ପିତାଙ୍କ ରାଜକୁମାରୀ ପତିଙ୍କ ମହାରାଣୀ

ପ୍ରକାଶ ତ୍ରିପାଠୀ

ଗତ ୧୨ ତାରିଖରେ ଏହି ପୃଷ୍ଠାରେ ପ୍ରକାଶିତ ମୋର ଆଲେଖ୍ୟ ‘ଦିନକର ଘରଣୀ’ ସମ୍ପର୍କରେ ପାଠକଙ୍କଠାରୁ ଅନେକ ମତାମତ ମିଳିଛି। ଘରଣୀ ବା ପତ୍ନୀଙ୍କୁ ବାଦ୍‌ ଦେଇ ଗୋଟିଏ ଉତ୍ତମ ପରିବାରର କଳ୍ପନା ସମ୍ଭବ ନୁହେଁ। ପତ୍ନୀ ଓ ପତି ଠିକ୍‌ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି। ପତ୍ନୀ ବା ପତି ଯେକୌଣସି ଜଣଙ୍କ ଅସହଯୋଗରେ ପରିବାର ଚଳିପାରି ନ ଥାଏ। କିନ୍ତୁ ପୁରୁଷପ୍ରଧାନ ସମାଜରେ ଘରଣୀଙ୍କ ଅବଦାନକୁ କେବେ ବି ଗୁରୁତ୍ୱ ଦିଆଯାଏ ନାହିଁ। ଘରଣୀଟିଏ ଘରେ ଯାହାସବୁ କାମ କରେ, ତାହା ଜଣେ ପୁରୁଷ କଦାପି କରିପାରିବ ନାହିଁ। ମାତ୍ର ଘରଣୀର କିଛି କାମ ନାହିଁ ବୋଲି ସେ ଏହିସବୁ କାମ କରେ- ଏଭଳି ହାଲ୍‌କା ମନ୍ତବ୍ୟ ସାଧାରଣତଃ ଶୁଣିବାକୁ ମିଳିଥାଏ। ପୂର୍ବ ପ୍ରକାଶିତ ଆଲେଖ୍ୟରେ ଉଲ୍ଲେଖ କରାଯାଇଥିବା ଘରଣୀଙ୍କ ପରିବାରଟି ସହରର ଏକ ତଥାକଥିତ ଅଣୁପରିବାର (ପତ୍ନୀ, ପତି ଓ ଗୋଟିଏ ପୁତ୍ର)। ସେହି ଅନୁପାତରେ ଗୋଟିଏ ବଡ ପରିବାରରେ ଜଣେ ଘରଣୀଙ୍କର କାର୍ଯ୍ୟ ନିଶ୍ଚିତ ଆହୁରି ଅଧିକ। ଏ ସମ୍ପର୍କରେ ଅଧିକ କିଛି ଲେଖିବାକୁ କିଛି ପାଠକଙ୍କ ଅନୁରୋଧରେ ଆଜିର ଏହି ଆଲେଖ୍ୟ ପ୍ରସ୍ତୁତ। ବାସ୍ତବରେ ପରିବାର ପାଇଁ ଘରଣୀଟିଏ ଯାହାସବୁ କରେ ତାହା ମୂଲ୍ୟାୟନ କରିବା ସହଜ ନୁହେଁ। ଝିଅଟିଏ ଜନ୍ମ ହେଉ ହେଉ ତାକୁ ପ୍ରତିମୁହୂର୍ତ୍ତରେ ସ୍ମରଣ କରାଇ ଦିଆଯାଏ ଯେ ଝିଅ ଜନମ ପର ଘରକୁ। ଅର୍ଥାତ୍‌ ସେ ଯେଉଁ ଘରେ ଜନ୍ମ ହୋଇ ଛୋଟରୁ ବଡ ହେବ, ଯେଉଁଘରେ ମା-ବାପା, ଭଉଣୀ-ଭାଇ, ଜେଜେମା-ଜେଜେବାପାଙ୍କ ଗହଣରେ ହସିଖେଳି ଦିନ କାଟିବ, ସେ ଘର ତା’ ନିଜ ଘର ନୁହେଁ। ଦିନେ ଏ ସବୁକୁ ଛାଡି ଅନ୍ୟ ଘରକୁ ସେ ନିଜର କରିବ। ନିଜ ଘରର ସମସ୍ତଙ୍କୁ ଭୁଲି ଅଜଣା, ଅଚିହ୍ନା ଲୋକଙ୍କ ସହ ସମ୍ପର୍କ ଯୋଡିବ। ପତି ରୂପରେ ପାଇଥିବା ପୁରୁଷର ନାମରେ ମଥାରେ ସିନ୍ଦୂର ଲଗାଇବ, ହାତରେ ଶଙ୍ଖା ପିନ୍ଧିବ। ଜନ୍ମଦାତା ମା-ବାପା ବଦଳରେ ସ୍ବାମୀ ରୂପରେ ପାଇଥିବା ଲୋକଟିକୁ ଇହକାଳ, ପରକାଳର ଦେବତା ରୂପେ ପୂଜିବ। ବିବାହ ପରେ ଝିଅଟିଏ ବଦଳିଯାଏ ଘରଣୀକୁ। ତା’ ସହିତ ତା’ ପାଇଁ ବଦଳିଯାଏ ସାରା ଦୁନିଆ। ବଦଳିଯାଏ ତା’ର ନାଁ। ବାପାର ସାଙ୍ଗିଆ କଟିଯାଇ ପତିର ସାଙ୍ଗିଆ ଯୋଡିହୋଇଯାଏ। ପତିର ବଂଶରକ୍ଷା ପାଇଁ ଗର୍ଭଧାରଣ କରେ। ଦଶମାସର ଗର୍ଭଯନ୍ତ୍ରଣା ସହି ଯେଉଁ ସନ୍ତାନଟିକୁ ଜନ୍ମ ଦିଏ ସେ ବି ପତିର ନାମ ଧାରଣ କରେ। ନିଜର ନାମ ଓ ଅସ୍ତିତ୍ୱକୁ ସମ୍ପୂର୍ଣ୍ଣ ହଜାଇଦେଇ ସେ ତା’ର ଅବଶିଷ୍ଟ ଜୀବନ କେବଳ ତ୍ୟାଗ ହିଁ କରିଚାଲେ। ପିଲାଟି ଜନ୍ମ ହେବାଠାରୁ ବଡ ହେବା ପର୍ଯ୍ୟନ୍ତ ସମସ୍ତ ଲାଳନପାଳନ ଦାୟିତ୍ୱ କେବଳ ମା’ରୂପୀ ଘରଣୀର। ବିବାହ କରିବା ଦିନଠାରୁ ସେ ନିଜ ଜୀବନକୁ ପତିର ପରିବାର ପାଇଁ ଉତ୍ସର୍ଗ କରିଚାଲେ। ରୋଷେଇ କରିବା, ଲୁଗାପଟା ସଫା କରିବା, ଘରକୁ ସଫା ସୁନ୍ଦର ରଖିବା, ବାସନ ମାଜିବା, ପତିଙ୍କ ମା-ବାପା ଅର୍ଥାତ୍‌ ଶାଶୁ-ଶ୍ୱଶୁରଙ୍କ ସେବା କରିବା, ଘରକୁ ବନ୍ଧୁବାନ୍ଧବ ଆସିଲେ ସେମାନଙ୍କ ଚର୍ଚ୍ଚା କରିବା, ରୋଗବ୍ୟାଧିରେ ପରିବାରର ସମସ୍ତଙ୍କ ସେବା-ଶୁଶ୍ରୂଷା କରିବା, ନଣନ୍ଦ ଦିଅରଙ୍କ ମନ ବୁଝି ସେମାନଙ୍କ କାମ କରିବା ଓ ସର୍ବୋପରି ପତି ପରମେଶ୍ୱରଙ୍କୁ ସମସ୍ତ ସୁଖ ଦେଉ ଦେଉ ସେ କେତେବେଳେ ଯେ ନିଜ ଖୁସି କଥା ଭୁଲିଯାଏ ଜାଣିପାରେ ନାହିଁ। ସମସ୍ତଙ୍କ ପସନ୍ଦକୁ ସମ୍ମାନ ଦେଇ ଦେଇ ନିଜ ପସନ୍ଦ-ନାପସନ୍ଦ କଥା ପାଶୋରିଯାଏ। ନିଜର ସ୍ବାସ୍ଥ୍ୟ, ସୌନ୍ଦର୍ଯ୍ୟ, ରୁଚିକୁ ଭୁଲି ପରିବାରର ସୁଖ ସମୃଦ୍ଧି କାମନା କରିବା ହୋଇଯାଏ ତା’ଜୀବନର ମୁଖ୍ୟ ବ୍ରତ। ନା ସେ ମନଖୋଲି ହସିପାରେ, ନା କାନ୍ଦିପାରେ। ସ୍ବାଧୀନ ଭାବେ ନିଜର ଇଚ୍ଛା ବି ପ୍ରକାଶ କରିପାରେନି ସେ। ଝିଅ ଜୀବନର ସମସ୍ତ ଚପଳତା ଯେମିତି ଦବିଯାଏ ପତ୍ନୀଟିଏ ହେବାର ଗୁରୁଦାୟିତ୍ୱ ନେବାରେ। କେତେଜଣ ପତି ପତ୍ନୀଙ୍କର ଏପରି ତ୍ୟାଗକୁ ବୁଝନ୍ତି? ଇଏ ତ ଗଲା ସାଧାରଣ ପରିବାରରେ ଗୃହିଣୀମାନଙ୍କ କଥା। ଏପରି ଅନେକ ପରିବାର ଅଛି ଯେଉଁଠାରେ କି ଘରଣୀମାନଙ୍କୁ ନିଜ ଘର ଭିତରେ ବି ମୁହଁକୁ ଅନାବରଣ କରିବାକୁ ଅନୁମତି ନ ଥାଏ। ଘରଣୀମାନେ ବାହାରକୁ ଯିବା ମନା। ପରିବାର ଲୋକଙ୍କ ବ୍ୟତୀତ ଅନ୍ୟ କାହା ସଙ୍ଗେ କଥା ହେବା ମନା। ମାର୍କେଟ ଯିବାକୁ ଅନୁମତି ନ ଥାଏ କି ସିନେମା ଦେଖିବାକୁ ଅନୁମତି ମିଳେନା। ପାର୍କରେ ବୁଲିବା କଥା କିଏ ପଚାରେ? କେବଳ ପତିଙ୍କ ଇସାରାରେ କାର୍ଯ୍ୟ କରିବାର ଅନୁମତି। ପତିମାନଙ୍କ ଖୁସି ହିଁ ସେମାନଙ୍କ ଖୁସି। ଚାରିକାନ୍ଥ ଭିତରେ ଜୀବନ କଟିଯାଏ ମୃତ୍ୟୁ ପର୍ଯ୍ୟନ୍ତ। ଏପରି କି ଗୃହିଣୀଟିର ପସନ୍ଦ, ଅପସନ୍ଦ, ଇଚ୍ଛା-ଅନିଚ୍ଛା ବିଷୟରେ ପଦୁଟିଏ ପଚାରିବାକୁ କେହି ଉଚିତ ମନେକରି ନ ଥାନ୍ତି। ଘରଣୀମାନଙ୍କୁ ଏଭଳି ଦାସତ୍ୱ ଜୀବନ ବିତାଇବାକୁ ପରମ୍ପରା କରିଥିବା ପତିମାନେ ଗୋଟିଏ ଦିନ ଏପରି ଜୀବନ ବିତାଇପାରିବେ କି? ପତିମାନେ ପତ୍ନୀମାନଙ୍କ ପାଇଁ ଈଶ୍ୱର, ପରମେଶ୍ୱର ଓ ଇହକାଳ ପରକାଳର ଦେବତା। ଆଉ ପତ୍ନୀମାନେ ପତିମାନଙ୍କ ପାଇଁ କ’ଣ? ପତି ଜିଇଥିବା ଯାଏ ପତ୍ନୀଟିଏ ସଧବା। ପତିଙ୍କ ଦେହାନ୍ତ ପରେ ବିଧବା। ଏହାପରେ ଘରଣୀଟିଏ ପାଇଁ ବଢିଯାଇଥାଏ କଟକଣା। ଯାବତୀୟ ଓଷା, ବ୍ରତ ଓ ହବିଷ କେବଳ ପତ୍ନୀ ପାଇଁ। ପତି ଜିଇଥିବା ବେଳେ ଯେତିକି, ପତିର ଦେହାନ୍ତ ପରେ ତା’ଠାରୁ ଅଧିକ। ପତିଙ୍କ ଦେହାନ୍ତ ପରେ ପତ୍ନୀ ପାଇଁ ଖାଇବା, ପିନ୍ଧିବା ସବୁଥିରେ କଟକଣା, ହେଲେ ପତ୍ନୀଙ୍କ ଦେହାନ୍ତ ପରେ ପତି ପାଇଁ କିଛି ବି କଟକଣା ନାହିଁ। ସୁପରଷ୍ଟାର ଅମିତାଭ ବଚ୍ଚନ ନିଜ ଅଭିନୀତ ସିନେମା ‘ପିଙ୍କ’ ମୁକ୍ତିଲାଭ ଅବସରରେ ଏକ ମର୍ମସ୍ପର୍ଶୀ ବ୍ଲଗ୍‌ ପତ୍ନୀମାନଙ୍କ ସପକ୍ଷରେ ଲେଖିଥିଲେ। ସେଥିରେ ସେ ପ୍ରଶ୍ନ କରିଥିଲେ- ତୁମ ମା’ ଓ ତୁମ ପତ୍ନୀଙ୍କ ମଧ୍ୟରେ ଫରକ କ’ଣ? ଉଭୟ ଆମକୁ ଭଲ ପାଆନ୍ତି। ଆମ ପାଇଁ ସେମାନଙ୍କ ସ୍ବାର୍ଥ ତ୍ୟାଗ କରନ୍ତି। ଆମ ମନପସନ୍ଦର ଖାଦ୍ୟ ରାନ୍ଧି ଆମକୁ ବଳେଇ ବଳେଇ ଖୁଆନ୍ତି। ଆମ ମଙ୍ଗଳ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତି ଓ ନାନାଦି ଓଷାବ୍ରତ ପାଳନ୍ତି। ଆମରି ପାଇଁ ହିଁ ଉଭୟ ବଞ୍ଚିଥାନ୍ତି। ଯଦି ମା’ ଆମକୁ ଏ ଦୁନିଆକୁ ଆଣିଥାଏ ତେବେ ପତ୍ନୀ ଆମକୁ ନେଇ ଏକ ନୂଆ ଦୁନିଆ ଗଢିଥାଏ।... କିନ୍ତୁ କ’ଣ ପାଇଁ ପତିମାନେ ପତ୍ନୀମାନଙ୍କୁ ପ୍ରତିବେଳେ ପ୍ରତି କ୍ଷେତ୍ରରେ ଅବହେଳା କରନ୍ତି ଓ ନୂ୍ୟନ ମଣନ୍ତି? ପତ୍ନୀମାନେ ତୁମଠାରୁ କିଛି ଆଶା କରନ୍ତି ନାହିଁ। କେବଳ ତୁମର ସାହଚର୍ଯ୍ୟ ଆଶା କରନ୍ତି। ତୁମେ ସର୍ବଦା ତାଙ୍କ ସାଥିରେ ଅଛ, ଏତିକି କେବଳ ତାଙ୍କୁ ଅନୁଭବ କରିବାକୁ ଦିଅ, ସେତିକି ହିଁ ତାଙ୍କ ପାଇଁ ଯଥେଷ୍ଟ। ସେଥିରୁ ହିଁ ସେ ହୃଦୟଙ୍ଗମ କରିପାରିବେ ଯେ ଗତକାଲି ବାପାଙ୍କର ଥିବା ରାଜକୁମାରୀ ଆଜି ପତିଙ୍କର ମହାରାଣୀ। ଅମିତାଭଙ୍କ ଉକ୍ତି ଶତପ୍ରତିଶତ ସତ୍ୟ ଓ ସ୍ବାଗତଯୋଗ୍ୟ। ଆଜିକାଲି ଅଧିକାଂଶ ଜୋକ୍ସ ବା ହସକଥା ପ୍ରସ୍ତୁତ ହେଉଛି ଓ ପରିବେଶିତ ହେଉଛି କେବଳ ପତ୍ନୀମାନଙ୍କୁ ନେଇ। ଟିଭିରେ ପ୍ରଦର୍ଶିତ କମେଡି ହେଉ ବା ମେଲୋଡି ହେଉ, ଫେସ୍‌ବୁକ୍‌ ହ୍ବାଟ୍ସ ଆପ୍‌ ଭଳି ସୋସିଆଲ ମିଡିଆ ହେଉ ବା ବ୍ୟଙ୍ଗ କବିତା ଆସର ହେଉ, ସବୁଠାରେ ସେଇ ଘରଣୀମାନଙ୍କୁ ନେଇ ବ୍ୟଙ୍ଗ, ଉପହାସ। ସତେଯେମିତି ଏ ଦୁନିଆରେ ଘରଣୀମାନଙ୍କୁ ବାଦ୍‌ ଦେଇ ହସକଥା ପ୍ରସ୍ତୁତ ହୋଇପାରିବ ନାହିଁ। ଆମେ ବ୍ୟଙ୍ଗ କରିବା ପୂର୍ବରୁ ଭୁଲିଯିବା ଅନୁଚିତ ଯେ ବ୍ୟଙ୍ଗର ଶିକାର ହେଉଥିବା ଘରଣୀଟିଏ କାହାର ମା’ ହୋଇଥିବ, ଭଉଣୀ ହୋଇଥିବ ଅଥବା କାହାର କନ୍ୟାଟିଏ ହୋଇଥିବ। ଯଦି ଭଉଣୀ, ମା’ ବା ଝିଅ ସମ୍ପର୍କରେ ଆମେ ପଦୁଟିଏ ଥଟ୍ଟା କଥା ଶୁଣିବାକୁ ପ୍ରସ୍ତୁତ ନୋହୁଁ, ତେବେ ଘରଣୀଙ୍କ ସମ୍ପର୍କରେ ତାଚ୍ଛଲ୍ୟପୂର୍ଣ୍ଣ ଶବ୍ଦ ଉଚ୍ଚାରଣ କରିବାକୁ ଆମ ଜିଭ ପ୍ରସ୍ତୁତ ହେଉଛି କିପରି? ଘରଣୀମାନଙ୍କ ବାବଦରେ ପତିମାନେ ଏତେ ଅସଚେତନ କାହିଁକି?

ମୋ-୯୪୩୭୨୩୨୪୬୩, ଇମେଲ୍‌-prakas.tripathy09@gmail.com



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri