ବଦଳି ଯାଉଥିବା ଗାଁ

ମନ-ମାନଚିତ୍ର/ ଡ. ନରହରି ବେହେରା

ପଲ୍ଲୀଭୂମି ପ୍ରକୃତିର ନୈସର୍ଗିକ ସୁଷମାର ଲୀଳାସ୍ଥଳୀ। ପ୍ରାକୃତିକ ସୁଷମାର ଏହି ମଧୁମୟ ପରିବେଶ ପଲ୍ଲୀବାସୀଙ୍କୁ କେବଳ ପ୍ରଲୁବ୍ଧ କରେ ନାହିଁ, ବରଂ ବଞ୍ଚିବା ପାଇଁ ସରଳ ଜୀବନ ଚର୍ଯ୍ୟାର ମହାମନ୍ତ୍ର ଶିଖାଇଥାଏ। ସମ୍ଭବତଃ ନମ୍ର କମ୍ର ପ୍ରକୃତି କୋଳରେ ବଢ଼ିଥିବା ଏହି ସରଳ ଅଧିବାସୀଗଣ ପ୍ରକୃତିଠାରୁ ଆପଣାର ମଣିଷମାନଙ୍କୁ ଭଲପାଇବା ଶିଖିଛନ୍ତି। ମକର ସଂକ୍ରାନ୍ତି, ଦୋଳ, ପଣାସଂକ୍ରାନ୍ତି, ରଜ ପ୍ରଭୃତି ପର୍ବପର୍ବାଣି ବା ବିବାହ, ବ୍ରତ ସମୟରେ ସେମାନେ ଏମିତି ଆପଣାର ହୋଇଯାଆନ୍ତି ଯେ, ଜଣାଯାଏ ସତେ ଯେମିତି ସେମାନେ ସମସ୍ତେ ଗୋଟିଏ ପରିବାରର ଲୋକ। ସହରୀ ଜୀବନ ପରି ଆମତ୍କୈନ୍ଦ୍ରିକତା ପଲ୍ଲୀଜୀବନରେ ଦେଖାଯାଏ ନାହିଁ। ସମସ୍ତେ ମିଳିମିଶି ଜୀବନ ଯାପନ କରିବା, ହସଖୁସିରେ ଚଳିବା, ଗ୍ରାମ୍ୟ ଜୀବନର ଏକ ପ୍ରାଚୀନ ପରମ୍ପରା। ସତେ ଯେମିତି ବେଦର ସେହି ‘ସଂଗଚ୍ଛଧ୍ୱଂ ସଂବଦଧ୍ୱଂ...’ ମନ୍ତ୍ରରେ ସେମାନେ ଅଭିମନ୍ତ୍ରିତ ହୋଇଯାଇଛନ୍ତି କେଉଁ ଅନାଦି କାଳରୁ। ବଣରେ ଥିବା କଣ୍ଟାଗୁଡ଼ିକ ଯେମିତି ପ୍ରକୃତି ଦ୍ୱାରା ଆପଣାଛାଏଁ ତୀକ୍ଷ୍ଣ ହୋଇଥାନ୍ତି, ଏଥିପାଇଁ କୌଣସି ହାତ ହତିଆର ଦରକାର ପଡ଼ି ନ ଥାଏ, ସେହିପରି ପଲ୍ଲୀବାସୀ ପ୍ରକୃତିବଶତଃ ପ୍ରକୃତିକୋଳରୁ ଏହି ସରଳତା ଶିକ୍ଷା କରିଥାନ୍ତି। ଏହି ସରଳତା ଯୋଗଁୁ ସେମାନେ କୌଣସି କଥାକୁ ସହଜରେ ଅବିଶ୍ୱାସ କରିପାରନ୍ତି ନାହିଁ। ଅନେକ ସମୟରେ ଏହି ସରଳତା ଯୋଗୁ ସେମାନେ ଅଜ୍ଞତା, ଅନ୍ଧବିଶ୍ୱାସ ଓ ଅପସଂସ୍କୃତିର ଶିକାର ମଧ୍ୟ ହୋଇଥାନ୍ତି। ସେମାନଙ୍କୁ ରୋଗ, ଶୋକ, ଦୁଃଖ, ଯନ୍ତ୍ରଣା ଭୋଗ କରିବାକୁ ପଡ଼ିଥାଏ। ମନୁଷ୍ୟ ଯୁକ୍ତିବାଦୀ ହେଲେ ବିଜ୍ଞ ହୋଇପାରେ, ମାତ୍ର ସରଳ ହୋଇପାରେ ନାହିଁ। ସରଳତା ନ ରହିଲେ ମାନବିକତା ଦୂରେଇଯାଏ। କପଟାଚାର ବୃଦ୍ଧିପାଏ। ପଲ୍ଲୀବାସୀ ଯୁକ୍ତିବାଦୀ ନୁହନ୍ତି। ତେଣୁ କପଟାଚାର, ହିଂସା, ଦ୍ୱେଷ ସହଜରେ ସେମାନଙ୍କୁ କବଳିତ କରିପାରେ ନାହିଁ। ଏଥିପାଇଁ ସେମାନେ ଦୁଃଖଯନ୍ତ୍ରଣାରେ ଜର୍ଜରିତ ହୋଇଥାନ୍ତି ସତ, ଏହା ସତ୍ତ୍ୱେ ସେମାନେ ସରଳତାକୁ ଛାଡ଼ିପାରନ୍ତି ନାହିଁ। ପରିବର୍ତ୍ତନ ମାନବ ସଭ୍ୟତାର ଚିର ସହଚର। ଆରଣ୍ୟକ ସଭ୍ୟତାଠାରୁ ଆଧୁନିକ ସଭ୍ୟତା ପର୍ଯ୍ୟନ୍ତ ସବୁ ପରିବର୍ତ୍ତନ ଏ ମାନବ ସମାଜର ଗତି ଯୋଗୁଁ ହିଁ ସମ୍ଭବ ହୋଇ ପାରିଛି। ସେହିପରି ପଲ୍ଲୀଜୀବନର ଗତି ସବୁବେଳେ ମୋଡ଼ ବଦଳାଇଛି। ପଲ୍ଲୀଜୀବନର ପୂର୍ବ ଦୃଶ୍ୟପଟ ଆଉ ପ୍ରାୟ ଦେଖିବାକୁ ମିଳୁନାହିଁ। ଏବେ ଅଧିକାଂଶ ଗାଁ ଆଗ ପରି ଦୁର୍ଗମ ଅଞ୍ଚଳ ହୋଇ ରହିନାହିଁ। ଗାଁ ଗାଁକୁ ପକ୍‌କା ସଡ଼କ ସଂଯୋଗ କରୁଛି। ବିଜୁଳି ଆଲୁଅରେ ଗାଁ ଦାଣ୍ଡ ହସି ଉଠୁଛି। ଏବେ ଗାଁ ଗାଁରେ ବେତାର, ଦୂରଦର୍ଶନ ପରି ଗଣମାଧ୍ୟମ। ସହର ପରି ଗାଁ ଗାଁରେ ହକର ବୁଲି ବୁଲି ଖବରକାଗଜ ବାଣ୍ଟିଲାଣି। ଗାଁ ଗାଁରେ ବିଦ୍ୟାଳୟ, ଡାକଘର ଓ ଚିକିସତ୍ାଳୟ । ଅନ୍ଧବିଶ୍ୱାସ ଓ ଅଶିକ୍ଷାର ଅମା ଅନ୍ଧକାର କ୍ରମଶଃ ଦୂରେଇଯାଉଛି। ଗାଁ ଓ ସହର ମଧ୍ୟରେ ଥିବା ଦୂରତା କ୍ରମଶଃ କମି କମି ଯାଉଛି। ଏହାଦ୍ୱାରା ପଲ୍ଲୀ ଜୀବନରେ ଉନ୍ନତି ହେଉଛି ବୋଲି କୁହାଯାଉଛି। କିନ୍ତୁ ଗଭୀରଭାବରେ ଅନୁଧ୍ୟାନ କଲେ ଅତୀତ ପଲ୍ଲୀଜୀବନରୁ ସରସତା ମରି ମରି ଆସୁଥିବାର ଜଣାଯାଏ। ପୂର୍ବ ପରି ପାରିବାରିକ ସ୍ନେହ ଶ୍ରଦ୍ଧାରେ ହସି ଉଠୁଥିବା ଗାଁ ମାଟିର ରଙ୍ଗ କ୍ରମଶଃ ଫିକା ପଡ଼ି ଆସୁଛି। ପାଶ୍ଚାତ୍ୟ ଶିକ୍ଷାରେ ଶିକ୍ଷିତ ଯୁବଗୋଷ୍ଠୀ ଗାଁ ମାଟିର ମୋହ ତ୍ୟାଗ କରି ସହରାଭିମୁଖୀ ହେବାରେ ଲାଗିଛନ୍ତି। ଗାଁଠାରୁ ସହରରେ ଅଧିକ ସୁଖସୁବିଧା ଅଛି ବୋଲି ସେମାନେ ବିଚାର କରୁଛନ୍ତି। ଗାଁର ଧୂଳିଧୂସରିଆ ବାଟ, ନଡ଼ାଛପର ଘର, ମା’ମାଉସୀର ସ୍ନେହ କି ସାହିଭାଇର ଶ୍ରଦ୍ଧା ସେମାନଙ୍କୁ ବାନ୍ଧି ରଖି ପାରୁନାହିଁ। କୃଷିକର୍ମ, ବେପାର ବଣିଜ କିମ୍ବା ଗ୍ରାମୀଣ ପୂଜାପାର୍ବଣ ପ୍ରତି ସେମାନଙ୍କର ଆଉ ଆଗ୍ରହ ରହୁନାହିଁ। ବର୍ଷ ବର୍ଷ ଧରି ପୂର୍ବପୁରୁଷମାନେ କରି ଆସୁଥିବା କୌଳିକ ବୃତ୍ତିକୁ ସେମାନେ ଘୃଣା ଚକ୍ଷୁରେ ଦେଖୁଛନ୍ତି। ଗାଁର ସବୁ ପ୍ରାଚୀନ ପରମ୍ପରା ଓ ଚଳଣି ଆଧୁନିକ ଶିକ୍ଷିତ ଗୋଷ୍ଠୀଙ୍କ ଦୃଷ୍ଟିରେ ଅନାବଶ୍ୟକ ଓ ଅନ୍ଧବିଶ୍ୱାସର ରୂପ ନେଇଛି। ଶ୍ରମବିମୁଖତା ଓ ତଥାକଥିତ ସହରୀ ଜୀବନକୁ ସେମାନେ ଆଭିଜାତ୍ୟର ଲକ୍ଷଣ ବୋଲି ଧରି ନେଇଛନ୍ତି। ଗାଁର କୌଣସି କର୍ମରେ ସେମାନଙ୍କର ସମ୍ପର୍କ ରହୁନାହିଁ। ପଲ୍ଲୀମାଟିରେ ବାସ କରୁଥିବା ଆମତ୍ୀୟସ୍ବଜନଙ୍କ ସହିତ ସେମାନେ ସତେ ଯେମିତି ଜନ୍ମଜନ୍ମାନ୍ତରର ସମ୍ପର୍କ ତୁଟାଇ ଦେଇଛନ୍ତି। ସରକାରୀ ବାବୁମାନେ ପରିଦର୍ଶନରେ ଆସିବା ପରି କେବେ କେମିତି ସେମାନେ ଗାଁକୁ ବୁଲି ଆସୁଛନ୍ତି, ଓଳିଏ ଘଡ଼ିଏ ରହି ପୁଣି ପଳାଇ ଯାଉଛନ୍ତି। ଯେଉଁମାନେ ସହରକୁ ଯାଇ ନ ପାରି ଗାଁରେ ପଡ଼ି ରହୁଛନ୍ତି, ସେମାନଙ୍କର ମଧ୍ୟ ଗାଁ ପ୍ରତି ସ୍ନେହ, ଶ୍ରଦ୍ଧା ବା ସମ୍ମାନ ରହୁନାହିଁ। ପରସ୍ପର ପ୍ରତି ଥିବା ଅକୃତ୍ରିମ ସ୍ନେହପ୍ରେମ ଫିକା ପଡ଼ିଗଲାଣି। ସେମାନେ କୌଣସି ନା କୌଣସି ରାଜନୈତିକ ଦଳର ବଶମ୍ବଦ ହୋଇଯାଉଛନ୍ତି। ପୂର୍ବପରି ପାରିବାରିକ ସମ୍ପର୍କ ଅପେକ୍ଷା କୌଣସି ରାଜନୈତିକ ଦଳର ପରିଚୟ ନେଇ ବଞ୍ଚତ୍ବାକୁ ସେମାନେ ଅଧିକ ପସନ୍ଦ କରୁଛନ୍ତି। ତେଣୁ ପୂର୍ବର ସେ ଭାଇଚାରା ଏବେ ଦୁର୍ଲଭ । ସେ ଦିନର କୃଷକ ଓ ନାଉରିଆର ମନଖୋଲା ଗୀତ କ୍ରମଶଃ ଲିଭି ଆସିଲାଣି। ରାଜନୀତିକୁ କେନ୍ଦ୍ର କରି ଭୋଜିଭାତରେ ଏକତ୍ର ବସିବା କିମ୍ବା ପିଠାପଣା ଦିଆନିଆର ପରମ୍ପରା ଏବେ ପ୍ରାୟ ଦେଖିବାକୁ ମିଳୁନାହିଁ। ରାଜନୈତିକ ଦଳର ବିବଦମାନ ହୁଁକାରରେ ପଲ୍ଲୀଭୂମି ଯେତିକି ସ୍ତବ୍ଧ, ପଲ୍ଲୀଜୀବନ ସେତିକି ଆତଙ୍କିତ। ପାଶ୍ଚାତ୍ୟ ରୀତିନୀତି ମଧ୍ୟ ପଲ୍ଲୀଜୀବନର ଗତିପଥ ବଦଳାଇ ଦେବାରେ ଲାଗିଛି। ଜନ୍ମଦିନରେ ଆଗପରି ମେଳା ବା ପାଲାଟିଏ ହେବାର ଦେଖାଯାଉ ନାହିଁ, ପିଠାପଣା କରାଯିବାର ପରମ୍ପରା ମଧ୍ୟ ଅପସରି ଗଲାଣି। ତା’ ପରିବର୍ତ୍ତେ ବାର୍ଥ-ଡେ ପାଳନ, କେକ୍‌ କାଟିବାର ପ୍ରବଣତା, ଆଧୁନିକ ନାଚଗୀତ ପ୍ରବେଶ କଲାଣି। ପାଲା ଦାସକାଠିଆ ପରି ପ୍ରାଚୀନ କଳା ସଂସ୍କୃତି କ୍ରମଶଃ ଲୋପ ପାଇ ପାଇ ଯାଉଛି। ତା’ ସ୍ଥାନକୁ ଭିଡିଓ, ଦୂରଦର୍ଶନର ରୂପେଲି ପରଦା ଦଖଲ କରିଗଲାଣି। ଏହିପରି ସମୟର ପ୍ରବହମାନ ଧାରାରେ ପଲ୍ଲୀଜୀବନର ଗତି ବଦଳିବାରେ ଲାଗିଛି। ପରିବର୍ତ୍ତନ ଆମ ଜୀବନର ଧାରା। ଏହା ଘଟିବା ଅବଶ୍ୟମ୍ଭାବୀ। ଏହି ପରିବର୍ତ୍ତନ ହିଁ ଆମ ପ୍ରଗତିର ଲକ୍ଷଣ। ତେଣୁ ପଲ୍ଲୀଜୀବନରେ ପରିବର୍ତ୍ତନ ଆସିବା ସ୍ବାଭାବିକ ଓ ସ୍ବାଗତଯୋଗ୍ୟ। ଏହି ଗତିକୁ ପ୍ରତିରୋଧ କରିବାର ଅର୍ଥ ପ୍ରଗତିରେ ବାଧା ସୃଷ୍ଟି କରିବା। ମାତ୍ର ଏ ପ୍ରଗତି ସହରାଭିମୁଖୀ ହେବାରେ ନାହିଁ,ପାଶ୍ଚାତ୍ୟ ରୀତିନୀତିକୁ ଆପଣେଇବାରେ ନାହିଁ କି ରାଜନୀତିର ପଶାପାଲିରେ ନାହିଁ। ଆମତ୍ିକ ପରିଚୟ ହରାଇ କେହି କେବେ ନିଜକୁ ପ୍ରଗତିଶୀଳ ବୋଲି କହିପାରି ନାହିଁ। ଆମତ୍ାନୁଶୀଳନ, ସରଳତା, ନିଷ୍କପଟତା, ପାରସ୍ପରିକ ସ୍ନେହ ଶ୍ରଦ୍ଧାରେ ହିଁ ପଲ୍ଲୀଜୀବନର ପ୍ରକୃତ ପ୍ରଗତି ସମ୍ଭବ ହୋଇପାରିବ। ଏଥିପାଇଁ ନିଜ ସଂସ୍କୃତି ଓ ପରମ୍ପରାକୁ ଅଧିକ ମାର୍ଜିତ ଓ ସୁସଂସ୍କୃତ କରିବାକୁ ପଡ଼ିବ।

ମୋ- ୯୪୩୮୪୬୫୪୭୮



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri