ଭାବାବେଗର ରାଜନୀତି

ସହଦେବ ସାହୁ

ରାଜନୀତିରେ ‘ଅଫିସ ପଲିଟିକ୍ସ’ର ପ୍ରଭାବ ସମ୍ପର୍କିତ ଲେଖାଟି ପଢ଼ିଥିବା କେତେକ ପାଠକ ପଚାରିଛନ୍ତି, ରାଜନୀତିରେ ଆଉ କୌଣସି ପ୍ରକାରର ପଲିଟିକ୍ସ ପଶିଛି କି? ହଁ, ତାହା ହେଉଛି ଭାବାବେଗର ପଲିଟିକ୍ସ- ଏହା ସ୍ଥିତାବସ୍ଥା ବଜାୟ ରଖେ, ନେତାମାନେ ବହୁତ ବାକ୍‌ବିତଣ୍ଡା କରନ୍ତି, କିନ୍ତୁ ପରିଶେଷରେ କିଛି ନ କରି ଚୁପ୍‌ ରହିଯାଆନ୍ତି। ଗଣତନ୍ତ୍ରରେ ନେତାମାନେ ନିଜ ଗାଦି ରକ୍ଷା ଲଢେଇରେ ଏତେ ବ୍ୟସ୍ତ ରହୁଛନ୍ତି ଯେ, ଦେଶ ପାଇଁ ଦୀର୍ଘମିଆଦୀ ଯୋଜନା ଓ ସମାଧାନ ଚିନ୍ତା ନ କରି ଆଗାମୀ ନିର୍ବାଚନରେ ଜିତିବାର ପଲିଟିକ୍ସ କରୁଛନ୍ତି। ସେମାନେ କ୍ରମଶଃ ଦୂରଦୃଷ୍ଟି ହରାଉଛନ୍ତି। ବିଲାତର ପ୍ରଧାନମନ୍ତ୍ରୀ ମେଠାରୁ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଯାଏ, ଓଡ଼ିଶାର ପଟ୍ଟନାୟକଠାରୁ ଭାରତର ମୋଦି ଯାଏ ମୁଣ୍ଡରେ ଯାହା ପଶିଛି ତାକୁ ହିଁ କାର୍ଯ୍ୟକାରୀ କରୁଛନ୍ତି। ଏ ହେଉଛି ଭାବାବେଗର ପଲିଟିକ୍ସ। ଏଟା କଲେ ଲୋକ ଖୁସି ହେବେ ସେଟା କଲେ ଖୁସି ହେବେ ନାହିଁ- ଏମିତି ଭାବୁଥିବା ନେତା ଶେଷରେ ସ୍ଥିତାବସ୍ଥା ଜାହିର କରନ୍ତି, ପ୍ରଶାସନ ଶିଥିଳ ହୋଇଯାଏ। ଆମେରିକାରେ ୟେଲ୍‌ ବିଶ୍ୱବିଦ୍ୟାଳୟର ସାଇକୋଲୋଜି ପ୍ରଫେସର ପଲ୍‌ ବ୍ଲୁମ୍‌ ତାଙ୍କ ବିଭାଗରେ ଗୋଟିଏ ପାଠ୍ୟକ୍ରମ ଚାଲୁ କରିଛନ୍ତି। ତହିଁରେ ପଢା ହେଉଥିବା ତାଙ୍କ ଲିଖିତ ପୁସ୍ତକର ନାଁ ହେଉଛି ‘ଅନୁକମ୍ପା ବିରୋଧରେ: କାହିଁକି ଭାବାବେଗଭିିତ୍ତିକ ରାଜନୀତି ସ୍ଥାଣୁତା ଜନ୍ମାଏ’ (Against Empathy: Why Emotion-Based Politics Lead to Inaction)। ଇଂଲିଶ ଶବ୍ଦ ‘ଏମ୍ପାଥି’ ସହୃଦୟତା, ଦୟା, ଦରଦ, କରୁଣା, ଅନୁକମ୍ପା ଆଦିକୁ ବୁଝାଏ; ଉଦାରପନ୍ଥୀ ରାଜନେତାଙ୍କ ପରିଚୟ ହେଉଛି ଏମ୍ପାଥି। ଏହାର ଅଭାବ ନେତାଙ୍କୁ କଠୋରପନ୍ଥୀ ଅଥବା ଦକ୍ଷିଣପନ୍ଥୀ କରେ। ଅଥଚ ଏମ୍ପାଥିକୁ ଆୟୁଧ କରି ରାଜନେତାମାନେ ଉଦାରପନ୍ଥୀଙ୍କୁ ଆକ୍ରମଣ କରନ୍ତି। ଆମେରିକାର ଉଦାହରଣ ଦେଇ ବ୍ଲୁମ୍‌ କହନ୍ତି, ଗୋରା ପୋଲିସର ଗୁଳି ମାଡରେ ନିହତ ହେଉଥିବା କୃଷ୍ଣକାୟ କିଶୋରମାନଙ୍କ ପ୍ରତି ଦରଦ ଆସେ, ସରକାର ସାଙ୍ଗେ ସାଙ୍ଗେ ତଦନ୍ତ ଆଦେଶ ଦିଅନ୍ତି। କୃଷ୍ଣକାୟଙ୍କ ବସ୍ତିଗୁଡ଼ିକରେ ଆଇନଶୃଙ୍ଖଳା ରକ୍ଷା କରିବାରେ ପୋଲିସ କେତେ କଷ୍ଟର ସାମ୍‌ନା କରେ, ତାହା ଜାଣି ସରକାର ପୋଲିସ ପ୍ରତି ଦରଦ ପ୍ରକାଶ କରନ୍ତି। ଗୋଟିଏ ଦରଦ ଅନ୍ୟ ଦରଦଟିକୁ ପୋଛିଦିଏ। ନିଷ୍କ୍ରିୟତା ହିଁ ସାର ହୁଏ। ନିରୀହ ଲୋକଙ୍କ ଉପରେ ଆଖିବୁଜା ଗୁଳି ଚାଳନାରେ ବହୁତ ଜୀବନ ନଷ୍ଟ ହୁଏ ତ ନେତା ସମବେଦନା ପ୍ରକାଶ କରନ୍ତି, ବହୁତ ବାକ୍‌ବିତଣ୍ଡା ହୁଏ, ବନ୍ଧୁକ ରଖିବା ଆଇନକୁ ବାତିଲ କରାଯାଉ ବୋଲି କହୁଥିବା ଲୋକଙ୍କ ପ୍ରତି ସରକାର ଦରଦ ଦେଖାନ୍ତି। କିନ୍ତୁ ମାର୍କିନ୍‌ ସମ୍ବିଧାନର ପ୍ରଥମ ସଂଶୋଧନରେ ଥିବା ବ୍ୟକ୍ତି ସ୍ବାଧୀନତା ଉପରେ ଆସ୍ଥା ରଖିଥିବା ଲୋକଙ୍କ ପ୍ରତି ବି ଦରଦ ଦେଖାନ୍ତି, ସେମାନେ କହନ୍ତି ବନ୍ଧୁକ ରଖିବାରେ ବାଧା ଦେବା ମାନେ ସେମାନଙ୍କର ଆତ୍ମରକ୍ଷା-ଅଧିକାରକୁ କ୍ଷୁଣ୍ଣ କରିବା। ପୁଣି ବନ୍ଧୁକ ତିଆରି ଓ ବିକ୍ରିବାଲାଙ୍କଠାରୁ ମିଳୁଥିବା ନିର୍ବାଚନୀ ପାଣ୍ଠି ଯେପରି ଶୁଖି ନ ଯାଉ ତାହା ବି ରାଜନେତାମାନେ ଚାହାନ୍ତି। ତେଣୁ ଯେତେ ତର୍କ ବିତର୍କ ହେଲେ ବି ଆମେରିକାରେ ବନ୍ଧୁକ ଆଇନ ବଦଳୁନାହିଁ। ମେରିଟ୍‌ ଥିବା ଗରିବ ପିଲା ଅର୍ଥାଭାବରୁ କଲେଜରେ ଆଡ୍‌ମିଶନ ନେଇପାରୁନାହିଁ, ତା’ ପ୍ରତି ନେତାଙ୍କ ସମବେଦନା ଅଛି, କିନ୍ତୁ ସିଟ୍‌ ସଂରକ୍ଷଣ ଯୋଗୁ କଲେଜ ଶିକ୍ଷାରୁ ବଞ୍ଚିତ ହେଉଥିବା ଧନୀଘରର ମେରିଟ୍‌ବାଲା ପିଲା ପ୍ରତି ବି ଦରଦ ଅଛି। ସଂରକ୍ଷଣ ସମର୍ଥକ ଓ ବିରୋଧୀ ପ୍ରତି ସହୃଦୟତା ସରକାରକୁ ସ୍ଥାଣୁ କରିଦିଏ, ସ୍ଥିତାବସ୍ଥା ଜାରି ରହେ। ଜଳବାୟୁ ପରିବର୍ତ୍ତନର କୁପ୍ରଭାବକୁ ଦୂର କରିବାର ବ୍ୟବସ୍ଥା ବି ଆଗଉନାହିଁ। ଦିଲ୍ଲୀର ଏକ ରାସ୍ତାକଡ଼ରେ ପିଲାଟିଏ କାନ୍ଦୁଛି ତ ନେତାଏ ଶିଶୁ ପ୍ରତି ଦରଦ ଦେଖାଇବେ। ବାୟୁମଣ୍ଡଳର ବିଷାକ୍ତ ବାଷ୍ପ ଯୋଗୁ ତାହାର ଆଖି ପୋଡୁଛି ବୋଲି କହିଲେ, ”କେତେଟା ପିଲା ଏମିତି କାନ୍ଦୁଛନ୍ତି“ କହି ସରକାର ଉଡେଇଦେବେ। ଘନ କୁହୁଡ଼ି ଯୋଗୁ ଦିନ ୧୧ଟା ଯାଏ ସୂର୍ଯ୍ୟ ନ ଦିଶିଲେ, ଘରୁ ବାହାରିଲା କ୍ଷଣି ଅଣନିଃଶ୍ୱାସୀ ଲାଗିଲେ, ଆଗ ରାସ୍ତା ଦିଶୁ ନ ଥିବାରୁ ଗୋଟିକ ଉପରେ ଗୋଟିଏ ଗାଡ଼ି ଦୁର୍ଘଟଣା ଘଟିଲେ ସରକାର ଭାବନ୍ତି ପ୍ରଦୂଷଣ ଅସହ୍ୟ ହେଲାଣି, ପିଲାମାନଙ୍କ ପ୍ରତି ଅନୁକମ୍ପା ଦେଖାଇ ସ୍କୁଲ ବନ୍ଦ ଘୋଷଣା କରନ୍ତି। ଏ ହେଉଛି ଭାବାବେଗ ପଲିଟିକ୍ସ। କିନ୍ତୁ ଜଳବାୟୁକୁ ଶୁଦ୍ଧ କରିବାର ଦୀର୍ଘମିଆଦୀ ବ୍ୟବସ୍ଥା କରନ୍ତି କି? ପ୍ରଦୂଷଣ-ବିରୋଧୀଙ୍କୁ ଦରଦ ଦେଖାଇ ସରକାର କଳକାରଖାନାରେ ପ୍ରଦୂଷଣ ରୋକିବାର ସରଞ୍ଜାମ ଲଗାଇବା ନିୟମ କରନ୍ତି, କିନ୍ତୁ ନିୟମକୁ କାର୍ଯ୍ୟକାରୀ କରନ୍ତି ନାହିଁ କାରଣ ନିର୍ବାଚନ ଖର୍ଚ୍ଚ ତୁଲାଉଥିବା କାରଖାନା ମାଲିକମାନଙ୍କ ପ୍ରତି ଦରଦ ଅଛି। ଦିଲ୍ଲୀରେ ଗତବର୍ଷ ଶୀତଋତୁ ଆରମ୍ଭରେ ଘନ କୁହୁଡ଼ି ଯୋଗୁ ଜୀବନଯାତ୍ରା ଅଚଳ ହେବାରୁ ଆମ୍‌ ଆଦ୍‌ମୀ ଦଳର ସରକାର ଗାଡି ଚଳାଚଳ ପରିମାଣ କମାଇବା ଲାଗି ସବୁ ଗାଡିକୁ ଯୋଡ଼ ବିଯୋଡ଼ ଲାଇସେନ୍ସ ନମ୍ବର ଭିିତ୍ତିରେ ଦିନେ ଛଡା ଦିନେ ଚାଲିବାର ନିୟମ କଲେ। ଏ ବର୍ଷ ଦିନ ୧୧ଟା ଯାଏ କୁହୁଡି ଏତେ ବଢିଗଲା ଯେ ଜୀବନଯାତ୍ରା ଅଚଳ ହେବା ସାଙ୍ଗକୁ ରାସ୍ତା ଦୁର୍ଘଟଣା ବଢ଼ିଗଲା। ଏଏପି ସରକାର ପୂର୍ବ ବର୍ଷର ବ୍ୟବସ୍ଥା ଚାଲୁ କଲାବେଳେ ଦୁଇଚକିଆ ଗାଡିକୁ ବାଦ୍‌ ଦେଲେ। ଦୁଇ ଚକିଆମାନେ ତାଙ୍କ ଭୋଟର। କିନ୍ତୁ ଦୁଇ ଚକିଆବାଲାଏ ବେଶି ପ୍ରଦୂଷଣ କରନ୍ତି ବୋଲି କୋର୍ଟ ସରକାରଙ୍କୁ ତାଗିଦ୍‌ କରିବାରୁ ସେ ସବୁ ଗାଡି ପ୍ରତି ନିୟମ ଲାଗୁ କଲେ ବି ମହିଳାମାନେ ଚଳାଉଥିବା ଗାଡିକୁ ବାଦ୍‌ ଦେଲେ। ସରକାରୀ ଦଳ ପ୍ରତି ମହିଳାଙ୍କ ସମର୍ଥନ ହାସଲ କରିବା ଏ ଦରଦର କାରଣ। ଲିଙ୍ଗଗତ ବାଛବିଚାର ଉପରେ ପାଟି ହେଲା ତ ସେମାନଙ୍କ ପ୍ରତି ସରକାର ଦରଦ ଦେଖାଇଲେ। ଫଳରେ କେଜ୍‌ରିୱାଲ ଗାଡି ଚଳାଚଳରେ କଟକଣା ମସୁଧା ଛାଡିଦେଲେ। ଅଧ୍ୟାପକ ବ୍ଲୁମ୍‌ କହନ୍ତି, ଭାବାବେଗ ପଲିଟିକ୍ସ ହିଁ କିଛି କରାଇ ଦିଏ ନାହିଁ। ଲମ୍ବା ତାଲିକାର କାମ କରିବାର ଇସ୍ତାହାର ଦେଇ ଜିତିଥିବା ଦଳର ନେତାଏ ଇସ୍ତାହାରରୁ ବହୁତ କିଛି ଭୁଲିଯିବାର କାରଣ ଭାବାବେଗ ପଲିଟିକ୍ସ। ଲୋକେ ଅନାହାରରେ ଜୀବନ ହରାଉଛନ୍ତି ବୋଲି ଟଙ୍କିକିଆ ଚାଉଳ ଦିଆଯାଉଛି। ଏ ଏକ ଭାବାବେଗଜନିତ ପଲିଟିକ୍ସ। ଯାହା ପାଖରେ ପଇସା ନାହିଁ ବୋଲି ଅନାହାରରେ ମରୁଛି ସେ ଟଙ୍କାଟିଏ ବି କେଉଁଠୁ ପାଇବ? ୪ କୁଟୁମ୍ବବାଲା ପରିବାର ୨୦ କିଲୋ ଲାଗି ୨୦ ଟଙ୍କା ଯାହାଠୁ ଆଣିବ ତାକୁ କିଛି ଚାଉଳ ବିକିବ ବୋଲି ସର୍ତ୍ତ କରୁଛି। ଦିନମଜୁରିଆଟିଏ ସୁଲଭ ଦୋକାନକୁ ଗଲେ ତା’ର ଦିନଟିଏ ନଷ୍ଟ ହେଉଛି, ଦିନକର ମଜୁରି ୨୦୦ ଟଙ୍କା ମିଶିଲେ ଚାଉଳ କିଲୋ ୧୧ ଟଙ୍କା ପଡ଼ିଲା। ପୁଣି ଚାଉଳର ଗୁଣ କହିଲେ ନ ସରେ। ଟଙ୍କିକିଆ କହିବା ଥଟ୍ଟା ପରିହାସ ନୁହେଁ କି? କିନ୍ତୁ ଏ ତ କରୁଣା-ଭିିତ୍ତିକ ପଲିଟିକ୍ସ। ରାଜନୀତିରେ ବିଚାରବନ୍ତ ନିଷ୍ପତ୍ତି ବିରଳ। ରିହାତି ବାବଦ କିଲୋ ପ୍ରତି ପ୍ରାୟ ୨୪ ଟଙ୍କା କେନ୍ଦ୍ର ଓ ରାଜ୍ୟ ସରକାର ବହନ କରନ୍ତି, ଯଦି ସରକାର ୨୦ କିଲୋ ଟଙ୍କିକିଆ ଚାଉଳ ବଦଳରେ ୫୦୦ ଟଙ୍କା ସିଧାସଳଖ ଉପଭୋକ୍ତାର ଆକାଉଣ୍ଟକୁ ଦିଅନ୍ତେ, ଗରିବ ମଜୁରି ନ ହରାଇ ଅଳସ ସମୟରେ ଦୋକାନରୁ ବାଛି ବାଛି ଚାଉଳ କିଣନ୍ତା, ପୁଷ୍ଟିହୀନତା ଦୂର ପାଇଁ ଡାଲି, ପରିବା ଆଦି କିଣିବାକୁ ପଇସା ବଳାନ୍ତା। ସବୁଠୁ ବଡ଼ କଥା ହୁଅନ୍ତା ଯେ ଚାଉଳ ସଂଗ୍ରହଠାରୁ ସୁଲଭ ଦୋକାନରେ ପହଞ୍ଚିବା ପର୍ଯ୍ୟନ୍ତ ଘଟୁଥିବା ଭ୍ରଷ୍ଟାଚାର ଉଭେଇଯାନ୍ତା। କିନ୍ତୁ ବିଚାରବନ୍ତ ରାଜନୀତିକୁ ଭାବାବେଗର ପଲିଟିକ୍ସ ଦବାଇ ଦେଉଛି, ନିଷ୍କ୍ରିୟତା ସାର ହେଉଛି।

ଇମେଲ୍‌: sahadevas@yahoo.com



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri