ଲକ୍ଷ୍ମୀ ଉପାସନା ଓ ଓଡ଼ିଶା

ଡ. ଭାଗ୍ୟଲିପି ମଲ୍ଲ

ଆଜି ମାର୍ଗଶିର ମାସ ମାଣବସା ଗୁରୁବାର। ଅମାର ଘର, ଚଟାଣ, କାନ୍ଥ ଓ ଏରୁଣ୍ଡିବନ୍ଧରେ ଚିତା। ପଦ୍ମଫୁଲ ଉପରେ ଲକ୍ଷ୍ମୀପାଦ। ସୁସଜ୍ଜିତ ପିଢ଼ା କି ଛୋଟ ଖଟୁଲି। ଖଟୁଲି ଉପରେ ମାଣ, ନ ହେଲେ ଗଉଣି। ଏକରଙ୍ଗୀ ଧଳାଧାନରେ ମାଣ, ଗଉଣି ଉଛୁଳୁ ମୁଛୁଳୁ। ଉପରୁ ତଳକୁ ଝୁଲି ପଡିଥାଏ ଧାନକେଣ୍ଡାର ବେଣୀ। ମାଣ ଉପରେ ପୁଣି ସିନ୍ଦୂର, ଚନ୍ଦନ, ହଳଦୀର ଲେପ। ମାଣର ମଥାରେ ସିନ୍ଦୂର ଟୋପା। ନାନା ରଙ୍ଗର ଫୁଲର ଆବରଣରେ ସୁସଜ୍ଜିତ ମାଣ ଓ ଖଟୁଲି। ମଥାରେ ନାଲି ରଙ୍ଗର ନୂଆ ଛିଟଲୁଗା, ଓଢଣା ପରି ସତେ ଯେପରି ସ୍ବୟଂ ଲକ୍ଷ୍ମୀଙ୍କର ପ୍ରତିରୂପା। ତଳେ, ମାଟି ଉପରେ କଳସ, ଗୁଆ, ଆଖୁ, ମୂଳା, ନଡିଆ ଓ ଅନ୍ୟ ଫଳମୂଳ। ଝୁଣାଧୂଆଁର ମହକ। ଭୋଗରାଗ ବି ସେମିତି। ପିଠାପଣା କେତେ ରକମର। ଏତେ ସଜବାଜ ଜଣକ ପାଇଁ। ସେ ଲକ୍ଷ୍ମୀ। କିନ୍ତୁ କିଏ ସେ ଲକ୍ଷ୍ମୀ? କ’ଣ ତାଙ୍କର ସ୍ବରୂପ ? କ’ଣ ପାଇଁ ତାଙ୍କର ଏତେ ଆରାଧନା? ଋଗ୍‌ବେଦର ଶ୍ରୀସୂକ୍ତରେ ଅଛି ଶ୍ରୀଙ୍କର ନାମ। କୁହାଯାଏ, ସେ ସକଳ ପ୍ରାଣୀଙ୍କର ପାଳନକର୍ତ୍ତ୍ରୀ। ଲକ୍ଷ୍ମୀ ଶାନ୍ତି ଓ ଦାନଶୀଳତାର ପ୍ରତୀକ। ସୌଭାଗ୍ୟର ଦେବୀ। ଜୀବନ ବଞ୍ଚତ୍ବାର ସର୍ବମୂଳ ଆବଶ୍ୟକତା। ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ତେଣୁ ଶକ୍ତି ସ୍ବରୂପିଣୀ ଦେବୀ ଲକ୍ଷ୍ମୀ ରୂପରେ ପୂଜା ପାଉଛନ୍ତି। ଦୁଇଟି ରୂପରେ- ଭୂଦେବୀ ଓ ଶ୍ରୀଦେବୀ। ଶ୍ରୀ ସମ୍ପ୍ରଦାୟର ପ୍ରବର୍ତ୍ତକ ରାମାନୁଜ ତେଣୁ ଦ୍ୱାଦଶ ଶତାବ୍ଦୀରେ ଶଙ୍ଖକ୍ଷେତ୍ରକୁ କହିଛନ୍ତି ଶ୍ରୀକ୍ଷେତ୍ର ଓ ମନ୍ଦିରକୁ ଶ୍ରୀମନ୍ଦିର। ଅର୍ଥାତ୍‌ ଶ୍ରୀଜଗନ୍ନାଥଙ୍କ ଘରର ଅଧିକାରିଣୀ ଲକ୍ଷ୍ମୀ। ସ୍ବାମୀ, ପରିବାର, ଅତିଥି ଅଭ୍ୟାଗତଙ୍କ ସେବାର ଦାୟିତ୍ୱ ତାଙ୍କରି। ଲକ୍ଷ୍ମୀଙ୍କର ବହୁ ନାମ ଭିତରୁ ଗୋଟିଏ ନାଁ ଚଞ୍ଚଳା। କେଉଁଠି ଗୋଟିଏ ଜାଗାରେ ବେଶିଦିନ ସେ ରହି ପାରନ୍ତିନି। ବ୍ୟକ୍ତିର ବିଚାର ଓ ଆଚାରରେ ଟିକିଏ ବ୍ୟତିକ୍ରମ ଦେଖିଲେ କେତେବେଳେ କେଉଁ ବାଟରେ ଖସି ଚାଲିଯବେ। ତେଣୁ ମା’ ଲକ୍ଷ୍ମୀଙ୍କୁ ଏତେ ନିରାଜନା। କେବଳ ଓଡ଼ିଆ ନୁହେଁ, ପୃଥିବୀର ସକଳ ଭୂମିରେ ଲକ୍ଷ୍ମୀ ବର୍ତ୍ତମାନ। ଅମଳ ଉସତ୍ବର ଏକ ନିଦର୍ଶନ ଇଂଲଣ୍ଡର ‘ମେ ପୋଲ ଡାନ୍ସ’, ଯେଉଁଥିରେ ଶସ୍ୟଖଳାରେ ଜଣେ ନାରୀ ମେଳିର ମଝିରେ ମେରିଖୁଣ୍ଟ ପରି ଘୂରିଘୂରି ନୃତ୍ୟକରେ ଓ ତା’ ଚାରିକଡରେ ତାକୁ ଘେରି କୃଷକ ଓ ଅନ୍ୟମାନେ ପ୍ରଶ୍ନ-ଉତ୍ତର ଛଳରେ ନୃତ୍ୟ କରନ୍ତି। ଗ୍ରୀସ୍‌ର ଉପତ୍ାଦନ ଓ ଶସ୍ୟର ଦେବୀଙ୍କ ନଁା ଡେମିଟର। ଭାରତବର୍ଷରେ ଐଶ୍ୱର୍ଯ୍ୟର ଦେବୀ ଭାବେ ଲକ୍ଷ୍ମୀଙ୍କ ଉପାସନା ବୈଦିକ ଯୁଗରୁ ପ୍ରଚଳିତ। ସେହି ଦେବୀଙ୍କୁ ଆରାଧନା ପାଇଁ ମାଣବସା ଗୁରୁବାରର ପୂଜା। ପ୍ରତିଘରେ ଲକ୍ଷ୍ମୀ ପୁରାଣର ସ୍ବର ଶୁଭିଥାଏ ଏହି ଅବକାଶରେ। ପୁରାଣ ସ୍ରଷ୍ଟା ବଳରାମ ଦାସ। ଲକ୍ଷ୍ମୀ ପୁରାଣ ପଢ଼ିଲେ ଲାଗେ, ବଳରାମ ଦାସ ଦାମ୍ପତ୍ୟ କଳହ ନୁହେଁ, ପ୍ରେମର ଚିତ୍ର ଅଙ୍କନରେ ସିଦ୍ଧହସ୍ତ। ପ୍ରଥମରୁ ସେ ଆଦୌ ଚାହିଁନାହାନ୍ତି, ଲକ୍ଷ୍ମୀ ଚଣ୍ଡାଳସାହିକୁ ଯାଇଥିବାରୁ ଘର ଛାଡ଼ନ୍ତୁ ବୋଲି। କବି ଜଗନ୍ନାଥଙ୍କ ମୁହଁରେ କୁହାଯାଇଛି- ସେ ଚଣ୍ଡାଳସାହିରେ ତାଙ୍କୁ ଦେଖିଥିଲେ, ଜମା କଥା ପ୍ରଘଟ କରି ନ ଥାନ୍ତେ। ନିଜ ଭିତରେ ହିଁ ରଖିଥାନ୍ତେ। ମାତ୍ର ଦେଖିଛନ୍ତି ବଡ଼ଭାଇ। ତେଣୁ ସେ ନାଚାର। ପୁଣି ଜଗନ୍ନାଥ ଲକ୍ଷ୍ମୀଙ୍କ ନିରାଭରଣା ରୂପ ମଧ୍ୟ ଦେଖିବାକୁ ଚାହିଁନାହାନ୍ତି। କାହାଣୀର ଶେଷ ପର୍ଯ୍ୟାୟରେ ଲକ୍ଷ୍ମୀ ଓ ଜଗନ୍ନାଥଙ୍କ ମଧୁରମିଳନ। ସତେଯେପରି ଅଲଗାହେବାର ପରମୁହୂର୍ତ୍ତରୁ ହିଁ ଦୁହେଁ ଦୁହିଁଙ୍କୁ ଝୁରି ହେଉଥିଲେ। ଆପଣା ସିଂହଦ୍ୱାରରେ ଜଗନ୍ନାଥଙ୍କ ତୁଣ୍ଡରେ ବେଦଧ୍ୱନି ଶୁଣି ଲକ୍ଷ୍ମୀ ବିହ୍ବଳ ହୋଇଉଠିଛନ୍ତିି। ‘ନିସ୍ତରିଲି’, ‘ନିସ୍ତରିଲି’ ଶବ୍ଦ ହିଁ ତାଙ୍କ ମନୋଭାବର ଅଭିବ୍ୟକ୍ତି। ପୁରାଣଟିରେ ବଳରାମ ଦାସଙ୍କର ବ୍ରାହ୍ମଣ୍ୟବାଦ-ବିରୋଧୀ ମାନସିକତା ବେଶ୍‌ ସ୍ପଷ୍ଟ। ଏଥିରେ ନାରୀ ସ୍ବାଧୀନତା, ପୁରୁଷର ପୀଡ଼ା ବିପକ୍ଷରେ ନାରୀର ସ୍ବର ଉତ୍ତୋଳନ, ସମାଜରେ ନାରୀର ପ୍ରାଧାନ୍ୟ, ପରିମଳ ପରିବେଶ, ଜାତିଭେଦ ପ୍ରଥା ଓ ଶୃଙ୍ଖଳିତ ପାରିବାରିକ ଜୀବନର ଚିତ୍ର ରହିଛି। ଆଜିକୁ ପ୍ରାୟ ପାଞ୍ଚଶହ ବର୍ଷତଳର ଜଣେ ମଣିଷର ଏହା ଏକ ସୁସ୍ଥ ସମାଜ ଗଢଣ ପାଇଁ ସୁଚିନ୍ତିତ ଚିନ୍ତାକଳ୍ପ। ସେ ପ୍ରମାଣ କରିଦେଇଛନ୍ତି ସ୍ବଚ୍ଛତା, ପବିତ୍ରତା, ପ୍ରେମ, ସହୃଦୟତା, ଉଦାରତା ଏବଂ କର୍ତ୍ତବ୍ୟନିଷ୍ଠା ଯେଉଁଠିଥାଏ, ସେଇଠି ଲକ୍ଷ୍ମୀଙ୍କ ଘର। ସେଇମାନଙ୍କ ସହିତ ତାଙ୍କର ସମ୍ପର୍କ।

ଫୋନ୍‌ : ୯୪୩୯୨୮୧୫୬୧



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri