ଭାରତରେ ସଂଖ୍ୟାଲଘୁ ଅସୁରକ୍ଷିତ କି

ହୃଦୟବଲ୍ଲଭ ଦାସ

କିଛିଦିନ ତଳେ ଭାରତର ବିଦାୟୀ ଉପରାଷ୍ଟ୍ରପତି ହମିଦ୍‌ ଅନ୍‌ସାରୀ ଏକ ଟେଲିଭିଜନ୍‌ ସାକ୍ଷାତ୍‌କାରରେ କହିଥିଲେ ଭାରତରେ ମୁସଲମାନ ସଂଖ୍ୟାଲଘୁ ସମ୍ପ୍ରଦାୟ ଅସୁରକ୍ଷିତ। ବିଦାୟୀ ଉପରାଷ୍ଟ୍ରପତିଙ୍କ ଏଭଳି ମନ୍ତବ୍ୟ ନିଶ୍ଚିତଭାବେ ଉଦ୍‌ବେଗଜନକ। ଏହା ଉପରେ ନବନିର୍ବାଚିତ ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ ପ୍ରତିକ୍ରିୟା ରଖି କହିଥିଲେ ଭାରତ ବିଶ୍ୱର ସବୁଠାରୁ ସହିଷ୍ଣୁ ଦେଶ, କାରଣ ଭାରତୀୟମାନେ ସଭ୍ୟ। ବାସ୍ତବିକ ଭାରତ ଏଭଳି ଏକ ଦେଶ ଯେଉଁଠାରେ ବିଭିନ୍ନ ଧର୍ମାବଲମ୍ବୀ ଲୋକଙ୍କ ପରସ୍ପର ମଧ୍ୟରେ ଶାନ୍ତି, ମୈତ୍ରୀ, ଭ୍ରାତୃଭାବ ଓ ସହିଷ୍ଣୁତା ରହିଛି, ଯାହା ଯୋଗୁ ସମସ୍ତ ଭାରତୀୟ ନାଗରିକ ଏକତା ଡୋରିରେ ବାନ୍ଧି ହୋଇ ରହିଛନ୍ତି। ଆମ ସମ୍ବିଧାନରେ କିମ୍ବା କୌଣସି ଆଇନରେ ନିର୍ଦ୍ଦିଷ୍ଟ ଜାତି ବା ଧର୍ମକୁ ପ୍ରାଧାନ୍ୟ ଦିଆଯାଇ ନାହିଁ କାରଣ ସବୁ ଧର୍ମ ଓ ଜାତିର ବ୍ୟକ୍ତି ଆଇନ ଆଗରେ ସମାନ।ଭାରତ ପୃଥିବୀର ଏକ ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର। ଯଦିବା ଦେଶରେ ଅନେକ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ସକ୍ରିୟ ଅଛନ୍ତି, ସେମାନଙ୍କୁ ମୁକାବିଲା କରିବା ପାଇଁ ଦେଶର ଆଇନ ଓ ପ୍ରଶାସନ ସବୁବେଳେ ସଜାଗ ରହିଛି। କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର କ୍ଷମତାରେ ଥିବାବେଳେ ତତ୍କାଳୀନ ଜାତୀୟ ନିରାପତ୍ତା ପରିଷଦଙ୍କ ପରାମର୍ଶକ୍ରମେ ସାମ୍ପ୍ରଦାୟିକ ହିଂସାକୁ ଦମନ କରିବା ପାଇଁ ‘କମ୍ୟୁନାଲ ଆଣ୍ଡ୍‌ ଟାର୍ଗେଟେଡ୍‌ ଭାଓଲେନ୍‌ସ’ ବିଲ୍‌-୨୦୧୧ ସଂସଦରେ ଆଗତ କରିଥିଲେ। ସାମ୍ପ୍ରଦାୟିକ ହିଂସା ପ୍ରଭୃତିର ପ୍ରତିରୋଧ ପାଇଁ ଏଭଳି କୌଣସି ଆଇନର ଆବଶ୍ୟକତା ନ ଥିବା କହି ଅନେକ ରାଜ୍ୟ ସରକାର ଏଭଳି ବିଧେୟକକୁ ସେ ସମୟରେ ବିରୋଧ କରିଥିଲେ। ବାସ୍ତବିକ ଏଭଳି ପ୍ରସ୍ତାବିତ ଆଇନର କୌଣସି ପ୍ରୟୋଜନ ନ ଥିଲା, କାରଣ ଦେଶରେ ବଳିଷ୍ଠ ଫୌଜଦାରି କାର୍ଯ୍ୟବିଧି ଆଇନ, ଦଣ୍ଡସଂହିତା ଓ ଅନ୍ୟ ସବୁ ଉପାଦେୟ ଆଇନ ମହଜୁଦ ରହିଛି, ଯାହା ଯେକୌଣସି ସମୟରେ ସମ୍ଭାବିତ ସାମ୍ପ୍ରଦାୟିକ ଦଙ୍ଗାକୁ ପ୍ରତିହତ କରିବାକୁ ସମର୍ଥ। ମହାତ୍ମା ଗାନ୍ଧୀ ତାଙ୍କର ‘ହରିଜନ’ ପତ୍ରିକାରେ ଲେଖିଥିଲେ ଭାରତ ଗୋଟିଏ ଧର୍ମନିରପେକ୍ଷ ରାଷ୍ଟ୍ର ହେବାକୁ ବାଧ୍ୟ, ଯେଉଁଠାରେ ଜାତୀୟତାର ନିର୍ଦ୍ଧାରଣ ପାଇଁ ଧର୍ମକୁ ଆୟୁଧ କରାଯିବ ନାହିଁ। ଗାନ୍ଧୀ କହିଥିଲେ, ଧର୍ମ ହେଉଛି ବ୍ୟକ୍ତିର ଭଗବାନଙ୍କ ସହିତ ବ୍ୟକ୍ତିଗତ ବ୍ୟାପାର। ଭାରତବର୍ଷରେ ମୁସଲମାନ ସମ୍ପ୍ରଦାୟର ଅନେକ ବ୍ୟକ୍ତି ବହୁ ଆଗରୁ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ତଥା ସାମ୍ବିଧାନିକ ସର୍ବୋଚ୍ଚ ପଦପଦବୀ ଅଳଙ୍କୃତ କରିଯାଇଛନ୍ତି। ଦେଶର କାର୍ଯ୍ୟପାଳିକା, ନ୍ୟାୟପାଳିକା ଓ ବ୍ୟବସ୍ଥାପକ ସଭାରେ ମଧ୍ୟ ମୁସଲିମ୍‌ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ସ୍ବାଧୀନତା ପରେ ପରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଆସିଛନ୍ତି। ତେଣୁ ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟ ଜାତୀୟ ମୁଖ୍ୟସ୍ରୋତରେ ଅନେକ ଆଗରୁ ସାମିଲ ହୋଇ ରହିଛନ୍ତି। କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ଅଧୀନରେ ମଧ୍ୟ ସଂଖ୍ୟାଲଘୁ ଯଥା ମୁସଲିମ୍‌ ସମ୍ପ୍ରଦାୟ, ଅନୁସୂଚିତ ଜାତି ଓ ଜନଜାତି, ପଛୁଆବର୍ଗ ବ୍ୟକ୍ତିବିଶେଷଙ୍କ ସାମଗ୍ରିକ ଅଭିବୃଦ୍ଧି ଓ କଲ୍ୟାଣ ପାଇଁ ଜାତୀୟ ସ୍ତରରେ ଓ ରାଜ୍ୟମାନଙ୍କରେ ବିଭିନ୍ନ ଆୟୋଗ କାର୍ଯ୍ୟକ୍ଷମ ରହିଛି। ତେଣୁ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ବିଶେଷକରି ମୁସଲମାନ ସମ୍ପ୍ରଦାୟକୁ ଅଣଦେଖା କରାଯାଉଛି, ସେମାନେ ଅସୁରକ୍ଷିତ ଓ ଜାତୀୟ ସ୍ରୋତରେ ସାମିଲ ହୋଇନାହାନ୍ତି ବୋଲି କହିବା ଅଯଥାର୍ଥ।ଧର୍ମନିରପେକ୍ଷତା ସମ୍ବିଧାନର ମୂଳ ଭିତ୍ତି। ଏହା ଭାରତୀୟ ଜୀବନଧାରାର ଅଂଶବିଶେଷ। ତେଣୁ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ରାଜନୈତିକ ଅଭିସନ୍ଧିମୂଳକ ଭାବେ ତଥା ରାଜନୈତିକ ଫାଇଦା ଉଠାଇବା ପାଇଁ ଯେ କୌଣସି ବ୍ୟକ୍ତି ବା ରାଜନୈତିକ ଦଳ ବ୍ୟବହାର କରିବା, ସେମାନେ ଅସୁରକ୍ଷିତ ବୋଲି କହିବା, ଭାରତୀୟ ମହାନୁଭବତା ଓ ଜାତୀୟ ସ୍ବାର୍ଥର ପରିପନ୍ଥୀ। ଭାରତ ଏଭଳି ଏକ ଦେଶ, ଯେଉଁଠାରେ ପୃଥିବୀର ବିଭିନ୍ନ ଭାଷାଭାଷୀ, ଜାତି, ଧର୍ମର ଶରଣାର୍ଥୀମାନେ ଆଶ୍ରୟ ପାଇ ବସବାସ କରିଆସୁଛନ୍ତି। ଉଦାହରଣ ସ୍ବରୂପ ତିବ୍ବତ ଶରଣାର୍ଥୀ, ମ୍ୟାନ୍‌ମାରର ରୋହିଙ୍ଗ୍ୟା ମୁସଲମାନ, ଚକ୍‌ମା ଆଦିବାସୀ, ଆଫ୍‌ଗାନ ଶରଣାର୍ଥୀ, ଶ୍ରୀଲଙ୍କା ତାମିଲ ପ୍ରଭୃତି ଭାରତର ଶରଣାର୍ଥୀ ଭାବେ ରହିଛନ୍ତି। ରୋହିଙ୍ଗ୍ୟା ସମ୍ପ୍ରଦାୟକୁ ତାଙ୍କ ଦେଶ ମ୍ୟାନ୍‌ମାରକୁ ପ୍ରତ୍ୟର୍ପଣ କରିବା ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ଶୁଣାଣି ହେଉଛି। ଅନ୍ୟ ଏକ ପ୍ରସଙ୍ଗ ହେଉଛି କିଛି ଆମତ୍ଘୋଷିତ ଗୋ-ରକ୍ଷକ ଓ ସଂଗଠନ ଦ୍ୱାରା ଗୋ-ରକ୍ଷା ନଁାରେ ଦଳିତ ଓ ମୁସଲମାନ ସମ୍ପ୍ରଦାୟଙ୍କ ଉପରେ ହିଂସାମତ୍କ ଆକ୍ରମଣ ଯୋଗୁ ପ୍ରଧାନମନ୍ତ୍ରୀ ଘୋର ଉଦ୍‌ବେଗ ପ୍ରକାଶ କରିଛନ୍ତି। ନିକଟରେ ସୁପ୍ରିମକୋର୍ଟ ମଧ୍ୟ ଏଭଳି ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ପ୍ରତି ଜିଲାରେ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ‘ନୋଡାଲ ଅଫିସର’ ଭାବେ ନିଯୁକ୍ତି ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଭାରତୀୟଙ୍କୁ ସୁରକ୍ଷା ଦେବା ରାଷ୍ଟ୍ରର କର୍ତ୍ତବ୍ୟ। ଭାରତରେ ବିଭିନ୍ନ ଭାଷାଭାଷୀ, ଜାତି, ଧର୍ମାବଲମ୍ବୀ ଲୋକ ବାସ କରୁଥିଲେ ସୁଦ୍ଧା ଦେଶରେ ଐକ୍ୟ ସ୍ଥାପନ ହୋଇପାରିଛି ଓ ଜାତୀୟ ସଂହତି ବଜାୟ ରହିଛି।ପୂର୍ବତନ ବିଚାରପତି,

ମୋ: ୯୪୩୭୦୨୨୭୨୩



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri