ବଢ଼ିଛି ପରିସଂଖ୍ୟାନ ବେପାର

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ

ପୁଣି ଥରେ ଆସିଲା ପରିସଂଖ୍ୟାନର ଆଉ ଏକ ଭେଳିକି। ଭାରତରେ କୁଆଡେ ବେପାର କରିବା ଗତବର୍ଷଠାରୁ ଖୁବ୍‌ ସହଜ ହୋଇଯାଇଛି। ବିଶ୍ୱବ୍ୟାଙ୍କ ଦ୍ୱାରା ପ୍ରକାଶିତ ‘ବେପାର କରିବାରେ ସହଜତା ରିପୋର୍ଟ’ରେ ୧୯୦ଟି ରାଷ୍ଟ୍ରର ସୂଚୀରେ ଭାରତ ଗତ ବର୍ଷର ୧୩୦ତମ ସ୍ଥାନରୁ ଡେଇଁ ପହଞ୍ଚିଛି ୧୦୦ତମ ସ୍ଥାନରେ। ତେବେ ଭାରତରେ କ’ଣ ଏମିତି ହୋଇଯାଇଛି ଯେ ବେପାର କରିବାର ସହଜତାରେ ଭାରତ ୩୦ଟି ଦେଶକୁ ପଛରେ ପକାଇଦେଲା ବୋଲି ବିଶ୍ୱବ୍ୟାଙ୍କ କହୁଛି, ତାକୁ ଟିକିଏ ନିରେଖି ଦେଖିବା। ବିଶ୍ୱବ୍ୟାଙ୍କ ୧୧ଟି ସୂଚକ ସ୍ଥିର କରିଛି ବେପାରରେ ସରଳତା ମାପିବା ପାଇଁ। ଏଥିରୁ ନଅଟି କ୍ଷେତ୍ରରେ ଭାରତ ସୁଧାର ଆଣିଛି ବୋଲି ରିପୋର୍ଟ କହୁଛି। ଏହି ନଅଟିରୁ ପ୍ରଥମଟି ହେଲା ବେପାର ଆରମ୍ଭ କରିବା। ଏଥିରେ ଭାରତ କ’ଣ କରିଛି? ସ୍ଥାୟୀ ଆକାଉଣ୍ଟ ସଂଖ୍ୟା ବା ପ୍ୟାନ ଓ ଟ୍ୟାକ୍ସ ଆକାଉଣ୍ଟ ସଂଖ୍ୟା ବା ଟ୍ୟାନକୁ ଯୋଡ଼ିଛି ତଥା ଅନଲାଇନରେ ଆବେଦନର ବ୍ୟବସ୍ଥା କରିଛି। ବମ୍ବେରେ ମୂଲ୍ୟଯୁକ୍ତ ଟିକସ ଓ ପ୍ରଫେଶନାଲ ଟିକସ ପାଇଁ ଥରକରେ ଆବେଦନର ବ୍ୟବସ୍ଥା ହୋଇଛି। ଦ୍ୱିତୀୟଟି ହେଲା ନିର୍ମାଣରେ ପରମିଟ ବ୍ୟବସ୍ଥା। ବିଶ୍ୱବ୍ୟାଙ୍କ ରିପୋର୍ଟ କହୁଛି ଯେ, ଅନଲାଇନ ବ୍ୟବସ୍ଥା କାରଣରୁ ବମ୍ବେ ଓ ଦିଲ୍ଲୀରେ କୋଠା ନିର୍ମାଣ ପାଇଁ ପରମିଟ ପାଇବା ପ୍ରକ୍ରିୟା ସରଳ ହୋଇଛି ଓ କମ୍‌ ସମୟ ନେଉଛି। ତୃତୀୟଟି ହେଲା ଋଣ ପାଇବା। ବିଶ୍ୱବ୍ୟାଙ୍କ କହୁଛି ଯେ ଦେବାଳିଆ ସ୍ଥିତିର ପୁନର୍ଗଠନ ପ୍ରକ୍ରିୟା ବାହାରେ ଥିବା ସୁରକ୍ଷିତ ଋ଼ଣୀଙ୍କୁ ଋଣ ହାସଲରେ ପ୍ରାଧାନ୍ୟ ଦେବାପାଇଁ ନୀତିରେ ପରିବର୍ତ୍ତନ ଆସିଛି। ତାହାସହିତ ଭାରତ ଦେବାଳିଆପଣ ସମ୍ପର୍କିତ ଏକ ନୂଆ ଆଇନ ଆଣିଛି, ଯହିଁରେ ଦେବାଳିଆପଣର ପୁନର୍ଗଠନ ପ୍ରକ୍ରିୟାରେ ସୁରକ୍ଷିତ ଋ଼ଣୀଙ୍କ ପାଇଁ ରିହାତି ବ୍ୟବସ୍ଥା ରହିଛି। ଚତୁର୍ଥଟି ହେଲା ଛୋଟ ନିବେଶକଙ୍କୁ ସୁରକ୍ଷା ଦେବା। ବିଶ୍ୱବ୍ୟାଙ୍କ ରିପୋର୍ଟ ଅନୁସାରେ ଦୁଇଟି ସ୍ବାର୍ଥାନ୍ବେଷୀ ପକ୍ଷଙ୍କ ମଧ୍ୟରେ ହେଉଥିବା ହାନିକାରକ କାରବାରରୁ ଛୋଟ ନିବେଶକଙ୍କୁ ସୁରକ୍ଷା ଦେବା ବ୍ୟବସ୍ଥାକୁ ସୁଦୃଢ କରାଯାଇଛି। ପଞ୍ଚମଟି ହେଲା କର ପଇଠ। ବିଶ୍ୱବ୍ୟାଙ୍କ କହିଛି ଯେ ଭାରତ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଆକାଉଣ୍ଟକୁ ବୈଦ୍ୟୁତିକ ମାଧ୍ୟମରେ ଟଙ୍କା ପଠାଇବାର ବ୍ୟବସ୍ଥା କରି କର ପଇଠ ବ୍ୟବସ୍ଥାକୁ ସହଜ କରିଛି। ବିଶ୍ୱବ୍ୟାଙ୍କର ଷଷ୍ଠ ମାନକ ହେଲା ସୀମା ପାର କାରବାର। ରିପୋର୍ଟ କହୁଛି ଯେ ବୈଦ୍ୟୁତିକ ଓ ମୋବାଇଲ ବ୍ୟବସ୍ଥା ଆପଣେଇ ତଥା ବ୍ୟବସାୟୀ ଓଭରଟାଇମ୍‌ ଶୁଳ୍କ ହଟାଇ ଆମଦାନି ଓ ରପ୍ତାନି ସୀମା ଅନୁପାଳନ ଖର୍ଚ୍ଚକୁ କମ୍‌ କରିଛନ୍ତି। ସପ୍ତମରେ ଆସିଛି ଚୁକ୍ତିର ଅନୁପାଳନ। ବିଶ୍ୱବ୍ୟାଙ୍କ ରିପୋର୍ଟ ଅନୁସାରେ ଭାରତ ଜାତୀୟ ନ୍ୟାୟିକ ତଥ୍ୟ ଗ୍ରୀଡ୍‌ ଆରମ୍ଭ କରି ଚୁକ୍ତିର ଅନୁପାଳନକୁ ସହଜ କରିଛି। ଏହି ବ୍ୟବସ୍ଥା ଅନୁସାରେ ସ୍ଥାନୀୟ କୋର୍ଟମାନଙ୍କର ମାମଲା ପରିଚାଳନା ରିପୋର୍ଟ ବାହାର କରାଯାଇପାରିବ। ଅଷ୍ଟମ ମାନକଟି ହେଲା ଦେବାଳିଆପଣ ସମ୍ଭାଳିବା। ରିପୋର୍ଟ କହୁଛି ଯେ ଭାରତ ଏକ ନୂଆ ଦେବାଳିଆପଣ କୋଡ୍‌ ଆଣି ସମାଧାନ ସହଜ କରିଛି। ଏଥିରେ ଋଣଦାତାଙ୍କ ପାଇଁ ଏକ ପୁନର୍ଗଠନ ପ୍ରକ୍ରିୟା ଆପଣେଇ ଋଣଦାତାଙ୍କୁ ତାଙ୍କ ବ୍ୟବସାୟ ଚାଲୁରଖିବା ପାଇଁ ସହାୟତା ଦିଆଯାଇଛି। ଶେଷ ସୂଚକାଙ୍କ ଯେଉଁଥିରେ ଭାରତ ଉନ୍ନତି ଆଣିଛି, ତାହାହେଲା ମହିଳାଙ୍କୁ ବର୍ଦ୍ଧିତ ସମୟ ପାଇଁ ପ୍ରାପ୍ୟସଂଯୁକ୍ତ ପ୍ରସୂତିକାଳୀନ ଛୁଟି ବ୍ୟବସ୍ଥା କରି ଶ୍ରମିକ ବଜାର ନିୟନ୍ତ୍ରଣକୁ ଆଣିଛି। ତେବେ ଏହା ଆଧାରରେ ବିଶ୍ୱବ୍ୟାଙ୍କ ରିପୋର୍ଟ ସିନା କହିଦେଲା ଯେ ଭାରତ ବେପାର କରିବାରେ ୩୦ଟି ସ୍ଥାନ ଡେଇଁ ୧୦୦ତମ ସ୍ଥାନରେ ପହଞ୍ଚିଛି, କିନ୍ତୁ ସେହିଭଳି ନିଷ୍କର୍ଷ ବାସ୍ତବ ସ୍ଥିତିକୁ ପ୍ରାୟ ବୟାନ କରେ ନାହିଁ। ବିଶ୍ୱବ୍ୟାଙ୍କ ୧୧ଟି ସୂଚକ ସ୍ଥିର କରି ତାହା ଉପରେ ପ୍ରଶ୍ନାବଳୀ ପ୍ରସ୍ତୁତ କରି ବିଭିନ୍ନ ଦେଶର ଉତ୍ତରଦାତାଙ୍କ ପାଖକୁ ପଠାଇଥିଲା। ସବୁଠାରୁ ଅଧିକ ଉତ୍ତର ଆସିଥିଲା ‘ବେପାର ଆରମ୍ଭ କରିବା’ ସୂଚକ ପାଇଁ। କିନ୍ତୁ, କେତେ ଉତ୍ତରଦାତାଙ୍କଠାରୁ ଉତ୍ତର ଆସିଥିଲା? ମାତ୍ର ୨,୨୩୫ ଜଣଙ୍କଠାରୁ। ତାହାପୁଣି ୧୯୦ଟି ଦେଶରୁ, ଅର୍ଥାତ୍‌ ଗୋଟିଏ ଦେଶରୁ ହାରାହାରି ୧୨ଟି ମଧ୍ୟ ନୁହେଁ। ଏହି ସୂଚକ ପାଇଁ କେବଳ ୬୮ଟି ଦେଶରୁ ୬ରୁ ଅଧିକ ଉତ୍ତର ଆସିଥିଲା। ମାତ୍ର ଅଳ୍ପ କିଛି ଜଣଙ୍କୁ ପଚାରି ଗୋଟିଏ ନିଷ୍କର୍ଷକୁ ଏତେବଡ କରି କହିବା ନିଶ୍ଚୟ ତ୍ରୁଟିପୂର୍ଣ୍ଣ। ୨୦୧୫ରେ ବିଶ୍ୱବ୍ୟାଙ୍କର ଜଣେ ପ୍ରସିଦ୍ଧ ଅର୍ଥନୀତିଜ୍ଞ ମେରୀ ହାଲବାର୍ଡ ଡ୍ରଇଁମିୟର ଓ ହାଓ୍ବାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରିଚେଟ ବିଶ୍ୱବ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ରିପୋର୍ଟ କେମିତି ବାସ୍ତବତାକୁ ପ୍ରତିଫଳିତ କରେ ନାହିଁ ତାହା ଦର୍ଶାଇଥିଲେ। ଅନ୍ୟ ତୁଳନା ବ୍ୟତୀତ ସେମାନେ ‘ବେପାର କରିବାରେ ସହଜତା’ ରିପୋର୍ଟକୁ ବିଶ୍ୱବ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ଅନ୍ୟ ଏକ ରିପୋର୍ଟ ସହ ତୁଳନା କରି ଦେଖିଥିଲେ ଯେ ସେହି ସମାନ ପ୍ରଶ୍ନ ପାଇଁ ଉଭୟ ରିପୋର୍ଟରେ ଭିନ୍ନ ଉତ୍ତର ଅଛି। ଉଦାହରଣସ୍ବରୂପ, ସେମାନେ ଦେଖିଲେ ଯେ ‘ବେପାର କରିବାରେ ସହଜତା’ ରିପୋର୍ଟ ଅନୁସାରେ ୨୦୧୪ରେ ଗୋଟିଏ ନିର୍ମାଣ ପରମିଟ ପାଇବା ପାଇଁ ଭାରତରେ ୧୮୦ ଦିନ ଲାଗୁଥିଲା। କିନ୍ତୁ ସେହି ବିଶ୍ୱବ୍ୟାଙ୍କର ‘ଉଦ୍ୟମ ସର୍ବେକ୍ଷଣ’ ରିପୋର୍ଟ ଅନୁସାରେ ସେହି ବର୍ଷ ସେହି ପରମିଟ ପାଇବା ପାଇଁ ଭାରତରେ ହାରାହାରି ୩୩ଦିନ ସମୟ ଲାଗୁଥିଲା। ସେମାନଙ୍କର କହିବାର ଉଦ୍ଦେଶ୍ୟ ହେଲା ଯେ ଉଭୟ ସର୍ବେକ୍ଷଣରେ ଉତ୍ତରଦାତା ଭିନ୍ନ ଥିଲେ ତେଣୁ ଉତ୍ତର ଭିନ୍ନ ଆସିଲା। ଏହିଭଳି ତାରତମ୍ୟ ଦର୍ଶାଏ ଯେ ଏତେ କମ୍‌ ଉତ୍ତରଦାତାଙ୍କୁ ନେଇ ସାରା ବିଶ୍ୱର ୧୯୦ଟି ଦେଶର ସ୍ଥିତି ସ୍ଥିର କରିବା ଆଦୌ ଠିକ୍‌ ନୁହେଁ। ବିଶ୍ୱବ୍ୟାଙ୍କର ‘ବେପାର କରିବାରେ ସହଜତା’ ରିପୋର୍ଟରେ ‘ଡିଷ୍ଟାନ୍ସ ଟୁ ଫ୍ରଣ୍ଟିୟର’ ନାମରେ ଗୋଟିଏ ମାନକ ରହିଛି। ସେଥିରେ ଭାରତ ଗତବର୍ଷ ତୁଳନାରେ ୫୧.୮୭ ପଏଣ୍ଟ ଅଧିକ ପାଇଛି। ତେବେ, ତହିଁରୁ ଏକ-ତୃତୀୟାଂଶରୁ ଅଧିକ କେବଳ ‘କର ପଇଠ’ ସୂଚକାଙ୍କରୁ ବା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଆକାଉଣ୍ଟକୁ ବୈଦ୍ୟୁତିକ ମାଧ୍ୟମରେ ଟଙ୍କା ପଠାଇବାର ବ୍ୟବସ୍ଥା କାରଣରୁ ଆସିଛି। ଆଉ ଏକ-ପଞ୍ଚମାଂଶ ଆସିଛି ଦେବାଳିଆଙ୍କୁ ସହଜ ଋଣ ବ୍ୟବସ୍ଥା କାରଣରୁ। କେବଳ ଏହି ଦୁଇଟି କାରଣରୁ ବିଶ୍ୱବ୍ୟାଙ୍କ ରିପୋର୍ଟରେ ଭାରତ ବିଶ୍ୱରେ ୩୦ଟି ଦେଶକୁ ଡେଇଁ ପଡିଛି। ବେପାର କରିବା ସହଜ ହେଲେ କାରବାର ବଢିବା କଥା। କିଛି ପ୍ରମୁଖ ସୂଚକରୁ ତାହାର ବିନ୍ଦୁଏ ବି ସୂଚନା ମିଳୁନାହିଁ। ବିଗତ ତିନି ବର୍ଷରୁ କୌଣସି ଗୋଟିଏ ବର୍ଷରେ ଭାରତର ରପ୍ତାନି ୨୦୧୩-୧୪ର ରପ୍ତାନିକୁ ଟପିପାରି ନାହିଁ। ସେହିଭଳି ରୋଜଗାରକୁ ନେଇ ଅନେକ ରିପୋର୍ଟ ଆସିଛି। ସଦ୍ୟତମ ରିପୋର୍ଟ ଆସିଛି ବିଶ୍ୱର ଏକ ପ୍ରମୁଖ ସଂସ୍ଥା ‘କେୟାର ରେଟିଙ୍ଗ’ ତରଫରୁ। ସେହି ସଂସ୍ଥା ଭାରତର ୧,୪୭୩ଟି କମ୍ପାନୀର ଅନୁଶୀଳନ କରି ରିପୋର୍ଟ କରିଛି ଯେ, ପୂର୍ବ ବର୍ଷ ତୁଳନାରେ ୨୦୧୬-୧୭ରେ ମାତ୍ର ୨.୨୫ ପ୍ରତିଶତ ଅଧିକ ରୋଜଗାର ସୃଷ୍ଟି ହୋଇଛି। ତାହାର ପୂର୍ବ ବର୍ଷ ଆହୁରି କମ୍‌ ୧.୧୮ ପ୍ରତିଶତ ହିଁ ଅଧିକ ରୋଜଗାର ସୃଷ୍ଟି ହୋଇଥିଲା। ଏହା ଅବଶ୍ୟ ସତ ଯେ ‘ବେପାର କରିବାରେ ସହଜତା’ ଭଳି ଏକ ରିପୋର୍ଟ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ, ବିଶେଷ କରି ବିଦେଶୀ ନିବେଶକଙ୍କର। କିନ୍ତୁ ଏହାକୁ ନେଇ ଉଚ୍ଛୁଳିବାର କିଛି ମାନେ ନାହିଁ। ଭାରତ ଏବେ ବି ଲୋକଙ୍କୁ ରୋଜଗାର ଜୁଟାଇ ପାରୁନାହିଁ, ଅସମାନତା ବଢି ଚାଲିଛି। ଏହା ଚିନ୍ତାଜନକ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri