ଏଇ ଭାରତରେ

ବର୍ଷେ ନୁହେଁ ଦୁଇବର୍ଷ ନୁହେଁ ଦୀର୍ଘ ୧୪ବର୍ଷ ନିଖୋଜ ରହିବା ପରେ ଜଣେ ଝିଅ ତା’ ପରିବାର ନିକଟକୁ ଫେରିଆସିଛି। ପୂଜା ବର୍ମା ନାମ୍ନୀ ଏହି ଝିଅ ୧୪ବର୍ଷ ତଳେ ଉତ୍ତରପ୍ରଦେଶର ଅଯୋଧ୍ୟାରୁ ନିଖୋଜ ହୋଇଯାଇଥିଲା। ବର୍ତ୍ତମାନ ୨୫ବର୍ଷ ବୟସର ପୂଜା ୨୦୦୩ରେ ଅଯୋଧ୍ୟା ରେଳଷ୍ଟେଶନ୍‌ରେ ଖେଳୁଥିବା ସମୟରେ ବମ୍ବେ ଅଭିମୁଖେ ଯାଉଥିବା ଏକ ଟ୍ରେନ୍‌ରେ ବସିଯାଇଥିଲା। ପରେ ପୋଲିସ ତାକୁ ନେରୁଲର ଏକ ଅନାଥାଶ୍ରମକୁ ପଠାଇ ଦେଇଥିଲା। ସେଠାରେ କିଛିଦିନ ରହିବା ପରେ ୨୦୦୯ରେ ସେ ନେରୁଲ୍‌ର ବାସିନ୍ଦା ନିତିନ ଗାଏକଓ୍ବାଡଙ୍କ ଘରେ ରହି କାମରେ ସହାୟତା କରୁଥିଲା। ପୂଜା ତାଙ୍କ ବାପାମା’ଙ୍କ ନାମ ମନେରଖିଥିଲା। ତାଙ୍କ ବାପାଙ୍କର ଫୁଲ ଓ ଅଡିଓ କ୍ୟାସେଟ୍‌ ଦୋକାନ ଥିଲା ବୋଲି ପୂଜା ମନେପକାଇଥିଲା। ଉକ୍ତ ପରିଚୟକୁ ଆଧାର କରି ନିତିନ ଏବଂ ସ୍ଥାନୀୟ ସମାଜସେବୀ ଗିରୀଶ ପାଟିଲ ଅଯୋଧ୍ୟାରେ ପୂଜାର ବାପମା’ଙ୍କ ଅନୁସନ୍ଧାନ ଆରମ୍ଭ କରିଥିଲେ। ଏଥିପାଇଁ ସେମାନେ ଉତ୍ତରପ୍ରଦେଶ ପୋଲିସ ସହ ଯୋଗାଯୋଗ ସ୍ଥାପନ କରିଥିଲେ। ସେମାନେ ଏ ବାବଦରେ ଲକ୍ଷ୍ନୌର ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ର ସନ୍ତୋଷ ତିଓ୍ବାରୀଙ୍କୁ ଯୋଗାଯୋଗ କରିଥିଲେ। ଅନୁସନ୍ଧାନ ଜାରି ରହିଥିବା ବେଳେ ପୂଜା ନିଜେ ଅଯୋଧ୍ୟା ଯିବାକୁ ଚାହିଁଥିଲା। ସେ ଚଳିତମାସ ୫ ତାରିଖରେ ସରଯୂ ନଦୀକୂଳସ୍ଥ ନିଜ ଘର ଖୋଜିବାକୁ ଆରମ୍ଭ କରିଥିଲା। କିଛି ଘଣ୍ଟା ପରେ ନୟାଘାଟସ୍ଥିତ ନିଜ ଘର ଓ ପରିବାରକୁ ଠାବ କରିପାରିଥିଲା। ଆନନ୍ଦରେ ଉତ୍‌ଫୁଲ୍ଲ ପୂଜା ତା’ର ବାପମାଙ୍କୁ ପାଇଥିବା ବିଷୟ ଗାଏକଓ୍ବାଡ ଏବଂ ପାଟିଲଙ୍କୁ କହିଥିଲା। ଏ ସମ୍ପର୍କରେ ପୂଜାର ବାପା ସୁବୋଧ କହନ୍ତି, ମୋ ଜୀବନରେ ଏହା ହେଉଛି ଖୁସି ମୁହୂର୍ତ୍ତ। ମୁଁ ମୋ ଝିଅକୁ ଫେରିପାଇଛି। ଈଶ୍ୱରଙ୍କଠାରୁ ଆଉ କିଛି ଚାହେଁ ନାହିଁ। ଦୀର୍ଘ ୧୪ବର୍ଷ ତଳର ସ୍ମୃତି ମନେପକାଇ ସେ କହନ୍ତି, ପୂଜା ହଜିଯିବା ପରେ ଆମେ କେତେ ଖୋଜିଲୁ ଅଥଚ ପାଇଲୁ ନାହିଁ। ଆମ ଘର ନିକଟରେ ସରଯୂ ନଦୀ ବହିଯାଇଥିବାରୁ କେତେକେ କହିଲେ ସେ ନଈରେ ଭାସିଯାଇଛି। ଏହାପରେ ଆମେ ତାକୁ ପାଇବା ଆଶା ଛାଡ଼ିଦେଇଥିଲୁ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri