ବୁଲେଟ୍‌ ଟ୍ରେନ୍‌ ବନାମ ରେଳ ସୁରକ୍ଷା

ଡ.ନିଖିଳାନନ୍ଦ ପାଣିଗ୍ରାହୀ

ଆମେ ବୁଲେଟ୍‌ ଟ୍ରେନ ଚାହୁଁ ନାହୁଁ। ଆମକୁ ଏକ ସୁରକ୍ଷିତ ରେଳଯାତ୍ରା ଯୋଗାଇ ଦିଆଗଲେ ଆମେ ଉପକୃତ ହେବୁ- ଏହି ମର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଯେଉଁ ଦରଖାସ୍ତଟି ପଠାଇବାକୁ ପ୍ରସ୍ତୁତ ହୋଇଛି, ସେଥିରେ ସେପ୍ଟେମ୍ବର ୨୦୧୭ ସୁଦ୍ଧା ଅତି ଅଳ୍ପ ସମୟ ମଧ୍ୟରେ ପାଞ୍ଚ ହଜାର ବ୍ୟକ୍ତି ଦସ୍ତଖତ କରିସାରିଲେଣି। ଏହି ଉଦ୍ଧୃତିର ପୃଷ୍ଠଭୂମିରେ ରହିଛି ବମ୍ବେର ରୁଇଆ କଲେଜରେ ଅଧ୍ୟୟନରତ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଶ୍ୱେତା ଚୌହାନଙ୍କ ମର୍ମ ବେଦନାର ସାରମର୍ମ। ଶ୍ୱେତାଙ୍କ ଜଣେ ଛାତ୍ରବନ୍ଧୁ ୨୦ ସେପ୍ଟେମ୍ବରରେ ସେଠାକାର ଲୋକାଲ ଟ୍ରେନରୁ ଖସି ପ୍ରାଣ ହରାଇବା ପରେ ସେ ଏମିତି ଭାଙ୍ଗିପଡିଛନ୍ତି। ଏକ ହିସାବରୁ ଜଣାଯାଏ ଯେ, ବମ୍ବେ ଲୋକାଲ ଟ୍ରେନ୍‌ର ଯାତ୍ରୀମାନଙ୍କ ମଧ୍ୟରୁ ଦୈନିକ ୯ଜଣ ବ୍ୟକ୍ତି ଦୁର୍ଘଟଣାବଶତଃ ମୃତ୍ୟୁମୁଖରେ ପଡନ୍ତି। ରେଳଯାତ୍ରୀଙ୍କ ନିରାପତ୍ତା ନିଶ୍ଚୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। କିନ୍ତୁ ବୁଲେଟ୍‌ ଟ୍ରେନ୍‌ ବି ଅଲୋଡ଼ା ନୁହେଁ। ଦୁଃଖ ଓ ଆବେଗରେ ଉଦ୍‌ବେଳିତ ହୋଇ ଛାତ୍ରୀ ଜଣକ ଯେଉଁ ଆବେଦନ କରିଛି ତାହା ବିସ୍ମୟଜନକ ନୁହେଁ। ପୁରୁଖା ନେତା ଏବଂ ଶାସନରେ ଅଭିଜ୍ଞତାସମ୍ପନ୍ନ ଜଣେ ପୂର୍ବତନ ଅର୍ଥମନ୍ତ୍ରୀ, କଂଗ୍ରେସ ଦଳର ପି. ଚିଦାମ୍ବରମ ବମ୍ବେ ରେଲ୍‌ଓ୍ବେ ଫୁଟ୍‌ ଓଭର୍‌ବ୍ରିଜ୍‌ରେ ଦଳାଚକଟାଜନିତ ୨୩ଜଣଙ୍କ ମୃତ୍ୟୁ (୨୯ ସେପ୍ଟେମ୍ବର ୨୦୧୭) ସମ୍ପର୍କରେ କହିଛନ୍ତି, କେନ୍ଦ୍ରର ବୁଲେଟ୍‌ ଟ୍ରେନ୍‌ ଯୋଗୁ ସୁରକ୍ଷା ସମେତ ସବୁ କିଛି ନଷ୍ଟ ହୋଇଯିବ। ତତ୍‌ସହ ସେ ନୈରାଶ୍ୟଜନକ ଭବିଷ୍ୟବାଣୀ ଶୁଣାଇଥିଲେ ଯେ, ଏହି ବୁଲେଟ୍‌ ଟ୍ରେନ୍‌ର ଅବସ୍ଥା ବିମୁଦ୍ରାୟନ ପରି (ଦୁର୍ଦ୍ଦଶାଗ୍ରସ୍ତ) ହେବ। ବୁଲେଟ୍‌ ଟ୍ରେନ୍‌ ପାଇଁ ପ୍ରକଳ୍ପ ଖର୍ଚ୍ଚ ୧,୧୦,୦୦୦ କୋଟି ଟଙ୍କା ଧାର୍ଯ୍ୟ ହୋଇଛି। ଜାପାନ ମାତ୍ର ଶତକଡା ୦.୧ ସୁଧ ହାରରେ ଭାରତକୁ ଏହି ଋଣ ଦେବ ଏବଂ ୫୦ ବର୍ଷ ଅବଧିରେ ଭାରତ ଏହା ପରିଶୋଧ କରିବ। ପୁଣି ଋଣ ନେବାର ୧୫ ବର୍ଷ ପରେ ଋଣ ଅସୁଲ ପ୍ରକ୍ରିୟା ଆରମ୍ଭ ହେବ। ବମ୍ବେରୁ ଅହମଦାବାଦ ମଧ୍ୟରେ ଚଳାଚଳ କରିବାକୁ ଥିବା ଏହି ଟ୍ରେନ୍‌ ଯାତ୍ରା ବେଳେ ବାରଟି ଷ୍ଟେଶନ ଦେଇ ଯାତାୟାତ କରିବ। ଏହି ହିସାବରେ କଳନା କଲେ, ବୁଝିହୁଏ ଯେ, ଏହି ଋଣ ଶସ୍ତା, ସୁଲଭ ଓ ଲାଭଜନକ। ସେପ୍ଟେମ୍ବର ୧୪ ତାରିଖରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଓ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସ୍ବାକ୍ଷରିତ ଏହି ବମ୍ବେ-ଅହମଦାବାଦ ହାଇସ୍ପିଡ୍‌ ଟ୍ରେନ୍‌ (ଏମ୍‌ଏ ଏଚ୍‌ଏସ୍‌ ଆର) ଚୁକ୍ତି ହେଉଛି ମୋଦି ସରକାରଙ୍କର ଏକ ସ୍ବପ୍ନର ପ୍ରକଳ୍ପ। ମାତ୍ର ଅଢେଇଘଣ୍ଟାରେ ଏହା ୫୦୮ କିଲୋମିଟର ପଥ ଅତିକ୍ରମ କରିବ। କିନ୍ତୁ ନିନ୍ଦୁକମାନେ ଏହାକୁ ଋଣଂ କୃତ୍ୱା ଘୃତଂ ପିବେତ୍‌ ବୋଲି କଟୁ ସମାଲୋଚନା କରୁଛନ୍ତି। ଆମ ଦେଶ ସମ୍ପ୍ରତି କ୍ଷୁଧା, ଦାରିଦ୍ର୍ୟ, ଅପପୁଷ୍ଟି ଇତ୍ୟାଦିରେ ପୀଡିତ ଥିବାବେଳେ ରେଳପଥର ଏହି ପ୍ରକଳ୍ପ ଏକ ବିଳାସ ମାତ୍ର ଏବଂ ଏଥିରେ ସାଧାରଣ ଜନତା ଉପକୃତ ହେବେ ନାହିଁ ବୋଲି ମନ୍ତବ୍ୟ ଦିଆଯାଉଛି। ବରଂ ରେଳ ମନ୍ତ୍ରଣାଳୟ ଏ ସବୁରେ ଧ୍ୟାନ ନ ଦେଇ ରେଳ ସଂଯୋଗ ପାଇଁ ନୂତନ ଭିତ୍ତିଭୂମି ନିର୍ମାଣ ଓ ପୁରୁଣା ରେଳପଥର ଆଧୁନିକୀକରଣ ପ୍ରତି ଅଧିକ ତତ୍ପର ହେବା ଦରକାର। ଯାତ୍ରୀଙ୍କ ନିରାପତ୍ତା ସକାଶେ ଏହା ଜରୁରୀ ମଧ୍ୟ। ବିଶ୍ୱରେ ସର୍ବମୋଟ ୧୬ଟି ଦେଶରେ ବୁଲେଟ୍‌ ଟ୍ରେନ୍‌ ଚାଲୁଛି, ତନ୍ମଧ୍ୟରେ ଅଗ୍ରଣୀ ରାଷ୍ଟ୍ର ହେଉଛନ୍ତି ଚାଇନା, ଜାପାନ, ସ୍ପେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ତୁର୍କୀ ଓ ଦକ୍ଷିଣକୋରିଆ। ଏମାନଙ୍କ ବେଗ ଘଣ୍ଟା ପ୍ରତି ଯଥାକ୍ରମେ: ୩୫୦, ୩୨୦, ୩୦୦, ୩୨୦, ୩୦୦, ୩୦୦, ୨୫୦ ଓ ୩୦୦ କିମି। ବୁଲେଟ୍‌ ଟ୍ରେନ୍‌ର ଗତି ତ ବେଶ୍‌ ଅଧିକ। ତେବେ ଏହାଠାରୁ ଆହୁରି ଅଧିକ ଉନ୍ନତ ଓ ବେଗଗାମୀ ମାଗ୍‌ଲେଭ ଟ୍ରେନ୍‌ କେତେକ ଦେଶ ପ୍ରଚଳନ କଲେଣି। କୁହାଯାଏ ବେଗ ହିଁ ଉନ୍ନତିର ଲକ୍ଷଣ। ଏହି ଅମୋଘ ବାକ୍ୟଟି କେବଳ ମଣିଷଙ୍କ ପାଇଁ ନୁହେଁ, ଦେଶ ପାଇଁ ମଧ୍ୟ ପ୍ରଯୁଜ୍ୟ। ଯେଉଁମାନେ ବୁଲେଟ୍‌ ଟ୍ରେନକୁ ବିରୋଧ କରୁଛନ୍ତି, ସେମାନେ ଦେଶକୁ କେବଳ ପଛକୁ ଠେଲିଦେଉନାହାନ୍ତି, ବିଶ୍ୱ ଦରବାରରେ ଭାରତକୁ ଏକ ଅନୁନ୍ନତ ଦେଶ ତାଲିକାରେ ଅନ୍ତର୍ଭୁକ୍ତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତର ମହାକାଶ-ଗବେଷଣା କାର୍ଯ୍ୟକ୍ରମ ପ୍ରତି ଦୃଷ୍ଟି ଦିଆଯାଇପାରେ। ୧୯୬୨ରେ ପଣ୍ଡିତ ନେହେରୁ ଯେତେବେଳେ ଏଥିପ୍ରତି ମନ ବଳାଇ ପଦକ୍ଷେପ ନେଲେ, ସେତେବେଳେ ମଧ୍ୟ ସମାଲୋଚକମାନେ ଏହାକୁ ଅର୍ଥ ବରବାଦ୍‌ ବୋଲି ଆକ୍ଷେପ କଲେ। ବାସ୍ତବିକ ଏମିତି ଏକ ଗୋଷ୍ଠୀ ସବୁବେଳେ ଦେଖାଦିଅନ୍ତି। ଇନ୍‌କୋସ୍ପାରର ପ୍ରଥମ ଚେୟାରମ୍ୟାନ ବିକ୍ରମ ସରାଭାଇ ୧୯୬୯ରେ ମତ ଦେଲେ ଯେ ମହାକାଶ-ଗବେଷଣାର ମୂଳ ଉଦ୍ଦେଶ୍ୟ ହେଉଛି ଦେଶର ମଙ୍ଗଳ ପାଇଁ ଆଧୁନିକ ବୈଜ୍ଞାନିକ ଜ୍ଞାନକୌଶଳର ପ୍ରୟୋଗ। ୧୯୯୯ରେ ପ୍ରକାଶିତ ଏ.ପି.ଜେ. ଅବଦୁଲ କଲାମଙ୍କ ଆତ୍ମଜୀବନୀରେ ଉଲ୍ଲେଖ ହୋଇଛି, ଅନେକ ଭାରତୀୟ ଆମ ଦେଶର ମହାକାଶ-କାର୍ଯ୍ୟକ୍ରମକୁ କ୍ଷୁଧା ଓ ଅନାହାରରେ ପୀଡିତ ଭାରତ କ୍ଷେତ୍ରରେ ଏକ ଅର୍ଥଶ୍ରାଦ୍ଧ ବୋଲି ନିନ୍ଦା କରୁଛନ୍ତି। କିନ୍ତୁ ବିଶ୍ୱର ଅଗ୍ରଣୀ ରାଷ୍ଟ୍ର ମଧ୍ୟରେ ସ୍ଥାନିତ ହେବାକୁ ଏହାକୁ ଜଳାଞ୍ଜଳି ଦେବା ଘୋର ଦୂରଦୃଷ୍ଟିର ଅଭାବ ହେବ। ବାସ୍ତବିକ ଇସ୍ରୋ ଚଳିତବର୍ଷ ଆରମ୍ଭରେ ୧୦୪ଟି ଉପଗ୍ରହ ସବୁଠାରୁ କମ୍‌ ଖର୍ଚ୍ଚରେ ଉତ୍‌କ୍ଷେପଣ କରି ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଉପଗ୍ରହ ମଧ୍ୟରେ ଆମେରିକାର ୯୬ଟି ଉପଗ୍ରହ ଅନ୍ତର୍ଭୁକ୍ତ। ୨୦୧୫-୧୬ ଆର୍ଥିକ ବର୍ଷରେ ଇସ୍ରୋ ୨୩୯ କୋଟି ଟଙ୍କା ବାଣିଜି୍ୟକ ଉପଗ୍ରହ ପ୍ରେରଣରୁ ପାଇଛି। କାରଣ ହେଉଛି ଅଗ୍ରଣୀ ବିଦେଶୀ କମ୍ପାନୀ ଏଲନ ମୁସ୍କଙ୍କ ସ୍ପେସ୍‌ ଏକ୍ସ ୬୦ ମିଲିୟନ ଆମେରିକାନ ଡଲାର ଦାବି କରିବା ବେଳେ ଇସ୍ରୋ ମାତ୍ର ୩ ମିଲିୟନ ଡଲାରରେ ସଫଳ ପ୍ରେରଣ କରୁଛି। ତେଣୁ ଆନ୍ତର୍ଜାତିକ ବଜାରରେ ଭାରତର ମହାକାଶ କାର୍ଯ୍ୟକ୍ରମ ଆକର୍ଷଣର କେନ୍ଦ୍ର ହୋଇପାରିଛି। ଠିକ୍‌ ସେମିତି ହୁଏତ ଭବିଷ୍ୟତ ପିଢି ବୁଲେଟ୍‌ ଟ୍ରେନ୍‌ ଉପରେ ଏବେ ବୁଲେଟ୍‌ ବର୍ଷୁଥିବା ଲୋକଙ୍କୁ କଲାମଙ୍କ ଭାଷାରେ ଅଦୂରଦର୍ଶୀ ବିବେଚନା କରିପାରେ। ବେଗ ଓ ନିରାପତ୍ତା-ଏ ଉଭୟ ଆମର ଲୋଡ଼ା। ତେଣୁ ଉଭୟ ଆମର ଧ୍ୟେୟ ହେଉ।

ବଡଖେମୁଣ୍ଡି ବଙ୍ଗଳା, ବ୍ରହ୍ମପୁର, ମୋ:୯୪୩୭୦୨୬୬୫୧



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri