ଅଗ୍ନିପରୀକ୍ଷା

ଡ. ଦୀନବନ୍ଧୁ ଦାଶ

ମୋର ପାଳିପଡିବା ମାତ୍ରେ ଶ୍ରୋତାଙ୍କୁ ପ୍ରଶ୍ନ କଲି- ତା’ହେଲେ ମର୍ଯ୍ୟାଦା ପୁରୁଷୋତ୍ତମ ଶବ୍ଦଟିର ତାତ୍ପର୍ଯ୍ୟ? ଏଭଳି ଶବ୍ଦଟିଏ ତ ଆମ ସଂସ୍କୃତିରେ, ପୁରାଣ ପ୍ରବାହରେ ବହୁ ପ୍ରଚଳିତ। ତାହା ପୁଣି ଏକ ନିର୍ଦ୍ଦିଷ୍ଟ ଚରିତ୍ରର ଅଳଙ୍କରଣରେ, ସମ୍ମାନରେ। ସେ ହେଲେ ପ୍ରଭୁ ଶ୍ରୀରାମଚନ୍ଦ୍ର। ଆମେ ଯଦି ଜଣେ ତଥାକଥିତ ପଣ୍ଡିତ ପ୍ରବଚକଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ଶବ୍ଦପୁଞ୍ଜର ତାତ୍ପର୍ଯ୍ୟ କ’ଣ ପ୍ରଶ୍ନ କରିବା, ସେ ବେଦଠୁ ବ୍ୟାକରଣ, ପୁରାଣ ଗଳିରାସ୍ତା ଦେଇ ସ୍ପଷ୍ଟୀକରଣ ପ୍ରସ୍ତୁତ କରିବାକୁ ଆମର ଦୁଇଚାରିଟା ସା ବ୍ୟୟ କରିଦେବେ। ତେବେ ଆମର ସାଧାରଣ ଅବବୋଧରେ ଶବ୍ଦଟି ଜଣେ ମର୍ଯ୍ୟାଦା ସଚେତନ ଶ୍ରେଷ୍ଠ ବ୍ୟକ୍ତିଙ୍କୁ ହିଁ ବୁଝାଏ ଏବଂ ସେ ବ୍ୟକ୍ତିତ୍ୱଟି ରାମାୟଣର ପ୍ରଭୁ ଶ୍ରୀରାମଚନ୍ଦ୍ର। ଅଥଚ ତାଙ୍କୁ ପୁରୁଷପ୍ରଧାନ ସମାଜର ଆଦି ଉଦାହରଣ ଭାବରେ କାଠଅଡାରେ ବି ଛିଡା କରାଯାଇପାରେ- ଏହା ହିଁ ଥିଲା ବିସ୍ମୟର କାରଣ। ଗଣତନ୍ତ୍ରରେ ନୟାନ୍ତ ମୋର ଭାରତବର୍ଷ, କ୍ଳାନ୍ତ, ବିଦୀର୍ଣ୍ଣ। ବାକ୍‌ ସ୍ବାଧୀନତା ଏହାର ମୁଖ୍ୟ ହେତୁ। ନାଗରିକର ଦାୟିତ୍ୱ, କର୍ତ୍ତବ୍ୟ କିନ୍ତୁ ବିଚାରକୁ ଆସେନା। ନିର୍ବିଚାରରେ ଆମେ ଆମର ସଂସ୍କୃତିକୁ ଖଣ୍ଡିଆଖାବରା କରିପାରୁ। ହିନ୍ଦୁ ଦେବଦେବୀଙ୍କୁ କଦର୍ଯ୍ୟ କରି ଦେଖାଇବା ଏବେକାର ଏକ ବିଳାସ। ପୁଣି ବେଳେବେଳେ ମନେହୁଏ, ଆମ ଦେଶର କିଛି ମହିଳା ଟିକେ ଅଧିକ ସ୍ବାଧୀନ। ସମାଜସେବୀ ଜଣେ ମହିଳାଙ୍କୁ ସେମାନଙ୍କର ସମସ୍ୟା ନେଇ ଯେକୌଣସି ପ୍ରଶ୍ନ ପଚାରନ୍ତୁ, ଉତ୍ତର ମିଳିବ- ଏସବୁ ପୁରୁଷପ୍ରଧାନ ସମାଜର ଦୁଷ୍ପରିଣାମ। ତେବେ ରାମଚନ୍ଦ୍ର ଏହାର ଆଦି ସୂତ୍ରଧର- ଏ କଥାଟି ହଜମ କରିବା କଷ୍ଟସାଧ୍ୟ। ରଜକୀର ଆକ୍ଷେପର ତର୍ଜମା ନ କରି ଅବିଚାରିତ ଭାବେ ପତ୍ନୀଙ୍କୁ ନିର୍ବାସିତ କରିବା ରଘୁନାଥଙ୍କର ନାରୀ ନିର୍ଯାତନାଜନିତ ଘୋର ଅପରାଧ। ପୁଣି ସତୀତ୍ୱର ଯାଞ୍ଚ ଲାଗି ତାଙ୍କୁ ଅଗ୍ନି ପରୀକ୍ଷାର ନିର୍ଦ୍ଦେଶ ଦେଇ ସେ କର୍ତ୍ତୃତ୍ୱର ସୀମା ଲଂଘନ କରିଛନ୍ତି। ପରିଣାମରେ ସୀତା ଦ୍ୱିଫାଳ ହୋଇଯିବା ଲାଗି ଧରିତ୍ରୀକୁ ପ୍ରାର୍ଥନା କରିଛନ୍ତି ଓ ତନ୍ମଧ୍ୟରେ ସେ ହଜିଯାଇଛନ୍ତି। ଆହୁରି ଯୁକ୍ତି ଆସିଲା- ସୀତା ପୃଥିବୀର ପ୍ରଥମ ସିଙ୍ଗଲ ପ୍ୟାରେଣ୍ଟ। ସନ୍ତାନ ଜନ୍ମ ଦେଇଛନ୍ତି, ସେମାନଙ୍କୁ ଯୋଦ୍ଧା କରି ଗଢି ତୋଳିଛନ୍ତି ଏବଂ ରାବଣ ଆଦି ବହୁ ଅସୁରଙ୍କୁ ବଧ କରିଥିବା ମହାପ୍ରତାପୀ ପିତାଙ୍କୁ ଚିତ୍‌ପଟାଙ୍ଗ କଲାଭଳି ସମର୍ଥ କରିଛନ୍ତି। ତେବେ, ଆମ୍ଭ ବିଚାରରେ ଏସବୁ ସିଙ୍ଗଲ ପ୍ୟାରେଣ୍ଟଙ୍କ ପ୍ୟାରେଣ୍ଟ ବାଲ୍ମୀକିଙ୍କ କୃତିତ୍ୱ। ବାଲ୍ମୀକି ସେମାନଙ୍କୁ ବି ସଙ୍ଗୀତ ବିଶାରଦ କରି ଗଢିତୋଳିଥିଲେ। ବାଲ୍ମୀକିଙ୍କଠାରୁ ଗଙ୍ଗାଧରଙ୍କ ପର୍ଯ୍ୟନ୍ତ ମନୀଷୀମାନେ ନିର୍ବାସିତା ସୀତାଙ୍କର ତପସ୍ୟାକୁ ପତିହିତସାଧିନୀ ତପସ୍ୟାର ମର୍ଯ୍ୟାଦା ଦେଇଥିଲେ ଏବଂ ବ୍ୟକ୍ତିଗତ ସ୍ବାର୍ଥଠାରୁ ରାଜାର ପ୍ରଜାନୁରଞ୍ଜନକୁ ଶ୍ରେୟ ପ୍ରଦାନ କରିଥିଲେ। ବହୁ ହଜାର ବର୍ଷ ତଳର ରାମରାଜ୍ୟର ଅଧୀଶ୍ୱରଙ୍କୁ ଏବେକାର ପାରିବାରିକ ହିଂସା ଆଇନର କାଠଅଡାକୁ ଟାଣିବା ଆମର ବାକ୍‌ସ୍ବାଧୀନତାର ଅବକ୍ଷୟର ଦୃଷ୍ଟାନ୍ତଟିଏ ଭଳି ମନେହେଲା। ଉଦଗ୍ର ଉତ୍ତେଜନାରେ ମୁଁ ପ୍ରଶ୍ନ କଲି- ରାମାୟଣରେ କିଏ କାହାର ଅଗ୍ନିପରୀକ୍ଷା ନେଇଛନ୍ତି? ପିତୃସତ୍ୟ ପାଳନ ଭଳି ତପସ୍ୟାର ଶୁଦ୍ଧତାରେ ବାଧା ସୃଷ୍ଟି କରିଛନ୍ତି ଜାନକୀ। ସ୍ବାମୀଙ୍କର ତାହା ସୁଖକର ବିଦେଶାଟନ କିମ୍ବା ବନଭୋଜି ଯାତ୍ରା ନ ଥିଲା। ବହୁ ହଜାର ବର୍ଷ ତଳର ଜଙ୍ଗଲର ଶ୍ୱାପଦସଙ୍କୁଳତା ସହଜେ ଅନୁମେୟ। ସତ୍ୟ ହେଲା- ଚଉଦବର୍ଷ ସ୍ବାମୀସୁଖରୁ ବଞ୍ଚିତ ହେବାର ଧୈର୍ଯ୍ୟ ତାଙ୍କଠାରେ ନ ଥିଲା। ପକ୍ଷାନ୍ତରେ ତାଙ୍କୁ ଘେରି ରହିଥିଲା ଏକ ପ୍ରଶସ୍ତ ଯୌଥ ପରିବାର। ଥିଲା ବୃଦ୍ଧ ଶ୍ୱଶୁର ଓ ଶାଶୁମାନଙ୍କର ଦାୟିତ୍ୱ। ଅଥଚ ପାତିବ୍ରତ୍ୟର ଦ୍ୱାହି ଦେଇ ବାସ୍ତବତା ଓ କର୍ତ୍ତବ୍ୟକୁ ଏଡାଇଗଲେ ସେ। ସ୍ବାମୀଙ୍କର ବାରଣ ତାଙ୍କର ଜିଦ୍‌ ନିକଟରେ ହାର୍‌ ମାନିଲା। ପ୍ରଶ୍ନ ବି କରାଯାଇପାରେ, ଯଦି ସେ ପାତିବ୍ରତ୍ୟର ପୂଜାରିଣୀ, ତେବେ ଲକ୍ଷ୍ମଣ ତାଙ୍କର ସହଯାତ୍ରୀ ହେବା ପରେ ଭଗ୍ନୀ ଊର୍ମିଳାଙ୍କର ପାତିବ୍ରତ୍ୟ ପ୍ରତି ସେ ଆଖି ବୁଜିଦେଲେ କେଉଁ ନ୍ୟାୟରେ! ପରିବାର ଗୋଟିଏ, ସଂସ୍କାର ଅଭିନ୍ନ। ଅଥଚ ଊର୍ମିଳା ଗୋଡ଼ କାଢିଲେନି ଏବଂ ମର୍ଯ୍ୟାଦାଚ୍ୟୁତି ଆଶଙ୍କାରେ ପତ୍ନୀଙ୍କୁ ଅଧିକ ବିରୋଧ କରିନାହାନ୍ତି ରାମଚନ୍ଦ୍ର। ଆରମ୍ଭ ହେଲା ଅଗ୍ନିପରୀକ୍ଷା। ପିତୃସତ୍ୟ ପାଳନ ପାଇଁ ବନକୁ ଯାଇଥିବା ଶ୍ରୀରାମଙ୍କୁ ଶ୍ୱାପଦ ଓ ରାକ୍ଷସସଙ୍କୁଳ ବନାନୀରେ ପତ୍ନୀର ସୁରକ୍ଷା ଦାୟିତ୍ୱ ବହନ କରିବାକୁ ହେଲା। ଉଭୟଙ୍କୁ ସୁରକ୍ଷା ଯୋଗାଇଲେ ବର୍ଷ ବର୍ଷ ଉନ୍ନିଦ୍ର ଲକ୍ଷ୍ମଣ। ମାୟାମୃଗ ମୋହାଚ୍ଛନ୍ନ ହେଲେ ସୀତା ଏବଂ ତାଙ୍କର ଝିଙ୍ଗାସରେ ମୃଗର ପଶ୍ଚାତ୍‌ଧାବନ କଲେ ରାମ। ଭ୍ରାତାଙ୍କ ଶୌର୍ଯ୍ୟରେ ଆସ୍ଥାବାନ ଲକ୍ଷ୍ମଣ ଭ୍ରାତୃପତ୍ନୀଙ୍କୁ କୁଟୀରରେ ଏକାକିନୀ ଛାଡିଦେଇ ତାଙ୍କର ସୁରକ୍ଷା ଲାଗି ବନକୁ ନ ଯିବାର ନିଷ୍ପତ୍ତିକୁ ବି ସୀତା ଲଂଘନ କରିଛନ୍ତି। ଗ୍ରାମ୍ୟଭାଷାରେ ଦେବରଙ୍କୁ ଆକ୍ଷେପ କରିଛନ୍ତି ଓ ଆମନ୍ତ୍ରଣ କରିଛନ୍ତି ଅବଶିଷ୍ଟ ଦୁର୍ଦ୍ଦଶା। ଅରଣ୍ୟରେ ଭିକ୍ଷୁକର ଉପସ୍ଥିତିର ବିନା ତର୍ଜମାରେ ଲକ୍ଷ୍ମଣରେଖା ଉଲ୍ଲଂଘନ ତାଙ୍କର ଚରମ ଔଦ୍ଧତ୍ୟ ଓ ଅବିମୃଶ୍ୟକାରିତା। ତଥାପି ରାମଚନ୍ଦ୍ର ସ୍ଥିର, ଅବିଚଳ। ସୈନ୍ୟବାହିନୀର ଅଭାବରେ ମର୍କଟ ଓ ଭଲ୍ଲୁକଙ୍କୁ ସଂଗଠିତ କରି ମହାସମୁଦ୍ରରେ ସେତୁ ନିର୍ମାଣ, ରାବଣ ସହ ସଂଗ୍ରାମ ଓ ବିଜୟ ଅନନ୍ୟା ପତ୍ନୀ ପ୍ରତି ତାଙ୍କର ଅତୁଟ ଶ୍ରଦ୍ଧାର ଅତୁଳନୀୟ ଦୃଷ୍ଟାନ୍ତ। ବନବାସ ପ୍ରସ୍ତୁତିକାଳରେ ମୁଣ୍ଡରେ ବାଜିଥିବା ଚାଳ ଦୀର୍ଘତମ ଚଉଦବର୍ଷ ବ୍ୟାପୀ ରାମଚନ୍ଦ୍ରଙ୍କୁ ମହାପରୀକ୍ଷାର ହୁତାଶନ ମଧ୍ୟକୁ ନିକ୍ଷିପ୍ତ କରିଛି। ତେଣୁ ଏହା ବି ଏକ ଅଗ୍ନିପରୀକ୍ଷା, ଯାହା ସୀତା ନେଇଥିଲେ ଶ୍ରୀରାମଚନ୍ଦ୍ରଙ୍କର। ତାଙ୍କର ପିତୃସତ୍ୟ ପାଳନ ବିତିଛି ପତ୍ନୀ-ହିତ-ସାଧନ ତପସ୍ୟାରେ। ବିବାହ କାଳରେ ପତ୍ନୀର ଦଶଦୋଷ କ୍ଷମାର ପ୍ରତିଶ୍ରୁତିଟିକୁ କସ୍ମିନ୍‌କାଳେ ଲଂଘନ କରିନାହାନ୍ତି ଶ୍ରୀରାମ। ସୀତାଙ୍କୁ ସଧୈର୍ଯ୍ୟ ନୀରବରେ ଶେଷ ପର୍ଯ୍ୟନ୍ତ ସହ୍ୟ କରିଛନ୍ତି। ଏଣୁ ସେ ମର୍ଯ୍ୟାଦା ପୁରୁଷୋତ୍ତମ। ରାଜାର ମର୍ଯ୍ୟାଦା ଏହାର ପରବର୍ତ୍ତୀ ପ୍ରସଙ୍ଗ। ମୁଁ ବିବେକକୁ କ୍ଷମାପ୍ରାର୍ଥନା କଲି, କାରଣ ଆମର ସଭ୍ୟତାରୁ ଯଦିଓ ସୀତା କ୍ରମଶଃ ଅପସରିଯାଉଛନ୍ତି, ଦେବାୟତନରେ ସେ ମାତୃକଳ୍ପା ଦେବୀ।

ମାଣପୁର, କୋତିଆଁ, ଜଗତ୍‌ସିଂହପୁର, ମୋ:୯୪୩୭୨୨୪୧୨୮



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri