ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଦଳୀୟ ନିର୍ଦ୍ଦେଶକ

ସରଳ କୁମାର ଦାସ

ଭ।ରତୀୟ ଜନତା ପାର୍ଟିର ମୁଖ୍ୟ ଜାତୀୟ ପ୍ରବକ୍ତା ସମ୍ବିତ୍‌ ପାତ୍ରଙ୍କ ନାମ ଓଏନ୍‌ଜିସିର ସ୍ବାଧୀନ ନିର୍ଦ୍ଦେଶକ ଭାବେ ଘୋଷଣା ହେବା ପରେ ଅନେକଙ୍କର ଭ୍ରୂକୁଞ୍ଚନ ହୋଇଥିଲା। ତେବେ ତାଙ୍କ ପୂର୍ବରୁ ଭାଜପାର ଆହୁରି ଅନେକ ନେତାଙ୍କୁ ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ସ୍ବାଧୀନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ସେମାନଙ୍କ ମଧ୍ୟରେ ଓଡ଼ିଶାର ସୁରମା ପାଢୀଙ୍କୁ ବିଏଚ୍‌ଇଏଲ, ଦିଲ୍ଲୀର ଉପସଭାପତି ସାଜିଆ ଇଲମୀଙ୍କୁ ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ, ଗୁଜରାଟ ଭାଜପା ଆଇଟି ସେଲର ଆବାହକ ରାଜିକା କାଚେରିଆଙ୍କୁ ଭାରତୀୟ କପା ନିଗମ, ଗୁଜରାଟର ସଂଖ୍ୟାଲଘୁ ସମ୍ପ୍ରଦାୟର ଆସିଫା ଖାନ୍‌ଙ୍କୁ ଏଚ୍‌ପିସିଏଲ, ବିହାରର କିରଣ ଘାଇ ସିହ୍ନାଙ୍କୁ ନାଲ୍‌କୋ, ପ୍ରବକ୍ତା ସୟଦ ଜାଫର ଇସ୍‌ଲାମଙ୍କୁ ଏୟାର ଇଣ୍ଡିଆର ସ୍ବାଧୀନ ନିର୍ଦ୍ଦେଶକ ଦାୟିତ୍ୱ ମିଳିସାରିଛି। ଅବଶ୍ୟ ଉପା ଶାସନ ସମୟରେ ମଧ୍ୟ ବିଭିନ୍ନ ରାଜ୍ୟର ଅନେକ କଂଗ୍ରେସ ନେତାଙ୍କୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ସ୍ବାଧୀନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିଲା। ଦେଶରେ ଥିବା ୩୨୦ଟି କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମଧ୍ୟରୁ ୨୪୪ଟି ଏବେ ସକ୍ରିୟ। କମ୍ପାନୀ ଆଇନ ୨୦୧୩ର ଧାରା ୧୪୯(୬)ର ପ୍ରାବଧାନ ଅନୁସାରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକରେ ସ୍ବାଧୀନ ନିର୍ଦ୍ଦେଶକ ନିଯୁକ୍ତ ହୋଇଥାନ୍ତି ଓ ଏମାନଙ୍କ ନିଯୁକ୍ତି କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍‌ ନିଯୁକ୍ତି କମିଟି (ଏସିସି) ସ୍ଥିର କରିଥାନ୍ତି। ଏମାନେ ଉଦ୍ୟୋଗର ବେତନଭୋଗୀ କର୍ମଚାରୀ ହୋଇ ନ ଥିବାରୁ ଅଂଶୀଦାରଙ୍କ ସ୍ବାଥର୍ର୍ରକ୍ଷା କରିବା ସହିତ ଉଦ୍ୟୋଗର ପ୍ରଶାସନିକ ସ୍ତରକୁ ଉନ୍ନତ କରିବାରେ ବଳିଷ୍ଠ ଭୂମିକା ନିିର୍ବାହ କରିବା ଆଶା କରାଯାଏ। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ୨୦୧୪ରେ ପ୍ରଣୀତ ନିୟମ ଅନୁଯାୟୀ ସୂଚୀବଦ୍ଧ କମ୍ପାନୀର ବୋର୍ଡରେ ସର୍ବନିମ୍ନ ଶତକଡା ୫୦ ଭାଗ ସ୍ବାଧୀନ ନିର୍ଦ୍ଦେଶକ ରହିବେ ଓ ସେମାନଙ୍କ ମଧ୍ୟରୁ ଅନ୍ତତଃ ଜଣେ ମହିଳା ହୋଇଥିବେ। ଏହି ନିୟମ ଅନୁଯାୟୀ ଅନେକ ମହିଳାଙ୍କର ସ୍ବାଧୀନ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହେବାର ସୁଯୋଗ ସୃଷ୍ଟି ହେଲା। ଏନ୍‌ଡିଏ ସରକାର କ୍ଷମତାକୁ ଆସିଲା ପରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକର ପେସାଦାର ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ନିର୍ଦ୍ଦେଶକ ଭାବେ କେବଳ ବୃତ୍ତିରେ ନିପୁଣତା ଥିବା ବ୍ୟକ୍ତିବିଶେଷ ନିଯୁକ୍ତି ପାଇବେ ବୋଲି ଆଶା କରାଯାଉଥିଲା, ଯାହା ହେଲାନାହିଁ। ବାଜପେୟୀଙ୍କ ସମୟରୁ ଭାଜପା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକର ପେସାଦାର ପରିଚାଳନା ଉପରେ ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ ରାଜନୈତିକ ହସ୍ତକ୍ଷେପକୁ ହ୍ରାସ କରିବା ଉପରେ ଗୁରୁତ୍ୱ ଦେଇଆସିଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକର ନିର୍ଦ୍ଦେଶକ ଭାବେ ଯେପରି ରାଜନୈତିକ ଦଳର ପ୍ରତିନିଧିମାନେ ମନୋନୀତ ନ ହୁଅନ୍ତି ସେଥିପାଇଁ ମାର୍ଗଦର୍ଶିକା ଜାରି ହୋଇଛି। ଏ ସଂକ୍ରାନ୍ତରେ ବିଭିନ୍ନ ସମୟରେ ସାର୍ବଜନିକ ଉଦ୍ୟୋଗ ବିଭାଗ ବ୍ୟବସାୟ ଏବଂ ଉଦ୍ୟୋଗ କ୍ଷେତ୍ରରେ ଦକ୍ଷତା ଓ ଅନୁଭବ ଥିବା ଟେକ୍ନୋକ୍ରାଟ୍‌, ପରିଚାଳନା ବିଶେଷଜ୍ଞ, ପରାମର୍ଶଦାତା, ପେସାଦାର ପରିଚାଳକଙ୍କୁ ସ୍ବାଧୀନ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିବାକୁ ଦିଶା ନିର୍ଦ୍ଦେଶ ଜାରି ହୋଇଛି। କାର୍ମିକ ଓ ପ୍ରଶାସନ ବିଭାଗ ୨୦୧୭ ଫେବୃୟାରୀରେ ମଧ୍ୟ ସମ୍ପୃକ୍ତ କ୍ଷେତ୍ରରେ ଅନ୍ତତଃ ପକ୍ଷେ ୧୫ ବର୍ଷର ଅନୁଭବ ଥିଲେ ଯାଇ ଜଣକୁ ସ୍ବାଧୀନ ନିର୍ଦ୍ଦେଶକ ପାଇଁ ବିବେଚନା କରିବାକୁ ଅନୁରୂପ ଦିଶା ନିର୍ଦ୍ଦେଶ ଜାରି କରିଥିଲେ। ଏସବୁ ସତ୍ତ୍ୱେ ମୋଦି ସରକାର ନିଜ ଅନୁସୃତ ନୀତିନିୟମ ଓ ସିଦ୍ଧାନ୍ତରୁ ବିଚ୍ୟୁତ ହେବା ଦୁର୍ଭାଗ୍ୟଜନକ। ପେସାରେ ସମ୍ବିତ୍‌ ପାତ୍ର ଜଣେ ଡାକ୍ତର, ସାଜିଆ ଇଲମୀ ଜଣେ ପ୍ରାକ୍ତନ ସାମ୍ବାଦିକ, ରାଜିକା କାଚେରିଆ ଜଣେ ରୂପଚର୍ଯ୍ୟା ବିଶାରଦ ଓ ଜାଫର ଇସଲାମ ଜଣେ ପୂର୍ବତନ ବ୍ୟାଙ୍କ କର୍ମଚାରୀ। ଅର୍ଥାତ୍‌ ନିଯୁକ୍ତି ପାଇଥିବା ଉଦ୍ୟୋଗ ନିମନ୍ତେ ଏମାନଙ୍କ ନିକଟରେ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ବା ବୃତ୍ତିଗତ ଅନୁଭବ ନ ଥିବାରୁ ସେମାନେ ଦାୟିତ୍ୱ ନିର୍ବାହ କରିବା ଦିଗରେ କେତେଦୂର ସକ୍ଷମ ହେବେ ତାହା ସହଜେ ଅନୁମେୟ। ସ୍ବାର୍ଥ-ଦ୍ୱନ୍ଦ୍ୱ (କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ) ପ୍ରସଙ୍ଗରେ ବ୍ରିଟିଶ ବିଚାରପତି ଲର୍ଡ ଡେନିଙ୍ଗଙ୍କ ମତ ପ୍ରଣିଧାନଯୋଗ୍ୟ। ତାଙ୍କ ମତରେ, ‘ଜଣେ ନିର୍ଦ୍ଦେଶକଙ୍କୁ କମ୍ପାନୀର ଶ୍ରେଷ୍ଠ ସ୍ବାର୍ଥରେ ଉଚିତ ନିଷ୍ପତ୍ତି ନେବାର ସ୍ବାଧୀନତା ମିଳୁଥିବା ଯାଏ ଜଣେ ଅଂଶୀଦାରଙ୍କ ଦ୍ୱାରା ସେ ମନୋନୀତ ହେବାରେ କିଛି ଭୁଲ ନାହିଁ। ମାତ୍ର ସେ ତାଙ୍କ ପୃଷ୍ଠପୋଷକଙ୍କ ଚାପର ବଶବର୍ତ୍ତୀ ହୋଇ କମ୍ପାନୀ ସ୍ବାର୍ଥବିରୋଧୀ କୌଣସି କାର୍ଯ୍ୟ କରିବାକୁ ବାଧ୍ୟ ହେଲେ ତାହା ଆଇନସମ୍ମତ ନୁହେଁ।’ ଜଣେ ଦଳୀୟ ନିର୍ଦ୍ଦେଶକଙ୍କ ପୃଷ୍ଠପୋଷକ ହେଉଛନ୍ତି ଉଭୟ ସରକାର ଓ ଦଳ। ତେଣୁ ପରୋକ୍ଷରେ ତାଙ୍କର ଏହି ଦୁଇ ପୃଷ୍ଠପୋଷକଙ୍କ ପ୍ରତି ଆନୁଗତ୍ୟ ରହିବା ସ୍ବାଭାବିକ। ମାତ୍ର ଏଠି ପ୍ରଶ୍ନ ଉଠୁଛି କମ୍ପାନୀ ସ୍ବାର୍ଥ ଓ ସରକାରୀ ବା ଦଳୀୟ ସ୍ବାର୍ଥରେ ଦ୍ୱନ୍ଦ୍ୱ ଉପୁଜିଲେ ଦଳର ସ୍ବାର୍ଥକୁ ଆଗରେ ରଖୁଥିବା କର୍ମୀଟିଏ କମ୍ପାନୀର ସ୍ବାର୍ଥରକ୍ଷା କରିବାକୁ ସମର୍ଥ ହେବ ତ? ସ୍ବାର୍ଥ-ଦ୍ୱନ୍ଦ୍ୱ କିପରି ଉପୁଜେ ତାହା ଓଏନ୍‌ଜିସି ଦ୍ୱାରା ଗୁଜରାଟ ଷ୍ଟେଟ୍‌ ପେଟ୍ରୋଲିୟମ କର୍ପୋରେଶନ (ଜିଏସ୍‌ପିସି)ର କ୍ରିଷ୍ଣା ଗୋଦାବରୀ ବେସିନରେ ଥିବା ଗ୍ୟାସ୍‌ ବ୍ଲକ୍‌ର ୮୦ ଭାଗ ଅଧିକାର ଆହରଣ ପ୍ରସଙ୍ଗଟିକୁ ଆଲୋଚନା କଲେ ବୁଝିହେବ। ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ୨୦୦୫ରେ ମୋଦି ଘୋଷଣା କରିଥିଲେ ଯେ ଜିଏସ୍‌ପିସି କ୍ରିଷ୍ଣା ଗୋଦାବରୀ ବେସିନରେ ୨୦ ଲକ୍ଷ କୋଟି ଘନଫୁଟ୍‌ ଗ୍ୟାସ୍‌ର ସନ୍ଧାନ ପାଇଛି। ପ୍ରକୃତରେ ଏତେ ପରିମାଣର ଗ୍ୟାସ୍‌ ଗଚ୍ଛିତ ନ ଥିଲେ ମଧ୍ୟ ଏହି ଘୋଷଣା ଆଧାରରେ ପ୍ରାୟ ୧୫ଟି ବ୍ୟାଙ୍କ ବିପୁଳ ପରିମାଣର ଋଣ କମ୍ପାନୀକୁ ଦେଲେ। କ୍ରମଶଃ ଜିଏସ୍‌ପିସିର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଲା ଓ କମ୍ପାନୀ ସୁଧ ଶୁଝିବାକୁ ମଧ୍ୟ ଅସମର୍ଥ ହେଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଏହା ଏକ ସମ୍ମାନର ପ୍ରଶ୍ନ ହୋଇଥିବାରୁ ଜିଏସ୍‌ପିସିକୁ ଏହି ଦୁଃସ୍ଥିତିରୁ ଉଦ୍ଧାର କରିବା ପାଇଁ ଓଏନ୍‌ଜିସି ଉପରେ ଚାପ ପଡିଲା। ଓଏନ୍‌ଜିସିର ନିଜସ୍ବ ଆକଳନ ଅନୁସାରେ ସେଠାରେ ମାତ୍ର ୩ ଲକ୍ଷ କୋଟି ଘନଫୁଟ୍‌ ଗ୍ୟାସ୍‌ ଥିବାରୁ ଏହାର ଆହରଣ କମ୍ପାନୀ ପାଇଁ ବିଶେଷ ଲାଭଜନକ ହେଉ ନ ଥିଲେ ମଧ୍ୟ କମ୍ପାନୀର ପରିଚାଳନାମଣ୍ଡଳୀ ଚାପର ବଶବର୍ତ୍ତୀ ହୋଇ ଏହି ଆହରଣ ପାଇଁ ସମ୍ମତି ଜଣାଇବାକୁ ବାଧ୍ୟ ହେଲେ। ଇତିମଧ୍ୟରେ ୭୭୩୮ କୋଟି ଟଙ୍କା ବିନିମୟରେ ଏହି ଆହରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି। ‘ପାର୍ଟି ବଡ ନା ମାଟି ବଡ’ ପ୍ରଶ୍ନ ଉଠିଲେ ପାର୍ଟିକୁ ବଡ ମଣୁଥିବା କିଛି ଦଳୀୟ କର୍ମୀ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ନିର୍ଦ୍ଦେଶକ ଥାଇ ‘ପାର୍ଟି ବଡ ନା କମ୍ପାନୀ ବଡ’ ପ୍ରଶ୍ନ ଉଠିଲେ ଯେ ଖୁବ ସହଜରେ କମ୍ପାନୀର ସ୍ବାର୍ଥକୁ ଜଳାଞ୍ଜଳି ଦେବାକୁ କୁଣ୍ଠାବୋଧ କରିବେ ନାହିଁ, ଏଥିରେ ସନ୍ଦେହ ନାହିଁ। ସେଭଳି ଲୋକଙ୍କଠାରେ କମ୍ପାନୀର ଭାଗ୍ୟଡୋରି ଟେକିଦେଲେ କମ୍ପାନୀର ସ୍ବାର୍ଥ କେତେ ସୁରକ୍ଷିତ ରହିବ, ତାହା ସହଜରେ ଅନୁମେୟ। ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକ ଦେଶର ଆର୍ଥିକ ବିକାଶରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି। ସେଗୁଡିକର ପେସାଦାର ପରିଚାଳନା ନ ହେଲେ କମ୍ପାନୀଗୁଡିକ ଆର୍ଥିକ କ୍ଷତି ସହିବା ସହିତ ଦେଶର ଅର୍ଥ ବ୍ୟବସ୍ଥା ଉପରେ ତାହାର ପ୍ରତିକୂଳ ପ୍ରଭାବ ପଡିବା ଅବଶ୍ୟମ୍ଭାବୀ। ତେଣୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକୁ ରାଜନୈତିକ ହସ୍ତକ୍ଷେପଠାରୁ ମୁକ୍ତ ରଖି ସେଗୁଡିକର ପେସାଦାର ପରିଚାଳନା ଉପରେ ଗୁରୁତ୍ୱ ଦିଆଯିବା ଉଚିତ।

ମୋ-୯୪୩୭୦୩୮୦୧୫, saral_das@yahoo.co.in



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri