ବିସ୍ତୃତିହୀନ କିଛି ନାହିଁ

ଶିବରାମ ଶତପଥୀ

ଯାହାର ଅସ୍ତିତ୍ୱ ଅଛି, ତା’ର ଡାଇମେନ୍‌ଶନ ବା ଦୈର୍ଘ୍ୟ-ପ୍ରସ୍ଥ-ଉଚ୍ଚତା ବା ବିସ୍ତୃତି ଅଛି। ଶୂନ୍ୟ ଡାଇମେନ୍‌ଶନ୍‌ ବୋଲି କିଛି ନାହିଁ। ଯଦିଚ ଅନେକେ ବିନ୍ଦୁକୁ ବିସ୍ତୃତିହୀନ ବୋଲି ଧରିନିଅନ୍ତି। କିନ୍ତୁ ବିନ୍ଦୁରୁ ଯେ ସିନ୍ଧୁର ସୃଷ୍ଟି। ସୂଚ୍ୟଗ୍ରକୁ ଶୂନ୍ୟ ଡାଇମେନ୍‌ଶନ୍‌ ଧରିନେବା ଅଧିକ ଯୁକ୍ତିଯୁକ୍ତ ହେବ, ଯେମିତି ଦୁର୍ଯ୍ୟୋଧନ କହିଥିଲା ସେ ପାଣ୍ଡବଙ୍କୁ ପାଞ୍ଚ ଗାଁ କ’ଣ ସୂଚ୍ୟଗ୍ର ପରିମିତ ଭୂମି ମଧ୍ୟ ଦେବନାହିଁ। ଜୀବାଣୁ ଓ ତା’ଠାରୁ ମଧ୍ୟ କ୍ଷୁଦ୍ର ଭୂତାଣୁର ସ୍ଥିତି ବୈଜ୍ଞାନିକମାନେ ସ୍ଥିର କରିସାରିଛନ୍ତି। ଅଣୁ ଓ ତା’ଠାରୁ କ୍ଷୁଦ୍ର ପରମାଣୁ ଅଛି। ପରମାଣୁର କେନ୍ଦ୍ରରେ ଅଛି ପ୍ରୋଟନ୍‌ ଓ ନ୍ୟୁଟ୍ରନ୍‌, ଯାହାର ସଂଖ୍ୟାକୁ ନେଇ ପରମାଣୁର ଓଜନ ସ୍ଥିର କରାଯାଏ। ତେବେ ଶୂନ୍ୟ ଡାଇମେନ୍‌ଶନ ଏକ କଳ୍ପନା ମାତ୍ର। ଅସଂଖ୍ୟ ଶୂନ୍ୟ ଡାଇମେନ୍‌ଶନକୁ ନେଇ ଏକ ରେଖାର ସୃଷ୍ଟି। ଅବଶ୍ୟ ଗାଣିତିକ ଯୁକ୍ତି ଦୃଷ୍ଟିରୁ ଅସଂଖ୍ୟ ଶୂନ୍ୟର ସମାହାର କେବେ ଏକ ହୋଇ ନ ପାରେ। ରେଖା ଦୁଇ ପ୍ରକାର ସରଳ ଓ ବକ୍ର। ଉଭୟ ପ୍ରକାର ରେଖା ଏକ ଡାଇମେନ୍‌ଶନ (ଦୈର୍ଘ୍ୟ) ବିଶିଷ୍ଟ। ଗୋଟିଏ ଚଳତ୍‌ଶକ୍ତିବିଶିଷ୍ଟ ଅଣୁଜୀବକୁ ଯଦି ଛାଡି ଦିଆଯାଏ ସେ କେବଳ ଏକ ଡାଇମେନ୍‌ଶନରେ ଗତି କରିପାରିବ। ଦୁଇ ଡାଇମେନ୍‌ଶନ ବା କ୍ଷେତ୍ରଫଳର ସୂଚନା ଦେବା ବା ପରିକ୍ରମଣ କରିବା ଶକ୍ତି ତା’ର ନାହିଁ। ଯେପରି ଅସଂଖ୍ୟ ସମଧର୍ମୀ ରେଖା (ସରଳରେଖା ବା ବକ୍ର ହେଲେ ଏକପ୍ରକାର ବକ୍ରରେଖା) ଗୋଟିଏ ସହିତ ଆରଟି ଜଡିତ ରହି ଏକ କ୍ଷେତ୍ର ସୃଷ୍ଟି କରିପାରିବ, ଯଦିଚ ଏକ ଡାଇମେନ୍‌ଶନ ବିଶିଷ୍ଟ ରେଖାର ପରିମାଣ କେବଳ ଦୈର୍ଘ୍ୟ। ନା ଏଥିରେ ଥାଏ ପ୍ରସ୍ଥ ନା ବେଧ। ଏକ ଆୟତକ୍ଷେତ୍ରର ଡାଇମେନ୍‌ଶନ୍‌ଦ୍ୱୟ (ଦୈର୍ଘ୍ୟ ଓ ପ୍ରସ୍ଥ) ପରସ୍ପର ସହିତ ସମକୋଣ ସୃଷ୍ଟି କରିବା ଆମେ ଗାଣିତିକ ସୁବିଧା ପାଇଁ ଧରିନେଇଛେ। ଏ ନିୟମ ଦ୍ୱାରା କ୍ଷେତ୍ରଫଳ ବା ପରିମାଣ ନିର୍ଦ୍ଧାରଣ ସହଜସାଧ୍ୟ। ଦୁଇ ଡାଇମେନ୍‌ଶନ୍‌ ବିଶିଷ୍ଟ କ୍ଷେତ୍ର ବେଧଶୂନ୍ୟ। ଅସଂଖ୍ୟ କ୍ଷେତ୍ରକୁ ଗୋଟିକ ଉପରେ ଆଉ ଗୋଟିଏ ରଖି ଏକ ଥ୍ରିଡାଇମେନ୍‌ଶନାଲ (ତ୍ରିବିମୀୟ) ବସ୍ତୁ ସୃଷ୍ଟି କରିହେବ ଯେପରି ଅନେକ କାଗଜ ଗୋଟିଏ ଉପରେ ଅନ୍ୟଟି ରଖି ବହିଟିଏ କରିହୁଏ, ଯଦିଚ ଏହା ଯୁକ୍ତିସମ୍ମତ ନୁହେଁ। ଗାଣିତିକ ପରିମାପରେ ସୁବିଧା ହେବ ବୋଲି ଏଇ ତୃତୀୟ ଡାଇମେନ୍‌ଶନ (ବେଧ)ଟି ଦ୍ୱିବିମୀୟ କ୍ଷେତ୍ର ସହ ସମକୋଣ ସୃଷ୍ଟି କରୁଥିବା ନିଆଗଲା। ଏହାଦ୍ୱାରା ପରିମାଣ ମାପିବା ସହଜସାଧ୍ୟ ଯେପରି ଏତେ ଘନମିଟର ଜଳ। ଗୋଟିଏ ଅଣୁଜୀବ ଯେପରି ତା’ର ସ୍ଥିତି ବିନା ସେ ଆଉ କିଛି ଜାଣେନାହିଁ ତଥା ଏକ ଡାଇମେନ୍‌ଶନ ବିଶିଷ୍ଟ ଜିଆ ଯେପରି ସେ ଗତି କରୁଥିବା ରେଖାକୁ ହିଁ ସମଗ୍ର ସଂସାର ବୋଲି ଭାବେ ତଥା ଦୁଇ ଓ ତିନି ଡାଇମେନ୍‌ଶନ ବିଷୟରେ ତା’ର କିଛି ଧାରଣା ନ ଥାଏ, (ଅବଶ୍ୟ ଶୂନ୍ୟ ଡାଇମେନ୍‌ଶନ୍‌ ଅର୍ଥାତ୍‌ ନିଜ ସ୍ଥିତି ବିଷୟରେ ଅବଗତ ଥାଏ।) ସେହିପରି ତିନି ଡାଇମେନ୍‌ଶନ୍‌ ବିଶିଷ୍ଟ ପ୍ରାଣୀ ତିନି ଡାଇମେନ୍‌ଶନ ଓ ତା’ଠାରୁ କମ୍‌ ଡାଇମେନ୍‌ଶନ ବିଷୟରେ ଜାଣିପାରେ କିନ୍ତୁ ତା’ଠାରୁ ଅଧିକ ଅର୍ଥାତ୍‌ ଚାରି, ପାଞ୍ଚ ଇତ୍ୟାଦି ଡାଇମେନ୍‌ଶନ୍‌ ବିଷୟରେ କିଛି ବି ଜାଣିପାରେ ନାହିଁ। ବରଂ ଏ ସବୁ କିଛିନାହିଁ ବୋଲି ଭାବେ। ଭଗବତ୍‌ଗୀତାର ଉକ୍ତି ଅନୁସାରେ, ନାନ୍ୟଦସ୍ତୀତି ବାଦିନଃ। ବମୁଡା ତ୍ରିକୋଣରେ ଯେପରି ଦିଗ ନିର୍ଣ୍ଣାୟକ ଚୁମ୍ବକୀୟ କମ୍ପାସ କାମ କରିବା ବନ୍ଦ କରିଦିଏ ତଥା ପ୍ରେତାତ୍ମା ଆଦି ଯେପରି ମଣିଷ ଆଖିକୁ ଦେଖାଯାନ୍ତି ନାହିଁ, ସେମାନେ ଯେ ଚାରି ଡାଇମେନ୍‌ଶନ ବିଶିଷ୍ଟ ଏଥିରେ ସନ୍ଦେହ ନାହିଁ। ସେପରି ମୃତ୍ୟୁ ସମୟରେ ପ୍ରାଣୀ ଯେପରି ସୁଡଙ୍ଗ ଭିତର ଦେଇ ଯିବା ଅନୁଭବ କରେ ତାହା ସୂଚନା ଦିଏ ଯେ ତିନି ଡାଇମେନ୍‌ଶନ୍‌ ଶରୀର ଛାଡି ବ୍ୟକ୍ତିର ଜୀବାତ୍ମା ଚତୁର୍ଥ ଡାଇମେନ୍‌ଶନକୁ ଗତିକରେ। କୃଷ୍ଣଗର୍ତ୍ତ (ବ୍ଲାକ୍‌ ହୋଲ୍‌) ଶୂନ୍ୟ ଡାଇମେନ୍‌ଶନ୍‌ର ଏକ ଉତ୍କୃଷ୍ଟ ଉଦାହରଣ। ଊର୍ଜ୍ଜା ହରାଇବା ପରେ ଗ୍ରହ ତାରା ଆଦି ମହାଜାଗତିକ ବସ୍ତୁ କୃଷ୍ଣଗର୍ତ୍ତ ଦ୍ୱାରା ବିଶୋଷିତ ହୋଇ ନିଜର ସତ୍ତା ହରାନ୍ତି। ପୃଥିବୀକୁ ମିଶାଇ ଯେଉଁ ଚତୁର୍ଦ୍ଦଶ ବ୍ରହ୍ମାଣ୍ଡର କଳ୍ପନା କରାଯାଇଛି ତାହା ଉତ୍ତରୋତ୍ତର ଏହି ଡାଇମେନ୍‌ଶନ୍‌ର ବ୍ୟବସ୍ଥିତି ବ୍ୟତୀତ ଆଉ କିଛି ନୁହେଁ। ପୁଣି ସେହି ସେହି ଲୋକ ବା ଡାଇମେନ୍‌ଶନରେ ଯେଉଁ ଜୀବ ବା ଆତ୍ମା ବା ଗନ୍ଧର୍ବ, ଦେବତା, ପିତୃ ଆଦି ବାସ କରନ୍ତି ସେମାନେ ମଧ୍ୟ ସେହି ଡାଇମେନ୍‌ଶନର ଶରୀର ଧାରଣ କରନ୍ତି। ଯେପରି ପୃଥିବୀ ତିନି ଡାଇମେନ୍‌ଶନ ବିଶିଷ୍ଟ ତେଣୁ ତତ୍ରତ୍ୟ ପ୍ରାଣୀ ତ୍ରିଡାଇମେନ୍‌ଶନ୍‌ ବିଶିଷ୍ଟ। ବ୍ରହ୍ମଲୋକ ସର୍ବାଧିକ ଡାଇମେନ୍‌ଶନ ବିଶିଷ୍ଟ ହେଲାବେଳକୁ ଧ୍ରୁବଙ୍କୁ ବିଷ୍ଣୁ ଯେଉଁ ଲୋକରେ ଅବସ୍ଥାପିତ କଲେ ତାହା ଶାଶ୍ୱତ, ବ୍ରହ୍ମଲୋକଠାରୁ ମଧ୍ୟ ଊର୍ଦ୍ଧ୍ୱରେ (ଅଧିକ ଡାଇମେନ୍‌ଶନ ବିଶିଷ୍ଟ)। ଯେଉଁଠାରେ ଡାଇମେନ୍‌ଶନର ଗଣନା ପରିସମାପ୍ତ ହୋଇଯାଏ ଅର୍ଥାତ୍‌ ଅସଂଖ୍ୟ, ତାହା ବୈକୁଣ୍ଠଧାମ। ସେଠାରେ ପରଂବ୍ରହ୍ମ ନାରାୟଣ ବାସ କରନ୍ତି। ସେ ଅସଂଖ୍ୟ ଡାଇମେନ୍‌ଶନ ବିଶିଷ୍ଟ ହୋଇଥିବାରୁ ଡାଇମେନ୍‌ଶନରେ ସୀମିତ ବ୍ରହ୍ମାଦି ଦେବଗଣଙ୍କୁ ଦେଖାଯାନ୍ତି ନାହିଁ। ଚିତ୍ରାଙ୍କନ କରି ଓ କ୍ୟାମେରାରେ ଫଟୋ ଗ୍ରହଣ ଦ୍ୱାରା ଯେପରି ଅଧିକ ଡାଇମେନ୍‌ଶନ ବିଶିଷ୍ଟ ଦେବଦେବୀ ଓ ତିନି ଡାଇମେନ୍‌ଶନ ବିଶିଷ୍ଟ ସମସ୍ତ ଜୀବ, ନିର୍ଜୀବଙ୍କୁ ଦୁଇ ଡାଇମେନ୍‌ଶନ ବିଶିଷ୍ଟ କରିପାରୁ ସେପରି ଦେବଗଣ ଇଚ୍ଛା କରି ତିନି ଡାଇମେନ୍‌ଶନ ବିଶିଷ୍ଟ ମନୁଷ୍ୟ ଓ ବାନର ଆଦି ପଶୁ (ରାମାବତାର) ଏପରି କି ନିର୍ଜୀବ କାଠ, ପଥର ଓ ଧାତବ ମୂର୍ତ୍ତିରେ (ପ୍ରାଣ ପ୍ରତିଷ୍ଠା କରାଯାଇଥିବା ପ୍ରତିମା) ପ୍ରବିଷ୍ଟ ହୋଇପାରନ୍ତି। ପରଂବ୍ରହ୍ମ ଅବତାର ଗ୍ରହଣ କରିବା ଏହି ପ୍ରକ୍ରିୟାର ଅନ୍ତର୍ଭୁକ୍ତ। କିନ୍ତୁ କମ୍‌ ଡାଇମେନ୍‌ଶନ ବିଶିଷ୍ଟ ବ୍ୟକ୍ତି ବା ବସ୍ତୁ ଅଧିକ ଡାଇମେନ୍‌ଶନ ଗ୍ରହଣ କରିବା ବା ପ୍ରବେଶ କରିବା ଯଦିଚ ଅସମ୍ଭବ ନୁହେଁ ତଥାପି ଦୁରୂହ। କଠୋର ସାଧନା ଦ୍ୱାରା ସାଧକ ଚତୁର୍ଥ ଓ ପଞ୍ଚମ ଡାଇମେନ୍‌ଶନ ଯଥାକ୍ରମେ ପ୍ରେତାତ୍ମା ଓ ଦେବଲୋକ ବିଷୟରେ ଆଭାସ ପାଇପାରେ ଅର୍ଥାତ୍‌ ସେମାନଙ୍କ ଦର୍ଶନ ପାଇପାରେ ତଥା ସେ ଲୋକକୁ ଗମନ କରିପାରେ। ଭଗବତ୍‌ ଗୀତା ଏକାଦଶ ଅଧ୍ୟାୟର ଅଷ୍ଟମ ଶ୍ଳୋକ ଏ ପ୍ରସଙ୍ଗରେ ମନେପଡେ- ‘ନ ତୁ ମାଂ ଶକ୍ୟସେ ଦ୍ରଷ୍ଟୁମନେନୈବ ସ୍ବଚକ୍ଷୁୁଷା। ଦିବ୍ୟଂ ଦଦାମି ତେ ଚକ୍ଷୁଃ ପଶ୍ୟ ମେ ଯୋଗମୈଶ୍ୱରମ୍‌।ା’ ଅର୍ଥାତ୍‌ ତୁମର ଏ ଚକ୍ଷୁରେ ମୋର ବିଶ୍ୱରୂପ (ଯୋଗମୈଶ୍ୱରମ୍‌) ଦେଖିବାକୁ ସମର୍ଥ ନୁହଁ। ଅତଏବ ମୁଁ ତୁମକୁ ଦିବ୍ୟଦୃଷ୍ଟି ପ୍ରଦାନ କରୁଛି। ପୁନଶ୍ଚ ପଞ୍ଚମ ଶ୍ଳୋକରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି- ‘ପଶ୍ୟ ମେ ପାର୍ଥ ରୂପାଣି ଶତଶୋଥ ସହସ୍ରଶଃ। ନାନାବିଧାନି ଦିବ୍ୟାନି ନାନାବର୍ଣ୍ଣାକୃତୀନିଚ।ା’ ହେ ପାର୍ଥ, ମୋର ଶହେପ୍ରକାର, ହଜାରେ ପ୍ରକାର ରୂପ (ଅର୍ଥାତ୍‌ ଅସଂଖ୍ୟ ଡାଇମେନ୍‌ଶନ୍‌) ଦେଖ, ଯେଉଁଗୁଡିକ ଅସଂଖ୍ୟ ପ୍ରକାର, ପୁଣି ଅନେକ ରଙ୍ଗ ଓ ଆକୃତି ବିଶିଷ୍ଟ। ମନୁଷ୍ୟ ଯେପରି ତିନି, ଦୁଇ ଓ ଏକ ଡାଇମେନ୍‌ଶନ ବିଶିଷ୍ଟ ପ୍ରାଣୀ ଓ ବସ୍ତୁ ଉପରେ ଅନାୟାସରେ ପ୍ରଭୁତ୍ୱ ବିସ୍ତାର କରିପାରେ, ସାଧକ ଯିଏ ଚତୁର୍ଥ ଓ ପଞ୍ଚମ ଡାଇମେନ୍‌ଶନରେ ପହଞ୍ଚିପାରିଛି ସେ ସେହି ସେହି ଡାଇମେନ୍‌ଶନର ଜୀବ ଓ ନିର୍ଜୀବଙ୍କୁ ନିୟନ୍ତ୍ରଣାଧୀନ କରିପାରେ। ସାଧନା କରି ଯେ ସିଦ୍ଧିପ୍ରାପ୍ତ କରିଛି ଅର୍ଥାତ୍‌ ନିଜକୁ ଉଚ୍ଚତ୍ତର ଡାଇମେନ୍‌ଶନ୍‌ ସହ ସଂଶ୍ଳିଷ୍ଟ କରିପାରିଛି, ତା’ ପାଇଁ ଏବେ ଭାରତବର୍ଷରେ ଦେଖାଦେଇ ତା’ ପରମୁହୂର୍ତ୍ତରେ ଆମେରିକାରେ ଦେଖାଦେବା, ତା’ ଜୀବାତ୍ମାକୁ ଅନ୍ୟ ଏକ ମୃତ ଶରୀରରେ ପ୍ରବେଶ କରାଇବା, ସ୍ବଦେହରେ ସ୍ବର୍ଗଲୋକକୁ ଗମନ କରିବା, ଗନ୍ଧର୍ବ ଅପସରାଙ୍କ ଗହଣରେ କାଳାତିପାତ କରିବା ସମ୍ଭବପର ହୁଏ। ଯେ ବୈକୁଣ୍ଠଧାମକୁ ଏକାନ୍ତ ଭକ୍ତି ଓ ସାଧନା ବଳରେ ଗମନ କରିବା ସିଦ୍ଧିପ୍ରାପ୍ତ କରିଛି, ତାକୁ ଉଲ୍ଲିଖିତ ଚତୁର୍ଥ ଓ ପଞ୍ଚମ ଡାଇମେନ୍‌ଶନର ସୁଖସମ୍ଭୋଗ ତୁଚ୍ଛ ପ୍ରତୀତ ହୁଏ। ମରଣକାଳରେ ବ୍ୟକ୍ତି ଯେଉଁ ମର୍ମନ୍ତୁଦ ଯନ୍ତ୍ରଣା ଅନୁଭବ କରେ ତା’ ମୂଳରେ ନିହିତ ମୋହ, ମାୟା, ମମତା ଓ ସମ୍ପତ୍ତି ପ୍ରତି ଆସକ୍ତି। ଅତଏବ ପୂର୍ବକାଳରେ ଚତୁର୍ଥାବସ୍ଥାରେ ସମ୍ରାଟ୍‌ମାନେ ରାଜ୍ୟ, ଧନ, କ୍ଷମତା, ପ୍ରତିପତ୍ତି ଓ ପରିବାରଠାରୁ ମମତା ତୁଟାଇ ଅରଣ୍ୟରେ ବାସ କରି ପ୍ରଭୁଙ୍କ ପାଦପଦ୍ମରେ ଚିତ୍ତ ନିବେଶ କରୁଥିଲେ। ସଂସାରବିରକ୍ତ ନିର୍ଦ୍ଧନ ଯୋଗୀ ସନ୍ନ୍ୟାସୀମାନେ ତେଣୁ ଭୁଜଙ୍ଗ ନିର୍ମୋକ ତ୍ୟାଗ କଲାପରି ଅନାୟାସରେ ତିନି ଡାଇମେନ୍‌ଶନ ବିଶିଷ୍ଟ ଶରୀର ପରିହାର କରି ଚତୁର୍ଥ ବା ତଦୂର୍ଦ୍ଧ୍ୱ ଡାଇମେନ୍‌ଶନକୁ ଯାଇପାରୁଥିଲେ।

ମୋ-୦୯୪୩୭୦୧୭୨୦୨



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri