ଔଷଧର ନିରାପଦ ବ୍ୟବହାର

ଶଶିଭୂଷଣ ମହାପାତ୍ର

ଥରେ ଜଣେ ବନ୍ଧୁ ପଚାରିଲେ - ରୋଗୀଟିଏ ଭଲ ହୋଇଗଲେ ସେ କାହାକୁ ପ୍ରଶଂସା କରିବ। ଡାକ୍ତରଙ୍କୁ ନା ଔଷଧକୁ। ନିଃସନ୍ଦେହରେ ଡାକ୍ତରଙ୍କୁ। ସେ ରୋଗ ଚିହ୍ନି ଠିକ୍‌ ଔଷଧ ଲେଖିବାରୁ ସିନା ରୋଗ ଭଲ ହେଲା। ପୂର୍ବରୁ ଦୁଇ ତିନିଜଣ ଡାକ୍ତର ଚିକିତ୍ସା କରି ଭଲ କରିପାରି ନ ଥିବାବେଳେ ଶେଷ ଡାକ୍ତରଙ୍କ ଚିକିତ୍ସାରେ ଆରୋଗ୍ୟ ହୋଇଯିବାରୁ ପ୍ରଶଂସାଟା ଶେଷ ଡାକ୍ତର ପାଇବା ସ୍ବାଭାବିକ। କିନ୍ତୁ ଅନେକ ସମୟରେ ଦେଖାଯାଏ ଚିକିତ୍ସା ସମାନ ହୋଇଥିଲେ ବି ଶେଷ ଡାକ୍ତର ଶ୍ରେୟ ପାଆନ୍ତି। ଏହାର କାରଣ ଡାକ୍ତର ନୁହନ୍ତି, ଔଷଧ ଓ ତା’ର ପ୍ରୟୋଗ ବିଧି। ଔଷଧ ଏକ ରାସାୟନିକ କିମ୍ବା ଜୈବିକ ପଦାର୍ଥ। ବହୁ ବର୍ଷର ଅଭିଜ୍ଞତା ଓ ଗବେଷଣା ଫଳରେ ତାହା ତିଆରି ହୋଇଛି। କେଉଁ ପଦାର୍ଥକୁ କେତେ ପରିମାଣରେ କେତେ ଘଣ୍ଟା ଅନ୍ତରରେ ସେବନ କଲେ ଏକ ରୋଗ ଆରୋଗ୍ୟ ହୁଏ, ତାହା ଦୀର୍ଘ ଗବେଷଣାରୁ ଜଣାପଡ଼ିଛି। ସେଥିରେ ଯଦି କିଛି ବ୍ୟତିକ୍ରମ ହୁଏ, ସେବନ ବିଧି ଓ ଔଷଧର ମାନ ଯଦି ଠିକ୍‌ ନ ଥାଏ, ତେବେ ରୋଗ ଭଲ ନ ହୋଇ ସମସ୍ୟା ଜଟିଳ ହୁଏ। ତେଣୁ ଔଷଧ ଓ ତା’ର ବ୍ୟବହାର ସମ୍ପର୍କରେ ସମସ୍ତଙ୍କର ସମ୍ୟକ୍‌ ଜ୍ଞାନ ରହିବା ବାଞ୍ଛନୀୟ। ଆମ ଦେଶରେ ଔଷଧ ଦୋକାନରୁ ବ୍ୟବସ୍ଥାପତ୍ର ଦେଖାଇଲେ ଔଷଧ ମିଳେ କିମ୍ବା ଔଷଧର ନଁା କହିଲେ ବି ଦୋକାନୀ ଔଷଧ ଦେଇଦିଅନ୍ତି। ବେଳେବେଳେ ପୂର୍ବରୁ ଖାଇଥିବା ଔଷଧର ଖାଲି ଖୋଳ କିମ୍ବା ଚିରା ଷ୍ଟ୍ରିପ୍‌ ଦେଖାଇଲେ ବି ଔଷଧ ମିଳିଯାଏ। ଏହାକୁ କହନ୍ତି ‘ଓଭର୍‌ ଦି କାଉଣ୍ଟର ମେଡ଼ିସିନ୍‌’। ଅନ୍ୟ ଅର୍ଥରେ ଏହା ହେଉଛି ସେଲ୍ଫ ମେଡ଼ିସିନ୍‌ ବା ନିଜେ ନିଜର ଡାକ୍ତର ହେବା। ଏମିତି ଆଣିଥିବା କିମ୍ବା ଘରେ ବଳକା ରହିଥିବା ଅଥବା କାହାଠାରୁ ମାଗି ଆଣି ଔଷଧ ଖାଇଲେ କେବେ କେମିତି ରୋଗ ଭଲ ହୋଇଯାଇ ପାରେ। କିନ୍ତୁ ଅଧିକାଂଶ ସ୍ଥଳରେ ରୋଗ ଜଟିଳ ହୁଏ କିମ୍ବା ଭୁଲ୍‌ ଔଷଧ ଯୋଗୁଁ ପ୍ରତିକ୍ରିୟା ସୃଷ୍ଟି ହୋଇ ବିପଦର କାରଣ ହୁଏ। ବେଳେବେଳେ ଆମେ ନିଜ ଇଚ୍ଛାରେ କିମ୍ବା ଅନ୍ୟ କାହାରି ପରାମର୍ଶରେ କିଛି ଦିନ ଔଷଧ ବ୍ୟବହାର କରି ରୋଗ ଭଲ ନ ହେଲେ ଡାକ୍ତରଙ୍କ ପାଖକୁ ଯାଉ। ପୂର୍ବରୁ ଖାଇଥିବା ଔଷଧ କଥା ନ କହି ଖାଲି ରୋଗ କଥା କହୁ। ସେ ଯେଉଁ ଔଷଧ ଲେଖିଦିଅନ୍ତି ତା’ସହିତ ପୂର୍ବରୁ ଶରୀରରେ ଥିବା ଔଷଧର ପ୍ରତିକ୍ରିୟା ହୋଇ ବିପଦ ବଢ଼ିବାର ଆଶଙ୍କା ଅଛି। ଡାକ୍ତର ରୋଗୀକୁ ପରୀକ୍ଷା ନିରୀକ୍ଷା କରି ଔଷଧ ଓ ତା’ର ବ୍ୟବହାର ବିଧି ଲେଖିଦିଅନ୍ତି। ଆଜିକାଲି ଡାକ୍ତରମାନେ ଏତେ ବ୍ୟସ୍ତ ଯେ ରୋଗୀ ନ ପଚାରିଲେ କିଛି କହନ୍ତି ନାହିଁ। ପଛକୁ ପଛ ରୋଗୀଙ୍କ ଧାଡ଼ି। ତେଣୁ ଡାକ୍ତରଙ୍କଠାରୁ ସେ ଲେଖିଥିବା ଔଷଧର ନଁା କ’ଣ, ତାହା କିପରି କାମ କରିବ, ଇଞ୍ଜେକ୍ସନ୍‌ ହୋଇଥିଲେ କେଉଁଠି କେତେ ଘଣ୍ଟା ଅନ୍ତରର ନେବ, ଟାବଲେଟ ବା ସିରପ୍‌ ହୋଇଥିଲେ କେତେ ଘଣ୍ଟା ବ୍ୟବଧାନରେ, ଖାଲି ପେଟ କିମ୍ବା ଖାଦ୍ୟ ଖାଇବା ପରେ, ଗିଳିବ ନଁା ଚୋବାଇ ଖାଇବ, ଏସବୁ ଭଲରୂପେ ବୁଝିବା ଦରକାର। କେବଳ ସେତିକି ନୁହେଁ- ଔଷଧ କେତେ ଦିନ ଖାଇବ, ଯଦି ତା’ର କିଛି ରିଆକ୍ସନ୍‌ ହୁଏ ତେବେ କ’ଣ କରିବ, ବହୁତ ଦିନ ଖାଇବାକୁ ଥିବା ଔଷଧରୁ ଗୋଟିଏ ଦିନ ବା ଗୋଟିଏ ଡୋଜ୍‌ ଭୁଲିଗଲେ କ’ଣ କରିବ-ଏସବୁ ଡାକ୍ତରଙ୍କୁ କିମ୍ବା ଫାର୍ମାସିଷ୍ଟଙ୍କୁ ପଚାରି ବୁଝିବା ଦରକାର। ଡାକ୍ତରଙ୍କ ପ୍ରେସ୍‌କ୍ରିପସନ୍‌ ଅନୁସାରେ ଔଷଧ କିଣିବା ବେଳେ ମଧ୍ୟ କେତୋଟି ସତର୍କତା ଅବଲମ୍ବନ କରିବା ଦରକାର। ଏକ ଜଣାଶୁଣା ଓ ପ୍ରତିଷ୍ଠିତ ଦୋକାନରୁ ଔଷଧ କିଣିବା ଉଚିତ। କେଉଁ ଔଷଧ କେତେ ମିଲିଗ୍ରାମ୍‌ ଲେଖାଯାଇଛି ଠିକ୍‌ ସେହି ଔଷଧ ଓ ତା’ର ଶକ୍ତି ପରଖି ନେବା ଉଚିତ। ବେଳେବେଳେ ଅନ୍ୟ ଏକ ନାମର ଔଷଧ ଦେଇ ତାହା ସମାନ ବା ବିକଳ୍ପ ଔଷଧ ବୋଲି ଦୋକାନୀ କହନ୍ତି। ସେ କ୍ଷେତ୍ରରେ ଫାର୍ମାସିଷ୍ଟ କିମ୍ବା ଡାକ୍ତରଙ୍କୁ ଔଷଧ ଦେଖାଇ ବ୍ୟବହାର କରିବା ଉଚିତ। ପ୍ରେସ୍‌କ୍ରିପ୍‌ସନ୍‌ରେ ୨୫୦ ମିଲିଗ୍ରାମ୍‌ ଲେଖା ହୋଇଥିଲେ କେହି କେହି ୫୦୦ ମିଲିଗ୍ରାମ୍‌ର କିଣି ତାକୁ ଦୁଇଭାଗ କରନ୍ତି। କାରଣ ତା’ର ଦାମ୍‌ ଅପେକ୍ଷାକୃତ କମ୍‌ କିମ୍ବା ସେହି ଶକ୍ତିର ଔଷଧ ଦୋକାନରେ ନ ଥାଏ। କିନ୍ତୁ ଏପରି କରିବା ଠିକ୍‌ ନୁହେଁ। ପ୍ରଥମତଃ ତାକୁ ସମାନ ଭାଗ କରିବା ସହଜ ନୁହେଁ। ଦ୍ୱିତୀୟତଃ କେତେକ ଟାବଲେଟ୍‌ ଉପରେ ସୁଗାର କିମ୍ବା ଏଣ୍ଟେରିକ୍‌ ପ୍ରଲେପ ଦିଆଯାଇଥାଏ। ଯେଉଁ ଔଷଧ ପାକସ୍ଥଳୀରେ ହଜମ ନ ହୋଇ କ୍ଷୁଦ୍ରାନ୍ତ୍ରରେ ହଜମ ହେବା ଦରକାର, ସେଥିରେ ଏଣ୍ଟେରିକ୍‌ କୋଟିଂ ଥାଏ। ଯେଉଁ ଔଷଧର ବାସ୍ନା, ସ୍ବାଦ କଟୁ ବା ତୀବ୍ର ସେଥିରେ ସୁଗାର କୋଟିଂ ଦିଆଯାଇଥାଏ। ତାକୁ ଭାଙ୍ଗି ଦେଲେ ତା’ର ଉଦ୍ଦେଶ୍ୟ ନଷ୍ଟ ହୁଏ। ଔଷଧର ଗୁଣ ମଧ୍ୟ ନଷ୍ଟ ହୁଏ, ଶରୀରର କ୍ଷତି ହୁଏ। କେତେକ ଔଷଧକୁ ଖାଲି ପେଟରେ ଖାଇବା ପାଇଁ ପରାମର୍ଶ ଦିଆଯାଏ। ରୋଗୀ ତାକୁ ସକାଳେ ଖାଲି ପେଟରେ ଖାଇଦେଇ ପରେ ପରେ ଜଳଖିଆ ଖାଇଦିଅନ୍ତି। ଏହା ଠିକ୍‌ ନୁହେଁ। ଖାଲି ପେଟ ଅର୍ଥ ଖାଦ୍ୟ ଖାଇବାର ଦୁଇଘଣ୍ଟା ପୂର୍ବରୁ କିମ୍ବା ଦୁଇଘଣ୍ଟା ପରେ। ବାନ୍ତି ଔଷଧ ଖାଲି ପେଟରେ ଖାଇବା ଉଚିତ। କିନ୍ତୁ ତାକୁ ଖାଲି ପେଟରେ ଖାଇଦେଇ ୫ ମିନିଟ୍‌ ପରେ ଖାଦ୍ୟ ଖାଇଲେ କିଛି ଉପକାର ମିଳେ ନାହିଁ। ତାକୁ ଖାଲିପେଟରେ ଖାଇ ୨୦ରୁ ୩୦ ମିନିଟ୍‌ ପରେ ଖାଦ୍ୟ ଖାଇବା ଦରକାର। ଡାଇବେଟିସ୍‌ ଔଷଧ ଖାଦ୍ୟ ସହିତ ଖାଇବା ଦରକାର। କେହି କେହି ଇନ୍‌ସୁଲିନ୍‌ ଇଂଜେକ୍ସନ୍‌ ନେଇ ଯାଆନ୍ତି କିନ୍ତୁ ଖାଦ୍ୟ ପ୍ରସ୍ତୁତ ହୋଇ ନ ଥିବାରୁ ଅପେକ୍ଷା କରନ୍ତି। ଏପରି କରିବା ଠିକ୍‌ ନୁହେଁ। ପ୍ରେସ୍‌କ୍ରିପ୍ସନ୍‌ରେ ଡାକ୍ତର ଯେତେ ଦିନ ପାଇଁ ଔଷଧ ଖାଇବାକୁ ଲେଖିଛନ୍ତି ସେତିକି ଦିନ ପର୍ଯ୍ୟନ୍ତ ଔଷଧ ଏକ ସଙ୍ଗେ କିଣିନେବା ଉଚିତ। ନଚେତ୍‌ ସରିଗଲା ପରେ ପୁଣି କିଣିବାକୁ ଅସୁବିଧା ହେବ ଓ ସେଥି ଯୋଗୁଁ ଗୋଟିଏ ଦୁଇଟି ଡୋଜ୍‌ ଖାଇ ନ ପାରିବା ପରି ଅବସ୍ଥା ଉପୁଜିପାରେ। ସବୁଠାରୁ ବଡ଼ କଥା ହେଲା ଔଷଧର ସମୟ ଚାଲିଯାଇଛି କି ନାହିଁ ଦେଖିବା ଦରକାର। ଏକ୍ସପାରି ଔଷଧ ବ୍ୟବହାର କରିବା ଅନୁଚିତ। କିଣିବା ବେଳେ ରସିଦ୍‌ ନିଅନ୍ତୁ- ସେଥିରେ ଔଷଧ, ତା’ର ବ୍ୟାଚ୍‌ ନମ୍ବର ଓ ବ୍ୟବହାର ସମୟ ପ୍ରତିଫଳିତ ହେବା ଦରକାର। ଔଷଧକୁ ଘରେ ଏକ ନିରାପଦ ସ୍ଥାନରେ ରଖନ୍ତୁ ଯେପରି ତାହା ଛୋଟ ପିଲାଙ୍କ ହାତରେ ନ ପଡ଼େ। ପିଲାମାନେ, ବେଳେବେଳେ ପୋଷା ବିରାଡ଼ି କୁକୁର ତାହା ଖାଇ ଅସୁବିଧାରେ ପଡ଼ିବାର ଅନେକ ଦୃଷ୍ଟାନ୍ତ ରହିଛି। ଔଷଧକୁ ଅଧିକ ଉତ୍ତାପ ଓ ଖରା ପଡ଼ୁଥିବା ସ୍ଥାନ କିମ୍ବା ଅଧିକ ଜଳୀୟ ବାଷ୍ପ ଥିବା ଗାଧୁଆ ଘର ବା ୱାଶ୍‌ ବେସିନ୍‌ ପାଖରେ ରଖନ୍ତୁନାହିଁ। ଗୋଟିଏ ଔଷଧକୁ ଅନ୍ୟ ଏକ ଔଷଧର ଖୋଳ କିମ୍ବା ବୋତଲରେ ରଖିବା ଆଦୌ ଉଚିତ ନୁହେଁ। ଔଷଧ ସରିଯିବା ପରେ ବୋତଲ ଉପରେ ଥିବା ଲେଖା କାଗଜକୁ ଛଡ଼ାଇ ଦିଅନ୍ତୁ। ହୃଦ୍‌ରୋଗୀ, ମଧୁମେହ ରୋଗୀ ଓ ଅନ୍ୟ ଦୀର୍ଘଦିନ ଧରି ଔଷଧ ଖାଉଥିବା ରୋଗୀ ତାଙ୍କ ଔଷଧ ଓ ଖାଇବା ସମୟର ଏକ ତାଲିକା ପ୍ରସ୍ତୁତ କରି ସବୁବେଳେ ଦୃଷ୍ଟି ପଡ଼ୁଥିବା ଘରର ଏକ ସ୍ଥାନରେ ଲଗାଇଦେବା ଭଲ। ଦେହରେ ଲଗାଇବା ଔଷଧ ଖାଇବା ଔଷଧ ନିକଟରେ ରଖନ୍ତୁ ନାହିଁ। ବ୍ୟବହାର କରୁଥିବା ଔଷଧର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଅଛି କି ନାହିଁ, ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା ଔଷଧ ଖାଇବେ କି ନାହିଁ ବୁଝି ରଖନ୍ତୁ। ଡାକ୍ତରଙ୍କ ସହ ପରାମର୍ଶ ବେଳେ ପୂର୍ବରୁ ଖାଉଥିବା ଔଷଧ ସମ୍ପର୍କରେ ଜଣାନ୍ତୁ। ଏଲୋପାଥି ସାଥିରେ ଆୟୁର୍ବେଦ କିମ୍ବା ହୋମିଓପାଥି ଔଷଧ ମିଶାଇ ଖାଇବା ଠିକ୍‌ ନୁହେଁ। ପ୍ରେସ୍‌କ୍ରିପ୍ସନ୍‌ରେ ‘ଆଟ୍‌ ବେଡ଼୍‌ ଟାଇମ୍‌’ ଲେଖାଥିଲେ ଶୋଇବାକୁ ଯିବାର ଠିକ୍‌ ପୂର୍ବରୁ ଖାଆନ୍ତୁ। ଦିନରେ ୪ ଥର ଲେଖା ଥିଲେ ୬ ଘଣ୍ଟା ବ୍ୟବଧାନରେ ଖାଆନ୍ତୁ। ଚୋବାଇ ଖାଇବାକୁ ଥିଲେ ପାଟିରେ ଭଲଭାବେ ଚୋବାଇ ଖାଇବା ଦରକାର। ଡାକ୍ତରଙ୍କ ଅକ୍ଷର ପଢ଼ିପାରୁ ନ ଥିଲେ ଦ୍ୱିଧା ନ କରି ପଚାରି ବୁଝିନେବା ଦରକାର। ଅଧିକ ଦିନ ଧରି ଔଷଧ ଖାଉଥିବା ବ୍ୟକ୍ତି ତାଙ୍କ ପୂର୍ବ ଔଷଧର ପ୍ୟାକେଟ୍‌, ରଙ୍ଗ, ବାସ୍ନା, ମୂଲ୍ୟ ଆଦି ବଦଳିଲେ ତାହା ଠିକ୍‌ ଔଷଧ କି ନୁହେଁ ଯାଞ୍ଚ କରନ୍ତୁ। ବଟିକା ଖାଇବାର ଅନେକ ସମୟପରେ ବାନ୍ତିରେ ତାହା ବାହାରି ଆସିଲେ ଡାକ୍ତରଙ୍କୁ ପଚାରି ଔଷଧ ବଦଳାନ୍ତୁ। ଏପରି ଔଷଧ ଭେଜାଲ ହୋଇପାରେ। ବିନା ପ୍ରେସ୍‌କ୍ରିପ୍ସନ୍‌ରେ ଔଷଧ ବ୍ୟବହାର କରିବା ଅନୁଚିତ। ଜୀବାଣୁନାଶକ ଔଷଧ ବ୍ୟବହାର ବେଳେ ତା’ର ବ୍ୟବଧାନ ଓ କେତେ ଦିନ ବ୍ୟବହାର କରିବ ସେଥି ପ୍ରତି ଧ୍ୟାନ ଦେବା ଦରକାର।

ଫାର୍ମାସିଷ୍ଟ, ଗୋପାଳପୁର, କଟକ, ମୋ:୯୪୩୭୩୧୯୫୧୯



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri