ଚକ୍ରବ୍ୟୂହରେ ଚାଷୀ

ସବ୍ୟସାଚୀ ଅମିତାଭ

ଓଡ଼ିଶାର ଚାଷୀ ସବୁବେଳେ ଚର୍ଚ୍ଚାରେ। ଚାଷୀଙ୍କୁ ନେଇ ରାଜନୀତି ବି କିଛି କମ୍‌ ନୁହେଁ। ଓଡ଼ିଶାର ଶତକଡା ୬୦ ଭାଗରୁ ଅଧିକ ଲୋକ କୃଷି ଉପରେ ନିର୍ଭର କରନ୍ତି। ବର୍ଷ ପରେ ବର୍ଷ ବିତିଛି, ସରକାର ପରେ ସରକାର ଆସିଛନ୍ତି, ହେଲେ ଓଡିଶା ଚାଷୀଙ୍କ ଭାଗ୍ୟ ବଦଳିପାରିନି। କ’ଣ ପାଇଁ ଚାଷୀଙ୍କ ଅବସ୍ଥା ଆଜି ହୀନିମାନିଆ? ଛୋଟିଆ ଉଦାହରଣଟେ ଦେବି। ଗୋଟେ ବ୍ଲକ୍‌ରେ ଥରେ ଚାଷୀ ଋଣମେଳା ହେଉଥାଏ। ମହିଳା ଚେୟାରମ୍ୟାନଙ୍କ ପାଦ ତଳେ ଲାଗୁ ନ ଥାଏ ସେଦିନ। ନିଜ ଅଞ୍ଚଳର ଦୁଇ ଶହ ଗରିବ ଚାଷୀଙ୍କୁ ସେ ଋଣ ଯୋଗାଇ ଦେଇଛନ୍ତି। ଘଣ୍ଟେ ପରେ କର୍ମକର୍ତ୍ତା କହିଲେ, ମ୍ୟାଡାମ୍‌ ଋଣବଣ୍ଟା ସରିଗଲା। ଚେୟାରମ୍ୟାନ୍‌ ବିସ୍ମିତ ହୋଇଗଲେ, ପଚାଶ-ଷାଠିଏ ଲକ୍ଷ ଟଙ୍କା କେମିତି ଏଡେ ବେଗି ବଣ୍ଟା ହୋଇଗଲା? କର୍ମକର୍ତ୍ତା କହିଲେ- ନା ଆଜ୍ଞା, ଇୟେ ପରା ଅଦଳବଦଳ ଫର୍ମୁଲା। ତାଙ୍କ ବାକିଆ ଋଣ ଆଡଜଷ୍ଟ କରିଦିଆଗଲା ଆଉ ଗୋଟିଏ ଋଣରେ। ଚାଷୀ ଖୁସ୍‌, ତା’ ମୁଣ୍ଡରୁ ଦାୟିତ୍ୱ ଗଲା। ଆମେ ଖୁସ୍‌, ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ। ଆଉ ସରକାର ବି ଖୁସ୍‌ ଖବରକାଗଜବାଲାଙ୍କଠାରୁ ଏକ ନମ୍ବର ସାର୍ଟିଫିକେଟ୍‌ ପାଇ। ଆଁ କରି ରହିଗଲେ ଚେୟାରମ୍ୟାନ୍‌ ା କାଗଜପତ୍ରରେ ଏହି ଋଣ ବଢି ବଢି ଚାଷୀଙ୍କୁ ଶୋଷିଶୋଷି, ଚାଷୀ ନିଜ କ୍ଷେତରେ ନିଆଁ ଲଗାଇବା ପୂର୍ବରୁ ତା’ ସଂସାରରେ ନିଆଁ ଲାଗିସାରିଥାଏ। ଏ ହେଉଛି ଆମ ଚାଷୀଙ୍କ ପାଇଁ ହେଉଥିବା ଯୋଜନାର ବାସ୍ତବତା। କେତେବେଳେ ବନ୍ୟା, ମରୁଡି ତ ଆଉ କେତେବେଳେ ରୋଗପୋକ। ଫସଲ ନଷ୍ଟ କାରଣରୁ ମାନସିକ ଭାବେ ଭାଙ୍ଗି ପଡୁଛନ୍ତି ଚାଷୀ। ଋଣବୋଝ ତଳେ ଚାପି ହୋଇ ଲାଞ୍ଝିତ ଅପମାନିତ ହେବା ଅପେକ୍ଷା ମରଣକୁ ଶ୍ରେୟସ୍କର ମଣୁଛି ସ୍ବାଭିମାନୀ ଚାଷୀ। ତେବେ ଓଡିଶା ପାଇଁ ମରୁଡି ଓ ଫସଲହାନି ନୂଆ କଥା ନୁହେଁ। ବିଗତ ୫୦ ବର୍ଷ ମଧ୍ୟରୁ ୪୦ ବର୍ଷ ମରୁଡି, ବଢି, ବାତ୍ୟା ଓ ରୋଗପୋକ ସହ ଚାଷୀଏ ଲଢେଇ କରିଛନ୍ତି। ଚଉଦବର୍ଷ କେବଳ ମରୁଡିର ସମ୍ମୁଖୀନ ହୋଇଛନ୍ତି। ପଚାଶବର୍ଷରୁ ୩୫ ବର୍ଷ ସ୍ବାଭାବିକ ହାରଠାରୁ କମ୍‌ ବର୍ଷା ହୋଇଛି। ସେସବୁ ଦୁର୍ବିପାକ ବେଳେ ଚାଷୀ ଆତ୍ମହତ୍ୟା ଶୁଣାଯାଉ ନ ଥିଲା। ଏବେ ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛନ୍ତି କାହିଁକି? ମରୁଡି ଚାଷୀ ଆତ୍ମହତ୍ୟାର ମୁଖ୍ୟ କାରଣ ନୁୁହେଁ। ଚାଷୀ ଆତ୍ମହତ୍ୟାର କାରଣ ଜାଣିବାକୁ ହେଲେ, ପଚାଶ-ଷାଠିଏ ବର୍ଷ ତଳର ଚାଷୀର ଆର୍ଥିକ ଓ ସାମାଜିକ ସ୍ଥିତି ସହ ବର୍ତ୍ତମାନକୁ ତୁଳନା କରିବାକୁ ପଡିବ। ପୂର୍ବେ ଚାଷରେ ଲାଭ ହେଉଥିଲା। ଜମିରେ ଗୋବରଖତ ଦେଇ ଯେତିକି ଧାନ ହେଉଥିଲା, ଏବେ ରାସାୟନିକ ସାର ଦେଇ ପ୍ରାୟ ସେତିକି ଅମଳ ହେଉଛି। ଚାଷୀର ତେଲଲୁଣ ସଂସାରରେ, ଆବଶ୍ୟକ ପଦାର୍ଥ କିଣିବାରେ ପୂର୍ବେ ଚାଷୀକୁ କେତେ ଖର୍ଚ୍ଚ କରିବାକୁ ପଡୁଥିଲା ଓ ଏବେ କେତେ ଖର୍ଚ୍ଚ କରିବାକୁ ପଡୁଛି ତା’ର ହିସାବ ଦେଖିବା। ଲୁଣ ୫୦ କେଜି କିଣିବାକୁ ପୂର୍ବେ ୪ କେଜି ଧାନ ଦେବାକୁ ପଡୁଥିଲା। ସେଥିପାଇଁ ଏବେ ୬୦ କେଜି ଖର୍ଚ୍ଚ କରିବାକୁ ପଡୁଛି। ସୋରିଷ ତେଲ ୧ ଲିଟରକୁ ୮ କେଜି ଧାନ ଦେବାକୁ ପଡୁଥିଲା, ଏବେ ୧୨ କେଜି ଖର୍ଚ୍ଚ କରିବାକୁ ପଡୁଛି। ନଡିଆ ତେଲ ୧ ଲିଟର ପାଇଁ ୧୨ କେଜି ଧାନ ସ୍ଥଳେ ଏବେ ୨୭ କେଜି ଖର୍ଚ୍ଚ କରିବାକୁ ପଡୁଛି। ସେତେବେଳେ ୫ କେଜି ଧାନ ବଦଳରେ ସାଧାରଣ ଧୋତି ମିଳୁଥିବା ବେଳେ ଏବେ ୧୫ କେଜି ଧାନର ମୂଲ୍ୟ ଗୋଟିଏ ପିନ୍ଧା ଧୋତି ସହ ସମାନ। କ୍ଷେତ ମୂଲିଆର ମଜୁରି ବାବଦକୁ ଆଗେ ଦିନକୁ ୪ କେଜି ଧାନ ଦେବାକୁ ପଡୁଥିଲା, ଏବେ ଗୋଟିଏ ମଜୁରି ପାଇଁ ୩୦ କେଜି ଧାନର ମୂଲ୍ୟ ଦେବାକୁ ପଡୁଛି। ବଜାର ଦର ବଢି ଚାଲିଛି ା ଅନ୍ୟାନ୍ୟ ପଦାର୍ଥ ଦରକୁ ତାଳ ଦେଇ ଧାନର ଦର ବଢୁ ନ ଥିବାରୁ ଚାଷୀର ଆର୍ଥିକ ସ୍ଥିତି ଦିନକୁ ଦିନ ଶୋଚନୀୟ ହୋଇଚାଲିଛି। ଆଗରୁ ଚାଷୀ ଋଣ କରୁଥିଲା ଓ ଚାଷ ଲାଭଜନକ ହୋଇଥିବାରୁ ଆରାମରେ ଋଣ ଶୁଝୁଥିଲା। ଏବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଋଣ କରୁଛି ବିବାହ, ବ୍ରତ, ଯାନିଯୌତୁକ ଓ ରୋଗ ଚିକିତ୍ସା ପାଇଁ। ଏବେ ଚାଷୀର ଅବସ୍ଥା, ଦାଣ୍ଡରୁ ଆସେ ହାଣ୍ଡିରେ ପଶେ। ସେ ଋଣ ଶୁଝିବ କେଉଁଠୁ? ଏହି ଋଣବୋଝ ଚାଷୀର ଜୀବନ ନେଉଛି। ଆତ୍ମହତ୍ୟାର ସହଜ ବାଟ ହେଲା ବିଷପାନ। ଚାଷୀର ଘରେ ରାସାୟନିକ ସାର ଓ କୀଟନାଶକ ଯାହାକୁ ଯେତେ। ଏହା ଚାଷୀ ଆତ୍ମହତ୍ୟାର ଅନ୍ୟତମ କାରଣ। ଆଉ ଗୋଟିଏ ବଡ ପ୍ରସଙ୍ଗ ହେଲା ଭାଗଚାଷୀଙ୍କ ସମସ୍ୟା ଓ ସେମାନଙ୍କ ସୁରକ୍ଷା। ଚାଷ ଉପରେ ନିର୍ଭରଶୀଳ ଲୋକଙ୍କ ମଧ୍ୟରୁ ସିଂହଭାଗ ହେଉଛନ୍ତି ଭୂମିହୀନ। ପର ଜମିରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଖଟୁଥିବା ଏଇ ବର୍ଗଟି ହେଉଛନ୍ତି ଭାଗଚାଷୀ। ଥିଲାବାଲା ଲୋକେ ଚାଷକୁ ଭାଗରେ ଲଗାଇ ସୁଫଳ ପାଉଥିବା ବେଳେ ଦୈବୀ ଦୁର୍ବିପାକ ତଥା ରୋଗପୋକ ପାଇଁ କ୍ଷତି ସହିଥାଏ ଭାଗଚାଷୀ। ଭାଗଚାଷୀଙ୍କ ସୁବିଧା ପାଇଁ ସେଭଳି କୌଣସି ସ୍ବତନ୍ତ୍ର ଆଇନ ନ ଥିବାରୁ ସେମାନଙ୍କ ଅବସ୍ଥା ଯେମିତିକୁ ସେମିତି ରହିଛି। ସରକାର ବି ବିଭିନ୍ନ ଆଳରେ ଚାଷୀଙ୍କୁ ଭଣ୍ଡାଇ ଚାଲିଛନ୍ତି। ବର୍ତ୍ତମାନ ରାଜ୍ୟରେ ସାଂଘାତିକ ମରୁଡି ସ୍ଥିତି ଦେଖାଦେଇଛି। ଏହା ଉପରେ ଚଡକ ସାଜିଛି ଚକଡା ପୋକ। ଅନେକ ଚାଷୀ ଆତ୍ମହତ୍ୟା କରିସାରିଲେଣି। ଏଭଳି ସ୍ଥିତିରେ ଚାଷୀଙ୍କୁ ନେଇ ରାଜନୀତି କରା ନ ଯାଉ।

ମୋ- ୯୪୩୮୨୯୬୫୧୯



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri