତେଇ ନେଇ ଅସହାୟ ପିଲାଯୋଡ଼ିଙ୍କୁ ଅଜଣା ସହରର ଗଳି ରାସ୍ତାରେ ଫିଙ୍ଗିଦେଇପାରିଥାନ୍ତେ। ମାତ୍ର ସେ ଏମିତି କିଛି କଲେନାହିଁ। ପୋଲିସ ପୋଷାକ ତଳେ ଥିବା ତାଙ୍କ ଛାତି ଭିତରର ହୃଦୟରେ ଯେଉଁ ମେଞ୍ଚାଏ ମାନବିକତା ଖୁନ୍ଦିଖାନ୍ଦି ହୋଇ ଭରି ରହିଥିଲା, ସେଇ ମାନବିକତାର ଆହ୍ବାନରେ ସେ ପଥହୁଡା ପିଲାଦୁହିଁଙ୍କୁ ନିଜ ଘରକୁ ନେଇଗଲେ ଓ ତାଙ୍କ ପରିବାରକୁ ଫେରିଯିବା ପାଇଁ ବହୁ ଭାବେ ପ୍ରବର୍ତ୍ତାଇଲେ। କିନ୍ତୁ ଘରକୁ ନ ଫେରିବା ପାଇଁ ଦୃଢ ପ୍ରତିଜ୍ଞ ଥିବା ପିଲା ଦୁହେଁ ସେମାନଙ୍କ ଠିକଣା ବତାଇଲେ ନାହିଁ। ଖାକି ପୋଷାକ ସହ ସର୍ବଦା ଔଦ୍ଧତ୍ୟର ଅପନିନ୍ଦା ବହନ କରୁଥିବା ସେଇ ହୃଦୟବାନ ପୋଲିସ କର୍ମଚାରୀ ଧୈର୍ଯ୍ୟ ହରାଇଲେ ନାହିଁ କି ପୋଲିସ କାଇଦା ପ୍ରୟୋଗ କଲେନାହିଁ। ଦୀର୍ଘ ସାତଦିନ କାଳ ସେମାନଙ୍କୁ ନିଜ ସହିତ ରଖି ସେ ଓ ତାଙ୍କ ପତ୍ନୀ ଶେଷରେ ତାଙ୍କ ନିଷ୍ପତ୍ତି ବଦଳାଇବାରେ ସଫଳ ହେଲେ ଓ ସେମାନଙ୍କୁ ସେଠାରୁ ଚାରିଶହ କି.ମି. ଦୂର ତାଙ୍କ ଗାଁରେ ନେଇ ଛାଡିଦେଇ ଆସିଲେ। ପିଲାଦୁହିଁଙ୍କ ବିଚ୍ଛେଦରେ ସେ ଯାଏ ଦାରୁଣ ଦୁଃଖ ଭୋଗୁଥିବା ସେମାନଙ୍କ ବାପା ମା’ଙ୍କ କୃତଜ୍ଞ ଆଖିର ଭାଷା ଥିଲା ସେଇ ପୋଲିସବାବୁଙ୍କ ମହାର୍ଘ ମଣିଷପଣିଆ ନିକଟରେ ଏକ ନୀରବ ସମର୍ପଣ। ନିଜର ନିଆରା ମଣିଷପଣିଆ ମାଧ୍ୟମରେ ଶୁଦ୍ଧ ଜୀବନବୋଧର ଜୟଗାନ କରୁଥିବା ଆଉ ଜଣେ ଡାକ୍ତରଙ୍କ କଥା। ଆମ ରାଜ୍ୟର ଓଲଟପୁରଠାରେ ପ୍ରତିଷ୍ଠିତ ସ୍ବାମୀ ବିବେକାନନ୍ଦ ପୁନର୍ବାସ ପ୍ରଶିକ୍ଷଣ ଓ ଗବେଷଣା ଜାତୀୟ ପ୍ରତିଷ୍ଠାନ (ଏସ୍‌.ଭି.ନିରତାର)ରେ ଭୌତିକ ଚିକିତ୍ସା (ଫିଜିଓଥେରାପି) ବିଭାଗରେ କାର୍ଯ୍ୟରତ ଏହି ଡାକ୍ତରଙ୍କ କର୍ତ୍ତବ୍ୟନିଷ୍ଠା ଓ ଉଚ୍ଚ ବିଚାରବୋଧ ସଂସ୍ପର୍ଶରେ ଆସିଲେ ଜାଣିହୁଏ ଏକ ସଫଳ ଜୀବନ ଜିଇବାର ସାର୍ଥକତା। ପ୍ରତିଦିନ ସକାଳ ଆଠରୁ ଆରମ୍ଭ ହେଉଥିବା ବୃତ୍ତିଗତ ଦିନଚର୍ଯ୍ୟା ଶେଷହୁଏ ସାର ଢେର୍‌ ପରେ। ତାଙ୍କୁ ଅପେକ୍ଷା କରିଥିବା ଚାଳିଶରୁ ଅଧିକ ରୋଗୀଙ୍କ ଯନ୍ତ୍ରଣା ଜର୍ଜରିତ ଶରୀରରେ ଭୌତିକ ଚିକିତ୍ସାର ପ୍ରୟୋଗ କରିବା ମଧ୍ୟରେ ତିନିଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ସେ ନିରଳସ ଅକ୍ଳାନ୍ତ ଭାବରେ ରୋଗୀସେବା କରିଚାଲିଥାନ୍ତି। ମୁହଁରୁ ଝରିପଡୁଥାଏ ହସ ଓ ରୋଗୀମାନଙ୍କ ଉଦ୍ଦେଶ୍ୟରେ ମଜାଳିଆ ମନ୍ତବ୍ୟ। କେଉଁଠୁ ତାଙ୍କୁ ମିଳୁଥାଏ କେଜାଣି ଏମିତି ଅଫୁରନ୍ତ ଶକ୍ତି ଓ ଉତ୍ସାହ ? ତାଙ୍କ ଚିକିତ୍ସାର ଶୀତଳ ଚନ୍ଦନ ସ୍ପର୍ଶରେ ରୋଗୀମାନଙ୍କ ମୁହଁରେ ଯେଉଁ ମୁଗ୍ଧ ଅନୁଭବ ଫୁଟିଉଠୁଥାଏ, ତାହା ବୋଧହୁଏ ତାଙ୍କୁ ଦେଉଥାଏ ସଞ୍ଜୀବନୀ ଶକ୍ତିର ଅମୃତ ଆଘ୍ରାଣ। ମଦୁରାଇର ସେଇ ମାଳୀ ପିଲା, ରାଜଧାନୀର ପୋଲିସବାବୁ ଅବା ଓଲଟପୁର ନିର୍‌ତାରର ଏହି ଡାକ୍ତର ବାବୁ- ଏମାନେ ଅଛନ୍ତି ବୋଲି ସଂସାରଟା ବୋଧହୁଏ ଏତେ ସୁନ୍ଦର ଲାଗୁଛି। ଜୀବନ ମନେହେଉଛି ଅଧିକ ହୃଦ୍ୟ, ଅଧିକ ରମଣୀୟ।

ପ୍ରଜ୍ଞା ନିଳୟ, ବିଦ୍ୟାପତିନଗର, ଚକେଇସିହାଣି, ଭୁବନେଶ୍ୱର, ମୋ-୮୮୯୫୬୨୪୧୦୫



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri