ପ୍ରାଣୀ-ଦେବତା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ପ୍ରାଚୀନ ଯୁଗରେ ମଣିଷମାନେ ପ୍ରାଣୀମାନଙ୍କର କେବଳ ନିକଟତର ନ ଥିଲେ, ଅଧିକାଂଶ କ୍ଷେତ୍ରରେ ସେମାନଙ୍କ ଉପରେ ପୂରାପୂରି ନିର୍ଭରଶୀଳ ଥିଲେ। ସେମାନେ ସ୍ଥାନୀୟ ସଂସ୍କୃତିର ଅଂଶବିଶେଷ ହୋଇଥିବାରୁ ସେମାନଙ୍କୁ ଧର୍ମଠାରୁ ପୃଥକ୍‌ କରାଯାଇ ପାରି ନ ଥିଲା। ସେଥିପାଇଁ କେତେକ ପ୍ରାଣୀଙ୍କୁ ଦେବତା ଭାବେ ପୂଜା କରାଯାଉଥିଲା। ସମୟକ୍ରମେ ଅଧିକାଂଶ ଧର୍ମରେ ପ୍ରାଣୀମାନଙ୍କ ଗୁରୁତ୍ୱ ବୃଦ୍ଧି ପାଇଲା। ଅନେକ ପ୍ରାଣୀ ମଣିଷଠାରୁ ଶକ୍ତିଶାଳୀ, ଦ୍ରୁତଗାମୀ, ସମୁଦ୍ରରେ ବା ବାୟୁମଣ୍ଡଳରେ ଗତାଗତ କରିପାରନ୍ତି। ସେମାନଙ୍କର ଇନ୍ଦ୍ରିୟାନୁଭୂତି ମଣିଷଠାରୁ ଅଧିକ। ତେଣୁ ସେମାନଙ୍କୁ ଦେବତାର ମର୍ଯ୍ୟାଦା ଦିଆଯାଇଛି। ଷଣ୍ଢ ଓ ସିଂହକୁ ଶକ୍ତି ଓ ସୁରକ୍ଷାର ପ୍ରତିନିଧି ଭାବେ ଗ୍ରହଣ କରାଯାଇଥିବା ବେଳେ ଗାଈକୁ ପ୍ରେମ ଓ ବଦାନ୍ୟତାର ପ୍ରତୀକ ଭାବେ, ସାପକୁ ବିଶ୍ୱର ସ୍ରଷ୍ଟା ଭାବେ ଏବଂ ପକ୍ଷୀକୁ ପ୍ରଲୁବ୍ଧକାରୀ ଭାବେ ସମ୍ମାନ ଦିଆଯାଇଛି। ଏକିଦ୍ନା ହେଉଛନ୍ତି ଗୁମ୍ଫାରେ ବାସ କରୁଥିବା ଅଧା ମହିଳା ଓ ଅଧା ସାପର ଦେହଧାରୀ ଦେବୀ ବିଶେଷ ଯେ କି ରାକ୍ଷସମାନଙ୍କର ମାତା ଭାବେ ଗ୍ରୀକ୍‌ ପୁରାଣରେ ପୂଜିତା। ଅନ୍ୟପକ୍ଷରେ ଚାଇନିଜ୍‌ ଲୋକକଥାରେ ନୁଓ୍ବା ହେଉଛନ୍ତି ଜଣେ ଦେବୀ ଯିଏ ମଣିଷମାନଙ୍କୁ ସୃଷ୍ଟି କରିଥିଲେ। ନ୍ୟୁରୋନା ହେଉଛନ୍ତି ଅଧା ସାପ ଓ ଅଧା ମଣିଷ ଦେହଧାରୀ ଜାପାନୀ ଦେବୀ ଯେ କି ଉଭୟଚର ଏବଂ ଏକାକୀ ରହିବାକୁ ଭଲ ପାଆନ୍ତି। ଯିଏ ତାଙ୍କ ପାଖକୁ ଆସି ତାଙ୍କର ଏକାକିତ୍ୱରେ ବାଧା ସୃଷ୍ଟି କରେ ସେ ତା’ର ରକ୍ତ ଶୋଷି ପିଇଯାନ୍ତି। ସଲୋମନ୍‌ ଦ୍ୱୀପପୁଞ୍ଜର ହାଟୁବ୍‌ଓ୍ବାରିଙ୍କର ମଣିଷ ମୁଣ୍ଡ, ଚାରିଟା ଆଖି, ହାତରେ ପଞ୍ଝା ଅଛି, ବାଦୁଡ଼ିର ଡେଣା ଅଛି ଏବଂ ଦେହଟି ସାପର। ମିଶରୀୟ ପୁରାଣରେ ମେର୍ଟସେଗର ହେଉଛନ୍ତି ନାଗସାପର ମୁଣ୍ଡ ବିଶିଷ୍ଟ ଜଣେ ନୀରବତାପ୍ରିୟ ଦେବୀ। ସେ ଯେପରି ଦୟାଳୁ, ସେପରି ଭୟାଳ। ଯେ କେହି ରାଜାମାନଙ୍କ ସମାଧିସ୍ଥଳକୁ ନଷ୍ଟ କରିବାକୁ ଚେଷ୍ଟା କରେ ସେ ତା’ ଉପରକୁ ବିଷ ନିକ୍ଷେପ କରନ୍ତି। ଗ୍ରୀକ୍‌ ପୁରାଣରେ ଗର୍ଗନ ହେଉଛନ୍ତି ତିନିଜଣ ଦେବୀ ଯାହାଙ୍କ କେଶ ସ୍ଥାନରେ ସାପମାନେ ଥାନ୍ତି। ସେମାନେ ଯାହାଙ୍କୁ ଚାହିଁବେ ସେ ପଥର ପାଲଟିଯାଏ ବୋଲି ବିଶ୍ୱାସ ଅଛି। ସୁମେରିଆରେ କୁସରିକୁ ହେଉଛନ୍ତି ଜଣେ ଏପରି ଦେବତା ଯାହାଙ୍କର ଅଛି ମଣିଷର ମୁଣ୍ଡ, ଗଣ୍ଡି ଓ ବାହୁ ଏବଂ ଗୋରୁର କାନ, ଶିଙ୍ଗ ଓ ପଛଭାଗ। ତାଙ୍କୁ କୁହାଯାଏ ବୁଲ୍‌ ମ୍ୟାନ୍‌। ସେ ଦ୍ୱାରରକ୍ଷକ ଭାବେ ଖରାପ ଉଦ୍ଦେଶ୍ୟ ନେଇ ଘରେ ପ୍ରବେଶ କରିବାକୁ ଚାହୁଁଥିବା ଅନୁପ୍ରବେଶକାରୀ ଓ ଭୂତପ୍ରେତ କବଳରୁ ଗୃହସ୍ଥକୁ ରକ୍ଷା କରନ୍ତି। ତାଙ୍କୁ ନ୍ୟାୟର ଦେବତା ଭାବେ ସମ୍ମାନ ଦିଆଯାଏ। ଲାମାସୁ ହେଉଛନ୍ତି ମେସୋପଟାମିଆର ସୁରକ୍ଷାକାରୀ ଦେବତା। ତାଙ୍କର ମଣିଷ ମୁଣ୍ଡ, ଷଣ୍ଢ ବା ସିଂହର ଶରୀର ଏବଂ ପକ୍ଷୀର ଡେଣା ଅଛି। ଆସିରୀୟ ସ୍ଥାପତ୍ୟରେ ବୃହତ୍‌ ଲାମାସୁ ମୂର୍ତ୍ତି ଦେଖିବାକୁ ମିଳେ। ସେ ଶକ୍ତି ଓ ସୁରକ୍ଷାର ପ୍ରତୀକ ଏବଂ ଏହି ଦେବତାଙ୍କ ମୂର୍ତ୍ତି ଘରର ଦ୍ୱାରଦେଶରେ ରଖାଯାଇଥାଏ। ତେବେ ଦୁଃଖର ବିଷୟ ବର୍ତ୍ତମାନ ପ୍ରାଣୀଙ୍କ ଅଙ୍ଗ ମଣିଷଠାରେ ପ୍ରତିରୋପଣ କରିବା କାର୍ଯ୍ୟରେ ନିୟୋଜିତ କମ୍ପାନୀ ଓ ବୈଜ୍ଞାନିକଙ୍କ ସଂଘ (ଇଣ୍ଟର୍‌ନ୍ୟାଶ୍‌ନାଲ ଜେନୋଟ୍ରାନ୍ସପ୍ଲାଣ୍ଟେଶନ ଆସୋସିଏଶନ) ଲାମାସୁଙ୍କୁ ନିଜ ସଂଘର ପ୍ରତୀକ ଭାବେ ଗ୍ରହଣ କରିଛି। ମଣ୍ଟୁ ହେଉଛନ୍ତି ମିଶରୀୟ ଯୁଦ୍ଧ ଦେବତା ଯାହାଙ୍କ ଦେହଟି ମଣିଷର ଓ ମୁଣ୍ଡଟି ଷଣ୍ଢର। ଇଜିପ୍ଟର ଶକ୍ତିଶାଳୀ ରାଜାମାନେ ନିଜକୁ ମଣ୍ଟୁଙ୍କ ପୁତ୍ର ଶକ୍ତିଶାଳୀ ଷଣ୍ଢଭାବେ ପ୍ରଖ୍ୟାପନ କରନ୍ତି। ଅନେକ ଫାରୋଙ୍କୁ ମେଣ୍ଟୁହୋଟେପ୍‌ ନାମ ଦିଆଯାଇଛି, ଯାହାର ଅର୍ଥ ମଣ୍ଟୁ ସନ୍ତୁଷ୍ଟ। ଗ୍ରୀକ୍‌ ପରମ୍ପରାରେ ସ୍ଫିନ୍‌କ୍ସ ହେଉଛି ଏକ ପୌରାଣିକ ପ୍ରାଣୀ ଯାହାର ମଣିଷ ମୁଣ୍ଡ, ସିଂହର ଦେହ ଓ ବେଳେବେଳେ ପକ୍ଷୀର ଡେଣା ଥାଏ। ଯିଏ ତାଙ୍କ ପ୍ରଶ୍ନର ଉତ୍ତର ଦେଇପାରେ ନାହିଁ, ସେ ତାକୁ ମାରି ଖାଇଦିଏ। ତେବେ ମିଶରୀୟ ସ୍ଫିନ୍‌କ୍ସ ଗ୍ରୀକ୍‌ ସ୍ଫିନ୍‌କ୍ସଠାରୁ ଟିକିଏ ଅଲଗା। ସେ ପୁରୁଷ, ଦୟାବନ୍ତ ଓ ଅସମ୍ଭବଭାବେ ଶକ୍ତିଶାଳୀ। ଉଭୟ ମନ୍ଦିର ଓ ସମାଧିସ୍ଥଳର ଦ୍ୱାରଦେଶରେ ରହି ସୁରକ୍ଷା ଦିଅନ୍ତି। ମାହେସ ହେଉଛନ୍ତି ପ୍ରାଚୀନ ମିଶରୀୟ ଯୁଦ୍ଧ ଦେବତା ଯାହାଙ୍କ ମୁଣ୍ଡି ସିଂହର। ସେ ମଧ୍ୟ ସୁରକ୍ଷା ଓ ପାଣିପାଗର ଦେବତା ଭାବେ ଜଣାଶୁଣା। ପାଖେତ ହେଉଛନ୍ତି ସିଂହୀ ମୁହଁ ବିଶିଷ୍ଟ ଦେବୀ, ଯିଏ ବନ୍ୟା ସହ ସମ୍ବନ୍ଧିତ। ସେଖମେତ ହେଉଛନ୍ତି ଯୁଦ୍ଧ ଓ ଆରୋଗ୍ୟର ଦେବୀ। ତାଙ୍କ ନିଃଶ୍ୱାସରେ ମରୁଭୂମିର ସୃଷ୍ଟି ହୋଇଛି ବୋଲି କୁହାଯାଏ। ସେ ମଧ୍ୟ ଫରୋମାନଙ୍କ ରକ୍ଷାକର୍ତ୍ତ୍ରୀ ବୋଲି ବିଶ୍ୱାସ କରାଯାଏ। ଟେଫ୍‌ନୁତ ହେଉଛନ୍ତି ଆର୍ଦ୍ରତା, ଆର୍ଦ୍ର ବାୟୁ, କାକର ଓ ବର୍ଷାର ଦେବୀ। ତାଙ୍କ ଭାଇ ଶୁକୁ ବିବାହ କରି ସେ ନଟ୍‌ ବା ଆକାଶ ଓ ଜେବ୍‌ ବା ପୃଥିବୀର ମାଆ ହେଲେ। ହିନ୍ଦୁ ପୁରାଣରେ ଅଛି ଭଗବାନ୍‌ ବିଷ୍ଣୁ ନରସିଂହ ଅବତାର ଗ୍ରହଣ କରିଥିଲେ। ତାଙ୍କର ନିମ୍ନାଂଶ ମଣିଷର ଓ ଊର୍ଦ୍ଧ୍ୱାଂଶ ସିଂହର। ସେ ରାକ୍ଷସ ରାଜା ହିରଣ୍ୟକଶିପୁକୁ ବଧ କରି ଭକ୍ତ ପ୍ରହ୍ଲାଦକୁ ରକ୍ଷା କରିଥିଲେ। ହିନ୍ଦୁ ଦେବୀ ପ୍ରତ୍ୟଙ୍ଗିରାଙ୍କୁ ମଧ୍ୟ ନାରସିଂହୀ କୁହାଯାଏ, ଯାହାଙ୍କ ମୁଣ୍ଡଟି ସିଂହର। ସେ ଦୁର୍ଗାଙ୍କର ଏକ ଅବତାର। ରାମାୟଣରେ ରାବଣ ପୁତ୍ର ଇନ୍ଦ୍ରଜିତ ନିକୁମ୍ଭିଲା ଯଜ୍ଞର ଆୟୋଜନ କରିଥିଲେ। ଏଥିରେ ସେ ଦେବୀ ପ୍ରତ୍ୟଙ୍ଗିରାଙ୍କ ପୂଜା କରିଥିଲେ। ଏହି ଯଜ୍ଞ ସମ୍ପୂର୍ଣ୍ଣ ହୋଇଥିଲେ ତାଙ୍କୁ କେହି ପରାସ୍ତ କରିପାରି ନ ଥାନ୍ତେ। ତେଣୁ ହନୁମାନ ଏହି ଯଜ୍ଞକୁ ନଷ୍ଟ କରିଦେଇଥିଲେ। କେତେକ ମନ୍ଦିରରେ ଅମାବାସ୍ୟା ରାତିରେ ପ୍ରତ୍ୟଙ୍ଗିରା ଦେବୀଙ୍କ ହବନ କରାଯାଏ। ଇଜିପ୍ଟର ଦେବୀ ହାଥୋରଙ୍କ ମୁଣ୍ଡ ଏକ ଗାଈର। ସେ ହେଉଛନ୍ତି ଆନନ୍ଦ, ପ୍ରେମ, ସଂଗୀତ, ନୃତ୍ୟ ଓ ମାତୃତ୍ୱର ଦେବୀ। ବ୍ୟାଟ୍‌ ଅର୍ଥ ଆତ୍ମା, ଯେ କି ଗାଈର ଶିଙ୍ଗ ଓ କାନ ଥିବା ଏକ ମିଶରୀୟ ଦେବୀ। ସେ ପବିତ୍ର ବାଦ୍ୟଯନ୍ତ୍ରର ପ୍ରତୀକ। ବାସ୍‌ଟେଟ୍‌ ହେଉଛନ୍ତି ଏକ ବିରାଡ଼ି-ମୁଣ୍ଡିଆ ମିଶରୀୟ ଯୁଦ୍ଧ ଦେବୀ। ସେ ବିରାଡ଼ିମାନଙ୍କ ରକ୍ଷାକର୍ତ୍ତ୍ରୀ। ଖେପ୍ରି ହେଉଛନ୍ତି ଗୋବରପୋକର ମୁଣ୍ଡ ଥିବା ଏକ ମିଶରୀୟ ଦେବତା। ଗୋବରପୋକ ଭଳି ସେ ସୂର୍ଯ୍ୟଦେବତାଙ୍କୁ ଗଡ଼େଇ ଗଡ଼େଇ ପୃଥିବୀ ତଳକୁ ନେଇଯାନ୍ତି, ଯେଉଁଠୁ ସେ ତା’ ପରଦିନ ସକାଳେ ଉଦୟ ହୁଅନ୍ତି। ଚାଇନିଜ୍‌ ପୁରାଣରେ ଶୁ ପାଶିଏ ହେଉଛନ୍ତି ଏକ ଦେବତା ଯାହାଙ୍କର ମୁଣ୍ଡଟି ଘୁଷୁରିର ଓ ଦେହଟି ମଣିଷର। ସେ ସ୍ବର୍ଗରେ କିଛି ଅନୈତିକ କାର୍ଯ୍ୟ କରିବାରୁ ତାଙ୍କୁ ମର୍ତ୍ତ୍ୟକୁ ପଠାଇ ଦିଆଯାଇଥିଲା। ଖ୍ନୁମ୍‌ ହେଉଛନ୍ତି ଏକ ମିଶରୀୟ ଦେବତା ଯେ କି ନୀଳନଦୀର ଅଧିଷ୍ଠାତ୍ରୀ ଦେବୀ। ସେ ମାତୃଗର୍ଭରେ ମଣିଷ ଶିଶୁର ଶରୀର ତିଆରି କରନ୍ତି ବୋଲି ବିଶ୍ୱାସ କରାଯାଏ। କୁମ୍ଭୀରମୁଣ୍ଡିଆ ମିଶରୀୟ ଦେବତା ସୋବେକ୍‌ ହେଉଛନ୍ତି ଶକ୍ତି, ଯୌନକ୍ଷମତା ଓ ସାମରିକ ଶକ୍ତି ସହ ସମ୍ବନ୍ଧିତ। ସେ ମଧ୍ୟ ଅତିରିକ୍ତଭାବେ ନୀଳନଦୀଠାରୁ ଆସୁଥିବା ବିପଦରୁ ଲୋକମାନଙ୍କୁ ରକ୍ଷା କରନ୍ତି। ଆଜିକାଲି ଅଧିକାଂଶ ଧର୍ମରେ ମଣିଷ-ପ୍ରାଣୀଙ୍କ ଦେବତ୍ୱକୁ ଅସ୍ବୀକାର କରାଯାଉଛି। ସତୁରି ଦଶକରେ ନୂଆ କରି ସୃଷ୍ଟି ହୋଇଥିବା ସନ୍ତୋଷୀ ମା ପରି ହିନ୍ଦୁ ଦେବୀଙ୍କର କୌଣସି ପ୍ରାଣୀ ସହ ସମ୍ବନ୍ଧ ନାହିଁ।

Email: gandhim@nic.in



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri