ରୋଗପୋକ ପରିଚାଳନା

ବିଚିତ୍ର ବିଶ୍ୱାଳ

ଅସରନ୍ତି ବିପଦକୁ ମୁଣ୍ଡେଇ ଯଦି କିଏ ଜୀବନ ବଞ୍ଚୁଥାଏ, ତେବେ ସେ ହେଉଛି ଚାଷୀ। ଚାଷୀ ଭାଗ୍ୟରେ ଭୋଗିବାର ଅନ୍ତ ନାହଁି। କେତେବେଳେ ମରୁଡ଼ି ତ କେତେବେଳେ ବନ୍ୟା, କେତେବେଳେ ଚାଷୀ ଅଭାବୀ ବିକ୍ରିର ଶିକାର ହେଲାଣି ତ କେତେବେଳେ ପୋକ ଦାଉରେ ଫସଲ ଉଜୁଡ଼ି ଗଲାଣି। ସଂପ୍ରତି ଓଡ଼ିଶାରେ ପୋକ ଆକ୍ରମଣରେ ଚାଷୀମାନଙ୍କ ଫସଲ ବିପର୍ଯ୍ୟସ୍ତ ହୋଇପଡ଼ିଛି। ହତାଶାରେ ଚାଷୀ ନିଜ ଜମିରେ ନିଆଁ ଲଗେଇଦେଉଛି। ଚକଡ଼ା ପୋକ ଆକ୍ରମଣରେ ଫସଲ ଉଜୁଡ଼ି ଯିବାରୁ ବରଗଡ଼ର ଚାଷୀ ବୃନ୍ଦାବନ ଆତ୍ମହତ୍ୟା କରିଛନ୍ତି। କେବଳ ବରଗଡ଼ ନୁହେଁ, ଓଡ଼ିଶାର ପ୍ରାୟ ୨୭ଟି ଜିଲାରେ ଚାଷୀମାନଙ୍କ ଫସଲ ପୋକ ଆକ୍ରମଣର ଶିକାର ହୋଇ ସର୍ବସ୍ବାନ୍ତ ହୋଇଯିବା ଭଳି ପରିସ୍ଥିତି ଉପୁଜିଛି। ପୋକ ଆକ୍ରମଣ ଯୋଗୁ ଫସଲ ହାନି ସମୟରେ କୃଷି ବୈଜ୍ଞାନିକଙ୍କଠୁ ବୁଦ୍ଧିଜୀବୀ ଯାଏ ସମସ୍ତେ ପୋକକୁ ଦମନ କରିବା ପାଇଁ ବ୍ୟବହାର ହେଉଥିବା କୀଟନାଶକର ଗୁଣବତ୍ତା ଓ କୀଟନାଶକ ପ୍ରୟୋଗରେ ପରିଚାଳନାଗତ ତ୍ରୁଟି ଦିଗକୁ ହଁି ଇଙ୍ଗିତ କରିଛନ୍ତି। କେହି ବି ମୂଳ କାରଣ ଆଡ଼କୁ ଧ୍ୟାନ ଦେଉନାହାନ୍ତି। ଧାନ ଫସଲରେ ପୋକଙ୍କ ପ୍ରାଦୁର୍ଭାବ ହଠାତ୍‌ ଏତେ ବଢ଼ିଲା କାହଁିକି, ସେ ବିଷୟରେ ସମସ୍ତେ ନୀରବ। ଆମ ରାଜ୍ୟରେ ଚାଷୀମାନେ ଶହ ଶହ ବର୍ଷ ଧରି ଚାଷ କରିଆସୁଛନ୍ତି। କିନ୍ତୁ ଏହି ଦଶ ବାର ବର୍ଷ ହେବ ରୋଗପୋକର ମାତ୍ରା ହଠାତ୍‌ ବଢ଼ିଲା କାହଁିକି? ଏଥିପ୍ରତି ଉଦାସୀନ ରହିଲେ, ଗୋଟିଏ ବର୍ଷ ହୁଏତ ପୋକକୁ ଯେନତେନ ଦମନ କରିହେବ, କିନ୍ତୁ ଚାଷକୁ ଆଗାମୀ ଦିନରେ ପୋକ କବଳରୁ ବଞ୍ଚେଇ ହେବନାହଁି। ପୋକ ସମସ୍ୟାର ସମାଧାନ ପାଇଁ ଯଦି କୀଟନାଶକର ପ୍ରୟୋଗକୁ ବିକଳ୍ପ ଭାବେ ବିଚାର କରିବା, ତେବେ ଏଥିରେ ଚାଷୀର କିଛି ଲାଭ ହେବ ନାହଁି। କାରଣ ଅଧିକ ପରିମାଣରେ କୀଟନାଶକ ପ୍ରୟୋଗର ଆର୍ଥିକ ବୋଝ ଚାଷୀକୁ ହଁି ବୋହିବାକୁ ପଡ଼ିବ। ଏହା ଋଣଗ୍ରସ୍ତ ଅସହାୟ ଚାଷୀ କୁଳକୁ ଅଧିକ ଅସହାୟ କରିବ। ଏହା ପୋକ ସମସ୍ୟାର ସ୍ଥାୟୀ ସମାଧାନ ନୁହେଁ। ପୋକର ବଂଶ ବିସ୍ତାର ପ୍ରକ୍ରିୟାକୁ ଅନୁଧ୍ୟାନ କଲେ, ଆମେ ରୋଗପୋକ ପରିଚାଳନାର ଠିକ୍‌ ଉପାୟ ପାଖରେ ପହଞ୍ଚିପାରିବା। ଏଠାରେ ସୂଚନାଯୋଗ୍ୟ ଯେ, ପୋକ ତଥା କୀଟମାନେ ନିଜ ଇଚ୍ଛା ଅନୁସାରେ ବଂଶ ବିସ୍ତାର କରିଥାନ୍ତି। ପୋକମାନେ ଯେତେବେଳେ ଅଧିକ ପରିମାଣରେ ଖାଦ୍ୟ ମିଳିବାର ସମ୍ଭାବନା ଦେଖିଥାନ୍ତି ସେହି ହିସାବରେ ଅଧିକ ପରିମାଣରେ ବଂଶ ବିସ୍ତାର କରିଥାନ୍ତି। କିନ୍ତୁ ଯଦି ସେମାନେ କମ୍‌ ପରିମାଣରେ ଖାଦ୍ୟ ମିଳିବାର ସମ୍ଭାବନା ଦେଖନ୍ତି ନିଜ ବଂଶକୁ ସୀମିତ ରଖିଥାନ୍ତି। ପୂର୍ବରୁ ଗୋଟିଏ ଚକରେ (ଚାଷ ଜମି ଅଞ୍ଚଳ) ବିଭିନ୍ନ ପ୍ରକାରର ଓ ବିଭିନ୍ନ ଅବଧିର ଧାନ ଚାଷ ହେଉଥିଲା। ସେହି ଧାନ ଜମିମାନଙ୍କରେ ଭିନ୍ନ ଭିନ୍ନ ସମୟରେ ଫୁଲ ହେଉଥିଲା, ଥୋଡ଼ ବାହାରୁଥିଲା ଓ ଅମଳ ହେଉଥିଲା। ଗୋଟିଏ ସମୟରେ ସବୁ ଜମିରେ ଧାନ ଗଛର ଅବସ୍ଥା ଏକା ପ୍ରକାରର ହେଉ ନ ଥିଲା। ତେଣୁ ପୋକମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟରେ ଅଧିକ ପରିମାଣରେ ଖାଦ୍ୟ ମିଳିବାର ସମ୍ଭାବନା ଦେଖାଦେଉ ନ ଥିଲା। ଫଳରେ ପୋକମାନେ ସେମାନଙ୍କ ବଂଶ ବିସ୍ତାରକୁ ସୀମିତ ରଖୁଥିଲେ। ତେଣୁ ଏକ ସମୟରେ ଗୋଟିଏ ଅଞ୍ଚଳର ସବୁ ଫସଲ ନଷ୍ଟ ହେଉ ନ ଥିଲା। ଯେହେତୁ ଭିନ୍ନ ଭିନ୍ନ କିସମର ଧାନ ଚାଷ ହେଉଥିଲା, କିଛି ଜମିରେ ପୋକ ଲାଗିଲେ ବାକିସବୁ ଜମି ନିରାପଦ ରହୁଥିଲା। ଏକାଥରେ ଫସଲ ଉଜୁଡ଼ିିଯିବା ପରି ସ୍ଥିତି ଉପୁଜୁ ନ ଥିଲା। ବର୍ତ୍ତମାନର ଚାଷନୀତିରେ ସରକାର ସବୁ ଚାଷୀଙ୍କୁ ଗୋଟିଏ ପ୍ରକାର ଧାନ ବିହନ ଚାଷ କରିବାକୁ ପ୍ରୋତ୍ସାହିତ କରୁଥିବାରୁ ସବୁ ଜମିରେ ଧାନ ଏକା ସମୟରେ ଫୁଲ ଧରୁଛି, ଏକା ସମୟରେ କେଣ୍ଡା ବାହାରୁଛି ଓ ଏକା ସମୟରେ ପାଚୁଛି। ତେଣୁ ଯେତେବେଳେ ପୋକ ଗୋଟିଏ ଜମି ପାଖକୁ ଆସୁଛନ୍ତି, ସେ ଏକା ସମୟରେ ପ୍ରଚୁର ପରିମାଣରେ ଖାଦ୍ୟ ଥିବାର ସମ୍ଭାବନା ଦେଖି ଅଧିକ ପରିମାଣରେ ବଂଶ ବିସ୍ତାର କରୁଛନ୍ତି। ପରିଣାମ ସ୍ବରୂପ, ସବୁ ଜମିରେ ପୋକ ଚରିଯାଉଛନ୍ତି ଓ ଫସଲ ଉଜୁଡ଼ି ଯାଉଛି। ଯଦି ଜମିରେ ଭିନ୍ନ ଭିନ୍ନ କିସମର ଧାନ ବିହନ ଲାଗିଥାନ୍ତା ଓ ତାହାର ପାଚିବା ସମୟ ଭିନ୍ନ ଭିନ୍ନ ହୋଇଥାନ୍ତା, ତେବେ ସମ୍ପୂର୍ଣ୍ଣ ଜମିରେ ପୋକ ଚରିଯିବା ଭଳି ପରିସ୍ଥିତି କେବେ ବି ହୋଇ ନ ଥାନ୍ତା। ତା’ ଛଡ଼ା ବର୍ତ୍ତମାନ କେବଳ ହାଇ-ୟେଲ୍‌ଡିଙ୍ଗ୍‌ ଓ ହାଇବ୍ରିଡ଼୍‌ ବିହନରେ ଚାଷ ହେଉଥିବାରୁ ଏବଂ ଏହି ବିହନ ଅଧିକ ରୋଗପୋକପ୍ରବଣ ହୋଇଥିବାରୁ ଏଥିରେ ଅଧିକ ପୋକ ଲାଗୁଛନ୍ତି। ସବୁ ଜମିରେ ଏକ ପ୍ରକାର ଓ ରୋଗପୋକପ୍ରବଣ ବିହନ ଚାଷ ହେଉଥିବାରୁ ଏହା ପୋକକୁ ନିମନ୍ତ୍ରଣହୀନ କରିବା ପରି ପରିସ୍ଥିତି ଉପୁଜାଉଛି। ଏତଦ୍‌ବ୍ୟତୀତ ରୋଗପୋକକୁ ଦମନ କରିବା ପାଇଁ ଯେଉଁ କୀଟନାଶକ ତଥା ବିଷ ପ୍ରୟୋଗ କରିବା ଲାଗି ଚାଷୀମାନଙ୍କୁ ଉତ୍ସାହିତ କରାଯାଉଛି, ବର୍ଷେ ଦି’ ବର୍ଷ ପରେ ପୋକମାନେ ସେହି ବିଷର ସହନଶକ୍ତି ବଢ଼େଇ ଦେଉଛନ୍ତି। ଫଳରେ ସେହି ସବୁ ବିଷରେ ପୋକମାନେ ଆଉ ମରୁନାହାନ୍ତି। ତେଣୁ ଚାଷଜମିରେ ବିଷ ପକାଇ ପୋକକୁ ଦମନ କରିବା ଏକ ଚତୁର ଉପାୟ ନୁହେଁ। ଲେଡ଼ା ପୋକକୁ ପରିଚାଳନା ତଥା ନିୟନ୍ତ୍ରଣ କରିବା ଭଳି ଚାଷ ବ୍ୟବସ୍ଥା କରିବା ଏବଂ ତାହା ଚାଷର ଏକ ଅଙ୍ଗ ଭାବେ ବିବେଚିତ ହେବା ଉଚିତ। ତେଣୁ ପୋକକୁ ଚାଷରୁ ଦୂରେଇ ରଖିବାକୁ ହେଲେ ଆମକୁ ଚାଷର ପ୍ରକ୍ରିୟା ବଦଳେଇବାକୁ ହେବ। ସବୁ ଜମିରେ ସମାନତାଭିତ୍ତିକ ଚାଷ ନ କରି ତଥା ଗୋଟିଏ ପ୍ରକାରର, ଗୋଟିଏ ଅବଧିର ଓ ଗୋଟିଏ କିସମର ଚାଷ ନ କରି ପୂର୍ବପରି ଚାଷରେ ବିବିଧତା ଆଣିବାକୁ ହେବ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର, ମୋ-୯୪୩୮୪୬୮୪୭୪



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri