ବିଷଣ୍ଣ ମନ

ଡ. ଶରତ ଚନ୍ଦ୍ର ରଥ

ଯୋଗାଯୋଗର ସୁବିଧା ଗାଁଠାରୁ ସହର ପର୍ଯ୍ୟନ୍ତ ସର୍ବତ୍ର ବଢିଛି। ରାସ୍ତାଘାଟ, ଯାନବାହନ, ଖବର ପ୍ରେରଣ, ଘରେ ବସି ଫେସ୍‌ବୁକ୍‌, ହ୍ବାଟ୍ସଆପ୍‌ ଜରିଆରେ ଖବର ସଂଗ୍ରହ ଓ ଅନ୍ୟ ସହ ସମ୍ବନ୍ଧ ସ୍ଥାପନ, ନେଟ୍‌ ମାଧ୍ୟମରେ ଜ୍ଞାନ ଅର୍ଜନର କେତେ ସୁବିଧା ଉପଲବ୍ଧ ହେଲାଣି। ଯେଉଁ କାମଟି ପାଇଁ ବାହାରକୁ ଯାଇ ଘଣ୍ଟା ଘଣ୍ଟା ସମୟ ଦେବାକୁ ପଡୁଥିଲା ସେ କାମ ବର୍ତ୍ତମାନ ଘରେ ବସି କ୍ଷଣକରେ କରିହେଉଛି। କଟାଠାରୁ ବଟା ପର୍ଯ୍ୟନ୍ତ, ଭାତଠାରୁ ରୁଟି ପର୍ଯ୍ୟନ୍ତ ସବୁକାମ ଆମ ପାଇଁ ଯନ୍ତ୍ରପାତି କରିଦେଉଛି। ଓଳିଏ ରୋଷେଇ କଲେ ଆରଓଳି ପାଇଁ ଖାଦ୍ୟ ସୁବିଧାରେ ରହିପାରୁଛି। ଦେହକୁ ଗରମ ବାଧିଲା ପର୍ଯ୍ୟନ୍ତ କଥା ଯାଉନାହିଁ। ଘରେ, ଗାଡିରେ ପୁଣି ଅଫିସରେ ଏସି ଖଞ୍ଜା ହୋଇଛି। ଫଳରେ ବହୁ ଲୋକଙ୍କୁ ଖରାଦିନ ଲାଗୁନାହିଁ ଖରାଦିନ ପରି। ସେଦିନ ଜଣେ ବନ୍ଧୁ କହିଲେ ଯେ, ଖରାଦିନେ କମ୍ବଳଟିଏ ପାଖରେ ରଖି ସେ ବିଶ୍ରାମ ନେଉଛନ୍ତି। ଜୀବନ ଏତେ ସହଜ ହୋଇଛି ସତ, ମାତ୍ର ମନ ଯେତେ ସତେଜ ହେବା କଥା ହେଉନାହିଁ, ମଉଳି ଯାଉଛି। ମଳିନ ମନର ଚିହ୍ନ ମୁହଁରେ ଓ କଥାରେ ଫୁଟିଉଠୁଛି। ଆଜିକାଲି ପ୍ରାୟ ଲୋକ ଚିଡିଚିଡି, ଶୂନ୍ୟରେ ତରତର, ଟିକିଏ ସୁବିଧା ପାଇଲେ ଅନ୍ୟକୁ ଠକିଦେବାକୁ ତତ୍ପର, ଯାନବାହନର ଗତିରେ ଅତି ପ୍ରଖର। ଆଉ କାହାର କଥା ପଦେ ଶୁଣିବା ପାଇଁ କାହାର ସମୟ ନାହିଁ କି ଧୈର୍ଯ୍ୟ ନାହିଁ କି ଆଗ୍ରହ ନାହିଁ। ଯେଉଁମାନେ ଅନ୍ୟ ଉପରେ ଚିଡିଚିଡି ହୁଅନ୍ତି, ସେମାନେ ଜାଣିପାରନ୍ତି ନାହିଁ ଯେ ନିଜ ଉପରେ ହିଁ ଚିଡିଚିଡି ହେଉଛନ୍ତି ବୋଲି। ଯେତେ ଖାଇଲେ ମନ ଊଣା, ଯେତେ ପିନ୍ଧିଲେ ମନ ଊଣା, ଯେତେ ପାଇଲେ ମନ ଊଣା। ମନଟି ସବୁବେଳେ ଊଣା, ଯାହାକୁ କୁହାଯାଏ ବିଷଣ୍ଣଭାବ। ଏଇ ବିଷଣ୍ଣଭାବର କେତେ କାରଣ ରହିଛି। ସେଥିରୁ ଗୋଟିଏ ହେଉଛି ଅନ୍ୟଠାରୁ ଶ୍ରଦ୍ଧା, ଆଦର ବା ସମ୍ମାନ ଦାବି କରିବା। ଦାବି କଲେ ଏହା ମିଳେନାହିଁ। ଅନ୍ୟପକ୍ଷରେ ଅନ୍ୟକୁ ଶ୍ରଦ୍ଧା, ଆଦର ବା ସମ୍ମାନ ଜଣାଇଲେ ବିଷଣ୍ଣ ପରିବର୍ତ୍ତେ ପ୍ରସନ୍ନଭାବ ମିଳେ। ଏଇ ପରିପ୍ରେକ୍ଷୀରେ ଶ୍ରୀମା କହନ୍ତି- ”ତୁମକୁ ଏକୁଟିଆ ଲାଗୁଛି କାରଣ ତୁମେ ଅନ୍ୟଠାରୁ ଶ୍ରଦ୍ଧା ବା ଆଦର ଦାବି କରୁଛ। ବିନା ସର୍ତ୍ତରେ ଅନ୍ୟକୁ ଶ୍ରଦ୍ଧା ବା ଆଦର କରି ଶିଖ, ତୁମକୁ ଅବର୍ଣ୍ଣନୀୟ ଆନନ୍ଦ ମିଳିବ। ବିଷଣ୍ଣତାର ଅନ୍ୟ ଏକ କାରଣ ହେଉଛି ହୀନମନ୍ୟତା। ଏହା ଏହି ଭାବ ଆଣେ ଯେ ମତେ ସମସ୍ତେ ହଇରାଣ କରୁଛନ୍ତି, ସମସ୍ତେ ମୋ ବିରୋଧରେ କଥାବାର୍ତ୍ତା ହେଉଛନ୍ତି, ମତେ କେହି ଖାତିର କରୁନାହାନ୍ତି ଇତ୍ୟାଦି। ଅନ୍ୟପକ୍ଷରେ ନିଜକୁ ଅତି ବଡ଼ ଭାବିବାର ମାନସିକତା ବେଳେବେଳେ ବିଷଣ୍ଣଭାବ ଆଣେ। ଏଇ ଯେମିତି ‘ମଁୁ ଏତେ ଭଲମଣିଷ, ଜ୍ଞାନୀ ମଣିଷ, ମତେ କେହି ବୁଝିପାରୁନାହାନ୍ତି, ମତେ ଉପଯୁକ୍ତ ସମ୍ମାନ ମିଳୁନାହିଁ’ ଇତ୍ୟାଦି। ବିଷଣ୍ଣତାର ଆଉ ଏକ କାରଣ ହେଉଛି ଅତୀତକୁ ଝୁରିହେବା ଅଥବା ଘାରିହେବା। ଅତୀତ ଆଉ ଆମ ଆୟତ୍ତରେ ନାହିଁ। ତାକୁ ଘାରିହେଲେ ଦୁଃଖ ବଢିବ ହିଁ ବଢିବ, ଏଥିରେ ସନ୍ଦେହ ନାହିଁ। ଅନ୍ୟ ଏକ କାରଣ ହେଉଛି ଅତ୍ୟଧିକ ଭବିଷ୍ୟତ ଚିନ୍ତା, ପ୍ରବଳ ଦୁଃଖ ମାଡିଆସିବାର ଅତ୍ୟନ୍ତ ଭୟ। ଭବିଷ୍ୟତ ଅନାଗତ, ସେ ଭାବନାରେ ଅତ୍ୟଧିକ ମଜ୍ଜି ରହିଲେ ବହୁ ଅଯଥା ପ୍ରଶ୍ନ ମନ ଭିତରକୁ ପଶେ ଓ ମନକୁ ଭାରାକ୍ରାନ୍ତ କରିଦିଏ। ଆଖିରୁ ନିଦ ହଜେଇଦିଏ, ପାଟିରୁ ଖାଦ୍ୟ ଛଡାଇନିଏ। ବଞ୍ଚତ୍ବା କଳାର ଦୁଇ ଦିଗ- ଭାବବାଦ ଓ ହେତୁବାଦ ଭିତରୁ ହେତୁବାଦ ପ୍ରାୟତଃ ଅଧିକ ବିଷଣ୍ଣଭାବ ଆଣିଦିଏ, ଯେତେବେଳେ କି ଯୁକ୍ତି ମାଧ୍ୟମରେ ସବୁ ସମସ୍ୟାର ସମାଧାନ କରିହୁଏ ନାହିଁ। ଭାବବାଦର ଲୋଡ଼ା ପଡେ। ଭାବର ସହିତ ପଦେ କଥାରେ ବହୁ ସମସ୍ୟା ତୁଟିଯାଏ, ମାତ୍ର ଯୁକ୍ତିରେ କଥା ବଢ଼େ। ତେଣୁ ତ କୁହାଯାଏ, ‘କଥା ମାଜିଲେ ମୋଟ, ସୂତା ମାଜିଲେ ସରୁ।’ ସନ୍ତୋଷଭାବ ବସ୍ତୁର ପରିମାଣରେ ନ ଥାଏ, ମନରେ ଥାଏ। ସନ୍ତୋଷଭାବ ଆସିଲେ ବିଷଣ୍ଣଭାବ ଚାଲିଯାଏ କାରଣ ଦୁଇଟିଯାକ ଏକାଠି ରହିପାରନ୍ତି ନାହିଁ। ଅସନ୍ତୁଷ୍ଟ ହେବାର ପ୍ରକୃତି ବହୁ ଲୋକଙ୍କ ପାଖରେ ଥାଏ। ସେମାନେ ଯାହା ଚାହାନ୍ତି ତାହା ଭୁଲ୍‌ ହେଉ କି ଠିକ୍‌ ପାଆନ୍ତି ନାହିଁ ବୋଲି ବିଷଣ୍ଣ ହୁଅନ୍ତି, ପୁଣି ଯାହା ପାଇଥାନ୍ତି ତାକୁ ଠିକ୍‌ ଭାବରେ ବୁଝିପାରନ୍ତି ନାହିଁ ବୋଲି ବିଷଣ୍ଣ ହୁଅନ୍ତି। ନିରାକରଣ ନିମନ୍ତେ କେତେଗୋଟି ନୀତିନିୟମ ମାନିବା ଲୋଡା। ଏଇ ଯେମିତି ନିଜକୁ ସାନ ବା ବଡ଼ ନ ଭାବିବା, ନିଜେ ଯାହା ନିଜକୁ ତାହା ବୋଲି ଭାବିବା, ଅନ୍ୟର ନିନ୍ଦାରେ ଭାଙ୍ଗି ନ ପଡିବା, ଯାହା ଘଟିଛି ତାହା ଘଟିବାର ଥିଲା ବୋଲି ବିଚାରିବା, ଅତୀତକୁ ଘାରି ନ ହୋଇ ଅତୀତରୁ ଅଭିଜ୍ଞତା ସଂଗ୍ରହ କରିବା, ଅନାଗତ ଭବିଷ୍ୟତ ପାଇଁ ବିବ୍ରତ ବା ବିଚଳିତ ନ ହେବା, ବର୍ତ୍ତମାନରେ ବଞ୍ଚିବା ପାଇଁ ଅଧିକ ମନୋଯୋଗ ଦେବା, ହତାଶା ଆସୁଥିଲେ ଇଚ୍ଛା କରି ଆଶାବାଦୀ ହେବା, କାହାକୁ ନିଜ ଛାଞ୍ଚରେ ନ ପକାଇବା, ସ୍ଥାନକାଳପାତ୍ର ଦେଖି କଥା କହିବା, କିଛି ନିଷ୍ପତ୍ତି ନେବା ପୂର୍ବରୁ ଆଉଥରେ ଭାବିନେବା, ଆଉ କାହା ସହିତ ଧନଜନମାନଯଶରେ ନିଜକୁ ତୁଳନା ନ କରିବା, ବେଶି କିଛି ନ ଜାଣି ହଠାତ୍‌ କାହା ନିମନ୍ତେ କିଛି ମନ୍ତବ୍ୟ ନ ଦେବା ଇତ୍ୟାଦି। ଏ ସବୁ ସହିତ ଆଉ ଏକ ବିରାଟ ଶକ୍ତିକୁ ଯେଉଁ ନାମରେ ହେଉ ପଛକେ ମାନି ତାଙ୍କଠାରେ ବିଶ୍ୱାସ ରଖିବା ଦ୍ୱାରା ବିଷଣ୍ଣଭାବ ବହୁ ପରିମାଣରେ ଦୂର ହୋଇଯିବା ସ୍ବାଭାବିକ, ଏଥିରେ ସନ୍ଦେହ ନାହିଁ।

କେଦାରଗୌରୀ ଆପାର୍ଟମେଣ୍ଟ, ଭୁବନେଶ୍ୱର, ମୋ- ୯୪୩୭୭୫୬୨୪୦



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri