ଟୁଲୁନାଡ଼ୁର ଭୂତ

ଦେବଦତ୍ତ ପଟ୍ଟନାୟକ

ପ୍ରାୟ ୨୦୦୦ ବର୍ଷ ତଳେ ବା ଆହୁରି ପୂର୍ବରୁ ଉପକୂଳବର୍ତ୍ତୀ ଆଲ୍‌ଭା ଖେଦା ରାଜ୍ୟର ଟୁଲୁନାଡ଼ୁରେ ଟୁଲୁଭା ଲୋକମାନେ ବାସ କରୁଥିଲେ। ସେମାନେ ଔପାମାନଙ୍କ ଦ୍ୱାରା ଶାସିତ ହେଉଥିଲେ ଯାହାଙ୍କ ବିଷୟ ପ୍ରାଚୀନ ରୋମୀୟ ନାବିକମାନଙ୍କ ଲେଖାରେ ରହିଛି। ସେମାନଙ୍କର ରାଜଚିହ୍ନ ଥିଲା ଦୁଇଟି ମାଛ, ଯାହା ପାଣ୍ଡ୍ୟମାନଙ୍କ ମାଛ ସଂକେତ ପରି। ଏହି ରାଜ୍ୟଟି ଗୋଆର ଦକ୍ଷିଣରୁ ଦାକ୍ଷିଣାତ୍ୟ କର୍ନାଟକ ଦେଇ କେରଳର ଉତ୍ତରାଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଥିଲା। ଏହି ପାହାଡ଼-ଜଙ୍ଗଲଘେରା ରାଜ୍ୟଟି ଥିଲା ଧାନ, ନଡ଼ିଆ, ଗୁଆ ଏବଂ ବାଘ ଓ ଭାଲୁ ପରି ହିଂସ୍ରଜନ୍ତୁଙ୍କ ପାଇଁ ବିଖ୍ୟାତ। ପୁଣି ଏହି ରାଜ୍ୟରେ ମୋଗାଭିରା, ବିଲ୍ଲଭା ଓ ବଣ୍ଟ୍‌ ସମ୍ପ୍ରଦାୟ, ଯକ୍ଷଗଣଙ୍କ ନୃତ୍ୟ ସମ୍ପ୍ରଦାୟ, କୋଟି ଚେନ୍ନାୟା ସମ୍ପ୍ରଦାୟ ଓ ନାଗାରାଧନେ ନାମକ ସର୍ପପୂଜକ ସମ୍ପ୍ରଦାୟ ବାସ କରନ୍ତି। ଏଠାରେ ଭୂତମାନଙ୍କୁ ଆବାହନ କରିବା ପାଇଁ ଭୂତ-କୋଲମ୍‌ ବା ଭୂତନାଚ କରାଯାଏ ଏବଂ ବିଭିନ୍ନ ସ୍ଥାନୀୟ ଦେବତାଙ୍କ ପୂଜା କରାଯାଏ। ଟୁଲୁନାଡ଼ୁରେ ଏବେ ବି ସ୍ବତନ୍ତ୍ର ମନ୍ଦିର ରହିଛି, ଯାହାକୁ ‘ସ୍ଥାନ’ କୁହାଯାଏ, ଯେଉଁଠି କାଠ ତିଆରି ଭୂତର ମୁଖା ପୂଜା କରାଯାଏ। କ୍ଷେତର ହିଡ଼ରେ ବା ଘରକୋଣରେ ଏକ ଦୋଳି ବା ଆସ୍ଥାନରେ ଭୂତଙ୍କ ମୁଖାଗୁଡ଼ିକୁ ରଖାଯାଇଥାଏ। ବିଶେଷ ଉତ୍ସବମାନଙ୍କରେ ସ୍ବତନ୍ତ୍ର ନର୍ତ୍ତକ ବା ପୂଜକମାନେ ଏହି ମୁଖା ପରିଧାନ କରି ନୃତ୍ୟକରନ୍ତି ଏବଂ ସେମାନଙ୍କଠାରେ ଭୂତ ଆବିଷ୍ଟ ହୁଅନ୍ତି। ବେଳେବେଳେ ଏହି ନର୍ତ୍ତକମାନେ ମୁଖା ପିନ୍ଧିବା ବଦଳରେ ମୁହଁକୁ ଭୂତ ପରି ରଙ୍ଗେଇଥାନ୍ତି ଏବଂ ଘାସତିଆରି ଘାଗରା ପିନ୍ଧନ୍ତି। ସେମାନେ ହାତରେ ଘଣ୍ଟି ଓ ଖଣ୍ଡା ଧାରଣ କରି ବାଦ୍ୟ-ସଂଗୀତର ତାଳେ ତାଳେ ରାତିସାରା ଝୁଲୁଥାନ୍ତି। ଏହି ଅବସ୍ଥାରେ ସେମାନଙ୍କ ଦେହରେ ଭୂତ ବା ଦେବତାଙ୍କ ଆବେଶ ଘଟେ (କାଳିଶି ଲାଗିବା ପରି), ଯାହାଫଳରେ ସେମାନେ ନିଅଁାରେ ଚାଲିବା, ଅତି ଓଜନଦାର ଜିନିଷ ବୋହିବା ପରି ଅସାଧ୍ୟ କାମ କରିପାରନ୍ତି। ଏହାପରେ ଭକ୍ତମାନେ ତାଙ୍କୁ ନାନା ପ୍ରକାର ଉପହାର ଓ ଭୋଗ ଯଥା ଚାଉଳ, ଗୁଆ, ମାଂସ, ମଦ ଓ ମାଛ ଅର୍ପଣ କରନ୍ତି। ସେମାନେ ମଧ୍ୟ ଭକ୍ତମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସ୍ବାସ୍ଥ୍ୟ, ଆର୍ଥିକ ଓ ପାରିବାରିକ ସମସ୍ୟା ଆଦିର ସମାଧାନ କରନ୍ତି। ଭୂତମାନଙ୍କୁ ଶିବଗଣ (ଶିବପାର୍ବତୀଙ୍କ ଅନୁଚର) ବୋଲି ବିଚାର କରାଯାଏ, ଯାହାଙ୍କୁ ଶିବ ପୃଥିବୀକୁ ପଠାଇଛନ୍ତି। ଅନେକ ପ୍ରକାର ଭୂତ ଅଛନ୍ତି- କେତେକ ବନ୍ୟ ଶୂକର ବା ବାର୍‌ହା (ପଞ୍ଜୁର୍ଲି) ରୂପରେ, କେତେକ ବାଘ (ପିଲିଚା ମୁଣ୍ଡା) ରୂପରେ, କେତେକ ଷଣ୍ଢ (ନନ୍ଦୀଗୋନା) ରୂପରେ ଏବଂ ଆଉ କେତେକ ଉଭୟଲିଙ୍ଗୀ (ପୁରୁଷର ମୁଣ୍ଡ ଓ ମାଈର ଶରୀର) ବା ଜୁମାଦି ରୂପରେ ଥାନ୍ତି। ଅଧିକାଂଶ ନାଗସାପର ମୁକୁଟ ପିନ୍ଧନ୍ତି ଏବଂ ଫଣା ଟେକି ଜିଭ ବାହାରକୁ କାଢ଼ିଥାନ୍ତି। ବାଦ୍ୟ-ସଂଗୀତର ତାଳେ ତାଳେ ଖୁବ୍‌ ଜୋରରେ ନାଚ କରନ୍ତି। ଗୋଟିଏ କାହାଣୀ ଅନୁସାରେ ଏକଦା ମାଈ ପକ୍ଷୀଟିଏ ତାଙ୍କ ସ୍ବାମୀଙ୍କ ସୁରକ୍ଷା ପାଇଁ ଶିବଙ୍କୁ ଏକ ଅଣ୍ଡା ଦେଲା। ଏହି ଅଣ୍ଡାରୁ ଏକ ବାଘ (ପିଲି) ଜନ୍ମ ହେଲା ଯିଏ ଫଳ ଓ କୋଳି ଖାଉଥିଲା। ଶିବଙ୍କ ଗାଈମାନଙ୍କୁ ଜଗିବା ଦାୟିତ୍ୱ ତାକୁ ଦିଆଯାଇଥିଲା। କିନ୍ତୁ ଦିନେ ଭୁଲ୍‌ବଶତଃ ସେ ଗୋଟିଏ ଗାଈକୁ ଖାଇଦେଲା। ସେଥିପାଇଁ ତାକୁ ଭୂତ ରୂପରେ ପୃଥିବୀକୁ ପଠାଇ ଦିଆଗଲା, ଟୁଲୁଭା ଜାତିର ଲୋକମାନଙ୍କ ଗୋରୁଙ୍କୁ ସୁରକ୍ଷା ଦେବା ପାଇଁ। ଆଉ ଏକ ଗପ ଅନୁସାରେ, ଦିନେ ଅସୁରମାନଙ୍କ ସହ ଯୁଦ୍ଧ କରିବା ବେଳେ ଶକ୍ତି (ପାର୍ବତୀ)ଙ୍କୁ ଖୁବ୍‌ ଭୋକ ଲାଗିଲା। ସେ ଶିବଙ୍କୁ କିଛି ଖାଦ୍ୟ ଆଣିବାକୁ କହିଲେ। ସେ ଯେତେ ଖାଦ୍ୟ ଆଣିଲେ ଶକ୍ତିଙ୍କୁ ନିଅଣ୍ଟ ପଡ଼ିଲା। ତେଣୁ ସେ ତାଙ୍କ (ଶିବଙ୍କ) ସର୍ବାଙ୍ଗ ଗିଳିଦେଲେ, କେବଳ ମୁଣ୍ଡକୁ ଛାଡ଼ି। ତା’ପରେ ଶିବ-ଶକ୍ତି ଏକାକାର ହୋଇଗଲେ, ଯାହାଙ୍କୁ କୁହାଯାଉଛି ଜୁମାଦି (ବୋଧହୁଏ ଧୂମାବତୀର ଅପଭ୍ରଷ୍ଟ ରୂପ) ଏବଂ ଏହି ରୂପରେ ସେ ଅସୁରକୁ ମାରିଦେଲେ। ବାର୍‌ହାଟି ପାର୍ବତୀଙ୍କ ପୋଷା ଥିଲା। କିନ୍ତୁ ଦିନେ ସେ ଶିବଙ୍କ ଷଣ୍ଢକୁ ଆକ୍ରମଣ କଲା। ତେଣୁ ଶିବ ତାକୁ ମାରିଦେଲେ। ପରେ ଶିବ ଉଭୟଙ୍କୁ ପୁନର୍ଜୀବିତ କରି କହିଲେ- ତୁମେ ଦୁହେଁ ପୃଥିବୀକୁ ଯାଅ। ଟୁଲୁଭା ଲୋକମାନଙ୍କର ଶସ୍ୟକ୍ଷେତ ଓ ଗୋରୁମାନଙ୍କୁ ସୁରକ୍ଷା ଦିଅ। ହିମାଚଳର କୁଲୁ ଉପତ୍ୟକାର ମୋହର-ମୁଖା ବା ତିବ୍ବତର ମୁଖାଧାରୀ ବନଦେବତା ବା କେରଳର ଥେୟାମ୍‌ ବା ଶ୍ରୀଲଙ୍କାର ରୋଗ-ମୁଖା ପରି ଟୁଲୁନାଡ଼ୁର ମୁଖାଧାରୀ ଦେବତାମାନେ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ବିଶ୍ୱାସ ଅନୁସାରେ ଗଢ଼ିଉଠିଥିବା ପ୍ରାଚୀନ ଐତିହ୍ୟ। ବୌଦ୍ଧ, ଜୈନ ଓ ବ୍ରାହ୍ମଣ୍ୟ ଧର୍ମ ସେମାନଙ୍କ ଧର୍ମଧାରାକୁ ନୂଆ ରୂପ ଦେବା ପୂର୍ବରୁ ସେମାନଙ୍କର ଏହି ବିଶ୍ୱାସ ବଳବତ୍ତର ରହିଥିଲା।

(ଲେଖକ ଜଣେ ବିଶିଷ୍ଟ ପୁରାଣବିତ୍‌ ଏବଂ ପୁରାଣଶାସ୍ତ୍ର ଉପରେ ସେ ଅନେକ ପୁସ୍ତକ ରଚନା କରିଛନ୍ତି। ତାଙ୍କ ପୁସ୍ତକଗୁଡ଼ିକ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଥିବା ମଡର୍ନ ବୁକ୍‌ ଡିପୋ, ଫୋନ୍‌- ୦୬୭୪-୨୫୩୪୩୭୩, modbooks.bbsr@gmail.comରେ ଉପଲବ୍ଧ।)

ଲେଖକଙ୍କ ଇମେଲ୍‌ ଠିକଣା: devdutt@devdutt.com



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri