ମିଥ୍ୟା ଆରୋପ

ଆକାର ପଟେଲ

ମୁଁ ବର୍ତ୍ତମାନ ଇସ୍ତାନ୍‌ବୁଲରୁ ଏ ନିବନ୍ଧଟି ଲେଖୁଛି, ଯେଉଁଠି କୋର୍ଟରେ ଏକ ଆତଙ୍କବାଦ ମାମଲାର ବିଚାରବେଳେ ମୁଁ ପର୍ଯ୍ୟବେକ୍ଷକଭାବେ ଉପସ୍ଥିତ ଅଛି। ବିଚାର ଚାଲିଛି ଆମ୍‌ନେଷ୍ଟି ଇଣ୍ଟରନ୍ୟାଶ୍‌ନାଲ, ତୁର୍କୀର ନିର୍ଦ୍ଦେଶକଙ୍କ ଉପରେ। ଅନେକ ପାଠକ ଜାଣିଥିବେ ଯେ ମୁଁ ମଧ୍ୟ ଏହି ଅନୁଷ୍ଠାନର ଏକ ଅଂଶ ଏବଂ ଆମ୍‌ନେଷ୍ଟି ଇଣ୍ଡିଆର ନିର୍ବାହୀ ନିର୍ଦ୍ଦେଶକ। ମୋର ଦୁଇଜଣ ସହକର୍ମୀ ଇଦିଲ ଆସର ଓ ଟାନେର କିଲିକ ଆତଙ୍କବାଦୀ ସଂଗଠନର ସଦସ୍ୟ ଥିବା ଅଭିଯୋଗରେ ବିଚାରର ସମ୍ମୁଖୀନ ହୋଇଛନ୍ତି। ଇଦିଲଙ୍କୁ କିଛି ସପ୍ତାହ ତଳେ ଜାମିନ ମିଳିଥିଲା କିନ୍ତୁ ଟାନେର ଏବେ ବି ଇଜ୍‌ମିର ଜେଲରେ ଅଛନ୍ତି, ଯାହା ଇସ୍ତାନବୁଲଠାରୁ ୫୦୦ କିମି ଦୂର ଏବଂ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ତାଙ୍କର ବିଚାର କରାଯାଉଛି। ସେ ଗତ ଜୁନ୍‌ ମାସରୁ ଜେଲରେ ଅଛନ୍ତି। ଏକ ହୋଟେଲରେ ଡିଜିଟାଲ ସୁରକ୍ଷା ଉପରେ ଏକ କର୍ମଶାଳାର ଆୟୋଜନ ପରେ ଉକ୍ତ କର୍ମୀମାନଙ୍କ ବିରୋଧରେ ଅଭିଯୋଗ ଅଣାଯାଇ ତାଙ୍କୁ ଗିରଫ କରାଯାଇଥିଲା। ସରକାର ଦାବି କରୁଛନ୍ତି ଯେ, ଏହା ଏକ ଗୋପନୀୟ ବୈଠକ ଥିଲା, ଯାହା ଗୁପ୍ତଚରଗିରି କରିବା ଓ ସରକାର ବିରୋଧରେ ଷଡ଼ଯନ୍ତ୍ର କରିବା ପାଇଁ ଉଦ୍ଦିଷ୍ଟ ଥିଲା। ଜଣେ ଜର୍ମାନ୍‌ ଓ ଜଣେ ସ୍ବିଡେନ୍‌ବାସୀଙ୍କ ବିରୋଧରେ ବି ବିଚାର ଚାଲିଛି, ଯେଉଁମାନେ ଜାମିନରେ ଖଲାସ ହୋଇଛନ୍ତି। ମାମଲାଟି ଅତ୍ୟନ୍ତ ଦୁର୍ବଳ ଏବଂ ମୁଖ୍ୟ ଅଭିଯୁକ୍ତ ଟାନେରଙ୍କ ବିରୋଧରେ ତାଙ୍କ ମୋବାଇଲ ଫୋନ୍‌ରେ ବାଇଲକ୍‌ ଆପ୍‌ ଡାଉନ୍‌ଲୋଡ୍‌ କରିବାର ଅଭିଯୋଗ ହୋଇଛି, ଯାହା ହ୍ବାଟ୍‌ସଆପ୍‌ ପରି ଏନ୍‌କ୍ରିପ୍ଟେଡ୍‌ (କୋଡେଡ୍‌ ଭାଷାରେ) ଯୋଗାଯୋଗ ପାଇଁ ବ୍ୟବହାର କରାଯାଏ। ତୁର୍କୀ ସରକାରଙ୍କ ଦାବି ଅନୁସାରେ ଗତବର୍ଷ ସରକାରବିରୋଧୀ ଷଡ଼ଯନ୍ତ୍ରରେ ଗୋପନୀୟଭାବେ ଯୋଗାଯୋଗ କରିବା ପାଇଁ ବାଇଲକ୍‌ର ବ୍ୟବହାର କରାଯାଇଥିଲା। ଆମ୍‌ନେଷ୍ଟି ପକ୍ଷରୁ ଟାନେରଙ୍କ ଫୋନ୍‌ର ଦୁଇଟି ଫୋରେନ୍ସିକ୍‌ ଯାଞ୍ଚ କରାଯାଇଥିଲା। ଅନ୍ତର୍ଜାତୀୟ ପ୍ରଯୁକ୍ତି ସଂସ୍ଥା ସିକିଓର ଓ୍ବାର୍କସ ଦ୍ୱାରା କରାଯାଇଥିବା ଯାଞ୍ଚରୁ ତାଙ୍କ ଫୋନ୍‌ରେ ବାଇଲକ୍‌ର ଚିହ୍ନବର୍ଣ୍ଣ ମିଳି ନ ଥିଲା। କୋର୍ଟରେ ଶୁଣାଣି ବେଳେ ଜଣେ ବିଶେଷଜ୍ଞ ଏହା ପ୍ରକାଶ କରିଥିଲେ। ସେଦିନ ସକାଳେ ଆମ୍ଭମାନଙ୍କ ମଧ୍ୟରୁ ଗୋଟିଏ ଦଳ ଜଷ୍ଟିସ୍‌ ପ୍ୟାଲେସ୍‌ (କୋର୍ଟ) ବାହାରେ ଏକ ପ୍ରତିବାଦର ଆୟୋଜନ କରିଥିଲେ। ଅନେକ ସାଧାରଣ ନାଗରିକ ଏଥିରେ ଯୋଗ ଦେଇଥିଲେ। ବିଦେଶୀ ପର୍ଯ୍ୟବେକ୍ଷକମାନଙ୍କ ମଧ୍ୟରେ ବ୍ରାଜିଲ ଓ ଇଂଲଣ୍ଡର ଆମ୍‌ନେଷ୍ଟି ମୁଖ୍ୟଙ୍କ ସମେତ ୟୁରୋପ ଓ ଆମେରିକାର ଅନେକ କୂଟନୀତିଜ୍ଞ ଉପସ୍ଥିତ ଥିଲେ। ମାନବାଧିକାର ସପକ୍ଷରେ ଏକ ବିବୃତି ପାଠ କରାଯାଇଥିଲା। ଟାନେରଙ୍କ ୧୯ ବର୍ଷୀୟା ଝିଅ ଗୁଲ୍‌ନିହାଲ ମଧ୍ୟ ଆମ ସହ ଥିଲେ। କୋର୍ଟ ଭିତରେ ୧୨୦ ଲୋକ ବସିବାର ସୁବିଧା ଥିଲା, ତେଣୁ ବହୁ ଲୋକ ଭିତରେ ପଶି ନ ପାରି ବାହାରେ ରହିଥିଲେ। କୋର୍ଟରେ ତିନିଜଣ ବିଚାରପତି ଥିଲେ- ଦୁଇଜଣ ପୁରୁଷ ଓ ଜଣେ ମହିଳା। ସେମାନେ ଏକ ଉଚ୍ଚା ପ୍ଲାଟଫର୍ମ ଉପରେ ବସିଥିଲେ। ପ୍ରସିକ୍ୟୁଟର (ମାମଲା ପରିଚାଳକ) ମଧ୍ୟ ସେମାନଙ୍କ ସହ ଗୋଟିଏ ପାର୍ଶ୍ୱରେ ବସିଥିଲେ। ସେ ମାତ୍ର ଗୋଟିଏ ଥର ସଂକ୍ଷେପରେ କହିବାର ଶୁଣାଯାଇଥିଲା, ଯାହା ଉପରେ ଛଅ ଘଣ୍ଟାରୁ ଅଧିକ କାଳ ଧରି ଶୁଣାଣି ଚାଲିଥିଲା। ବାଇଲକ୍‌ ଆପ୍‌ ସମ୍ପର୍କରେ ଜଣେ ବିଶେଷଜ୍ଞ ଆଲୋଚନା କରି ଟାନେରଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଟାନେରଙ୍କ ଫୋନ୍‌ରେ ଥିବା ସଫ୍ଟଓ୍ବେର୍‌ର ଏକ କପି ରଖି ପୋଲିସ ଫୋନ୍‌ଟି ତାଙ୍କୁ ଫେରାଇ ଦେଇଥିଲା। ବିଶେଷଜ୍ଞ ଜଣକ କହିଥିଲେ ଯେ ଟାନେର୍‌ କେବେ ବି ତାଙ୍କ ଫୋନ୍‌ରେ ବାଇଲକ୍‌ ଆପ୍‌ ଡାଉନ୍‌ଲୋଡ୍‌ କରିନାହାନ୍ତି। ଟାନେର କହିଥିଲେ ଯେ, ତାଙ୍କୁ ଗିରଫ କରାଯିବା ପର୍ଯ୍ୟନ୍ତ ସେ ବାଇଲକ୍‌ ଆପ୍‌ ସମ୍ପର୍କରେ ଶୁଣି ବି ନ ଥିଲେ। ଏହା ସତ୍ତ୍ୱେ ପ୍ରଥମ ଶୁଣାଣିରେ ତାଙ୍କୁ ଜାମିନ ମିଳି ନ ଥିଲା। ଦ୍ୱିତୀୟ ଶୁଣାଣି ବିଷୟରେ ଏଠାରେ ଉଲ୍ଲେଖ କରୁଛି। ମଝିରେ ବସିଥିବା ବରିଷ୍ଠ ବିଚାରପତିଙ୍କୁ ବିଶେଷଜ୍ଞ କେତୋଟି ପ୍ରଶ୍ନ ପଚାରିଲେ। ବିଚାର ସମୟରେ ଜଣାଗଲା ମାମଲାଟି ସତ୍ୟ ସପକ୍ଷରେ ନିର୍ଣ୍ଣାୟକଭାବେ ଗତି କରୁଛି। ଆଇପି ଆଡ୍ରେସ୍‌, ବାଇଲକ୍‌ ପରି କେତୋଟି ଇଂଲିଶ ଶବ୍ଦକୁ ଛାଡ଼ିଦେଲେ ମାମଲାଟି ସମ୍ପୂର୍ଣ୍ଣଭାବେ ତୁର୍କୀ ଭାଷାରେ ଶୁଣାଣି ହେଉଥିଲା। ଟାନେରଙ୍କ ବିରୋଧରେ କୌଣସି ପ୍ରମାଣ ନ ଥିବାରୁ ତାଙ୍କୁ ଜାମିନ ପ୍ରଦାନ କରିବାକୁ ସେ ଅନୁରୋଧ କରିଥିଲେ। ପ୍ରସିକ୍ୟୁଟର ଜଣକ ଦିନ ସାରା କେବଳ ଗୋଟିଏ ବାକ୍ୟ କହିବାର ଶୁଣିଛି- ସରକାର ଜାମିନ ଦେବାକୁ ଚାହୁଁନାହାନ୍ତି। ପ୍ରାୟ ଛଅଘଣ୍ଟା ପରେ କେବଳ ଓକିଲ ଓ ଅଭିଯୁକ୍ତଙ୍କୁ ଛାଡ଼ି କୋର୍ଟରୁମ୍‌ରେ ଆଉ କେହି ନ ଥିଲେ। ଆମକୁ ବାହାରେ ଅପେକ୍ଷା କରିବା ପାଇଁ କୁହାଗଲା। ପରେ ଆମେ ଜାଣିଲୁ ଯେ ଜାମିନ ମଞ୍ଜୁର ହେଲା ନାହିଁ। ଏହା ନିରୀହା ଗୁଲ୍‌ନିହାଲଙ୍କ ମନ ଭାଙ୍ଗିଦେଇଥିଲା। ମୁଁ କୋର୍ଟ ରିପୋର୍ଟର ଭାବେ ବହୁବର୍ଷ ଧରି କାର୍ଯ୍ୟ କରିଆସିଛି। କିନ୍ତୁ ଏପରି ଭାବେ ମାନବାଧିକାର ପାଇଁ ଲଢ଼ୁଥିବା ଲୋକଙ୍କ ସ୍ବରକୁ ଚାପିଦେବା, ବାକ୍‌ସ୍ବାଧୀନତାର ହନନ କରିବା ଏବଂ ମିଛରେ ଆତଙ୍କବାଦ ସହ ଜଡ଼ିତ କରିବା ଘଟଣା ଦେଖି ନ ଥିଲି। ମୁଁ ଚାହୁଁଛି ପରବର୍ତ୍ତୀ ଶୁଣାଣି ସମୟରେ ଭାରତ ସରକାର ଜଣେ ପ୍ରତିନିଧିଙ୍କୁ ପଠାନ୍ତୁ। ଆମ ସରକାର ତୁର୍କୀ ସହ ଏ ପ୍ରସଙ୍ଗରେ ଆଲୋଚନା କରିବା ଉଚିତ। ତୁର୍କୀ ସହ ଆମର ସାଂସ୍କୃତିକ ବନ୍ଧନ ରହିଆସିଛି। ଭାରତର ଅଧିକାଂଶ ମୁସଲମାନ ଶାସକ ପ୍ରକୃତରେ ତୁର୍କୀର ଥିଲେ। ମହମ୍ମଦ ଗଜ୍‌ନୀ, ବାବର ଓ ମହୀଶୂରର ଟିପୁ ସୁଲତାନ ତୁର୍କୀର ମୂଳ ବଂଶଜ ଥିଲେ। ତୁର୍କୀର ଉନ୍ନତି ଓ ମାନବାଧିକାର ପାଇଁ କାର୍ଯ୍ୟ କରୁଥିବା ମୋର ସହକର୍ମୀମାନଙ୍କ ମୁକ୍ତି ସକାଶେ ଭାରତ ସରକାର ଉଦ୍ୟମ କରିବା ଉଚିତ ବୋଲି ମୁଁ ଭାବୁଛି।

Email: aakar.patel@gmail.com



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri