ମୁଣ୍ଡ ଉପରେ ଖଣ୍ଡା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ଅମଲାତନ୍ତ୍ରରେ ‘କର ବା ମର’ ମନୋଭାବ ମୋଦି ସରକାରର ବିଶେଷତ୍ୱ। ବିଭିନ୍ନ ପାହ୍ୟାର ବାବୁମାନଙ୍କ ଭିତରେ ଶୃଙ୍ଖଳା ବଜାୟ ରଖିବାର ଦାୟିତ୍ୱ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଉପରେ ଅଛି। ଯେଉଁ ବାବୁମାନେ ଭଲ ପ୍ରଦର୍ଶନ କରିପାରୁ ନାହାନ୍ତି ସେମାନଙ୍କ ବିରୋଧରେ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ବଦ୍ଧପରିକର। ଚଳିତବର୍ଷ ପ୍ରାରମ୍ଭରେ କାର୍ମିକ, ଜନ ଅଭିଯୋଗ ଓ ପେନ୍‌ସନ ବିଭାଗ ମନ୍ତ୍ରଣାଳୟ ଅନେକ ଅପାରଦର୍ଶୀ ବାବୁଙ୍କ ବିରୋଧରେ ଅଭୂତପୂର୍ବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ଯେପରି- ସଅଳ ଅବସର ଓ ଦରମା କାଟ। ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହିବା ଓ ଭଲ ପ୍ରଦର୍ଶନ ନ କରିବା ଅଭିଯୋଗରେ ୨୪ ଜଣ ଆଇଏଏସ୍‌ ଅଫିସରଙ୍କ ସମେତ ୩୮୧ ଜଣ ପ୍ରଶାସନିକ ସେବା ଅଧିକାରୀଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଫଳସ୍ବରୂପ କେନ୍ଦ୍ରରେ କାର୍ଯ୍ୟରତ ବାବୁମାନେ ସବୁବେଳେ ମୁଣ୍ଡ ଉପରେ ଖଣ୍ଡା ଝୁଲୁଥିବା ପରି ଆଶଙ୍କା ଭିତରେ ରହୁଛନ୍ତି। ଏହି କାରଣରୁ ଯୋଗ୍ୟ ବିବେଚିତ ହେଲେ ମଧ୍ୟ କେନ୍ଦ୍ରୀୟ ଡେପୁଟେଶନରେ ଆସିବାକୁ ବହୁ ବାବୁ ଚାହୁଁ ନ ଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁସାରେ, ଜଣେ ଆଇଏଏସ୍‌ ଓ ଦୁଇଜଣ ଆଇପିଏସ୍‌ ଅଫିସରଙ୍କ ସମେତ ୨୫ ଜଣ ଗ୍ରୁପ୍‌ ଏ ଅଫିସର ଏବଂ ୯୯ ଜଣ ଗ୍ରୁପ୍‌ ବି ଅଫିସରଙ୍କୁ ଅବଧି ପୂର୍ବରୁ ଅବସର ଦିଆ ଯାଇଛି। ୧୦ ଜଣ ଆଇଏଏସ୍‌ ଅଫିସରଙ୍କ ସମେତ ୨୧ ଜଣ ପ୍ରଶାସନିକ ସେବା ଅଧିକାରୀ ଇସ୍ତଫା ଦେଇଛନ୍ତି। ପାଞ୍ଚ ଜଣ ଆଇଏଏସ୍‌ ଅଫିସରଙ୍କ ସମେତ ୩୭ ଜଣ ଗ୍ରୁପ୍‌ ଏ ଅଫିସରଙ୍କୁ କାର୍ଯ୍ୟରୁ ବରଖାସ୍ତ କରାଯାଇଛି ବା ବାଧ୍ୟତାମୂଳକ ଅବସର ଦିଆଯାଇଛି ଏବଂ ପେନ୍‌ସନ କଟାଯାଇଛି। ଏଥି ସହ ୮ ଜଣ ଆଇଏଏସ୍‌ ଅଫିସରଙ୍କ ସମେତ ୧୯୯ ଜଣ ଗ୍ରୁପ୍‌ ଏ ଅଫିସରଙ୍କୁ ଦଣ୍ଡସ୍ବରୂପ ଦରମା କାଟ କରାଯାଇଛି।

ଅଳିଆ ସଫା

ଅମଲାତନ୍ତ୍ରର ଉଚ୍ଚ ସ୍ତରରେ ସରକାର ଅଳିଆ ସଫା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁ ବାବୁମାନେ ମୋଦିଙ୍କ କାର୍ଯ୍ୟଶୈଳୀକୁ ଆପଣେଇ ପାରିନାହାନ୍ତି, ସେମାନଙ୍କୁ ହଟେଇ ମୋଦିଙ୍କ ଦୃଷ୍ଟିକୋଣ ସହ ସମତାନବିଶିଷ୍ଟ ନୂଆ ମୁହଁମାନଙ୍କୁ ନିଯୁକ୍ତି ମିଳିବ। ଜନରବ ଶୁଣିବାକୁ ମିଳୁଛି ଯେ, ଅର୍ଥନୈତିକ କ୍ଷେତ୍ରରେ କାର୍ଯ୍ୟରତ ବାବୁମାନଙ୍କୁ ସ୍ବତନ୍ତ୍ରଭାବେ ଯାଞ୍ଚ କରାଯାଉଛି। କାରଣ ମୋଦି ସରକାର ବିମୁଦ୍ରୀକରଣ ଓ ଜିଏସ୍‌ଟି ସଫଳତାର ଡିଣ୍ଡିମ ପିଟି ୨୦୧୯ ନିର୍ବାଚନ ଲଢ଼ିବାକୁ ମନସ୍ଥ କରିଛନ୍ତି। ଏହି ବାବୁମାନେ ଯଦି ବୃତ୍ତିଗତ ପାରଦର୍ଶିତାର ସହ କାଯର୍ର୍‌ୟ କରନ୍ତି, ତେବେ ବିମୁଦ୍ରୀକରଣ ଓ ଜିଏସ୍‌ଟି ପଦକ୍ଷେପ ଅଧିକ ସଫଳତା ଆନୟନ କରିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଶା ବାନ୍ଧିଛି। ସୁତରାଂ ଏହି ଦୁଇଟି ପଦକ୍ଷେପକୁ ନେଇ ଜନସାଧାରଣଙ୍କ ମନରେ ଯେଉଁ ନକାରାତ୍ମକ ମନୋଭାବ ବସା ବାନ୍ଧିଛି, ସେଥିପାଇଁ କେତେକ ବାବୁଙ୍କୁ ପିଏମ୍‌ଓ ଦୋଷ ଦେଉଛି। ତେବେ ଯେଉଁ ବାବୁମାନେ ସରକାରଙ୍କ ସୁଦୃଷ୍ଟିରେ ଅଛନ୍ତି, ସେମାନଙ୍କର କିଛି ଚିନ୍ତା କରିବାର କାରଣ ନାହିଁ। ସର୍ବୋପରି ସରକାର ଯୋଗ୍ୟ ଭାବୁଥିବା ବାବୁମାନଙ୍କୁ ଉପଯୁକ୍ତ ପଦପଦବୀରେ ନିଯୁକ୍ତ କରିବାକୁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ଅଧିକନ୍ତୁ, ସରକାର ଗ୍ରୁପ୍‌ ଏ ବାବୁମାନଙ୍କର ଅବସର ବୟସ ୬୦ରୁ ୬୨ ବର୍ଷକୁ ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି। ୬୨ ବର୍ଷ ବୟସରେ ବି ବାବୁମାନେ ଉତ୍ତମ ପ୍ରଶାସନ ଦେଇପାରିବେ ବୋଲି ସରକାର ବିଶ୍ୱାସ କରୁଛନ୍ତି। ୬୦ ବର୍ଷ ବୟସରେ ବି ଯଦି ଗ୍ରୁପ୍‌ ଏ ବାବୁମାନେ ପ୍ରଶାସନିକ ବିଚକ୍ଷଣତା ପ୍ରଦର୍ଶନ କରିପାରୁଛନ୍ତି, ତେବେ ସେମାନଙ୍କୁ ଆଉ ଦୁଇବର୍ଷ ସୁଯୋଗ ମିଳିବା ଉଚିତ। ଖୁବ୍‌ ଶୀଘ୍ର ସରକାର ଏପରି ନିଷ୍ପତ୍ତି ନେବାର ସମ୍ଭାବନା ରହିଛି। ନିଶ୍ଚିତ ଭାବେ ଏହା ଅବସର ନେବାକୁ ଯାଉଥିବା ଗ୍ରୁପ୍‌ ଏ ବାବୁମାନଙ୍କ ପାଇଁ ଏକ ସୁଖବର।

Email: dilipcherian@gmail.com



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri