ଗ୍ରନ୍ଥାଗାର ଓ ଗ୍ରନ୍ଥପଠନ

ଉପେନ୍ଦ୍ର ବିଶ୍ୱାଳ

ବିଶ୍ୱର ଅନ୍ୟତମ ପ୍ରମୁଖ ଧନୀ ବ୍ୟକ୍ତି ଥିଲେ, ଆମେରିକାର ପ୍ରସିଦ୍ଧ ଶିଳ୍ପପତି ଆଣ୍ଡ୍ର୍ୟୁ କାରନେଗୀ। ମୃତ୍ୟୁ ପୂର୍ବରୁ ନିଜର ସମସ୍ତ ସମ୍ପତ୍ତି ବିନିଯୋଗ କରିଦେଇଗଲେ ପାଠାଗାର ସ୍ଥାପନରେ। ଆମେରିକାର ଏକ ଚତୁର୍ଥାଂଶରୁ ଊର୍ଦ୍ଧ୍ୱ ପାଠାଗାର ସ୍ଥାପନ କରି ମରିବା ପୂର୍ବରୁ ବିଶ୍ୱକୁ ବାଣ୍ଟିଦେଇଗଲେ ଜ୍ଞାନ ଅର୍ଜନର ବାର୍ତ୍ତା। ଜଗତକୁ ଜଣାଇ ଦେଇଗଲେ ଗ୍ରନ୍ଥର ଗୁରୁତ୍ୱ। ପଠନର ପଞ୍ଚାମୃତ ପିଇବାକୁ ପ୍ରବର୍ତ୍ତାଇ ଗଲେ ପରବର୍ତ୍ତୀ ପିଢ଼ିକୁ। ଯେତେବେଳେ କାଳି ଓ କାଗଜର ଉଦ୍ଭାବନ ହୋଇ ନ ଥିଲା, ଛାପା ବହି କଳ୍ପନାର ବାହାରେ ଥିଲା, ସେତେବେଳେ ମଧ୍ୟ ପାଠାଗାରର ପରିକଳ୍ପନା ଥିଲା। ପଠନର ସ୍ପୃହା ଓ ଚାହିଦା ଥିଲା। ଆର୍ଯ୍ୟାବର୍ତ୍ତର ପ୍ରାୟ ପ୍ରତିଟି ଘରେ ପୂଜା ପାଉଥିଲା, ଆଦର ଲଭୁଥିଲା ତାଳପତ୍ର ପୋଥି। ତାହା ପଠନର ଚାହିଦା ପୂରଣ କରୁଥିଲା। ଆମ ଜ୍ଞାନଗରିମା ବୃଦ୍ଧିରେ ସହାୟକ ହେଉଥିଲା। କାରଣ ଆମ ବିଜ୍ଞ ପୂର୍ବଜମାନେ ହୃଦ୍‌ବୋଧ କରିଥିଲେ, ସାହିତ୍ୟ ଓ ସମାଜ ପରସ୍ପରର ପରିପୂରକ। ସାହିତ୍ୟ ହେଉଛି ଚେତନାର ପ୍ରତିଫଳନ। ସମାଜର ଯାବତୀୟ ପୀଡ଼ାର ଉପଶମ ଓ ଉପଚାର କରିବାରେ ସାହିତ୍ୟ ହିଁ ଯତ୍ନବାନ ହୋଇଥାଏ। ଏଇଠି ମନେପଡ଼ନ୍ତି ଓଡ଼ିଶାରେ ପାଠାଗାର ପ୍ରତିଷ୍ଠା କ୍ଷେତ୍ରରେ ଉତ୍କୃଷ୍ଟ ଉଦାହରଣ ପାଲଟିଥିବା ପ୍ରବାଦପୁରୁଷ ସ୍ବର୍ଗତ ଦାସିଆ ଅଜା। ଆମ ସମସ୍ତଙ୍କ ପାଇଁ ସେ ପ୍ରାତଃସ୍ମରଣୀୟ। ମାତ୍ର ପ୍ରାଥମିକ ସ୍ତର ପର୍ଯ୍ୟନ୍ତ ପାଠପଢ଼ିଥିବା, ମାଇନର ସ୍କୁଲ୍‌ ଛୁଇଁ ନ ଥିବା ଏହି ସରଳ ମଣିଷଜଣଙ୍କର କିନ୍ତୁ ଥିଲା ପଢ଼ିବାର ଅଭ୍ୟାସ। ଜାଣିଥିଲେ ସେ ଗ୍ରନ୍ଥର ଗୁରୁତ୍ୱ। ପୁସ୍ତକ ପଠନରୁ ପାଉଥିଲେ ପୀୟୂଷ। ଖାଇବା ଭୁଲି ଯାଉଥିଲେ ହେଲେ ପଢ଼ିବା ଭୁଲୁ ନ ଥିଲେ। ସାମାନ୍ୟ ସମୟ ଟିକକ ପାଇଲା ମାତ୍ରେ ସେ ଧରିବସନ୍ତି ବହିଟିଏ ବା ପତ୍ରିକାଟିଏ। ପଠନ ଅଭ୍ୟାସରୁ ଅମୃତର ସ୍ବାଦ ଚାଖିଲା ପରେ ନିଶା ଧରିଲା ପାଠାଗାରଟିଏ ପ୍ରତିଷ୍ଠା ପାଇଁ। ସେଇଠୁ ଆରମ୍ଭ ହେଲା ଅଭିଯାନ। ସାଜିଲେ ସାରସ୍ବତ ଭିକ୍ଷୁକ। ମୁକୁଳା ଦେହ, କାନ୍ଧରେ ମୁଣିଟିଏ, ହାତରେ ସାହାରା ବାଡ଼ିଟିଏ। ମୁଣିରେ ପଡ଼ିଥାଏ କିଛି ମୁଢ଼ି। ବାସ୍‌ ଗଁା ଗଁା, ସହର ସହର ବୁଲିବୁଲି ମାଗି ଚାଲିଲେ ବହିଟିଏ, ପତ୍ରିକାଟିଏ ଅବା ତାଳପତ୍ରର ପୋଥି। ତା’ ସାଙ୍ଗକୁ ପୁଣି ସାହିତି୍ୟକମାନଙ୍କ ମଧ୍ୟରେ ସାହସ ଓ ଭିଟାମିନ୍‌ ଭରିବାକୁ ଲେଖୁଥିଲେ ଅଜସ୍ର ଚିଠି। ନିଜର ଐକାନ୍ତିକ ନିଷ୍ଠା, ଅମୃତ ଅଭିଳାଷ, ପ୍ରବଳ ପ୍ରୟାସ ବଳରେ ଏକ ନିପଟ ମଫସଲ ଗଁା ଉଦୟପୁର (ନୟାଗଡ଼ ଜିଲା)ରେ ସେ ଗଢ଼ିପାରିଥିଲେ ଅବିଶ୍ୱସନୀୟ ବିଶ୍ୱସ୍ତରୀୟ ପାଠାଗାରଟିଏ। ସାରା ଜଗତ ଯେତେବେଳେ ଅଜ୍ଞାନର ଅନ୍ଧକାରରେ ବୁଡ଼ି ରହିଥିଲା, ଅତୀତର ଆର୍ଯ୍ୟାବର୍ତ୍ତ ସେତେବେଳେ ବୁଝିଥିଲା ଗ୍ରନ୍ଥର ଗୁରୁତ୍ୱ, ପଠନର ଉପଯୋଗିତା। ତକ୍ଷଶିଳା, ନାଳନ୍ଦା, ଭାଗଲପୁର, କାଥିଆୱାଡ଼୍‌ ଆଦି ସ୍ଥାନରେ ସ୍ଥାପିତ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟମାନ ତହିଁର କେତେକ ନମୁନା ମାତ୍ର। ଐତିହ୍ୟ, ସଂସ୍କୃତି, ପରମ୍ପରା ଗୋଟାଏ ଜାତିର ଆମତ୍ପରିଚୟ। ଏହା ଯେତେ ସମୃଦ୍ଧ ହେବ, ଭବିଷ୍ୟତ ସେତେ ସମୁଜ୍ଜ୍ୱଳ ହେବ। ଆଜି ଯେତେବେଳେ ମଣିଷର ଜୀବନ-ଜୀବିକା ବନ୍ଧା ପଡ଼ିଛି ଯନ୍ତ୍ର ନିକଟରେ, ଅସହାୟତା ଓ ନିରାଶା ଦେଖାଦେଇଛି ଜୀବନରେ, ସେତେବେଳେ ଏହି ସାହିତ୍ୟ ହିଁ ସାହାରା ସାଜିଛି । ପୋଥି ପାଲଟିଛି ପଥ୍ୟ। ଦିଗବାରେଣୀ ସଦୃଶ ଏହା ସମାଜକୁ ଦେଖାଇଥାଏ ଠିକ୍‌ ଦିଶା। ଏଣୁ ସାହିତ୍ୟ ହେଉଛି ଆମ ଚେତନା ଉତ୍ତରଣର ଉତ୍କୃଷ୍ଟ ଉତ୍ସ। ଚେତନାର ସ୍ତର ଊର୍ଦ୍ଧ୍ୱମୁଖୀ ହୋଇପାରିଲେ ବିଜ୍ଞାନ ଆମ ପାଇଁ ଅଭିଶାପ ପରିବର୍ତ୍ତେ ଆଶୀର୍ବାଦ ସାବ୍ୟସ୍ତ ହେବ। ଖାଦ୍ୟ ବିନା ବରଂ ବଞ୍ଚତ୍ ହେବ କିନ୍ତୁ ଭାଷା ବିନା ବଞ୍ଚତ୍ବା ଅର୍ଥ ଗୋଟିଏ ଜାତିକୁ ପ୍ରାଣହୀନ ପିଣ୍ଡରେ ପରିଣତ କରିବା ବା ଜାତିକୁ ଧ୍ୱଂସାଭିମୁଖୀ କରିବା। ଏଣୁ ଜାତିର ଗଠନ ପାଇଁ ବହିର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ। ଆମେରିକାର ବିଶିଷ୍ଟ ବିଦ୍ୱାନ୍‌, କବି Charles W. Eliotଙ୍କ ଭାଷାରେ- Books are the quitest and most constant friends. They are the most accessible and wisest of counsellers and the most patient of teachers. ଅନ୍ୟତମ ବିଦ୍ୱାନ George R.R. Martinଙ୍କ ଅନୁଯାୟୀ- A reader lives a thousand lives before he dies. The man who never reads lives only once. ସେଇଥିପାଇଁ ଯଥାର୍ଥରେ କୁହାଯାଇଛି ଜ୍ଞାନ ଗରିବର ସମ୍ପତ୍ତି, ଧନୀର ମାନ-ମହତ, ଯୌବନର ଆମତ୍ବଳ ଓ ବାର୍ଦ୍ଧକ୍ୟର ସୁଖ। ବହି ନ ପଢ଼ିବା ହେଉଛି ବହି ପୋଡ଼ିବାଠାରୁ ବି ବେଶି ଭୟଙ୍କର ଅପରାଧ (ଜୋସେଫ୍‌ ବ୍ରଡ୍‌ସ୍କି)। ଗୋଟାଏ ବହି ହେଉଛି ଦୁନିଆ ସମ୍ପର୍କରେ ଗୋଟାଏ ଦୃଷ୍ଟିକୋଣ (ସଲମାନ ରସଦି)। ଶାସ୍ତ୍ରାନୁଯାୟୀ ”ସାହିତ୍ୟରସିକାଃ ଯେ ଚ ଯେ ଚ ସଂଗୀତକୋବିଦାଃ। ଶବ୍ଦମୂର୍ତ୍ତିଧରାସ୍ତେ ଚ ବିଷ୍ଣୋରଂଶା ମହାମତ୍ନଃ।ା“ ଅର୍ଥାତ୍‌ ଯେଉଁମାନେ ସାହିତ୍ୟ ରସିକ ଓ ସଙ୍ଗୀତ ବିଶାରଦ ସେହି ଶବ୍ଦମୂର୍ତ୍ତିଧାରୀ ମହାମତ୍ାମାନେ ବିଷ୍ଣୁଙ୍କର ଅଂଶଭୂତ ଅଟନ୍ତି। ସତ୍‌ ସାହିତ୍ୟ ଅଧ୍ୟୟନ ଦ୍ୱାରା ବ୍ୟକ୍ତିଟିଏ ଦିବ୍ୟଗୁଣର ଅଧିକାରୀ ହୋଇଥାଏ। ସେଇଥିପାଇଁ କୁହାଯାଇଛି ସତ୍‌ ସାହିତ୍ୟ ଓ ସତ୍‌ସଙ୍ଗ ଦୁଇଟି ଦୁର୍ଲଭ ଅମୃତଫଳ। ଯେଉଁ ବ୍ୟକ୍ତି ପ୍ରତ୍ୟହ ସଦ୍‌ଗ୍ରନ୍ଥ ପଠନ କରନ୍ତି ତାଙ୍କୁ ଅନେକ ପୁଣ୍ୟ ପ୍ରାପ୍ତି ହୋଇଥାଏ। ସଦ୍‌୍‌ଗ୍ରନ୍ଥ ପାଠ ନ କଲେ ମଣିଷ ପ୍ରକୃତ ଅର୍ଥରେ ଶିକ୍ଷିତ ହୋଇପାରିବ ନାହିଁ। ସମାଜ ଆଜି କ୍ରମଶଃ ଅବକ୍ଷୟମୁଖୀ। ନାନା ବିଭ୍ରାଟ, ବିଶୃଙ୍ଖଳାକୁ ନେଇ ବ୍ୟଥିତ ଆଜିର ସମାଜ। ଅତଏବ ସମୟର ଚାହିଦାକୁ ଚାହିଁ, ଆବଶ୍ୟକତାକୁ ଅଙ୍ଗେ ନିଭାଇ ଆମେ ଜ୍ଞାନର ଗନ୍ତାଘର ବା ଗ୍ରନ୍ଥାଗାରର ଗୁରୁତ୍ୱକୁ ହେଜିବା। ରାଜ୍ୟର ପ୍ରତିଟି ଜେଲଖାନା, ଡାକ୍ତରଖାନାମାନଙ୍କରେ ତିଆରି ହେଉ ଗୋଟିଏ ଗୋଟିଏ ଗ୍ରନ୍ଥାଗାର। ହୋଟେଲରେ ଖାଇସାରି ଖାଇବା ବାବଦକୁ ପଇସା ପଇଠ କଲାପରି ବାହାଘର, ବ୍ରତଘର ଅବା ଜନ୍ମଦିନ ଆଦିରେ ଉପହାର ସ୍ବରୂପ ପଇସା ଆଦି ନ ଦେଇ କେବଳ ବହି ହିଁ ଉପହାର ଦେବା ବାଞ୍ଛନୀୟ। ପଠନର ମହତ୍ତ୍ୱକୁ ନିଜେ ବୁଝି ତାକୁ ସୁଦୂରପ୍ରସାରୀ କରିବା ଆଜି ସମୟର ଅତୀବ ଆବଶ୍ୟକତା। ପ୍ରତିଟି ଘର ହେଉ ଏକ ବାଣୀର ଭଣ୍ଡାର।

ନୀଳଗିରି, ବାଲେଶ୍ୱର, ମୋ-୯୪୩୭୪୩୬୦୭୩, ଇ-ମେଲ : unbiswal05@gmail.com



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri