ପରିବେଶ ପର୍ଯ୍ୟଟନ

ପ୍ରକାଶ ଚନ୍ଦ୍ର ମିଶ୍ର

ପରିବେଶର ସୁରକ୍ଷା କିପରି ଅପରିହାର୍ଯ୍ୟ, ତାହା ସମସ୍ତେ ହୃଦୟଙ୍ଗମ କରିସାରିଲେଣି। ଗ୍ରୀଷ୍ମର ଅସହ୍ୟ ରୌଦ୍ରତାପ, ବର୍ଷାକାଳେ ଅନିୟମିତ ବାରିପାତ, ଶୀତକାଳର ଅବଧି ହ୍ରାସ, ପରିବେଶର ପ୍ରଦୂଷଣର ହେତୁ ବିଭିନ୍ନ ରୋଗ ସୃଷ୍ଟି ପ୍ରଭୃତି ଅସୁରକ୍ଷିତ ପରିବେଶରୁ ସୃଷ୍ଟ। ଜୈବମଣ୍ଡଳର ସୁରକ୍ଷା ସହ ମୃତ୍ତିକାର ନିମ୍ନଭାଗରେ ତଥା ଉପରେ ରହୁଥିବା ଅସଂଖ୍ୟ ଉପକାରୀ କୀଟପତଙ୍ଗର ସୁରକ୍ଷା ଅପରିହାର୍ଯ୍ୟ। ଖାଦ୍ୟ ଲୋଭ ଏବଂ ଅନ୍ଧବିଶ୍ୱାସକୁ ପାଥେୟ କରି ମାଣିଷ କେତେ ଯେ ବନ୍ୟପ୍ରାଣୀଙ୍କୁ ଧ୍ୱଂସମୁଖକୁ ନେଲାଣି ତା’ର ହିସାବ ନାହିଁ। ଫସଲ ଉତ୍ପାଦନ ବୃଦ୍ଧି ପାଇଁ ରାସାୟନିକ ସାର ଏବଂ ବିଷାକ୍ତ କୀଟନାଶକର ବହୁଳ ପ୍ରୟୋଗ ଜଳ, ବାୟୁ, ମୃତ୍ତିକା ପ୍ରଦୂଷଣ ସହ ମୃତ୍ତିକା ଭିତରେ ଥିବା କିମ୍ବା ବୃକ୍ଷଲତା, ଜଳରେ ଆଶ୍ରିତ ଅସଂଖ୍ୟ ଉପକାରୀ କୀଟପତଙ୍ଗ, ଜଳଚର ଜୀବ ଯଥା ମାଛ, ବେଙ୍ଗ, କଇଁଛ, କଙ୍କଡା ଇତ୍ୟାଦିଙ୍କ ଧ୍ୱଂସର କାରଣ ସାଜିଛି। ତା’ଛଡା ପଶୁପକ୍ଷୀଙ୍କୁ ଦିଆଯାଉଥିବା ବିଭିନ୍ନ ପ୍ରାଣ ରକ୍ଷାକାରୀ ଔଷଧର କୁପ୍ରଭାବ ତାଙ୍କର ମୃତ୍ୟୁ ପରେ ମଧ୍ୟ ପରିଲକ୍ଷିତ ହେଉଛି। ଚିଲ, ଶାଗୁଣା ପ୍ରଭୃତି ପକ୍ଷୀର ଧ୍ୱଂସ ଉପରୋକ୍ତ କାରଣ ଯୋଗୁ ହୋଇଛି। ପଲିଥିନ୍‌ର ବହୁଳ ପ୍ରଚଳନ ଯୋଗୁ ନଦୀ, ନାଳରୁ ସମୁଦ୍ରକୁ ଯାଇ କେତେ ଯେ ଜୀବଜନ୍ତୁଙ୍କ କ୍ଷତି ପହଞ୍ଚାଉଛି ତାହା କଳ୍ପନାତୀତ। ପୁନଶ୍ଚ ଫୋପଡା ପଲିଥିନ୍‌ ଭିତରେ ଥିବା ବର୍ଜିତ ଖାଦ୍ୟପଦାର୍ଥକୁ ଖାଇ ବହୁ ନିରୀହ ପଶୁପକ୍ଷୀ ମୃତ୍ୟୁବରଣ କରୁଛନ୍ତି। ତେଣୁ ପରିବେଶ ସୁରକ୍ଷାର ଉଦ୍ଦେଶ୍ୟ ଛାତ୍ରସମାଜ, ଯୁବଗୋଷ୍ଠୀ, ବରିଷ୍ଠ ନାଗରିକ, ଗ୍ରାମବାସୀ ସମସ୍ତେ ଜାଣିବା ଏକାନ୍ତ ଆବଶ୍ୟକ। ଆଲୋଚନା କରାଯାଉଥିବା ପରିବେଶ ପର୍ଯ୍ୟଟନ ଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏକ ପ୍ରୟାସ। କିଛିବର୍ଷ ହେଲା ପ୍ରାକୃତିକ ଶୋଭା ବିମଣ୍ଡିତ ଉପାନ୍ତ ବଣଜଙ୍ଗଲରେ ରହିବା, ଖାଇବା, ବୁଲିବା ପାଇଁ ଗାଇଡ୍‌ର ବ୍ୟବସ୍ଥା କରାଯାଇଛି। ଘଞ୍ଚ ପାହାଡପର୍ବତ, ମନୋଲୋଭା ଜଳପ୍ରପାତ, ଉଷ୍ଣ ପ୍ରସ୍ରବଣ, ସର୍ପିଳ ଝରଣା, ହିଂସ୍ର ବନ୍ୟପ୍ରାଣୀଙ୍କ ଆବାସସ୍ଥଳୀ ପ୍ରଭୃତିକୁ ପରିଭ୍ରମଣ କରିବା ଏବଂ ପ୍ରକୃତିକୁ ନିଜେ ବୁଝିବା ପାଇଁ ବିଭିନ୍ନ ପରିବେଶ ପର୍ଯ୍ୟଟନ କେନ୍ଦ୍ରର ସୁବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ପର୍ଯ୍ୟଟନ କେନ୍ଦ୍ର ନିକଟରେ ଥିବା ପ୍ରାକୃତିକ ଶୋଭାମୟ ଦୁର୍ଗମ ଅଞ୍ଚଳକୁ ନିଜ ପାଦରେ ଅନୁଭବ କରିବା ପାଇଁ ବିଭିନ୍ନ ଚଲାପଥ ସୃଷ୍ଟି କରାଯାଇ ପ୍ରତି ଚଲାପଥରେ ଦଶରୁ ପନ୍ଦର ଜଣ ପର୍ଯ୍ୟଟକଙ୍କୁ ଗୋଟିଏ ଦଳରେ ଜଣେ ସ୍ଥାନୀୟ ପରିବେଶବିତ୍‌ଙ୍କ ନେତୃତ୍ୱରେ ନେବାର ବନ୍ଦୋବସ୍ତ କରାଯାଏ। ଚଲାପଥରେ ଯିବା ସମୟରେ ସେମାନଙ୍କୁ ସ୍ଥାନୀୟ ଜୈବବିବିଧତା ବିଷୟରେ ବ୍ୟାଖ୍ୟା କରାଯାଏ। ତା’ଛଡା ଚଲାପଥ କିମ୍ବା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବିଭିନ୍ନ ବନ୍ୟପ୍ରାଣୀଙ୍କ ଶବ୍ଦ, ପାଦଚିହ୍ନ, ପଡିଥିବା ଲୋମ, ଶିଙ୍ଗ, ପର, ସେମାନଙ୍କ ପ୍ରଜନନ ପ୍ରକ୍ରିୟା, ପରିବେଶ ସୁରକ୍ଷାରେ ସେମାନଙ୍କ ଅବଦାନ ବିଷୟରେ ଆଲୋଚନା କରାଯାଏ। ପାହାଡପର୍ବତରେ ଉପଲବ୍ଧ ଶିଳା, ଧାତୁ ବିଷୟରେ ସମ୍ୟକ୍‌ ଧାରଣା ଦିଆଯାଏ, ପୁଣି ସେମାନଙ୍କର ସୃଷ୍ଟି, ଉପକାରିତା ବିଷୟରେ ବର୍ଣ୍ଣନା କରାଯାଏ। ଚଲାପଥରେ ପଡ଼ିଥିବା ବିଭିନ୍ନ ବୃକ୍ଷଗଣ୍ଡି କିମ୍ବା ମାଟି ଉପରେ ଶୁଷ୍କ ବୃକ୍ଷର ଛାଲି ତଳେ ରହୁଥିବା ପୋକଜୋକ, ସେମାନଙ୍କ ପରିବେଶ ସୁରକ୍ଷାରେ ଅବଦାନ ବୁଝାଇ ଦିଆଯାଏ। ଚଲାପଥରେ ପଡୁଥିବା ଛୋଟ ଜଙ୍ଗଲୀ ନାଳ, ଜଳାଶ୍ରୟ, ସେଥିରେ ବସବାସ କରୁଥିବା ଜଳଚର ଜୀବ, କୀଟପତଙ୍ଗ ପ୍ରଭୃତିଙ୍କ ବିଷୟରେ ପର୍ଯ୍ୟଟକଙ୍କୁ ସମ୍ୟକ୍‌ ଜ୍ଞାନ ବିତରଣ କରାଯାଏ। ଜଙ୍ଗଲ ଭିତରେ ପ୍ରବାହିତ ନଦୀନାଳ କିପରି ବର୍ଷସାରା ପାଣିରେ ପରିପୂର୍ଣ୍ଣ ରହେ, ଏଥିପାଇଁ ସେମାନଙ୍କର ଉପରମୁଣ୍ଡରେ ଥିବା ମୃତ୍ତିକା ଓ ଗଛଲତା କିପରି ସାହାଯ୍ୟ କରେ ପର୍ଯ୍ୟଟକମାନେ ତାହା ହୃଦୟଙ୍ଗମ କରନ୍ତି। ଚଲାପଥର ଉଭୟ ପାର୍ଶ୍ୱର ଗ୍ରାମବାସୀଙ୍କ ସହ କଥାବାର୍ତ୍ତାର କାର୍ଯ୍ୟକ୍ରମ କରାଯାଇଥାଏ। ବନବାସୀଙ୍କ ଧାନ କିମ୍ବା ଅନ୍ୟାନ୍ୟ କ୍ଷେତ ଆଗରୁ ଦେଖାହୋଇଥାଏ। କଥାବାର୍ତ୍ତାରୁ ଜଣାପଡେ କିପରି ବନବାସୀମାନେ ରାସାୟନିକ ସାର ଏବଂ କୀଟନାଶକରୁ ସେମାନଙ୍କର କ୍ଷେତକୁ ଦୂରେଇ ରଖିଛନ୍ତି। ଶଢା ଗୋବରଖତ, ନିମପିଡିଆ ଓ କମ୍ପୋଷ୍ଟ ସେମାନେ ଚାଷଜମିରେ ପ୍ରୟୋଗ କରନ୍ତି। ଶସ୍ୟଗୁଡ଼ିକୁ ସାଇତିବା ପାଇଁ ଶୁଖିଲା ନିମ, ନିର୍ଗୁଣ୍ଡି ପତ୍ରର ପ୍ରୟୋଗ କରନ୍ତି। ଚାଷ କରୁଥିବା ଧାନ ଏବଂ ଅନ୍ୟାନ୍ୟ ଶସ୍ୟର ମଞ୍ଜି ବାପଅଜା ଅମଳରୁ ହେଉଥିବା ଶସ୍ୟ, ବହୁଳ ଭାବେ ଅନ୍ୟଆଡେ ବ୍ୟବହୃତ ହାଇବ୍ରିଡ ବୀଜ ନୁହେଁ। ଆଲୋଚନା ସମୟରେ ସେମାନେ ଖାଉଥିବା ଭାତ, ଡାଲି ଏବଂ ତରକାରି କିପରି ସ୍ବାଦିଷ୍ଠ ତାହା ପର୍ଯ୍ୟଟକମାନେ ହୃଦୟଙ୍ଗମ କରନ୍ତି। ବନବାସୀମାନେ ଅଶିକ୍ଷିତ ଅବା ଗରିବ ହୋଇପାରନ୍ତି, ମାତ୍ର ସେମାନେ ବନ୍ଧୁବତ୍ସଳ। ନାଲି ଚା’ ଦେବାକୁ ସେମାନେ ଭୁଲିଯାଆନ୍ତି ନାହିଁ। ତା’ ପୁଣି ପତ୍ରରେ ତିଆରି ଗ୍ଲାସରେ, ପଲିଥିନ୍‌ର ପ୍ରଚଳନ ସେଠାରେ ନାହିଁ। ସେ ଚା’ ପତି ଆମେ ବ୍ୟବହାର କରୁଥିବା ପତି ନୁହେଁ, ତାହା ତାଙ୍କର ତୁଳସୀଗଛର ଶୁଖିଲା ପତ୍ର। ସ୍ବାଦ ବହୁତ ଭଲ ଏବଂ ଏହା ଏକ ଔଷଧ ମଧ୍ୟ। ଗ୍ରାମବାସୀମାନଙ୍କ ସହ କଥାବାର୍ତ୍ତାରୁ ଜଣାପଡିବ କିପରି ସାଧାରଣ ଜ୍ୱର, କାଶ, ମ୍ୟାଲେରିଆ, ଥଣ୍ଡା ପ୍ରଭୃତି ରୋଗ ବ୍ୟତୀତ ସେମାନେ ସାଧାରଣତଃ ଅନ୍ୟ ରୋଗର ଶିକାର ହୁଅନ୍ତି ନାହିଁ। ଔଷଧୀୟ ଚେରମୂଳିରୁ ସେମାନେ ଭଲ ହୁଅନ୍ତି। ରୋଗମୁକ୍ତ ଜୀବନ ବୋଧହୁଏ ସୁସ୍ଥ ପରିବେଶରେ ରହିବାର ଫଳ। ପାହାଡିଆ ଅଞ୍ଚଳରେ ସା ଜଲ୍‌ଦି ଆସିଯାଏ, ସହର ବଜାର ଅଞ୍ଚଳଠାରୁ ଟିକେ ଅଧିକ ଥଣ୍ଡା ସେ ଅଞ୍ଚଳରେ ଅନୁଭୂତ ହୁଏ। ଚଲାପଥରେ ଯିବା ଆସିବା ଦ୍ୱାରା ସେମିତି ବିଶେଷ କଷ୍ଟ ଅନୁଭୂତ ହୁଏନାହିଁ, ଝାଳ କମ୍‌ ବୁହେ। ଅଧିକାଂଶ ଜଙ୍ଗଲ ଭିତର ଗ୍ରାମରେ ବିଦ୍ୟୁତ୍‌ ସେବାରୁ ବନବାସୀ ବଞ୍ଚିତ। ମାତ୍ର ସେମାନେ ଶୁଖରେ ନିଦ୍ରା ଯାଆନ୍ତି। ଅତ୍ୟଧିକ ଗରମ ସେମାନେ ସା ପରେ ଅନୁଭବ କରନ୍ତି ନାହିଁ। ବନବାସୀମାନଙ୍କ ଘରର ବର୍ଜିତ ଦୂଷିତ ଜଳ ମାଟିକୁ ଚାଲିଯାଏ, ତେଣୁ ନାଳ, ଝରଣା ପ୍ରଦୂଷଣମୁକ୍ତ ରହେ। ପରିବେଶ ପର୍ଯ୍ୟଟନ କେନ୍ଦ୍ରରେ ରହିବା ସମୟରେ କିପରି ସେଠାକାର ପରିବେଶ ହୃଦୟସ୍ପର୍ଶୀ, ପର୍ଯ୍ୟଟକମାନେ ତାହା ଅନୁଭବ କରନ୍ତି। ପରିବେଶର ସୁରକ୍ଷା କାହିଁକି ଜରୁରୀ ତାହା ମଧ୍ୟ ଜାଣନ୍ତି। କିପରି ଏହା ସମ୍ଭବ ତାହା ଚିନ୍ତା କରନ୍ତି। ସମସ୍ତ ପ୍ରକାର ଆଧୁନିକ ଶୈଳୀର ଚଳଣିକୁ ଯଥାସମ୍ଭବ ବିସର୍ଜନ କରିବାକୁ ପଡିବ। ତା’ ହେଲେ ଯାଇ ପରିବେଶର ସୁରକ୍ଷା ସମ୍ଭବ।

ବୃନ୍ଦାବନ ଏନ୍‌କ୍ଲେଭ, ଖଣ୍ଡଗିରି, ଭୁବନେଶ୍ୱର, ମୋ-୯୪୩୭୧୯୩୧୭୫



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri