ସମ୍ପାଦକୀୟ/ ପଦବୀରେ ରହିଯିବ

ଦୀର୍ଘକାଳ ଭାରତକୁ ଶାସନ କରି ଆସିଥିବା ଜାତୀୟ କଂଗ୍ରେସର ନେତୃତ୍ୱ ପରିବର୍ତ୍ତନ ହେବ। ସୋନିଆ ଗାନ୍ଧୀ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସଭାପତି ପଦରୁ ଅବସର ନେବେ। ୨୦୧୩ରୁ ଦଳର ଉପସଭାପତି ରହି ଆସିଥିବା ରାହୁଲ ଗାନ୍ଧୀ ସଭାପତି ପଦକୁ ଉନ୍ନୀତ ହେବେ। ଗୁଜରାଟ ବିଧାନସଭା ନିର୍ବାଚନକୁ ପ୍ରାୟ ୧୯ ଦିନ ବାକି ରହିଥିବା ବେଳେ ନଭେମ୍ବର ୨୦ ତାରିଖରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ (ସିଡବ୍ଲ୍ୟୁସି)ରେ ରାହୁଲଙ୍କ ପଦୋନ୍ନତି ନେଇ ପ୍ରସ୍ତାବ ଗୃହୀତ ହୋଇଛି। ଏହି ନିଷ୍ପତ୍ତିକ୍ରମେ କଂଗ୍ରେସ ସଭାପତି ପଦ ସକାଶେ ଡିସେମ୍ବର ୧୬ରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଫଳାଫଳ ୧୯ରେ ପ୍ରକାଶ ପାଇବ। ଅବଶ୍ୟ ଫଳାଫଳ ଘୋଷଣା କେବଳ ଔପଚାରିକତା। ବାସ୍ତବରେ ଏହି ନିର୍ବାଚନ ସକାଶେ ରାହୁଲ ଏକମାତ୍ର ପ୍ରାର୍ଥୀ ହେବାର ଯଥେଷ୍ଟ ସମ୍ଭାବନା ଥିବାରୁ ନାମାଙ୍କନପତ୍ର ପ୍ରତ୍ୟାହାର ପାଇଁ ଧାର୍ଯ୍ୟ ଦିନ, ଡିସେମ୍ବର ୧୧ରେ ହିଁ କଂଗ୍ରେସ ନୂଆ ସଭାପତି ପାଇଯିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କଂଗ୍ରେସର ଏହି ରାଜନୈତିକ ପରିବର୍ତ୍ତନର ମାତ୍ର ୭ ଦିନ ପରେ ଅର୍ଥାତ୍‌ ଡିସେମ୍ବର ୧୮ରେ ଗୁଜରାଟ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବ। ଅନ୍ୟ ଭାବରେ ଦେଖିଲେ ଏହି ରାଜ୍ୟ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଗୋଟିଏ ଦିନ ପରେ ଡିସେମ୍ବର ୧୯ରେ କଂଗ୍ରେସ ବିଧିବଦ୍ଧ ଭାବେ ରାହୁଲଙ୍କୁ ସଭାପତି ଆସନରେ ବସାଇବ। ଗୁଜରାଟ ମଡେଲ ଦେଖାଇ ଅନ୍ୟ ରାଜ୍ୟର ଭାରତୀୟଙ୍କୁ ବାଉଳା କରୁଥିବା ନରେନ୍ଦ୍ର ଦାମୋଦରଦାସ ମୋଦିଙ୍କ ପାଇଁ ସେହି ରାଜ୍ୟର ବିଧାନସଭାକୁ ପୁନର୍ବାର ଦଖଲ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଗଲାଣି। କାଳେ ହାତରୁ ଗୁଜରାଟ ଖସିଯିବ, ସେହି ଭୟ ମଧ୍ୟ ମୋଦି ଓ ତାଙ୍କର ସବୁଠାରୁ ନିକଟତର ସହଯୋଗୀ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଘାରିଛି, ଯାହା ସେମାନଙ୍କର ପ୍ରଚାର ବ୍ୟସ୍ତତାରୁ ସ୍ପଷ୍ଟ ଜଣାପଡୁଛି। ଗୁଜରାଟରେ କଂଗ୍ରେସ ରାହୁଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯେଉଁଭଳି ରଣନୀତି ଗ୍ରହଣ କରିଛି ତାହା ମୋଦି ଓ ଶାହଙ୍କୁ ବିଚଳିତ କଲାଭଳି ମନେହେଉଛି। ଅନ୍ୟପକ୍ଷରେ କଂଗ୍ରେସ ଗୁଜରାଟରୁ ଭାଜପା ସରକାରଙ୍କୁ ହଟାଇବା ସକାଶେ ସମସ୍ତ ପ୍ରକାର ଉଦ୍ୟମ ଅବ୍ୟାହତ ରଖିଛି। ପ୍ରଚାରର ମଙ୍ଗ ଧରିଛନ୍ତି ନିଜେ ରାହୁଲ। ପୂର୍ବରୁ କଂଗ୍ରେସର ଏହି ନେତା କେବଳ ବାଚାଳାମିର ସହିତ ପ୍ରଚାର ସଭାରେ ଭାଷଣ ଦେଇ ଭାବୁଥିଲେ ତାଙ୍କର କର୍ତ୍ତବ୍ୟ ସରିଗଲା। ଭାଷଣ ଦେଇ ସାରିବା ପରେ ନିର୍ବାଚନ ମୈଦାନକୁ ଛାଡି ସେ ଦିଲ୍ଲୀ ପଳାଉଥିଲେ। ଏବେ ରାହୁଲଙ୍କର ସେହି ବାଚାଳାମିରେ ପରିବର୍ତ୍ତନ ଆସିଲା ଭଳି ମନେହେଉଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଭାବେ ଗୁଜରାଟରେ ପଟିଦାର ଅମାନତ ଆନ୍ଦୋଳନ ସମିତି (ପିଏଏଏସ)ର ନେତା ହାର୍ଦ୍ଦିକ ପଟେଲଙ୍କ ସହିତ ତାଙ୍କର ବୁଝାମଣାକୁ ନିଆଯାଇପାରେ। ଗୁଜରାଟରେ ପ୍ରଚାର ଦାୟିତ୍ୱରେ ଥିବା କଂଗ୍ରେସ ନେତାମାନେ ପି.ଏ.ଏ.ଏସ. ସହ ସମ୍ପର୍କ ଭାଙ୍ଗିବାକୁ ଚାହୁଁଥିଲେ। ଏପରି କି ହାର୍ଦ୍ଦିକଙ୍କୁ କୁହାଯାଉଥିଲା ଯେ, ତାଙ୍କ ଇଚ୍ଛା ଅନୁସାରେ କଂଗ୍ରେସ କାର୍ଯ୍ୟ କରିବାକୁ ପ୍ରସ୍ତୁତ ନୁହେଁ। ପୂର୍ବରୁ ରାହୁଲ ଏଭଳି ଅତ୍ୟନ୍ତ ତୃଣମୂଳ ନିଷ୍ପତ୍ତିରେ ସମ୍ପୃକ୍ତି ରଖୁ ନ ଥିଲେ। ଏବେ କଂଗ୍ରେସର ତୃଣମୂଳ ସ୍ତରରେ ବହୁ ପରିବର୍ତ୍ତନ ହୋଇଛି। ରାହୁଲ ନିଜେ ତୃଣମୂଳ ସ୍ତରରୁ ନିଷ୍ପତ୍ତି ନେଉଛନ୍ତି। ଗୁଜରାଟ କ୍ଷେତ୍ରରେ ଦେଖିଲେ ରାହୁଲ ବୁଝିବା ଭଳି ଲାଗୁଛନ୍ତି ଯେ, ସେଠାରେ ଭାଜପାର ଗତିରୋଧ କରିବାକୁ ହେଲେ ପିଏଏଏସକୁ ସାଙ୍ଗରେ ନେବାର ଆବଶ୍ୟକତା ରହିଛି। ସୁତରାଂ ଏ କ୍ଷେତ୍ରରେ ପିଏଏଏସ ସହ ଆସନ ବୁଝାମଣା ନେଇ ଯେଉଁ ନିଷ୍ପତ୍ତି ହେବ, ସେଥିରେ ରାହୁଲଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ରହିବ। ଦଳର ସଭାପତି ପଦରେ ଅଭିଷିକ୍ତ ହେବାକୁ ଯାଉଥିବା ରାହୁଲଙ୍କ ପାଇଁ ଗୁଜରାଟ ଏକ ପରୀକ୍ଷା ବୋଲି ବିବେଚନା କରାଯାଉଛି। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସକାଶେ କଂଗ୍ରେସ ସପକ୍ଷରେ ସୁଯୋଗ ରହିଛି। ଦୀର୍ଘ ଦୁଇ ଦଶନ୍ଧି ଧରି ଗୁଜରାଟରେ ଶାସନ କରି ଆସୁଥିବା ଭାଜପା ପ୍ରତି ସେହି ରାଜ୍ୟବାସୀ ଏବେ ସନ୍ତୁଷ୍ଟ ନାହାନ୍ତି। କେନ୍ଦ୍ର ସରକାରଙ୍କର ତରବରିଆ ବିମୁଦ୍ରୀକରଣ ଏବଂ ଏହାର ଏକ ବର୍ଷ ନ ପୂରୁଣୁ ସାମଗ୍ରୀ ଓ ସେବା ଟିକସ (ଜିଏସଟି) ଲାଗୁ ଗୁଜରାଟର ବ୍ୟବସାୟୀ ଗୋଷ୍ଠୀକୁ ଅତ୍ୟନ୍ତ କ୍ଷୁବ୍ଧ କରିଛି। ସେମାନେ ମୋଦି ସରକାର ବିରୋଧରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ସଂରକ୍ଷଣବାଦୀ ଆନ୍ଦୋଳନ ଆରମ୍ଭ କରି ପିଏଏଏସ ନେତା ହାର୍ଦ୍ଦିକ ପଟେଲ ନିଜ ସପକ୍ଷରେ ଅନେକ ସମର୍ଥନ ଯୋଗାଡ଼ କରିପାରିଛନ୍ତି। ହାର୍ଦ୍ଦିକ କଂଗ୍ରେସ ପଟକୁ ଢଳି ଥିବାରୁ ଏହା ରାହୁଲଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏହି ସୁଯୋଗର ସଦ୍‌ବ୍ୟବହାର କରି ରାହୁଲ ଯଦି ଗୁଜରାଟକୁ ଭାଜପା ଶାସନମୁକ୍ତ କରିପାରନ୍ତି, ତେବେ ତାହା ତାଙ୍କର ନେତୃତ୍ୱ ଆଦ୍ୟପର୍ବରେ ଏକ ପ୍ରଚଣ୍ଡ ସଫଳତା ଭାବେ ସାବ୍ୟସ୍ତ ହେବ। କେବଳ ସେତିକି ନୁହେଁ, ଏହି ସଫଳତା ୨୦୧୯ ସକାଶେ ପୁରାତନ ଦଳ କଂଗ୍ରେସ ପାଇଁ ସମ୍ଭାବନା ସୃଷ୍ଟିର ମାର୍ଗ ଉନ୍ମୁକ୍ତ କରିବ। ଅପରପକ୍ଷରେ ରାହୁଲଙ୍କର ଗୁଜରାଟ ଅଭିଯାନ ଯଦି ବିଫଳ ହୁଏ, ତେବେ କଂଗ୍ରେସ ସଭାପତି ପଦକୁ ଦଖଲ କରିବା ସତ୍ତ୍ୱେ ତାଙ୍କର ଭାବମୂର୍ତ୍ତି ଏବଂ ରାଜନୈତିକ ଜୀବନ ମାତ୍ର ଏକ ପଦବୀରେ ସୀମିତ ରହିଯିବ ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri