ଆଜିର ଅର୍ଥନୀତି /ହସ୍ତକ୍ଷେପ ବନ୍ଦକର

ବିଶେଷତଃ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ସମୟରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଦେଶର ଅର୍ଥନୈତିକ ମାନ୍ଦାବସ୍ଥା ନେଇ ଚିନ୍ତିତ। ଯାହା ଦାବି କରାଯାଉଛି ଯେ, ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ବ୍ୟବସାୟିକ କାରବାର ବୃଦ୍ଧିରେ ସାହାଯ୍ୟ କରିବ, ତାହା ସତ୍ୟ ହେବା ପରି ଜଣାପଡ଼ୁ ନାହିଁ। ଜିଏସ୍‌ଟି ଲାଗୁ ହେବାର ଇତିମଧ୍ୟରେ ପାଞ୍ଚମାସ ବିତିଗଲାଣି। ଜିଏସ୍‌ଟି କାଉନ୍‌ସିଲ ଏହାର ଢାଞ୍ଚା ଓ ରେଟ୍‌ ସ୍ଲାବ୍‌ରେ ଅନେକ ପରିବର୍ତ୍ତନ ଓ ସଂଶୋଧନ କରିସାରିଲାଣି। ତଥାପି ଅନେକ ଅତ୍ୟାବଶ୍ୟକ ଦ୍ରବ୍ୟ ଓ ସେବାର ମୂଲ୍ୟ ହ୍ରାସ କରିବାରେ ଜିଏସ୍‌ଟି ବିଫଳ ହୋଇଛି। ସରକାର ଆଶାକରୁଥିଲେ ଜିଏସ୍‌ଟି ୨୦୦ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ହ୍ରାସ କରିବାରେ ସହାୟକ ହେବ। କିନ୍ତୁ ଓଲଟା ଅନେକ ଦ୍ରବ୍ୟର ମୂଲ୍ୟ ବୃଦ୍ଧିପାଇଛି। ସାତମାସର ସର୍ବନିମ୍ନ ସ୍ତରରେ ଥିବା ମୁଦ୍ରାସ୍ଫୀତି କ୍ରମଶଃ ବୃଦ୍ଧିପାଇ ଚାଲିଛି। ଅତ୍ୟାବଶ୍ୟକ ସାମଗ୍ରୀର ଦର ହ୍ରାସ କରିବାରେ ଜିଏସ୍‌ଟି ଯେ ବିଫଳ ହୋଇଛି, ଏହା ହେଉଛି ତା’ର ଏକ ବଳିଷ୍ଠ ପ୍ରମାଣ। ତେବେ ଏକ ନୂତନ ଅର୍ଥନୈତିକ ନୀତିର ଫଳାଫଳ ଜାଣିବା ପାଇଁ ପାଞ୍ଚମାସ ଯଥେଷ୍ଟ ନୁହେଁ ବୋଲି କୁହାଯାଇପାରେ। କିନ୍ତୁ ଏଥିରୁ ଅର୍ଥନୀତି କେଉଁ ଆଡ଼କୁ ମୁହଁାଉଛି, ତାହା ଜାଣିବା ବୋଧହୁଏ କଷ୍ଟକର ହେବ ନାହିଁ। ବର୍ତ୍ତମାନ ସ୍ଥିତି ଯାହା, ସେଥିରୁ ଜିଏସ୍‌ଟି ଖୁବ୍‌ ଗୋଟାଏ ବଡ଼ ପରିବର୍ତ୍ତନ ଆଣିବ ବୋଲି ବିଶ୍ୱାସ ହେଉନାହିଁ। ଏଭଳି ପରିସ୍ଥିତି ଅର୍ଥ ମନ୍ତ୍ରଣାଳୟର ବାବୁମାନଙ୍କୁ ଚିନ୍ତାରେ ପକାଇଛି। ଏ ସରକାର ତାଙ୍କ ପାଞ୍ଚବର୍ଷିଆ କାର୍ଯ୍ୟକାଳର ସାଢ଼େ ତିନିବର୍ଷ କାଟି ସାରିଲାଣି। ପୂର୍ବ ତ୍ରିମାସୀ (ଏପ୍ରିଲ୍‌-ଜୁନ୍‌)ରେ ଜିଡିପି ୫.୭ ପ୍ରତିଶତ ବା ତିନିବର୍ଷର ସର୍ବନିମ୍ନ ସ୍ତରକୁ ଖସିଯାଇଥିଲା। ଯଦି ଏବେଠାରୁ କ୍ରମଶଃ ସ୍ଥିତିରେ ସେଭଳି କିଛି ପରିବର୍ତ୍ତନ ନ ଆସେ ତେବେ ମୋଦି ସରକାର ଏକ ଗତିଶୀଳ ଅର୍ଥନୀତିର ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି, ପ୍ରତିବର୍ଷ ଲକ୍ଷ ଲକ୍ଷ ବେକାର ଭାରତୀୟ ଯୁବକଙ୍କୁ କର୍ମନିଯୁକ୍ତି ଯୋଗାଇଦେବେ ବୋଲି ଯେଉଁ ବାହୁସ୍ଫୋଟ ମାରିଛନ୍ତି, ସେଥିରେ ସଫଳ ହୋଇପାରିବେ ନାହିଁ। ସରକାର ବିତ୍ତୀୟ ଦୃଢ଼ୀକରଣ ନିଷ୍ପତ୍ତିରେ ଅଟଳ ରହିଲେ ଜନସାଧାରଣଙ୍କ ହିତରେ ପୁଞ୍ଜିନିବେଶ କରିପାରିବେ ନାହିଁ। ବିତ୍ତୀୟ ଦୃଢ଼ୀକରଣ ଯୋଗୁ ହିଁ ଭାରତ ୧୪ ବର୍ଷ ପରେ ଚଳିତମାସରେ ପ୍ରଥମଥର ପାଇଁ ମୁଦିଜ୍‌ ସଭରିନ୍‌ କ୍ରେଡିଟ୍‌ ରେଟିଂରେ ଉପରକୁ ଉଠିଛି। ଆମେରିକାର ଷ୍ଟାଣ୍ଡାର୍ଡ ଆଣ୍ଡ୍‌ ପୁଅର୍ସ (ଏସ୍‌ ଏଣ୍ଡ୍‌ ପି) ସଂସ୍ଥା ଏବେ ବି କ୍ରେଡିଟ୍‌ ରେଟିଂ ପ୍ରଦାନରେ ନିରପେକ୍ଷ ରହିଛି। ଆସନ୍ତା ସପ୍ତାହରେ ହେବାକୁ ଥିବା ରିଜର୍ଭ ବ୍ୟାଙ୍କର ଦ୍ୱିମାସିକ ଆର୍ଥିକ ସମୀକ୍ଷା ବୈଠକ ଉପରେ ଏବେ ସମସ୍ତଙ୍କ ଆଖି। ସରକାର ଚାହୁଁଛନ୍ତି ଅଭିବୃଦ୍ଧିକୁ ଆଗେଇ ନେବା ପାଇଁ ରିଜର୍ଭ ବ୍ୟାଙ୍କ ରେପୋ ହାର ହ୍ରାସ କରୁ। କିନ୍ତୁ ସରକାର ଚାହିଁବା ସତ୍ତ୍ୱେ ଅକ୍ଟୋବର ମାସରେ କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ହ୍ରାସ କରି ନ ଥିଲା। ଏହାଦ୍ୱାରା ମୁଦ୍ରାସ୍ଫୀତି ବଢ଼ିବା ଆଶଙ୍କା କରି କେନ୍ଦ୍ରୀୟ ବ୍ୟାଙ୍କ ଏଥର ବି ସୁଧହାର ହ୍ରାସ ନ କରି ସରକାରଙ୍କୁ ନିରାଶ କରିପାରେ। ସମ୍ପ୍ରତି ପନିପରିବା ଓ ଅନ୍ୟାନ୍ୟ ରୋଷେଇଘର ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ବୃଦ୍ଧି ପାଇଛି। ତୈଳ କମ୍ପାନୀଗୁଡ଼ିକ ମଧ୍ୟ ଯେକୌଣସି ସମୟରେ ଦର ବୃଦ୍ଧି କରିପାରନ୍ତି। ଏ ପରିସ୍ଥିିତିରେ ରିଜର୍ଭ ବ୍ୟାଙ୍କ ସୁଧହାର ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇପାରେ। ମୁଦ୍ରାସ୍ଫୀତି ବୃଦ୍ଧି ପାଇବା ଆଶଙ୍କାରେ ଗତ ଅକ୍ଟୋବର ମାସରେ ରିଜର୍ଭ ବ୍ୟାଙ୍କ ୬ ପ୍ରତିଶତରେ ରେପୋ ହାର ଅପରିବର୍ତ୍ତିତ ରଖିଥିଲା। ତେବେ ସରକାରଙ୍କର ଆଉ ଧୈର୍ଯ୍ୟ ନ ଥିବା ପରି ମନେହେଉଛି। ଯଦି ଡିସେମ୍ବର ମାସରେ ରିଜର୍ଭ ବ୍ୟାଙ୍କ ରେପୋ ହାର ହ୍ରାସ ନ କରେ, ତେବେ ମାର୍ଚ୍ଚ ମାସରେ ହେବାକୁ ଥିବା ପରବର୍ତ୍ତୀ ଆର୍ଥିକ ସମୀକ୍ଷା ବୈଠକରେ ହ୍ରାସ କରୁ ବୋଲି ସରକାର ଚାହାନ୍ତି। ଅର୍ଥ ମନ୍ତ୍ରଣାଳୟ ଆର୍ଥିକ ବ୍ୟାପାରରେ ହସ୍ତକ୍ଷେପ କରିବା ବନ୍ଦ କରିଦେବା ଉଚିତ। ଉପା-୧ ଓ ଉପା-୨ ସରକାର ତାହାହିଁ କରିଥିଲେ। ଆର୍ଥିକ ନୀତି କମିଟି (ଏମ୍‌ପିସି)ର ପରାମର୍ଶ ହେଉଛି- ଅର୍ଥନୈତିକ ଅଭିବୃଦ୍ଧିକୁ ଚାହିଁ ସୁଧହାର ଏପରି ରଖାଯିବା ଦରକାର, ଯାହାଦ୍ୱାରା ମୁଦ୍ରାସ୍ପୀତି ୪ ପ୍ରତିଶତ ରହିବ, ଯେଉଁଥିରେ ୨ ପ୍ରତିଶତ କମ୍‌ ବା ବେଶି ହୋଇପାରେ ଏବଂ ଦେଶରେ ଜିନିଷପତ୍ରର ଦରଦାମ୍‌ ସ୍ଥିର ରହିବ। ତେଣୁ ବିନା ସରକାରୀ ହସ୍ତକ୍ଷେପରେ ପ୍ୟାନେଲକୁ ତାଙ୍କ କାମ କରିବାକୁ ଦିଆଯିବା ଉଚିତ। ଗତ ସେପ୍ଟେମ୍ବର ତ୍ରିମାସୀରେ ଜିଡିପି ୬.୩ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଗୁରୁବାର ପ୍ରକାଶ ପାଇଛି। ଏହି ହାର ସେତେ ଉତ୍ସାହଜନକ ନ ହେଲେ ମଧ୍ୟ ନିରୁତ୍ସାହଜନକ ନୁହେଁ। ଜୁନ୍‌ ତ୍ରିମାସୀରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୫.୭ ପ୍ରତିଶତକୁ ଖସିଯାଇଥିଲା। ତେବେ ଏବେକାର ଜିଡିପି ହାର ବର୍ତ୍ତମାନ ପାଇଁ ପଲିସି ରେଟ୍‌ କମାଇବା ଲାଗି ଆର୍‌ବିଆଇ ମୁଣ୍ଡରୁ କିଛିଟା ଚାପ ହାଲୁକା କରିଦେଇପାରେ। ଏହା ଆସନ୍ତାବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଟାଣି ହୋଇଯାଇପାରେ। ସେତେବେଳକୁ ଡିସେମ୍ବର ମାସର ଜିଡିପି ସଂଖ୍ୟା ଜଣାପଡ଼ି ଯାଇଥିବ। ଦେଶର ଅର୍ଥନୈତିକ ସ୍ବାସ୍ଥ୍ୟ କିପରି ରହିଛି, ସେଥିରୁ ତା’ର ସ୍ପଷ୍ଟଚିତ୍ର ଜଣାପଡ଼ିବ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri