ଦକ୍ଷ ପରିଚାଳକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ରାଷ୍ଟ୍ରାୟତ୍ତ ବିମାନସେବା ପ୍ରଦାନକାରୀ ‘ଏୟାର ଇଣ୍ଡିଆ’କୁ ଘରୋଇକରଣ କରିବା ଲାଗି ଯୋଜନା ଚାଲିଥିବା ବେଳେ ଏହାର ମୁଖିଆଙ୍କ ନିଯୁକ୍ତି ସର୍ବଦା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଚାଲିଛି। କ୍ଷତିରେ ଚାଲୁଥିବା ସଂସ୍ଥାକୁ ଉଦ୍ଧାର କରିବାର ଦକ୍ଷତା ରଖିଥିବା ବ୍ୟକ୍ତିଙ୍କୁ ସରକାର ଏହି ପଦ ପାଇଁ ଅଗ୍ରପ୍ରାଧାନ୍ୟ ଦେଉଥିବା କୁହାଯାଉଛି। ଏହି କ୍ରମରେ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି (ସିସିଏ) ଏୟାର ଇଣ୍ଡିଆର ଅଧ୍ୟକ୍ଷ ଭାବେ ନିକଟରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ପ୍ରଦୀପ ସିଂ ଖରୋଲାଙ୍କ ନାମ ଘୋଷଣା କରିଛି। ସେ ରାଜୀବ ବଂଶଲଙ୍କ ସ୍ଥାନରେ ଅବସ୍ଥାପିତ ହେବେ। ପ୍ରଦୀପଙ୍କ ନାମ ଘୋଷଣା ପରେ ତାଙ୍କ ଦକ୍ଷତା ବିଷୟରେ ଜାଣିବାକୁ ଅନେକେ ଆଗ୍ରହ ରଖିବା ସ୍ବାଭାବିକ। ୧୯୮୫ ବ୍ୟାଚ୍‌ର କର୍ନାଟକ କ୍ୟାଡର ଆଇଏଏସ୍‌ ଅଧିକାରୀ ପ୍ରଦୀପ ଦିଲ୍ଲୀ ଆଇଆଇଟିରୁ ପବ୍ଲିକ୍‌ ଟାନ୍ସପୋର୍ଟରେ ପିଏଚ୍‌.ଡି. ଅର୍ଜନ କରିଥିବାରୁ ସାଧାରଣ ପରିବହନ ଉପରେ ତାଙ୍କର ଗଭୀର ଜ୍ଞାନ ଥିବା ଜଣାଶୁଣା। ଦେଖାଯାଇଛି ଯେତେବେଳେ ଯେଉଁ ବିଭାଗରେ ସଙ୍କଟଜନକ ପରିସ୍ଥିତି ଉପୁଜିଛି ସେତେବେଳେ ୫୬ ବର୍ଷୀୟ ଏହି ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ସେ ମଧ୍ୟ ନିଜ ଅଭିଜ୍ଞତା ବଳରେ ସମାଧାନର ସୂତ୍ର ବାହାର କରିଛନ୍ତିି। କର୍ନାଟକ ଅର୍ବାନ ଇନ୍‌ଫ୍ରାଷ୍ଟ୍ରକଚର ଡେଭଲପ୍‌ମେଣ୍ଟ ଆଣ୍ଡ୍‌ ଫାଇନାନ୍ସ କର୍ପୋରେଶନ (କେୟୁଆଇଡିଏଫ୍‌ସି)ର ଅଧ୍ୟକ୍ଷ ଥିବା ବେଳେ ଘରୋଇ ସଂସ୍ଥାର ମିଳିତ ସହଯୋଗରେ ସହରବ୍ୟାପୀ ଭିତ୍ତିଭୂମି ସୁଦୃଢ଼ କରିବାରେ ସେ ସକ୍ଷମ ହୋଇଥିଲେ। ଏହା ପରେ ତାଙ୍କୁ କ୍ଷତିରେ ଚାଲୁଥିବା ବାଙ୍ଗାଲୋର ମେଟ୍ରୋପଲିଟାନ୍‌ ଟ୍ରାନ୍ସପୋର୍ଟ କର୍ପୋରେଶନ (ବିଏମ୍‌ଟିସି) ଦାୟିତ୍ୱ ଦିଆଯାଇଥିଲା। ଦେଖୁଦେଖୁ କମ୍‌ ସମୟ ମଧ୍ୟରେ ଏହାକୁ ସେ ଏକ ଲାଭପ୍ରଦାନକାରୀ ସଂସ୍ଥାରେ ପରିଣତ କରିଦେଇଥିଲେ। ଏପରିକି ବାଙ୍ଗାଲୋରରେ ସେ ଶୀତତାପ ନିୟନ୍ତ୍ରିତ ବସ୍‌ ଚଳାଚଳ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୨୦୧୨-୧୩ରେ ସେ କର୍ନାଟକର ତତ୍‌କାଳୀନ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନିଭାଇଥିଲେ। ପ୍ରଶାସନିକ ଦକ୍ଷତା ତାଙ୍କୁ କେନ୍ଦ୍ରରେ ଯୁଗ୍ମ ସଚିବ ସ୍ତରକୁ ଉନ୍ନୀତ କରିଥିଲା ଏବଂ ସେ ପ୍ରଶାସନିକ ସଂସ୍କାର କମିଶନ (ଏଆର୍‌ସି)ର ଅଂଶବିଶେଷ ପାଲଟିଥିଲେ। ସ୍ବଳ୍ପଭାଷୀ ପ୍ରଦୀପ ସର୍ବଦା ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରି କାର୍ଯ୍ୟରେ ଉତ୍କର୍ଷ ପ୍ରତିପାଦନ କରିବା ଉପରେ ଗୁରୁତ୍ୱ ଦେଇଥାନ୍ତି। ଏୟାର ଇଣ୍ଡିଆର ଅଧ୍ୟକ୍ଷ ଭାବେ ନାମ ଘୋଷଣା ହେବା ପରେ କର୍ନାଟକ ସରକାର ତାଙ୍କୁ ପୁନଶ୍ଚ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରିବା ଲାଗି ଅନୁମତି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ତାଙ୍କ ତତ୍ତ୍ୱାବଧାନରେ ବାଙ୍ଗାଲୋର ମେଟ୍ରୋ ନେଟ୍‌ଓ୍ବର୍କର ୪୨ କିଲୋମିଟର ବ୍ୟାପୀ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଛି। ଚଳିତବର୍ଷ ଜୁନ୍‌ରେ ଏହା ସର୍ବସାଧାରଣଙ୍କ ଲାଗି ଖୋଲାଯାଇଛି। ଏହାର ଦ୍ୱିତୀୟ ପର୍ଯ୍ୟାୟରେ ଚାଲିଥିବା ୭୨ କିଲୋମିଟର ବ୍ୟାପୀ ମେଟ୍ରୋ କାର୍ଯ୍ୟକୁ ସେ ତଦାରଖ କରୁଛନ୍ତି। ଦିଲ୍ଲୀ ମେଟ୍ରୋ ପରେ ବାଙ୍ଗାଲୋର ମେଟ୍ରୋ ରେଲ୍‌ କର୍ପୋରେଶନ (ବିଏମ୍‌ଆର୍‌ସିଏଲ୍‌) ଦ୍ୱିତୀୟ ସର୍ବାଧିକ ନେଟ୍‌ଓ୍ବର୍କ ପାଇବା ପଛରେ ପ୍ରଦୀପଙ୍କ ଭୂମିକା ଅନସ୍ବୀକାର୍ଯ୍ୟ ବୋଲି କୁହାଯାଉଛି। ତାଙ୍କ କାର୍ଯ୍ୟଶୈଳୀକୁ ନିରେଖିବା ପରେ ସିସିଏ ପ୍ରଦୀପଙ୍କୁ ଏୟାର ଇଣ୍ଡିଆର ଅଧ୍ୟକ୍ଷ ଭାବେ ବାଛିଛି। କ୍ଷତିରେ ଚାଲୁଥିବା ଏହି ରାଷ୍ଟ୍ରାୟତ୍ତ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ଉଚିତ ମାର୍ଗ ଦେଖାଇ କିଛି ନୂତନତ୍ୱ ଆଣିପାରିଲେ ତାଙ୍କ ଦକ୍ଷତା ଅନ୍ୟ ଅଧିକାରୀଙ୍କ ପାଇଁ ଦୃଷ୍ଟାନ୍ତ ଭାବେ ଉଭା ହେବ ବୋଲି ଆଶା କରାଯାଇପାରେ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri