ପାଗଳାମି ଆମକୁ ନେବ କୁଆଡ଼େ

ଜିତେନ୍ଦ୍ର କୁମାର ନାୟକ

ଓଡ଼ିଆରେ ଢଗ ଅଛି-‘ମୂଳରୁ ମାଇପ ନାହିଁ, ପୁଅ ନାଁ ଗୋପାଳିଆ’। ‘ପଦ୍ମାବତୀ’ ଚଳଚ୍ଚିତ୍ରକୁ ନେଇ ଉଠିଥିବା ତୁଚ୍ଛା ବିବାଦକୁ ଦେଖିଲେ ଏଭଳି ମନେହେବା ସ୍ବାଭାବିକ। ପଦ୍ମାବତୀ ହେଉଛି ଏକ କାଳ୍ପନିକ ଚରିତ୍ର। ମଲିକ୍‌ ମହମ୍ମଦ ଜୟାସୀ ନାମକ ଜଣେ କବି ନିଜ କାବ୍ୟରେ ପଦ୍ମାବତୀ ନାମ୍ନୀ ଜଣେ ସୁନ୍ଦରୀଙ୍କ ବିଷୟରେ ବର୍ଣ୍ଣନା କରିଥିବା କୁହାଯାଉଛିି। ତାଙ୍କ ରଚନା ଅନୁଯାୟୀ ପଦ୍ମାବତୀ ସିଂହଳ (ଶ୍ରୀଲଙ୍କା)ର ରାଜକୁମାରୀ ଥିଲେ। ପଦ୍ମାବତୀଙ୍କ ସୌନ୍ଦର୍ଯ୍ୟ ବିଷୟରେ ସେତେବେଳେ ରାଜସ୍ଥାନର ଚିତ୍ତୋର ରାଜା ରତନ ସିଂ ଶୁଣିବା ପରେ ସିଂହଳ ଯାତ୍ରାକରି ତାଙ୍କ ମନ ଜିଣି ପାରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ବିବାହ କରି ଚିତ୍ତୋର ନେଇଆସିଥିଲେ। ଫଳରେ ପଦ୍ମାବତୀ ପାଲଟିଥିଲେ ରାଜପୁତ ରାଣୀ। ଦିଲ୍ଲୀର ସୁଲତାନ ଆଲ୍ଲାଉଦ୍ଦିନ ଖିଲିଜି ପଦ୍ମାବତୀଙ୍କ ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇ ତାଙ୍କୁ ହାସଲ କରିବା ଲକ୍ଷ୍ୟରେ ବାରମ୍ବାର ଚିତ୍ତୋର ଆକ୍ରମଣ କରିଥିଲେ। ସୁଲତାନଙ୍କ ଆକ୍ରମଣକୁ ଭୟକରି ପଦ୍ମାବତୀ ଓ ତାଙ୍କ ବାନ୍ଧବୀମାନେ ‘ଜୌହର’ ବା ଅଗ୍ନିକୁ ଡେଇଁ ଆତ୍ମ ବଳିଦାନ ଦେଇଥିଲେ। ଏଭଳି ପ୍ରେମ ଓ ଦୁଃଖଦ ପରିଣତିରେ ପଦ୍ମାବତୀଙ୍କ ଜୀବନ ଶେଷ ହୋଇଥିଲା ବୋଲି ସମ୍ପୃକ୍ତ କବିଙ୍କ ରଚନାରୁ ଜଣାପଡ଼ୁଛି। ହେଲେ କର୍ନୀ ସେନା ଓ ରାଜପୁତ ବୋଲାଉଥିବା ବ୍ୟକ୍ତିମାନେ ଏବେ ‘ପଦ୍ମାବତୀ’ ଚଳଚ୍ଚିତ୍ର ମାଧ୍ୟମରେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲି ଇତିହାସକୁ ବିକୃତ କରିଛନ୍ତି କହି ଦେଶବ୍ୟାପୀ ଅରାଜକତା ସୃଷ୍ଟି କରିଚାଲିଛନ୍ତି। ଇତିମଧ୍ୟରେ ମଧ୍ୟପ୍ରଦେଶ ଓ ରାଜସ୍ଥାନ ସରକାର ଏହି ସିନେମାର ମୁକ୍ତିଲାଭକୁ ବନ୍ଦ କରିଦେଇଛନ୍ତି। କେବଳ ସେତିକି ନୁହେଁ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସମଗ୍ର ଦେଶରେ ଚଳଚ୍ଚିତ୍ରକୁ ନିଷିଦ୍ଧ କରିବା ଲାଗି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ନିକଟକୁ ଚିଠି ଲେଖିଛନ୍ତି। ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର ମଧ୍ୟ ରାଜ୍ୟରେ ଏହାର ପ୍ରଦର୍ଶନ କରାଇ ଦେବେ ନାହିଁ ବୋଲି ଧମକ ଦେଇଛନ୍ତି। ବାସ୍ତବରେ ଦେଖିଲେ ପଦ୍ମାବତୀ ଚଳଚ୍ଚିତ୍ରରେ ଇତିହାସକୁ ବିକୃତ କରାଯାଇଛି ବୋଲି ଯେଉଁମାନେ ବିରୋଧ ଓ ପ୍ରତିବାଦ କରୁଛନ୍ତି, ସେମାନେ ସମ୍ପୂର୍ଣ୍ଣ ଅଜ୍ଞତାର ପରିଚୟ ଦେଇଛନ୍ତି। ପଦ୍ମାବତୀ ଏକ କାଳ୍ପନିକ କଥାବସ୍ତୁ। ସେଥିପାଇଁ ତାଙ୍କ ଫଟୋ କେଉଁଠାରେ ଦେଖିବାକୁ ମିଳୁନାହିଁ। କୌଣସି ଚିତ୍ରକର ଜଣେ ସୁନ୍ଦରୀ ମହିଳାଙ୍କ ଚିତ୍ର ଆଙ୍କି ସାରିବା ପରେ ସମ୍ଭବତଃ ତାହାକୁ ପଦ୍ମାବତୀ ଆଖ୍ୟା ଦେଇଛନ୍ତି। ଯାହାର ଇତିହାସ ନାହିଁ ତାହାକୁ ବିକୃତ କରାଯାଇପାରିବ ନାହିଁ। ପୁଣି ଉକ୍ତ ଫିଲ୍ମ ମୁକ୍ତିଲାଭ କରି ନ ଥିଲାବେଳେ ତାହାକୁ ନେଇ ବିବାଦ ସୃଷ୍ଟି କରାଯିବା ପ୍ରହସନ ଭଳି ମନେହେଉଛି। ଏତିକି ମୌଳିକ ଜ୍ଞାନ ନ ଥିବା ପ୍ରତିବାଦକାରୀଙ୍କ ଗତି କେଉଁଆଡ଼େ ଅଛି ବୁଝାପଡ଼ୁ ନାହିଁ। ରାଜସ୍ଥାନରେ ରାଣୀ ପଦ୍ମାବତୀଙ୍କ ସମ୍ମାନ ରକ୍ଷା ପାଇଁ ପ୍ରତିବାଦ କରାଯାଉଛି। ହେଲେ ସେହି ରାଜ୍ୟରେ ୪୭ ପ୍ରତିଶତ ମହିଳା ଅଶିକ୍ଷିତା, ୧୯ ବର୍ଷ ବେଳକୁ ୫୦ ପ୍ରତିଶତ ଯୁବତୀ ମା’ ହୋଇଯାଉଛନ୍ତି, ସାବାଳିକା ହେବା ପୂର୍ବରୁ ୫୧ ପ୍ରତିଶତ ଝିଅ ବିବାହ କରୁଛନ୍ତି, ୧୦୦୦ ପୁଅରେ ୮୮୮ ଝିଅ ରହିଥିଲେ ମଧ୍ୟ କେହି ରାଜପୁତ ଏପରି ସାମାଜିକ କଳଙ୍କ ଦୂର କରିବାକୁ ଆଗେଇ ଆସୁନାହାନ୍ତି। ଏଠାରେ ମନେପଡ଼େ ରୂପ କନ୍‌ଓ୍ବରଙ୍କ କଥା। ସ୍ବାମୀଙ୍କ ବିୟୋଗ ପରେ ୧୯୮୭ ସେପ୍ଟେମ୍ବର ୪ ତାରିଖରେ ତାଙ୍କୁ ସତୀ କରାଇବାକୁ ଯାଇ ସ୍ବାମୀଙ୍କ ଜୁଇରେ ପୋଡ଼ି ମାରିଦିଆଯାଇଥିଲା। ସମ୍ଭବତଃ ସେ ଶେଷ ସତୀ ଥିଲେ ବୋଲି କୁହାଯାଉଛି। ରାଜସ୍ଥାନ ହେଉଛି ଏଭଳି ଏକ ରାଜ୍ୟ, ଯେଉଁଠାରେ ବିଭିନ୍ନ ଧରଣର ସାମାଜିକ ବ୍ୟାଧିର ଅସଂଖ୍ୟ ଦୃଷ୍ଟାନ୍ତ ଦେଖିବାକୁ ମିଳୁଥିଲେ ମଧ୍ୟ ସେଥିପ୍ରତି ନେତୃତ୍ୱ ଦୃଷ୍ଟି ଦିଅନ୍ତି ନାହିଁ। ଅନ୍ୟପକ୍ଷରେ ଇତିହାସ ନ ଥିବା ଏକ ବିଷୟବସ୍ତୁକୁ ଭିିଡ଼ି ଟାଣି ଆଣି ଦେଶପ୍ରେମ ଓ ଜାତିପ୍ରେମ ଦେଖେଇବା ସକାଶେ ଅନେକେ ଆଗଭର ହେଉଛନ୍ତି। ଚଳଚ୍ଚିତ୍ରରେ ପଦ୍ମାବତୀ ଭୂମିକାରେ ଅଭିନୟ କରୁଥିବା ଦୀପିକା ପାଦୁକୋନ୍‌ ଓ ନିର୍ଦ୍ଦେଶକ ଭଂସାଲିଙ୍କ ମୁଣ୍ଡକାଟ ପାଇଁ ନିକଟରେ ହରିୟାଣାର ଭାଜପା ନେତା ସୁରଜ ପାଲ ଅମୁ ୧୦ କୋଟି ଟଙ୍କା ଘୋଷଣା କରିଛନ୍ତି। ଏକ କାଳ୍ପନିକ କାହାଣୀ ପାଇଁ କଳାକାରଙ୍କୁ ହତ୍ୟା ଧମକ ଦିଆଯିବା ସୂଚାଇ ଦେଉଛି ରାଜନୀତିର ରଙ୍ଗ କେତେ ଗାଢ଼। ରାଜପୁତ ଏକ ବୀର ଜାତି ଭାବେ ଗଣାଯାଇଥାଏ। ପୂର୍ବରୁ ନାରୀଙ୍କୁ ସୁରକ୍ଷା ଦେଉଥିବା ବୀର ରାଜପୁତମାନେ ବର୍ତ୍ତମାନ ଜଣେ ନାରୀଙ୍କୁ ଅପମାନିତ କରି ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟତ ହେବା ସେମାନଙ୍କ ଚାରିତ୍ରିକ ସ୍ଖଳନର ପ୍ରତିଫଳନ ବୋଲି କୁହାଗଲାଣି। ଦୀପିକାଙ୍କ କଥା ଦେଖିଲେ ସେ ଜଣେ କଳାକାର ଭାବେ ତାଙ୍କ କର୍ତ୍ତବ୍ୟ ନିଭାଇଛନ୍ତି। ତାଙ୍କ ସ୍ଥାନରେ ଅନ୍ୟ କେହି ଥିଲେ ମଧ୍ୟ ପଦ୍ମାବତୀ ଚରିତ୍ରରେ ଅଭିନୟ କରିଥାନ୍ତେ। ଆଜି ଯେଉଁମାନେ ପଦ୍ମାବତୀର ଇତିହାସକୁ କଦର୍ଥ କରିଦିଆଯାଇଛି ବୋଲି କହୁଛନ୍ତି, ସେମାନଙ୍କ ପୂର୍ବଜମାନେ ଦୀର୍ଘ ବର୍ଷ ଧରି ସତୀଦାହ ଭଳି ଏକ ଘୃଣ୍ୟ ପ୍ରଥାକୁ ଗଡ଼ାଇ ଆସିଥିଲେ। ଆଜିର ପରିସ୍ଥିତିରେ ସେମାନେ ନିଜ ଇତିହାସକୁ ସମୀକ୍ଷା କରିବା ଉଚିତ। ଏ ଦେଶର ବିକାଶ ଲାଗି ଅନେକ ପ୍ରସଙ୍ଗ ଥିବା ବେଳେ ଅଣ-ପ୍ରସଙ୍ଗକୁ ରାଜନୈତିକ ବ୍ୟକ୍ତିମାନେ ପ୍ରସଙ୍ଗ କରି ଝଡ଼ ସୃଷ୍ଟି କରିବା ବାରମ୍ବାର ଦେଖିବାକୁ ମିଳୁଛି। ବିଶେଷକରି ଭାଜପାଶାସିତ ରାଜ୍ୟର କେତେ ଜଣ ନେତା ଏ ଦେଶର ଇତିହାସର ରକ୍ଷକ ବୋଲି ନିଜକୁ ଧରି ନେଉଛନ୍ତି। କିନ୍ତୁ ସେମାନଙ୍କ ପାଖରେ ପ୍ରସଙ୍ଗର ଅଭାବ ଘଟୁଥିବାରୁ ଏହିଭଳି ଅଣ-ପ୍ରସଙ୍ଗ ଏବଂ ସମାଜ ବିରୋଧୀ ଚିନ୍ତାଧାରାକୁ ଉସୁକାଉଛନ୍ତି। ଏହାଦ୍ୱାରା ସେମାନଙ୍କର ଲାଭ ହେବ ବୋଲି ଯେଉଁ ଚିନ୍ତା ପୋଷଣ ହେଉଛି ତାହା ବାସ୍ତବରେ କେଉଁ ପ୍ରକାରର ସାମାଜିକ ମୋଡ଼ ନେବ କହିବା କଷ୍ଟକର। ଏ ସବୁଥିରୁ ମନେହେଉଛି ନିଜର ସ୍ବାର୍ଥ ରକ୍ଷା ପାଇଁ ଦେଶର କେତେକଙ୍କୁ ପାଗଳାମି ଘାରିଛି।

ଏ/ଇ-୫୮, ଭିଏସ୍‌ଏସ୍‌ ନଗର, ଭୁବନେଶ୍ୱର, ମୋ-୯୪୩୭୨୨୯୨୫୯



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri