ମହିଳାଙ୍କ ପାଇଁ ବତିଘର

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ଭାରତୀୟ ମହିଳା ପ୍ରତି କ୍ଷେତ୍ରରେ ନିଜର ସ୍ବାତନ୍ତ୍ର୍ୟ ବଜାୟ ରଖିବା ଲାଗି ସତତ ପ୍ରୟାସରତ। ନାରୀ ସଶକ୍ତୀକରଣ ଦିଗରେ ଏହା ଏକ ଶୁଭ ସଙ୍କେତ ଦେଉଛି। ୨୩ ନଭେମ୍ବର ୨୦୧୭ରେ ଶୁଭାଙ୍ଗି ସ୍ବରୂପ ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ ଭାବେ ନିଯୁକ୍ତି ପାଇବା ସୁନିଶ୍ଚିତ ହୋଇଛି। ସ୍ବାଧୀନତାର ୭୦ ବର୍ଷ ପରେ ଜଣେ ମହିଳା ଏଭଳି ସଫଳତା ପାଇବା ଭାରତୀୟ ଲଳନାମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବା ସ୍ବାଭାବିକ। ଉତ୍ତରପ୍ରଦେଶର ବରେଲିଠାରେ ଶୁଭାଙ୍ଗିଙ୍କ ଜନ୍ମ। ପିତା ଜ୍ଞାନ ସ୍ବରୂପ କାର୍ଯ୍ୟରତ ନୌସେନା ଅଧିକାରୀ। ମାତା କଳ୍ପନା ସ୍ବରୂପ ବିଶାଖାପାଟଣାସ୍ଥିତ ନେଭି ଚିଲ୍‌ଡ୍ରେନ୍‌ ସ୍କୁଲର ଶିକ୍ଷୟିତ୍ରୀ। ପିଲାଟି ବେଳୁ ପିତାଙ୍କ କାର୍ଯ୍ୟ ଓ ପ୍ରତିରକ୍ଷା ପ୍ରତି ଥିବା ତାଙ୍କ ଅଙ୍ଗିକାରବଦ୍ଧତାକୁ ଦେଖି ଆସିଥିବା ଶୁଭାଙ୍ଗି ସାହସୀ ହେବାକୁ ଶିଖିଆସିଛନ୍ତି। ସେଥିପାଇଁ ପାରମ୍ପରିକ ବୃତ୍ତିରେ ଯୋଗ ଦେଇ ଜୀବନକୁ ଆଗକୁ ନେବାକୁ ସେ ଚାହିଁ ନାହାନ୍ତି। ଦୁଃସାହସିକ ଯାତ୍ରା କରିବା ହୋଇଯାଇଛି ତାଙ୍କ ମୁଖ୍ୟ ଲକ୍ଷ୍ୟ। ବାୟୋଟେକ୍ନୋଲୋଜି ଇଞ୍ଜିନିୟରିଂରେ ଊତ୍ତୀର୍ଣ୍ଣ ହେବା ପରେ ସେ କେରଳ କନ୍ନୁରର ଏଜିମାଲାସ୍ଥିତ ଇଣ୍ଡିଆନ୍‌ ନେଭି ଏକାଡେମୀରେ ଯୋଗଦେଇଥିଲେ। ମହିଳା ଅଫିସରଙ୍କ ପ୍ରଥମ ବ୍ୟାଚ୍‌ ଏଠାରୁ ସ୍ନାତକ ଡିଗ୍ରୀ ପାଇଥିବାରୁ ଶୁଭାଙ୍ଗି ଏଭଳି ସଫଳତାର ଏକ ଅଂଶ ପାଲଟିଯାଇଛନ୍ତି। କେବଳ ସେତିକି ନୁହେଁ, ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ ଭାବେ ନିଯୁକ୍ତି ପାଇ ପିତାଙ୍କ ବୃତ୍ତିରେ ନିଜକୁ ସାମିଲ କରିବା ସହ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ପାଠପଢ଼ାରେ ପିଲାଟି ବେଳୁ ପ୍ରତିଭା ପ୍ରଦର୍ଶନ କରିଆସିଥିବା ଶୁଭାଙ୍ଗି ନିଜକୁ ଖେଳକୁଦରେ ମଧ୍ୟ ଆଗକୁ ନେଇପାରିଛନ୍ତି। ଟାଏକୋଣ୍ଡୋରେ ସ୍ବର୍ଣ୍ଣପଦକ ହାସଲ କରିବା ସହ ଜଣେ ବୁଡ଼ାଳି ଭାବେ ସେ ଦୁଃସାହସିକ ଯାତ୍ରା କରିଛନ୍ତି। ନିଜ ଚାରିକଡ଼େ ଥିବା ପିଲାଙ୍କଠାରୁ କିଛି ଭିନ୍ନ କରି ଦେଖାଇବା ପାଇଁ ତାଙ୍କ ନିରନ୍ତର ପ୍ରୟାସ ଆଜି ତାଙ୍କୁ ସଫଳତା ପରେ ସଫଳତା ଦେଇଚାଲିଛି। ଉପରକୁ ଉଠିବା ବେଳେ ସେ ଅନେକ ଘାତପ୍ରତିଘାତର ସମ୍ମୁଖୀନ ହୋଇଛନ୍ତି, ତଥାପି ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇ ନାହାନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ପିତାଙ୍କ ଯୋଗଦାନ ତାଙ୍କୁ ସେହି ଦିଗରେ ଯିବା ପାଇଁ ପ୍ରେରଣା ଦେଇଥିଲା। ହେଲେ ଅସୀମ ଧୈର୍ଯ୍ୟ ଶକ୍ତି ଦ୍ୱାରା ସେ ସଫଳତା ଅର୍ଜନ କରିପାରିଛନ୍ତି ବୋଲି ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ ଭାବେ ମାନ୍ୟତା ପାଇବା ପରେ ଏହା କହିଛନ୍ତି। ସାଧାରଣତଃ ପ୍ରତିରକ୍ଷା କିମ୍ବା ପାଇଲଟ ଭଳି ଏକ ଆହ୍ବାନପୂର୍ଣ୍ଣ କାର୍ଯ୍ୟକ୍ଷେତ୍ରରେ ପ୍ରବେଶ କରିବାକୁ ମହିଳାମାନେ ଅମଙ୍ଗ ହୋଇଥାନ୍ତି। କିନ୍ତୁ ଶୁଭାଙ୍ଗି ଏ ଦିଗରେ ଅନନ୍ୟ ଦୃଷ୍ଟାନ୍ତ ପାଲଟିପାରିଥିବାରୁ ଅନ୍ୟ ପ୍ରତିଭାସମ୍ପନ୍ନ ଯୁବ ମହିଳା ଏ ଦିଗ ପ୍ରତି ଆକର୍ଷିତ ହୁଅନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି। ଯଦିଓ ତାଙ୍କ ବୃତ୍ତିରେ ଅନେକ କଠିନ ଦାୟିତ୍ୱବୋଧ ଯୋଡ଼ି ହୋଇ ରହିଛି, ତଥାପି ପଦବୀ ଅନୁଯାୟୀ ତାହାକୁ କୃତିତ୍ୱର ସହ ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଧରି ନେଇଛନ୍ତି। ନିଜର ନୂଆ ଦାୟିତ୍ୱରେ ଯୋଗଦେବା ପୂର୍ବରୁ ତାଙ୍କୁ ହାଇଦ୍ରାବାଦସ୍ଥିତ ଦୁଣ୍ଡିଗାଲ୍‌ ଏୟାରଫୋର୍ସ ଏକାଡେମୀରେ ଏକବର୍ଷ ରୀତିମତ କସରତ କରିବାକୁ ପଡ଼ିବ। ଏହା ପରେ ସେ ସାକାର ହୋଇଥିବା ତାଙ୍କ ସ୍ବପ୍ନ ଦୁନିଆରେ ବାସ୍ତବ ପ୍ରଦର୍ଶନ କରି ଭାରତୀୟ ମହିଳାଙ୍କ ପାଇଁ ଭିନ୍ନ ଏକ ବତିଘର ପାଲଟିବେ ବୋଲି ଭାରତୀୟ ଆଶା ରଖିବା ସ୍ବାଭାବିକ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri