ଅସାମାନ୍ୟା ଅରୁଣିମା

ବିଭୁ ପ୍ରସାଦ ମହାପାତ୍ର

ଇଂଲିଶରେ ଏକ ଉକ୍ତି ଅଛି-”Disability is just a state of mind.“ ଅକ୍ଷମତା ଏକ ମାନସିକ ଅବସ୍ଥା। ଜଣେ ମଣିଷ ମାନସିକ ଭାବରେ ଅକ୍ଷମ ହୋଇଥାଏ, ଶାରୀରିକ ଭାବରେ ନୁହେଁ। ପୁନଶ୍ଚ ‘ଅକ୍ଷମ’ ଏବଂ ‘ଭିନ୍ନକ୍ଷମ’ ଏକାର୍ଥବୋଧକ ଶବ୍ଦ ନୁହନ୍ତି। ପରିସଂଖ୍ୟାନ ତଥ୍ୟ ଆଧାରରେ ବିଶ୍ୱର ସମୁଦାୟ ଜନସଂଖ୍ୟାର ୧୫ ପ୍ରତିଶତ (ପ୍ରାୟ ୧୦୦ କୋଟି) ବ୍ୟକ୍ତି ଭିନ୍ନକ୍ଷମ। ୧୯୮୧ ମସିହାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ବର୍ଷ ପାଳନ କରାଯାଇଥିଲା। ମିଳିତ ଜାତିସଂଘ ତରଫରୁ ୧୯୯୨ ମସିହାଠାରୁ ପ୍ରତିବର୍ଷ ଡିସେମ୍ବର ୩ ତାରିଖରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ କରାଯାଉଛି। ବିଶ୍ୱବ୍ୟାପୀ ଜନସଚେତନତା ବୃଦ୍ଧି କରିବା ନିମନ୍ତେ ପ୍ରତିବର୍ଷ ଏକ ବିଷୟବସ୍ତୁ ରଖାଯାଏ। ଚଳିତ ବର୍ଷର ବିଷୟବସ୍ତୁ ହେଉଛି: ‘Achieving 17 goals for the future we want.’ ଦୃଢ଼ ଇଚ୍ଛାଶକ୍ତି ଓ ପ୍ରତିବଦ୍ଧତା ଏକ ସବଳ ଶରୀର ଅପେକ୍ଷା ଅଧିକ ଶକ୍ତିଶାଳୀ। ପୃଥିବୀର ଉଚ୍ଚତମ ପର୍ବତଶୃଙ୍ଗ ‘ଏଭରେଷ୍ଟ’ ଆରୋହଣ କରିଥିବା ଜଣେ ଅସାମାନ୍ୟା ବୀରାଙ୍ଗନା ଅରୁଣିମା ସିହ୍ନାଙ୍କ ନିମନ୍ତେ ଉପରୋକ୍ତ ଉକ୍ତିଟି ପ୍ରଯୁଜ୍ୟ। ଅରୁଣିମା ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ମହାଉତ୍ସ ଓ ବିଶ୍ୱ ପର୍ବତାରୋହଣ ଇତିହାସର ଏକ ଗୌରବମଣ୍ଡିତ ନାମ। ପର୍ବତାରୋହଣ ହେଉଛି ଏକ ସୀମାହୀନ ରୋମାଞ୍ଚଭରା ଅଦ୍ଭୁତ ବିଦ୍ୟା। ଉତ୍ତୁଙ୍ଗ ପର୍ବତଶୃଙ୍ଗ ସ୍ପର୍ଶ କରିବାର ଅଭିଳାଷ ନେଇ ସଫଳକାମ ହେବାକୁ ହେଲେ ସ୍ବପ୍ନ ଦେଖିବାକୁ ପଡ଼େ। ସେହି ଅଭିଳଷିତ ସ୍ବପ୍ନର ବାସ୍ତବ ରୂପାୟନ ଲାଗି ଲୋଡ଼ା ପ୍ରତିବଦ୍ଧତା, ଅବଧିରହିତ ଅତନ୍ଦ୍ର ସାଧନା। ଉତ୍ତରପ୍ରଦେଶର ଆମ୍ବେଡକର ନଗରରେ ୧୯୮୮ ମସିହାରେ ଅରୁଣିମା ଜନ୍ମଗ୍ରହଣ କରନ୍ତି। ସେ ଉଭୟ ଭଲିବଲ୍‌ ଏବଂ ଫୁଟବଲ୍‌ ଭଲ ଖେଳୁଥିଲେ ହେଁ ଭଲିବଲ୍‌ର ଜାତୀୟ ସ୍ତରର ଖେଳାଳି ଥିଲେ। ୨୦୧୧ ଏପ୍ରିଲ ୧୧ ତାଙ୍କ ନିମନ୍ତେ ଅଶୁଭ ଥିଲା। ପ୍ରତାପଗଡ଼ରୁ ଦିଲ୍ଲୀ ଯାଉଥିବା ପଦ୍ମାବତୀ ଏକ୍ସପ୍ରେସ୍‌ରେ ଲକ୍ଷ୍ନୌ ଷ୍ଟେସନ୍‌ରୁ ଉଠିଲେ। ସିଆଇଏସ୍‌ଏଫ୍‌ର ପରୀକ୍ଷା ଥାଏ। କିଛି ଚୋର ତାଙ୍କଠାରୁ ଟଙ୍କା ଓ ଚେନ୍‌ ନେବା ପାଇଁ ପ୍ରୟାସ କରୁଥିବା ସମୟରେ ସେ ସେମାନଙ୍କୁ ପ୍ରତିରୋଧ କରିବାରୁ ସେମାନେ ଚଳନ୍ତା ଟ୍ରେନ୍‌ରୁ ତାଙ୍କୁ ତଳକୁ ଠେଲି ଦେଇଥିଲେ। ସମାନ୍ତର ଭାବେ ଯାଇଥିବା ରେଳ ଟ୍ରାକ୍‌ରେ ସେ ପଡ଼ିବା ମାତ୍ରେ ବିପରୀତ ଦିଗରୁ ଅନ୍ୟ ଏକ ଟ୍ରେନ୍‌ ଦ୍ରୁତ ଗତିରେ ମାଡ଼ିଆସିଲା। ନାନା ଚେଷ୍ଟା ସତ୍ତ୍ୱେ ଅବଶ ଶରୀର ଉଠିବାକୁ ସକ୍ଷମ ହୋଇପାରିଲା ନାହିଁ। ଲୌହଦାନବଟି ଅରୁଣିମାଙ୍କ ଆଣ୍ଠୁରୁ ଠିକ୍‌ ତଳକୁ ମାଡ଼ି ଚାଲିଯାଇଥିଲା। ଫଳସ୍ବରୂପ ସେ ତାଙ୍କର ବାମ ଗୋଡ଼ଟିକୁ ହରାଇଲେ। ଏପରି ଦାରୁଣ ଦୁଃଖ ସମୟରେ ‘ବୋଝ ଉପରେ ନଳିତା ବିଡ଼ା’ ପରି ପୋଲିସ ରିପୋର୍ଟ ଦେଲା ଯେ- ‘ଆତ୍ମହତ୍ୟା ଉଦ୍ୟମ କିମ୍ବା ଦୁର୍ଘଟଣା ଯୋଗୁ ଏପରି ହୋଇଛି।’ କ୍ରୀଡ଼ା ମନ୍ତ୍ରଣାଳୟ କ୍ଷତିପୂରଣ ବାବଦକୁ ମାତ୍ର ୨୫୦୦୦ ଟଙ୍କା ଦେବା ନିମନ୍ତେ ଘୋଷଣା କଲା। ଜନତାଙ୍କ ବିରୋଧ ଫଳରେ ପରିମାଣକୁ ବୃଦ୍ଧି କରି ୨ ଲକ୍ଷ ଟଙ୍କା ଅତିରିକ୍ତ ଚିକିତ୍ସା ନିମନ୍ତେ ଦେଲା। ଆଲ୍ଲାହାବାଦ ଉଚ୍ଚ ବିଦ୍ୟାଳୟର ଲକ୍ଷ୍ନୌ ବେଞ୍ଚ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ନିମନ୍ତେ ରେଳ ବିଭାଗକୁ ଆଦେଶ ଦେଲା। ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ ଚିକିତ୍ସିତ ହେଉଥିବା ସମୟରେ ସବୁ ମହାଦେଶର ଉଚ୍ଚତମ ପର୍ବତଶୃଙ୍ଗ ଆରୋହଣ କରି ଭାରତମାତାର ଜାତୀୟ ପତାକା ଉଡ଼ାଇବା ନିମନ୍ତେ ବଦ୍ଧପରିକର ହେଲେ। ପ୍ରଥମ ଭାରତୀୟ ମହିଳା ଭାବେ ଏଭରେଷ୍ଟ ଆରୋହଣ କରିଥିବା ପଦ୍ମଶ୍ରୀ ବଚେନ୍ଦ୍ରୀ ପାଲଙ୍କ ସହ ଟେଲିଫୋନ୍‌ରେ ବାର୍ତ୍ତାଳାପ କଲେ। ଉତ୍ତରକାଶୀର ନେହେରୁ ପର୍ବତାରୋହଣ ସଂସ୍ଥାନରେ ପ୍ରଶିକ୍ଷଣ ନେଲେ। ବଡ଼ୋଦରାର ରାମକୃଷ୍ଣ ମିଶନ୍‌ ଆର୍ଥିକ ସହଯୋଗ ପ୍ରଦାନ କରିଥିଲା। ଶେଷରେ ତାଙ୍କ ସ୍ବପ୍ନ ସାକାର ହେଲା। ୨୦୧୩ ମେ ୨୧ରେ ସେ ଏଭରେଷ୍ଟର ଶିଖର ସ୍ପର୍ଶ କରିଥିଲେ। ଭଗବାନ ଶଙ୍କର ଓ ସ୍ବାମୀ ବିବେକାନନ୍ଦଙ୍କୁ କୃତଜ୍ଞତା ଜଣାଇ ସେ କହିଥିଲେ-” It was my tribute to Shankar Bhagawan and Swami Vivekananda who has been an inspiration throughout my life.“ ଭାଗବତରେ ‘ପଙ୍ଗୁଂ ଲଂଘୟତେ ଗିରିମ୍‌’ ବୋଲି ଯାହା କୁହାଯାଇଛି ତାହାକୁ ଅରୁଣିମା ସତ୍ୟ ପ୍ରମାଣିତ କରିଛନ୍ତି। ତେବେ ଏଥିରେ କେବଳ ବିଭୁକୃପା ନୁହେଁ, ତାଙ୍କର ଇଚ୍ଛାଶକ୍ତି ଯେ ତାଙ୍କୁ ଏହି ସଫଳତା ଆଣି ଦେଇଛି ଏଥିରେ ସନ୍ଦେହ ନାହିଁ।

(୩ା୧୨ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ)

ଭୋଗଡ଼ା, ବାଘମାରୀ, ଖୋର୍ଦ୍ଧା, ମୋ-୮୨୭୦୦୮୩୬୫୩



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri