ଅଦୂରଦର୍ଶୀ ପଦକ୍ଷେପ

ଦେବ ପ୍ରସାଦ ପରିଜା

ନିକଟରେ ଏକ ଇଂଲିଶ ଖବରକାଗଜର ଜଣେ ବରିଷ୍ଠ ଖବରଦାତା କହିଲେ, ମାତ୍ର ୬୨% ବ୍ୟବସାୟୀ ଜିଏସ୍‌ଟିରେ ପଞ୍ଜୀକରଣ କରି ସରକାରଙ୍କୁ ପ୍ରଚୁର ଟିକସ ମିଳିଲାଣି। ଯଦି ସମସ୍ତେ ପଞ୍ଜୀକରଣ କରିଦେବେ, ତେବେ ସରକାରଙ୍କ ଆୟ କେତେ ବଢିବ ଅନୁମାନ କରୁଛନ୍ତି! ମୁଁ କହିଲି, ଏହା ପରା ଗବର ସିଂ ଟିକସ! ଗବର ସିଂର ରୋଜଗାର କ’ଣ କମ୍‌ ଥିଲା କି? ସେ ଟିକେ ବିରକ୍ତ ହୋଇ କହିଲେ, ଆପଣ ରାଜନୀତି ସହ ଅର୍ଥନୀତିକୁ କାହିଁକି ମିଶାଉଛନ୍ତି? ମୁଁ କହିଲି ଯେ, ଜିଏସ୍‌ଟି ବା ବିମୁଦ୍ରୀକରଣ ଭଳି ନିଷ୍ପତ୍ତି ଅର୍ଥନୀତିଜ୍ଞମାନେ ନେଉଛନ୍ତି ନା ରାଜନେତାମାନେ? ବିମୁଦ୍ରୀକରଣ ନିଷ୍ପତ୍ତି ସମ୍ପର୍କରେ ରଘୁରାମ ରାଜନ କ’ଣ କହିଥିଲେ? ସେ କହିଲେ, ଯଦି ଲୋକେ ଟିକସ ଦେବେନି ତେବେ ସରକାର ଚାଲିବ କେମିତି, ଆଉ ଜନହିତକର ଯୋଜନା ପାଇଁ ସରକାର ଅର୍ଥ ଆଣିବେ କେଉଁଠୁ? ସେତିକି ନୁହେଁ, ସେ ମଧ୍ୟ ଆୟକର ବିଭାଗର କିଛି ତଥ୍ୟ ସହ ଗଭୀର ଉଦ୍‌ବେଗ ପ୍ରକାଶ କରି କହିଲେ ଯେ ଆମ ଦେଶରେ ପ୍ରଚୁର ଟିକସ ଫାଙ୍କି ହେଉଛି। ଅଧିକାଂଶ ବ୍ୟବସାୟୀ, ଓକିଲ ଓ ଡାକ୍ତର ନାମକୁମାତ୍ର ଆୟକର ଦେଉଛନ୍ତି ବା ସ୍ବଳ୍ପ ଆୟ ଦେଖାଇ ଶୂନ୍ୟ ଟିକସ ଆୟକର ରିଟର୍ନ ଦାଖଲ କରୁଛନ୍ତି। ସେମାନଙ୍କୁ ସାବାଡ଼ କରିବା ପାଇଁ ବିମୁଦ୍ରୀକରଣ ଏକ ସାହସିକ ପଦକ୍ଷେପ। ଯଦିଓ ସାମୟିକ ଭାବେ ଜନସାଧାରଣ ଅସୁବିଧା ଭୋଗିଲେ, ଦେଶର ଭବିଷ୍ୟତ ପାଇଁ ଏହା ଆବଶ୍ୟକ ଥିଲା। ଜିଏସ୍‌ଟି କ୍ଷେତ୍ରରେ ମଧ୍ୟ ସମାନ ଯୁକ୍ତି ଦର୍ଶାଇ ସେ କହିଲେ ଯେ, ଯେକୌଣସି ବ୍ୟବସ୍ଥା ଆରମ୍ଭ ହେଲେ ପ୍ରାରମ୍ଭରୁ କିଛି ଅସୁବିଧା ହୁଏ, ପରେ ତାହା ସୁଧୁରିଯାଏ। ଆମେ ଅବ୍ୟବସ୍ଥାକୁ ଡରିଲେ ଦେଶ ପାଇଁ କିଛି ଭଲ କରିହେବନି। ଏହି ସମସ୍ତ ବିଷୟକୁ ଦିନେ ଦୁଇଦିନ ପରେ ଏକ ବଡ଼ ଖବରକାଗଜରେ ସ୍ତମ୍ଭ ଭାବରେ ସେ ଲେଖିଲେ। ତାଙ୍କର ଦେଶ ହିତ ପାଇଁ ଚିନ୍ତା କିଛି ମନ୍ଦ ନ ଥିଲା। ମାତ୍ର ଚିନ୍ତା ଠିକ୍‌ ଥିଲେ ବି ପନ୍ଥା ଠିକ୍‌ ନୁହେଁ, ତାହା ଯେକେହି କହିପାରିବ, ବିଶେଷକରି ଏ ସବୁର ପରିଣାମକୁ ଅଙ୍ଗେ ନିଭାଇବା ପରେ। ଯଦି ପନ୍ଥା ଠିକ୍‌ ଥାଆନ୍ତା, ତେବେ ଜୟ ଶାହ ଓ ଶୌର୍ଯ୍ୟ ଡୋଭାଲଙ୍କୁ ନେଇ ଚର୍ଚ୍ଚା ଚାଲି ନ ଥାନ୍ତା କି ରାଜନୀତିଠାରୁ ଦୂରରେ ଥିବା ରଘୁରାମ ରାଜନଙ୍କ ଭଳି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଅର୍ଥନୀତିଜ୍ଞ ବିମୁଦ୍ରୀକରଣକୁ ବିରୋଧ କରୁ ନ ଥାନ୍ତେ। ଯଦି ବିମୁଦ୍ରୀକରଣ ଦୁର୍ନୀତିକୁ ରୋକିବାରେ ସମର୍ଥ, ତେବେ ବିମୁଦ୍ରୀକରଣ ପରେ ଜଣେ ବ୍ୟକ୍ତିର ଦେବାଳିଆ କମ୍ପାନୀର ସମ୍ପତ୍ତି କିଭଳି ୧୬ହଜାର ଗୁଣ ବୃଦ୍ଧି ପାଇଲା? ଅନ୍ୟପଟେ ବହୁ ଲାଭଜନକ କମ୍ପାନୀ କାହିଁକି ଦେବାଳିଆ ହେଉଛନ୍ତି! ଆତଙ୍କବାଦ କେତେ କମିଲା କି ବଢିଲା ଓ ଆତଙ୍କବାଦୀ ଓ ମାଓବାଦୀ ହିଂସାର ହ୍ରାସ କେତେ ସତ କେତେ ମିଛ ତାହା କଶ୍ମୀର ଓ ମାଓବାଦୀ ଉପଦ୍ରୁତ ଅଞ୍ଚଳର ଘଟଣାବଳୀରୁ ଆମେ ଜିଣିପାରୁଛେ। ନକଲି ୨୦୦୦ ଟଙ୍କିଆ ନୋଟ୍‌ ଧରାପଡ଼ିବା ଦର୍ଶାଉଛି ଯେ ଏହା ନକଲି ନୋଟ୍‌କୁ କେତେ ରୋକିଲା। ସେହିଭଳି ୯୯%ରୁ ଅଧିକ ଅଚଳ ନୋଟ୍‌ ରିଜର୍ଭ ବ୍ୟାଙ୍କକୁ ଫେରିବା ପରେ କଳା ଟଙ୍କା ଅକାମୀ ହେଲା କି ଧଳା ହେଲା ତାହା ତ ଯେକେହି କହିପାରିବ। ହଁ, ଏହା ମଧ୍ୟ ସତ୍ୟ ଯେ ବ୍ୟାଙ୍କରେ ଜମା କିଛି ଅଚଳ ଟଙ୍କାର ଜମାକାରୀଙ୍କୁ ଆୟ ପନ୍ଥା ଦର୍ଶାଇବା ପାଇଁ ଆୟକର ବିଭାଗ ନୋଟିସ ଦେଇଛନ୍ତି। ହୁଏତ କିଛି ବ୍ୟକ୍ତି ଆୟର ଉତ୍ସ ଦର୍ଶାଇ ନ ପାରି ଜେଲ-ଜରିମାନାର ସମ୍ମୁଖୀନ ହେବେ ଓ ତାଙ୍କର ଅର୍ଥ ବାଜ୍ୟାପ୍ତି ହେବ। ମାତ୍ର ସେ ସଂଖ୍ୟା କେତେ? କୌଣସି କଳାଟଙ୍କା ନ ଥାଇ ବିମୁଦ୍ରୀକରଣ ପାଇଁ ବାହାଘର ଓ ଶୁଦ୍ଧିକ୍ରିୟାଠାରୁ ଔଷଧ କିଣି ନ ପାରି ହୀନସ୍ତା ହୋଇଥିବା ଲୋକଙ୍କ ସଂଖ୍ୟା କେତେ? ଏହିଭଳି ବିମୁଦ୍ରୀକରଣ କେତେ ବର୍ଷରେ ଥରେ ଲେଖାଏଁ କରି ଏହିଭଳି ବ୍ୟକ୍ତିଙ୍କୁ ଧରିବା? ପେଟ୍ରୋଲିୟମ୍‌ ସାମଗ୍ରୀ ଉପରେ ଆଖିବୁଜା ଟିକସ ଆଦାୟ କରି ଆମ ସରକାର କୋଷାଗାର ଭରିବା ଭଳି ଜିଏସ୍‌ଟି ଜରିଆରେ ପ୍ରଚୁର ରାଜସ୍ବ ଆଦାୟ କରି ହେବ। ତାରକା ହୋଟେଲ ଉପରେ ଚଢ଼ା ଦରରେ ଜିଏସ୍‌ଟି ଦେଇ କେତେ ଦେଶୀ ଓ ବିଦେଶୀ ପର୍ଯ୍ୟଟକ ଭ୍ରମଣ ପାଇଁ ଆମ ଦେଶକୁ ବାଛିବେ? ଯଦି ପର୍ଯ୍ୟଟକ ଆସିବା କମିଯାଏ, ତେବେ କେବଳ ହୋଟେଲ ଶିଳ୍ପ ନୁହେଁ ବରଂ ଟୁର୍‌ ଓ ଟ୍ରାଭେଲ କ୍ଷେତ୍ର, ଦେଶର ଶପିଂ କ୍ଷେତ୍ର, ପର୍ଯ୍ୟଟନ ଅଞ୍ଚଳମାନଙ୍କରେ ଛୋଟ ଚା ଦୋକାନୀଠାରୁ ପର୍ଯ୍ୟଟନ ଗାଇଡ୍‌ଙ୍କ ପର୍ଯ୍ୟନ୍ତ ସଭିଏଁ ପ୍ରଭାବିତ ହେବେ। ସମ ଭାବେ ଦେଶର ବୟନ ଶିଳ୍ପ ଓ ହସ୍ତଶିଳ୍ପଠାରୁ ଆରମ୍ଭ କରି ମୁଦ୍ରଣ ଶିଳ୍ପ ପର୍ଯ୍ୟନ୍ତ ୧୮% ଜିଏସ୍‌ଟିରେ ଶଢୁଛନ୍ତି। ଆଜିର ଶସ୍ତା ମନୋରଞ୍ଜନ ଯୁଗରେ ୧୮% ଜିଏସ୍‌ଟି ଦେଇ ପ୍ରକାଶ ପାଇବାକୁ ଥିବା ପୁସ୍ତକ କିଣିବାକୁ ପାଠକ ଥିବେ ତ? ରିୟଲ ଇଷ୍ଟେଟ୍‌ ପୂର୍ବରୁ ରେରା (ରିଅଲ ଇଷ୍ଟେଟ୍‌ ରେଗୁଲେଟୋରୀ ଅଥରିଟି) ମାଡ଼ର ଶିକାର। ଏହି ମାଡ଼ରେ ଅବସ୍ଥା ଏପରି ହେଲାଣି ଯେ ସେମାନଙ୍କ ନୂଆ ପ୍ରକଳ୍ପ ପାଇଁ ଗ୍ରାହକ ଆସୁନାହାନ୍ତି। ନିର୍ମାଣାଧୀନ ପ୍ରକଳ୍ପଗୁଡିକୁ ରିୟଲ ଇଷ୍ଟେଟ୍‌ ମାଲିକମାନେ ରିସୋର୍ଟରେ ପରିଣତ କରିବାକୁ ଲାଗିଲେଣି। ଯଦି ରିୟଲ୍‌ ଇଷ୍ଟେଟ୍‌ କାମ ବନ୍ଦ ହୋଇଯାଏ ତେବେ କେତେ ଲକ୍ଷ ନିର୍ମାଣ ଶ୍ରମିକ ବେକାର ହେବେ, ସେମାନଙ୍କୁ ଅନ୍ୟତ୍ର କେଉଁ କ୍ଷେତ୍ରରେ ନିଯୁକ୍ତି ମିଳିପାରିବ ତାହା ଯୋଜନା କରିବା ତ ଦୂରର କଥା, ଅନୁମାନ ସରକାର କଲେଣି ତ! ଦେଶରେ କଳାଟଙ୍କାକୁ ରୋକିବା ଯେଉଁଭଳି ଆବଶ୍ୟକ ସେହିଭଳି ସରକାରୀ ଯୋଜନାଠାରୁ ଆରମ୍ଭ କରି ସୁରକ୍ଷା ଓ ସୁଶାସନ ପାଇଁ ରାଜସ୍ବ ଦରକାର। କିନ୍ତୁ ଏହି ଉଦ୍ଦେଶ୍ୟରେ ନେବାକୁ ଥିବା ପଦକ୍ଷେପ ପାଇଁ ପୂର୍ବପ୍ରସ୍ତୁତି ଓ ଦୂରଦର୍ଶିତା ମଧ୍ୟ ତତୋଽଧିକ ଜରୁରୀ। ଉପରୋକ୍ତ ପଦକ୍ଷେପ ଦୁଇଟି ହଟଚମଟ ସୃଷ୍ଟି କରି କିଛି କ୍ଷଣ ଜନତାଙ୍କୁ ମୋହିତ କରିବାରେ ନିଶ୍ଚିତ ସମର୍ଥ। ମାତ୍ର ଏହି ହଟଚମଟ ବେଶି କାଳ ସ୍ଥାୟୀ ହୋଇ ରହି ନ ପାରେ। ଏହାର ପ୍ରମାଣ ଗୁଜରାଟ ନିର୍ବାଚନ ପ୍ରସଙ୍ଗରେ ଆମେ ଦେଖୁଛେ, ଯେଉଁଥିପାଇଁ ଅନେକ ପଦାର୍ଥରେ ଜିଏସ୍‌ଟି ହାର କମାଇବାକୁ ସରକାର ବାଧ୍ୟ ହେଲେ। ନିର୍ବାଚନ ଆସିବ ଆଉ ଯିବ। କିନ୍ତୁ ଭୁଲ ନିଷ୍ପତ୍ତି ପାଇଁ ଅର୍ଥନୀତିର କ୍ଷତି ଭରିବା ଲାଗି ସମୟ ଅବଶ୍ୟ ଲାଗିବ।

ମୋ-୯୪୩୭୧୬୪୪୬୧, ଇମେଲ- debaparija1@gmail.com



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri