ସମ୍ପାଦକୀୟ/ ଅବିଶ୍ୱାସୀ ଖାକି

ଏସିଡ୍‌ ଆକ୍ରମଣ ଭଳି ଏକ ସମ୍ବେଦନଶୀଳ ଘଟଣାରେ ଅଭିଯୁକ୍ତଙ୍କୁ ଖୋଜି ପାଇବା ସକାଶେ ଓଡ଼ିଶା ପୋଲିସକୁ ୮ ବର୍ଷ ଲାଗିଗଲା। ପୋଲିସର ତଦନ୍ତ କେତେ ଶୀଥିଳ ତାହା ଏହି ଘଟଣା ପ୍ରମାଣିତ କରୁଛି। ହୁଏତ ବିଭିନ୍ନ ମହଲରୁ ଚାପ ପଡ଼ି ନ ଥିଲେ ଅଭିଯୁକ୍ତ ସାରାଜୀବନ ମୁକ୍ତରେ ବୁଲୁଥାଆନ୍ତେ। ଜଗତ୍‌ସିଂହପୁର ତିର୍ତ୍ତୋଲ ଅଞ୍ଚଳର ଏସିଡ୍‌ ପୀଡ଼ିତା ଯୁବତୀ ନ୍ୟାୟ ପାଇଁ ବାରଦ୍ୱାର ହେଉଥାଆନ୍ତେ। ଅଭିଯୁକ୍ତଙ୍କ ଗିରଫଦାରି ପୀଡ଼ିତା ଏବଂ ତାଙ୍କ ପରିବାରକୁ କିଛିଟା ଆଶ୍ୱସ୍ତ କରିଥାଇପାରେ, କିନ୍ତୁ ପୀଡ଼ିତାଙ୍କ ସ୍ବାଭାବିକ ଚେହେରା ଓ ଦୃଷ୍ଟିଶକ୍ତି ପୋଲିସ, ନ୍ୟାୟ ବ୍ୟବସ୍ଥା କିମ୍ବା ଏଥିପାଇଁ ଦାୟୀ ଅଭିଯୁକ୍ତ କେହି ଫେରାଇ ଦେଇ ପାରିବେ ନାହିଁ। ଏକତରଫା ପ୍ରେମରେ ବିଫଳ ହେବା କାରଣରୁ ଭାରତୀୟ ସ୍ଥଳ ସେନାର ଜଣେ କର୍ମଚାରୀ (ଭଦ୍ରକ ଭଣ୍ଡାରିପୋଖରୀ ଅଞ୍ଚଳର ଯୁବକ) ତିର୍ତ୍ତୋଲର ଜନୈକା ଯୁବତୀଙ୍କୁ ୨୦୦୯ ଏପ୍ରିଲ୍‌ ୧୮ରେ ଏସିଡ୍‌ ଫିଙ୍ଗି ଫେରାର ହୋଇଯାଇଥିଲେ। ଏହି ଆକ୍ରମଣରେ ଗୁରୁତର ଆହତ ଯୁବତୀ ଜଣକ ପ୍ରାୟ ୨ ବର୍ଷ କୋମାରେ ରହିବା ପରେ ଆରୋଗ୍ୟ ଲାଭ କରିଛନ୍ତି। କିନ୍ତୁ ନିଜର ସ୍ବାଭାବିକତା ଓ ଦୃଷ୍ଟିଶକ୍ତି ହରାଇଛନ୍ତି। ସେତେବେଳେ ପୀଡ଼ିତାଙ୍କ ମା’ ତିର୍ତ୍ତୋଲ ଥାନାରେ ଏ ନେଇ ଅଭିଯୋଗ କରିଥିଲେ। ପୋଲିସ ବିଭିନ୍ନ ଦଫା ଲଗାଇ ତଦନ୍ତ ଆରମ୍ଭ କରିଥିଲା। ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୁକ୍ତଙ୍କ ଫଟୋ ପୋଲିସକୁ ପ୍ରମାଣ ଭାବେ ଦିଆଯାଇଥିଲା। ମାତ୍ର ପୋଲିସ କେଉଁ କାରଣରୁ ତଦନ୍ତକୁ ଶୀଥିଳ କରିଦେଇଥିଲା ତାହା ଆଜି ମଧ୍ୟ ଅସ୍ପଷ୍ଟ। ତିନି ବର୍ଷ ଝୁଲାଇ ରଖିବା ପରେ ପୋଲିସ ୨୦୧୨ ମେ ୫ରେ ଏହି ସ୍ପର୍ଶକାତର ମାମଲାର ଫାଇଲ ବନ୍ଦ କରିଦେଇଥିଲା। ସେତେବେଳେ ଦର୍ଶାଯାଇଥିଲା ଯେ, କୌଣସି ପ୍ରମାଣ ମିଳୁନାହିଁ। ତେଣୁ ଅଭିଯୁକ୍ତଙ୍କୁ ଖୋଜି ବାହାର କରିବା ସମ୍ଭବ ହେଉନାହିଁ। ପୀଡ଼ିତା ଜଣକ ଗରିବ ପରିବାରର ହୋଇଥିବାରୁ ପୋଲିସର ଏହି ବେପରୁଆ ତଦନ୍ତ ସମ୍ପର୍କରେ ତାଙ୍କର ଆତ୍ମୀୟମାନେ ଉପର ମହଲରେ ଅଭିଯୋଗ କରିପାରି ନ ଥିଲେ। ପରବର୍ତ୍ତୀ ସମୟରେ ପୀଡ଼ିତାଙ୍କ ମା’ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ଜଗତ୍‌ସିଂହପୁର ପୋଲିସ ନ୍ୟାୟାଳୟ ଚାପର ବଶବର୍ତ୍ତୀ ହୋଇ ବନ୍ଦ ଫାଇଲ ଖୋଲିଲା। ତଦନ୍ତକୁ ତ୍ୱରାନ୍ବିତ କରି ଅଭିଯୁକ୍ତ ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ କଲିକତାରୁ ଧରିଛି। ପ୍ରଶ୍ନ ଉଠୁଛି, ଅଭିଯୁକ୍ତଙ୍କ ସୁରାକ ମିଳୁନାହିଁ ବୋଲି ଯୁକ୍ତି ଦର୍ଶାଇଥିବା ପୋଲିସ ୮ ବର୍ଷ ପରେ ତାଙ୍କୁ ଚିହ୍ନିପାରିଲା କେମିତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ପୋଲିସ୍‌ ଅଭିଯୁକ୍ତଙ୍କୁ ଜାଣିଥିଲା, ସେ ଫେରାର ହୋଇ କେଉଁଠି ରହୁଛନ୍ତି ତାହା ମଧ୍ୟ ଅବଗତ ଥିଲା। ମାତ୍ର ତାଙ୍କୁ ନ ଧରିବା ପଛରେ କୌଣସି ପ୍ରଚ୍ଛନ୍ନ ଚାପ କାର୍ଯ୍ୟ କରୁଥିଲା ବୋଲି କୁହାଯାଇପାରିବ। ଆଇନଶୃଙ୍ଖଳାର ରକ୍ଷକ ପୋଲିସ ଏଭଳି କାର୍ଯ୍ୟ କରୁଥିବାରୁ ଜନସାଧାରଣଙ୍କ ଭରସା ଏହି ଖାକି ବ୍ୟବସ୍ଥା ଉପରୁ ତୁଟିଗଲାଣି। କେବଳ ପୋଲିସ ନୁହେଁ, ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତା’ର ତଦନ୍ତ ପ୍ରକ୍ରିୟାକୁ ସମାନ ଢଙ୍ଗରେ ଚଳାଇଥିବା ରାୟଗଡ଼ା ଜିଲା ଟିକିରି ବିଦ୍ୟାଳୟର ଶିକ୍ଷୟିତ୍ରୀ ଇତିଶ୍ରୀ ହତ୍ୟା ମାମଲାରୁ ସ୍ପଷ୍ଟ ହୋଇଛି। ଦୀର୍ଘ ତିନି ବର୍ଷ ତଦନ୍ତ ଚଳାଇ ୩୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ସାକ୍ଷ୍ୟ ଗ୍ରହଣ କରି ସିବିଆଇ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚତ୍ ପାରିଲା ନାହିଁ। ଶେଷରେ ଏହି ଫାଇଲ୍‌ ବନ୍ଦ କରିଦେଇଛି। କୋରାପୁଟ ଜିଲା କୁନ୍ଦୁଲିଠାରେ ଘଟିଥିବା ଛାତ୍ରୀ ଗଣବଳାତ୍କାର ମାମଲାର ରହସ୍ୟ ଉନ୍ମୋଚନ କରିବାରେ ଉଭୟ ପୋଲିସ ଓ କ୍ରାଇମ୍‌ ବ୍ରାଞ୍ଚ ବିଫଳ ହୋଇଛନ୍ତି। ମୂଳକଥା ହେଉଛି, କେତେକ ପୋଲିସ ଅଧିକାରୀ ଜନସାଧାରଣଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଅଭିଯୁକ୍ତଙ୍କ ସହ ସାଲିସ୍‌ କରିନେଉଛନ୍ତି। ଯେଉଁଥିପାଇଁ କି ସମଗ୍ର ପୋଲିସ ବ୍ୟବସ୍ଥା ବଦନାମର ବୋଝ ମୁଣ୍ଡାଇଛି। ଅନ୍ୟପକ୍ଷରେ କେତେକ ଘଟଣାରେ ଜଘନ୍ୟ ଅପରଧ ଘଟାଉଥିବା ଅଭିଯୁକ୍ତ ଧରାପଡୁଥିଲେ ମଧ୍ୟ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେଉ ନ ଥିବା କାରଣରୁ ଅପରାଧୀମାନଙ୍କର ସାହସ ବଢୁଛି। ଯେହେତୁ ପୋଲିସ ହାତରେ ସବୁ କିଛି ରହୁଛି, ତେଣୁ ଅଭିଯୁକ୍ତମାନେ ବିଭିନ୍ନ ପ୍ରଲୋଭନ ବଳରେ ଖାକି ବାବୁମାନଙ୍କୁ ପକେଟରେ ପକାଇ ଅବାଧରେ ବିଚରଣ କରୁଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜଗତ୍‌ସିଂହପୁରରେ ୨୦୦୯ରୁ ଏପର୍ଯ୍ୟନ୍ତ ଏସ୍‌ପି ଭାବେ ରହି ଆସିଥିବା ଏବଂ ସମ୍ପୃକ୍ତ ଥାନାରେ ଅଧିକାରୀ ଭାବେ କାର୍ଯ୍ୟ କରିଆସିଥିବା କେଉଁମାନେ ଏଭଳି ସମ୍ବେଦନଶୀଳ ମାମଲାକୁ ବନ୍ଦ କରିଦେଇଥିଲେ ସେମାନଙ୍କୁ ପ୍ରଥମେ ଖୋଜି ବାହାର କରିବା ଦରକାର। ସେହିମାନଙ୍କ ବିରୋଧରେ ଯଦି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଆନ୍ତା, ତେବେ ଅନ୍ୟମାନେ ଏହିଭଳି ଅପରାଧକୁ ଘୋଡ଼ାଇବା ପୂର୍ବରୁ ଅନେକ ଥର ଚିନ୍ତା କରନ୍ତେ। ସେମାନଙ୍କ ମନରେ ଭୟ ପଶନ୍ତା। ଏବେ ଯେହେତୁ ରାଜ୍ୟ ପୋଲିସର ଉଚ୍ଚପଦସ୍ଥ ଅଫିସରମାନେ ଏହିଭଳି ଥାନାରୁ ଲାଭବାନ ହେଉଛନ୍ତି, ସେଥିପାଇଁ ସେମାନେ ଥାନା କର୍ମଚାରୀମାନଙ୍କୁ ସୁରକ୍ଷିତ ରଖିବାକୁ ଆଗେଇ ଆସୁଛନ୍ତି। ଆମର ବ୍ୟକ୍ତିଗତ ଅନୁଭୂତି ଅନୁଯାୟୀ ଯଦି ଜିଲାର ପୋଲିସ ମୁଖ୍ୟ ସଚ୍ଚୋଟ ରହିବେ ଏବଂ ବିଭିନ୍ନ ଥାନା ପରିଦର୍ଶନ କରି ପଞ୍ଜୀକୃତ ହୋଇପାରୁ ନ ଥିବା ଅପରାଧଗୁଡିକର ତଦାରଖ କରିବେ, ତେବେ ଘଟୁଥିବା ଅନ୍ୟାୟର ପରିମାଣକୁ ନିଶ୍ଚିତ ଭାବରେ ହ୍ରାସ କରାଯାଇ ପାରିବ। ଅପରପକ୍ଷରେ ମସ୍‌ଗୁଲ୍‌ ହୋଇ ରହୁଥିବା ପୋଲିସ ଅଫିସର ଜାଣତରେ ଏହି ପ୍ରକାର ଅପରାଧୀଙ୍କୁ ସହଯୋଗ କରୁଛନ୍ତି। ଅନ୍ୟ ଏକ ପ୍ରସଙ୍ଗ ହେଉଛି, ଏସିଡ୍‌ ବିକ୍ରିକୁ ପୋଲିସ ତରଫରୁ ବନ୍ଦ କରାଯାଉନାହିଁ କିମ୍ବା ସରକାରଙ୍କ ମୁଣ୍ଡରେ ମଧ୍ୟ ପଶୁନାହିଁ ଏହାକୁ ଏକ ଧର୍ତ୍ତବ୍ୟ ଅପରାଧ ଭାବେ ଆଇନ କରିବେ। ରାଜ୍ୟ ଭିତରକୁ ଏସିଡ୍‌ ପ୍ରବେଶ କରୁଛି କେଉଁଠାରୁ। ରାଜ୍ୟ ଭିତରେ ପ୍ରସ୍ତୁତ ହେଉ କିମ୍ବା ବାହାର ରାଜ୍ୟରୁ ଆସୁ ତାହାକୁ ନିୟନ୍ତ୍ରଣ ନୁହେଁ, ପ୍ରଥମେ ବନ୍ଦ କରାଯିବା ଦରକାର।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri