ପ୍ରଜନନ କ୍ଷମତା ଓ ଖାଦ୍ୟ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତ ପରି ଦେଶରେ ବହୁ ଦମ୍ପତି ନିଜର ସନ୍ତାନ ଜନ୍ମ କରିବାର ଅକ୍ଷମତା ନେଇ ଡାକ୍ତରଙ୍କ ପାଖକୁ ଯିବା ଏକ ବିଲକ୍ଷଣ। ଅନେକ ପୁରୁଷ ଏଥିପାଇଁ ତାଙ୍କ ସ୍ତ୍ରୀମାନଙ୍କୁ ଦୋଷ ଦିଅନ୍ତି। କିନ୍ତୁ ପରିବାରର ଚାପରେ ଯେତେବେଳେ ସେମାନେ ଡାକ୍ତରଙ୍କ ପାଖରେ ପରୀକ୍ଷା କରାନ୍ତି, ସେତେବେଳେ ଜଣାପଡ଼େ ଅଧିକାଂଶ କ୍ଷେତ୍ରରେ ପୁରୁଷର ହିଁ ଶୁକ୍ରାଣୁ ଅଭାବ ଯୋଗୁ ଏପରି ସମସ୍ୟା ସୃଷ୍ଟି ହୋଇଛି। ଏହା ଈଶ୍ୱରଙ୍କ ଇଚ୍ଛା ନୁହେଁ, ଏହା ଆପଣଙ୍କ ଖାଦ୍ୟାଭ୍ୟାସ ଯୋଗୁ ହୋଇପାରେ। ଶୁକ୍ରାଣୁ ସଂଖ୍ୟା ଓ ତା’ର ମାନ ଉପରେ ଖାଦ୍ୟର ଖୁବ୍‌ ପ୍ରଭାବ ଥାଏ। ମାଂସ ଓ କ୍ଷୀର ଜାତୀୟ ଖାଦ୍ୟ ଅଧିକ ଖାଇବା ଦ୍ୱାରା ଶୁକ୍ରାଣୁ ସଂଖ୍ୟା, ତା’ର ଆକାର, ଆକୃତି ଓ ସାନ୍ଦ୍ରତା କମିଯାଇଥାଏ। ଏପରି ହେଲେ ଡାକ୍ତର ପରାମର୍ଶ ଦିଅନ୍ତି- ସିଗାରେଟ୍‌ ଟାଣିବା ଛାଡ଼ିଦିଅ, ଢିଲା ଅନ୍ତର୍ବାସ ପିନ୍ଧ, ଲାପ୍‌ଟପ୍‌କୁ ଅଣ୍ଟାଠାରୁ ଦୂରରେ ରଖ ଏବଂ ଯୌନ ସମ୍ପର୍କ କମ୍‌ ରଖ, ଯାହାଫଳରେ ଶୁକ୍ରାଣୁ ସଂଖ୍ୟା ବୃଦ୍ଧି ପାଇପାରିବ। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି GIGO ପ୍ରିନ୍‌ସିପୁଲ: ଗାର୍ବେଜ୍‌ ଇନ୍‌, ଗାର୍ବେଜ୍‌ ଆଉଟ୍‌। ଗବେଷକମାନଙ୍କ କହିବା ଅନୁସାରେ ଆମେ ଯେଉଁ ଖାଦ୍ୟ ଖାଉ ତାହା ଆମର ଯୌନ କ୍ଷମତା ଉପରେ ପ୍ରଭାବ ପକାଏ। ୨୦୦୬ ମସିହାରେ ରୋଚେଷ୍ଟର ବିଶ୍ୱବିଦ୍ୟାଳୟର ଗବେଷକ କୋଚ୍‌ମ୍ୟାନ୍‌, ହର୍କୋ, ବ୍ରିଉଅର, ଆଣ୍ଡୋଲିନା ଓ ସଙ୍ଗ୍‌ ଦର୍ଶାଇଛନ୍ତି ଯେ, ଯୌନ ଅକ୍ଷମ ପୁରୁଷମାନେ ତାଙ୍କ ଖାଦ୍ୟରେ କମ୍‌ ଫଳ ଓ ପନିପରିବା ଖାଇଥାନ୍ତି। ଯେଉଁମାନେ ଯେତେ କମ୍‌ ଫଳ ଓ ପନିପରିବା ଖାଆନ୍ତି, ସେମାନଙ୍କ ଶୁକ୍ରାଣୁର ଗତିଶୀଳତା ସେତେ କମ୍‌ ହୋଇଥାଏ। ୨୦୧୧ରେ ବ୍ରାଜିଲରେ କରାଯାଇଥିବା ଏକ ଅନୁଧ୍ୟାନ ଅନୁସାରେ, ଯେଉଁ ପୁରୁଷମାନେ ଅଧିକ ଗୋଟା ଶସ୍ୟ- ଗହମ, ଯଅ, ବାର୍ଲି ପ୍ରଭୃତି ଖାଇଥିଲେ ସେମାନଙ୍କ ଶୁକ୍ରାଣୁ ସଂଖ୍ୟା ଅଧିକ ଥିଲା। ବନ୍ଧ୍ୟାଦୋଷ ଓ ନପୁଂସକତା ଉପରେ କରାଯାଇଥିବା ତିନୋଟି ଅଧିକ ଅନୁଧ୍ୟାନରୁ ସେହି ଏକା କଥା ଜଣାପଡ଼ିଛି ଏବଂ ତା’ ସହ ଛେନା ଓ କ୍ଷୀରଜାତୀୟ ଖାଦ୍ୟ ମଧ୍ୟ ଶୁକ୍ରାଣୁ ହ୍ରାସର କାରଣ ବୋଲି ପ୍ରମାଣ ମିଳିଛି। ୨୦୧୩ରେ କରାଯାଇଥିବା ଏକ ଅନୁଧ୍ୟାନ ଅନୁସାରେ, ସମ୍ପୂର୍ଣ୍ଣ କ୍ଷୀର ଓ ଛେନା ପରି ଚର୍ବିବହୁଳ କ୍ଷୀରଜାତ ଖାଦ୍ୟ ଦିନକୁ ଦୁଇଥର ଖାଇଲେ ଗତିଶୀଳ ଶୁକ୍ରାଣୁ ସଂଖ୍ୟା କମିଯାଇପାରେ। ବିଭିନ୍ନ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଯେଉଁ ପୁରୁଷମାନେ ଅଧିକ ଫଳ ଓ ପନିପରିବା ଖାଆନ୍ତି, ସେମାନଙ୍କ ଶୁକ୍ରାଣୁର ମାନ ଉନ୍ନତ ଥାଏ। ଆଣ୍ଟିଅକ୍ସିଡାଣ୍ଟ କମ୍‌ ଥିବା ଖାଦ୍ୟ ଅଧିକ ଖାଇଲେ ଶୁକ୍ରର ମାନ କମିଯାଇଥାଏ। ନିକଟରେ ହାଓ୍ବାର୍ଡ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏକ ଅନୁଧ୍ୟାନ ଅନୁସାରେ ମାଂସ ଓ କ୍ଷୀରଜାତ ଖାଦ୍ୟ ମାତ୍ର ୫ ପ୍ରତିଶତ ଅଧିକ ଖାଇଲେ ଶୁକ୍ରାଣୁ ସଂଖ୍ୟା ୩୮ ପ୍ରତିଶତ କମିଯାଇପାରେ। ଯେଉଁମାନେ ପ୍ରକ୍ରିୟାକୃତ ମାଂସ ଅଧିକ ଖାଇଥିଲେ ଅଳ୍ପ ଖାଇଥିବା ଲୋକଙ୍କଠାରୁ ସେମାନଙ୍କର ଶୁକ୍ରାଣୁ ସଂଖ୍ୟା ୨୩ ପ୍ରତିଶତ କମ୍‌ ଥିଲା। ଏପିଡେମିଓଲୋଜି ପତ୍ରିକାରେ ପ୍ରକାଶିତ ୨୦୧୪ର ଏକ ଗବେଷଣା ନିବନ୍ଧ ଅନୁସାରେ, ପ୍ରକ୍ରିୟାକୃତ ମାଂସ ଖାଇଲେ ନପୁଂସକତା ସୃଷ୍ଟି ହୁଏ। ନିକଟରେ ମାସାଚୁସେଟ୍ସ ଜେନେରାଲ ହସ୍ପିଟାଲ, ବ୍ରିଗ୍‌ହାମ୍‌ ଏବଂ ଡ. ଜିଲ ଆଟ୍ଟାମ୍ୟାନ୍‌ଙ୍କ ଦ୍ୱାରା ପରିଚାଳିତ ମହିଳା ହସ୍ପିଟାଲ ଓ ହାଓ୍ବାର୍ଡ ମେଡିକାଲ ସ୍କୁଲ୍‌ ଦ୍ୱାରା ଡାର୍ଟମାଉଥ୍‌-ହିଚ୍‌କକ୍‌ ମେଡିକାଲ ସେଣ୍ଟରଠାରେ ୯୯ ଜଣ ଶୁକ୍ରଦାତାଙ୍କ ଉପରେ ଏକ ଅନୁଧ୍ୟାନ କରାଯାଇଥିଲା। ଏଥିରୁ ଯୌନ କ୍ଷମତା ଉପରେ ଖାଦ୍ୟ କିପରି ପ୍ରଭାବ ପକାଏ ତାହା ଜଣାପଡ଼ିଥିଲା। ଯେଉଁମାନେ ଅଧିକ ପରିପୃକ୍ତ ଚର୍ବିଯୁକ୍ତ ଖାଦ୍ୟ (ମାଂସ ଓ କ୍ଷୀରଜାତ ଖାଦ୍ୟ) ଖାଇଥିଲେ, କମ୍‌ ଖାଇଥିବା ଲୋକଙ୍କ ତୁଳନାରେ ସେମାନଙ୍କର ୪୩ ପ୍ରତିଶତ ଶୁକ୍ରାଣୁ କମ୍‌ ଥିଲା। ଚର୍ବିବହୁଳ ଖାଦ୍ୟ ଖାଇବା କମାଇବା ପରେ ସେମାନଙ୍କର ସାଧାରଣ ସ୍ବାସ୍ଥ୍ୟ ସହ ପ୍ରଜନନ କ୍ଷମତା ମଧ୍ୟ ବୃଦ୍ଧି ପାଇବା ଦେଖାଯାଇଥିଲା। ୨୨୧ଟି ଦେଶ ମଧ୍ୟରେ ଡେନ୍‌ମାର୍କର ଜନ୍ମହାର ୧୮୫ତମ ସ୍ଥାନରେ ରହିଛି ଏବଂ ଏହାର ଜନସଂଖ୍ୟା ଦ୍ରୁତଗତିରେ କମିବାରେ ଲାଗିଛି। ରିଗ୍‌ସହସ୍ପିଟାଲେଟ୍‌ କୋପେନ୍‌ହାଗେନ୍‌ ୟୁନିଭର୍ସିଟି ନ୍ୟାଶ୍‌ନାଲ ହସ୍ପିଟାଲ ତରଫରୁ ଏହା ଉପରେ ଏକ ଅନୁଧ୍ୟାନ କରାଯାଇଥିଲା, ଯାହାର ରିପୋର୍ଟ ଆମେରିକାନ୍‌ ଜର୍ନାଲ ଅଫ୍‌ କ୍ଳିନିକାଲ ନ୍ୟୁଟ୍ରିଶନ୍‌ରେ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁସାରେ ଖାଦ୍ୟାଭ୍ୟାସ ଯୋଗୁ ଡେନ୍‌ମାର୍କର ପୁରୁଷମାନେ ପ୍ରଜନନ କ୍ଷମତା ହରାଉଛନ୍ତି। ଫ୍ରାନ୍ସରେ ମଧ୍ୟ ଅନୁରୂପ ଅନୁଧ୍ୟାନ କରାଯାଇଥିଲା, ଯେଉଁଠାରେ ଲୋକମାନେ ଅଧିକ ମାଂସ ଓ ଛେନା ଖାଆନ୍ତି। ଏଥିରୁ ଜଣାଗଲା ଯେ ୧୯୮୯ରେ ସେମାନଙ୍କର ହାରାହାରି ଶୁକ୍ର ସାନ୍ଦ୍ରତା ୭୪ ନିୟୁତ/ମିଲିଲିଟର ଥିବା ବେଳେ ୨୦୦୫ରେ ତାହା ୫୦ ନିୟୁତ/ମିଲିଲିଟରକୁ କମିଯାଇଛି। ଆମେରିକାନ୍‌ ଜର୍ନାଲ ଅଫ୍‌ ଅବ୍‌ଷ୍ଟେଟ୍ରିକ୍ସ ଆଣ୍ଡ୍‌ ଗାଇନେକୋଲୋଜିରେ ପ୍ରକାଶିତ ଏକ ଅନୁଧ୍ୟାନ ରିପୋର୍ଟ ଅନୁସାରେ ମାଂସ ବଦଳରେ ଉଦ୍ଭିଜ୍ଜ ପ୍ରୋଟିନ୍‌ ଖାଇଲେ ମହିଳାମାନଙ୍କର ବନ୍ଧ୍ୟାଦୋଷ ଦୂର ହୋଇଥାଏ। ଅଧିକ ମାଂସ ଖାଇଲେ ସେମାନଙ୍କର ସନ୍ତାନ ଜନ୍ମ ହାର କମିଯାଇଥାଏ। ନନ୍‌ହେମ୍‌ ଆଇରନ୍‌ ଥିବା ଚଣା, ପାଳଙ୍ଗ ଶାଗ ପ୍ରଭୃତି ଖାଉଥିବା ମହିଳାଙ୍କ ଅପେକ୍ଷା ହେମ୍‌ ଆଇରନ୍‌ ଥିବା ମାଂସ ଖାଉଥିବା ମହିଳାମାନଙ୍କର ବନ୍ଧ୍ୟାତ୍ୱ ଆଶଙ୍କା ୪୦ ପ୍ରତିଶତ ଅଧିକ। ନ୍ୟାଶ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଚାଇଲ୍‌ଡ ହେଲ୍‌ଥ ଆଣ୍ଡ୍‌ ହ୍ୟୁମ୍ୟାନ୍‌ ଡେଭ୍‌ଲପ୍‌ମେଣ୍ଟ ଦ୍ୱାରା କରାଯାଇଥିବା ଏକ ଅନୁଧ୍ୟାନ ଅନୁସାରେ, ମାଂସାହାର ଦ୍ୱାରା କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ପାଇଲେ ମହିଳାମାନଙ୍କର ଗର୍ଭ ରହେ ନାହିଁ ବା ଗର୍ଭ ରହିବାରେ ବିଳମ୍ବ ହୁଏ। ଗବେଷଣାରୁ ଜଣାପଡ଼ିଛି ଯେ, ଲୋକମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବା ଏବଂ ଫାଷ୍ଟ ଫୁଡ୍‌ର ସୁଲଭତା ଯୋଗୁ ଅନେକ ଦେଶରେ ନପୁଂସକତା ବୃଦ୍ଧି ପାଉଛି। ଏସବୁ ସମସ୍ୟାରୁ ନିସ୍ତାର ପାଇବାର ଉପାୟ ହେଉଛି ଜୀବନଶୈଳୀରେ ପରିବର୍ତ୍ତନ ଓ ଜୈବିକ ନିରାମିଷ ଖାଦ୍ୟକୁ ଆପଣାଇବା। ଜୈବିକ ଖାଦ୍ୟ ମାନେ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ନ ହୋଇ ଉତ୍ପାଦନ ହୋଇଥିବା ଶସ୍ୟ, ଫଳମୂଳ ଓ ପନିପରିବା। ୨୦୧୪ରେ ଆମେରିକାନ୍‌ ସୋସାଇଟି ଫର୍‌ ରିପ୍ରଡକ୍ଟିଭ୍‌ ମେଡିସିନ୍‌ର ବାର୍ଷିକ ସମ୍ମିଳନୀରେ ଉପସ୍ଥାପିତ ଗବେଷଣା ନିବନ୍ଧ ଅନୁସାରେ ଯେଉଁ ଲୋକମାନେ କୀଟନାଶକର ଅବଶେଷ ଥିବା ଖାଦ୍ୟ ଖାଇଥିଲେ ସେମାନଙ୍କଠାରେ ୬୪ ପ୍ରତିଶତ କମ୍‌ ସ୍ବାଭାବିକ ଶୁକ୍ର ଏବଂ ୭୦ ପ୍ରତିଶତ କମ୍‌ ଗତିଶୀଳ ଶୁକ୍ର ଥିଲା। ମଦ ପିଇଲେ ମଧ୍ୟ ଶୁକ୍ରର ମାନ କମିଯାଇଥାଏ, ଯାହା ୨୦୧୨ର ଏକ ବ୍ରାଜିଲୀୟ ଅନୁଧ୍ୟାନରୁ ଜଣାପଡ଼ିଛି। ଡେନ୍‌ମାର୍କର ଏକ ଅନୁଧ୍ୟାନ ରିପୋର୍ଟ ଅନୁସାରେ ଅଳ୍ପ ମାତ୍ରାରେ ହେଉ ପଛେ ନିୟମିତ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କର ଶୁକ୍ରର ମାନ କମ୍‌ ଥାଏ। ତେଣୁ ମଦ୍ୟ ବଦଳରେ ଡାଳିମ୍ବ ରସ ପିଇବା ସବୁ ଦୃଷ୍ଟିରୁ ହିତକର ବୋଲି ତୁର୍କୀର ଏକ ଅନୁଧ୍ୟାନରୁ ଜଣାପଡ଼ିଛି। ବ୍ରାଜିଲରେ କରାଯାଇଥିବା ଏକ ଅନୁଧ୍ୟାନରେ ୧୮୯ ଜଣ ସୁସ୍ଥ ପତଳା ଯୁବକଙ୍କୁ ନିଆଯାଇଥିଲା। ସେମାନେ ଚିନି-ମିଶ୍ରିତ ପାନୀୟ ଦୈନିକ ଥରକରୁ ଅଧିକ ପିଉଥିଲେ। ଦେଖାଗଲା ସେମାନଙ୍କ ଶୁକ୍ରର ଗତିଶୀଳତା ହ୍ରାସ ପାଇଛି। ତେଣୁ ଯଦି ମିଠା ଖାଇବାର ଅଛି ଚିନି ବଦଳରେ ଫଳରୁ ପ୍ରସ୍ତୁତ ମିଠା ଖାଆନ୍ତୁ। ମାଛ, ମାଂସ, ଅଣ୍ଡା ଓ କ୍ଷୀରଜାତୀୟ ଖାଦ୍ୟ ଖାଇବା ଛାଡ଼ନ୍ତୁ। ମଦ, ସିଗାରେଟ୍‌ ଓ ଅଧିକ ଚିନି ଖାଇବା ଛାଡ଼ନ୍ତୁ। ତା’ ବଦଳରେ ଫଳ, ପନିପରିବା, ମସୁର ବା ଚଣା ଡାଲି, ପାଳଙ୍ଗ ଓ ଅନ୍ୟାନ୍ୟ ଶାଗ ପ୍ରଭୃତି ଖାଆନ୍ତୁ।

Email: gandhim@nic.in



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri