ସମ୍ପାଦକୀୟ/ ନ୍ୟାୟାଳୟର ସକ୍ରିୟତା

ସାଧାରଣ ଜନତାଙ୍କ ମୌଳିକ ଅଧିକାରର ସୁରକ୍ଷା ପ୍ରଥମ କର୍ତ୍ତବ୍ୟ ବୋଲି ମତ ଦେଇଛନ୍ତି ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର। ସେ ଏହା ମଧ୍ୟ ସ୍ପଷ୍ଟ କରି ଦେଇଛନ୍ତି ଯେ, ସର୍ବୋଚ୍ଚ ଅଦାଲତର ଏହାକୁ ପାଳନ କରିବା ପାଇଁ ସବୁପ୍ରକାରର ସାମ୍ବିଧାନିକ ଅନୁମତି ରହିଛି। ବର୍ତ୍ତମାନ ପରିସ୍ଥିତିରେ ପ୍ରଧାନ ବିଚାରପତି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ କାହିଁକି ଦେଲେ ତାହା ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସମ୍ବିଧାନ ଦିବସ ପାଳନ ଅବସରରେ (୨୬ ନଭେମ୍ବର) ଅନୁଷ୍ଠିତ ଏକ ସଭାରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଯାହା କହିଥିଲେ ତାହାର ସହଜ ଅର୍ଥ ହେଉଛି, ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ପାଇଁ ସରକାରୀ କାର୍ଯ୍ୟ କରିବାରେ ବାଧା ସୃଷ୍ଟି ହେଉଛି। ପାର୍ଲାମେଣ୍ଟ ଏବଂ ଲୋକ ପ୍ରତିନିଧିମାନଙ୍କ ଦ୍ୱାରା ଆଇନ ପ୍ରଣୟନର ସବୁ କ୍ଷମତା ରହିଛି। ଏଥିରେ ନ୍ୟାୟାଳୟର ହସ୍ତକ୍ଷେପ କରିବା ଉଚିତ ନୁହେଁ। ଏହାର ଜବାବ୍‌ରେ ଭାରତର ପ୍ରଧାନ ବିଚାରପତି ଉପରୋକ୍ତ ମନ୍ତବ୍ୟ ଦେଇଥିଲେ। ଶାସନ ବ୍ୟବସ୍ଥାରେ କୌଣସି କାର୍ଯ୍ୟ ସାଧାରଣ ଜନତାଙ୍କ ସ୍ବାର୍ଥ ବିରୋଧରେ ଗଲେ ନ୍ୟାୟପାଳିକା ସେହି ତ୍ରୁଟିକୁ ସୁଧାରିବାକୁ ଚେଷ୍ଟା କରିବା କଥା। ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଜନସାଧାରଣଙ୍କୁ ସର୍ବୋଚ୍ଚ ସ୍ଥାନ ଦିଆଯାଇଛି। ଏ ଦେଶର ନାଗରିକ ଯେଉଁ ଦଳକୁ ନିର୍ବାଚିତ କରିବେ, ସେହିମାନେ ହିଁ ମଙ୍ଗଧରି ଶାସନ କରିବେ। ନୀତି ନିର୍ଦ୍ଧାରଣ କରିବାର ଅଧିକାର ପାର୍ଲାମେଣ୍ଟକୁ ଦିଆଯାଇଛି। ଅତୀତରେ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ବଳରେ ସରକାର ଗଢିଥିବା ଦଳ ଏହାର ଦୁରୁପଯୋଗ କରି ଆସିଥିବାର ଅନେକ ନଜିର ରହିଛି। ବର୍ତ୍ତମାନର ଶାସନ କଳରେ କେତେକାଂଶରେ ଏଭଳି ଆଭିମୁଖ୍ୟ ଦେଖିବାକୁ ମିଳୁଛି। ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଯେକୌଣସି ରାଜନୈତିକ ଦଳର ଶାସନ କରିବାର ଅଧିକାର ରହିଛି। ଆମେ ଏଠାରେ ‘ଯେକୌଣସି ରାଜନୈତିକ ଦଳ’ କହିବା ପାଇଁ ଆସ୍ପର୍ଦ୍ଧା କରୁଛୁ, କାରଣ ଯଦି ଆଧାରକୁ ଉଦାହରଣ ଭାବେ ଦେଖାଯାଏ ତେବେ ଏହା କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ସମୟରେ ଜନ୍ମ ନେଇଥିଲା। ଏବେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଏହାର ଦୁଷ୍ଟ ଦିଗକୁ ବୁଝି ଜୋରଜବରଦସ୍ତ କାର୍ଯ୍ୟ କରୁଛି। ଯାହା ବ୍ୟକ୍ତିର ମୌଳିକ ଅଧିକାର ପରିପନ୍ଥୀ ବୋଲି କୁହାଗଲାଣି। ନିକଟରେ ସୁପ୍ରିମକୋର୍ଟଙ୍କ ଏକ ସାମ୍ବିଧାନିକ ଖଣ୍ଡପୀଠ ଐତିହାସିକ ରାୟ ଦେଇ କହିଥିଲେ ଯେ, ବ୍ୟକ୍ତିର ଅନ୍ତରଙ୍ଗ ତଥ୍ୟ (ପ୍ରିଭେସି) ପ୍ରଘଟ କରିଦିଆଯିବା ହେଉଛି ମୌଳିକ ଅଧିକାରର ଉଲ୍ଲଂଘନ। ସରକାର ଆଧାରକୁ ବାଧ୍ୟତାମୂଳକ କରିବାକୁ ଯାଇ ଏଥିରେ ଅନ୍ତରଙ୍ଗ ତଥ୍ୟକୁ ଯେଉଁଭଳି ଭାବେ ସାମିଲ କରୁଛନ୍ତି ତାହାକୁ ଦୃଷ୍ଟିରେ ରଖି ସର୍ବୋଚ୍ଚ ଅଦାଲତ ଏହି ରାୟ ଦେଇଥାଇପାରନ୍ତି। ଏହାସତ୍ତ୍ୱେ କେନ୍ଦ୍ର ସରକାର ସବୁ କ୍ଷେତ୍ରରେ ଜନସାଧାରଣଙ୍କ ଉପରେ ଆଧାରକୁ ଲଦିବା ପାଇଁ ଚେଷ୍ଟା ଅବ୍ୟାହତ ରଖିଛନ୍ତି। ନିକଟରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପ୍ରାୟ ୨୧୦ ଓ୍ବେବସାଇଟ୍‌ରୁ ଆଧାର ତଥ୍ୟ ପ୍ରଘଟ ହୋଇ ଯାଇଥିଲା। ସୁପ୍ରିମ କୋର୍ଟଙ୍କ ରାୟ ଅନୁଯାୟୀ ଏହା ନିଶ୍ଚିତ ଭାବେ ବ୍ୟକ୍ତିର ମୌଳିକ ଅଧିକାର ଉଲ୍ଲଂଘନ ପଦବାଚ୍ୟ। ସରକାର ଯଦି ବ୍ୟକ୍ତିର ଅନ୍ତରଙ୍ଗ ତଥ୍ୟ ଗୋପନ ରଖିବାରେ ଅସମର୍ଥ ତେବେ ତାହା କାହିଁକି ସଂଗ୍ରହ କରୁଛନ୍ତି ବୁଝିବା କଷ୍ଟକର। ଏହି ପରିପ୍ରେକ୍ଷୀରେ ଭାରତୀୟ ଜାତୀୟ ଆଇନଜୀବୀ ସଂଘ (ଆଇଏନ୍‌ବିଏ) ୬୮ତମ ସମ୍ବିଧାନ ଦିବସ ପାଳନ ଅବସରରେ ଆୟୋଜିତ ଏକ ସମ୍ମିଳନୀରେ ଦେଇଥିବା ପ୍ରସ୍ତାବ ଯଥାର୍ଥ ମନେହୁଏ। ଦେଶର ବିଭିନ୍ନ ରାଜ୍ୟର ଓକିଲ ସଂଘର ପ୍ରତିନିଧି ଓ ଅନେକ ଦେଶର ଆଇନଜୀବୀଙ୍କ ଉପସ୍ଥିତିରେ ଆଇଏନ୍‌ବିଏ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ଯେ, ଅନ୍ୟ କେତେକ ଦେଶ ଭଳି ଭାରତରେ ମଧ୍ୟ ଅନ୍ତରଙ୍ଗ ତଥ୍ୟ ଆୟୋଗ (ପ୍ରିଭେସି କମିଶନ) ଗଠନ କରାଯିବା ଉଚିତ। ଏଭଳି ପ୍ରସ୍ତାବ ନିଶ୍ଚିତ ଭାବେ ସ୍ବାଗତ ଯୋଗ୍ୟ। କିନ୍ତୁ ଏହି କମିଶନ ଗଠନର ଦାୟିତ୍ୱ ସରକାରଙ୍କ ଉପରେ ନ୍ୟସ୍ତ ନ ହୋଇ ସର୍ବୋଚ୍ଚ ଅଦାଲତ ଏବଂ ରାଷ୍ଟ୍ରପତିଙ୍କ ଦ୍ୱାରା ହେବା ଉଚିତ। ଯାହାଫଳରେ କମିଶନ ସ୍ବଚ୍ଛତା ବଜାୟ ରଖିପାରିବେ। କମିଶନର ନେତୃତ୍ୱ ଯିଏ ନେବେ ତାଙ୍କର ଅନ୍ତରଙ୍ଗ ତଥ୍ୟ ସୁରକ୍ଷା ପ୍ରତି ଖୋଲାଖୋଲି ସମର୍ଥନ ରହିଥିବା ଆବଶ୍ୟକ। ଏତଦ୍‌ବ୍ୟତୀତ କମିଶନର ସଦସ୍ୟ ଭାବେ ଦେଶର ସବୁ ଅଞ୍ଚଳରୁ ପ୍ରତିନିଧିତ୍ୱ ରହିବା ଜରୁରୀ। ମହିଳା, ରାଜନେତା, ବୁଦ୍ଧିଜୀବୀ, ସଂଖ୍ୟାଲଘୁ, ଦଳିତଙ୍କ ସମେତ ସବୁବର୍ଗରୁ ପ୍ରତିନିଧିଙ୍କୁ ସାମିଲ କରି ଏହି କମିଶନ ଗଠନ କରାଗଲେ ତାହା ହୁଏ ତ ବ୍ୟକ୍ତିର ଅନ୍ତରଙ୍ଗ ତଥ୍ୟକୁ ସୁରକ୍ଷା ଦେବାରେ ସହାୟକ ହୋଇପାରିବ। ନଚେତ୍‌ ପ୍ରିଭେସି କମିଶନ ଯଦି ଶାସନ କ୍ଷମତାରେ ଥିବା ଗୋଷ୍ଠୀ ଦ୍ୱାରା ଗଠନ ହୁଏ ତେବେ ଏଥିରେ ସାମିଲ ସଦସ୍ୟମାନେ କମିଶନରେ ବସି କେବଳ ଏଜେଣ୍ଡା ଚଳାଇବେ। ଶେଷରେ ଏହା କୁହାଯାଇପାରେ ଯେ, ଭାରତ ଭଳି ଏକ ଗଣତାନ୍ତ୍ରିକ ଦେଶରେ ନାଗରିକର ହିତ ଏବଂ ସୁରକ୍ଷା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ହସ୍ତକ୍ଷେପର ପ୍ରୟୋଜନ ରହିଛି। ସମାଜ ଏବଂ ଆଇନ ବ୍ୟବସ୍ଥାରେ ଭାରସାମ୍ୟ ରକ୍ଷା କରିବା ଅତ୍ୟନ୍ତ ଆବଶ୍ୟକ। ଗୋଟିଏପଟେ ଲୋକ ପ୍ରତିନିଧିଙ୍କର ପାର୍ଲାମେଣ୍ଟ ମାଧ୍ୟମରେ ଆଇନ ପ୍ରଣୟନର ସର୍ବୋଚ୍ଚ ଅଧିକାର ରହିଛି। ଏହା କହିଲାବେଳକୁ ବିଧାୟକମାନଙ୍କ ମଧ୍ୟରେ ‘ହୁଇପ୍‌’ ବ୍ୟବସ୍ଥା ଦ୍ୱାରା ଗଣତାନ୍ତ୍ରିକ ସ୍ବାଧୀନତାର ପର କାଟି ଦିଆଯାଇପାରୁଛି। ନିକିତିକୁ ସିଧା ରଖିବା ପାଇଁ ନ୍ୟାୟ ବ୍ୟବସ୍ଥାର ସକ୍ରିୟତା ବାଞ୍ଛନୀୟ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri