ଅସୁନ୍ଦରରେ ସୁନ୍ଦର

ରମେଶ ଚନ୍ଦ୍ର ସାମଲ

ସୁନ୍ଦର ସମସ୍ତଙ୍କୁ ଆନନ୍ଦ ଦିଏ। ଅସୁନ୍ଦରକୁ କେହି ପସନ୍ଦ କରନ୍ତିନି। ତେବେ ସୁନ୍ଦର କିଏ, ଅସୁନ୍ଦର ବା କିଏ? ପ୍ରକୃତରେ କେହି ପୂରା ସୁନ୍ଦର ବା ଅସୁନ୍ଦର ନୁହନ୍ତି। ଶୀତଳତା ଓ ଉଷ୍ମତା ପରି ଏହା ଏକ ଆପେକ୍ଷିକ ଶବ୍ଦ। ଯାହା ଜଣକୁ ସୁନ୍ଦର ଦେଖାଯାଏ ତାହା ଅନ୍ୟକୁ ଅସୁନ୍ଦର ଦେଖାଯାଇପାରେ। ପୁଣି ଅସୁନ୍ଦର ମଧ୍ୟ କାହାକୁ ସୁନ୍ଦର ଦେଖାଯାଇପାରେ। ଏପରି ମଧ୍ୟ ହୋଇପାରେ ଯାହା ଜଣକୁ ଆଜି ସୁନ୍ଦର ଦେଖାଯାଉଛି, ତାହା କାଲି ତାକୁ ସେତେ ଆକର୍ଷଣୀୟ ଦେଖା ନ ଯାଇପାରେ। ରୁଚି ସମସ୍ତଙ୍କର ଭିନ୍ନ ଭିନ୍ନ। କାହାକୁ ପ୍ରକୃତି ସୁନ୍ଦର ତ କାହାକୁ ପୁରୁଷ ସୁନ୍ଦର, କାହାକୁ ପୁଣି ପ୍ରକୃତି ପୁରୁଷର ମିଳନ ସୁନ୍ଦର ଲାଗେ। ଅନେକ ଲୋକ ଫୁଲଫଳଭରା ଗଛଲତା, ନଦନଦୀ, ସାଗର, ଝରଣାରୁ ସୌନ୍ଦର୍ଯ୍ୟ ମନଭରି ଉପଭୋଗ କରୁଥିବାବେଳେ ଅନ୍ୟ କେତେକେ ଟାଙ୍ଗରା ପାହାଡ଼ ପର୍ବତ, ଶୁଷ୍କ ମରୁଭୂମିକୁ ମଧ୍ୟ ଭଲ ପାଆନ୍ତି। ନିର୍ଜନତାର ବି ସୌନ୍ଦର୍ଯ୍ୟ ଅଛି। ମୁନିଋଷିମାନେ ନିର୍ଜନତାରୁ ଆନନ୍ଦ ପାଆନ୍ତି। କବିଙ୍କ ଭାଷାରେ- ‘ବିଜନତା କାହିଁ ତୋ ବେଶ ମୋହନ, ଯେ ବେଶେ ମୋହିଲୁ ତୁ ମୁନିନୟନ।’ କବିଟି କବିତା, ଗୀତିକାର ଗୀତ, ଔପନ୍ୟାସିକ ଉପନ୍ୟାସ, ପ୍ରବନ୍ଧକାର ପ୍ରବନ୍ଧ, କଳାକାରଟି ନିଜ କଳା ପ୍ରଦର୍ଶନ କରି ସେଥିରୁ ସୌନ୍ଦର୍ଯ୍ୟ ଓ ଆନନ୍ଦ ଅନୁଭବ କରେ। ପାଠକ, ଦର୍ଶକ କେହି ଏହାକୁ ପସନ୍ଦ ଅଥବା ଅପସନ୍ଦ କରିପାରନ୍ତି। ସାଧାରଣ ଲୋକେ କେହି ଗୁଣରେ, ପୁଣି ଅନ୍ୟ କେହି ରୂପରେ ରୁଚି ରଖନ୍ତି। କାହାକୁ କ’ଣ ସୁନ୍ଦର ଦେଖାଯିବ, ଭଲ ଲାଗିବ ଏହା ତା’ ଉପରେ ଜୋରଜବରଦସ୍ତ ଲଦାଯାଇପାରେନା। ସାଧାରଣ ଭାବେ ଦେଖାଯାଉଥିବା ଜିନିଷ କିମ୍ବା ଶୁଣାଯାଉଥିବା ଶବ୍ଦ ସବୁ ସୁନ୍ଦର ବା ଅସୁନ୍ଦର ପ୍ରତୀୟମାନ ହୁଏ। ପ୍ରକୃତିର ସୁଲଳିତ ସଙ୍ଗୀତ ମଧ୍ୟ ଭାବୁକ ହୃଦୟରେ ମଧୁର ଝଙ୍କାର ସୃଷ୍ଟିକରେ। ଏଥିପାଇଁ ସେଭଳି ଦୃଷ୍ଟି ଓ ଶ୍ରବଣ ଶକ୍ତି ଆବଶ୍ୟକ। କବିଟି ଏଥିରେ ଆତ୍ମହରା ହୋଇ ଗାଇଉଠେ- "Heard melodies are sweet, but those unheard are sweeter." ନିର୍ଦ୍ଦିଷ୍ଟ କିଛି ଲୋକଙ୍କୁ ଏହା ଖୁବ୍‌ ମନୋଲୋଭା ହେଉଥିବା ବେଳେ ବହୁ ଲୋକଙ୍କୁ କିନ୍ତୁ ସମ୍ପତ୍ତି, କ୍ଷମତା, ପ୍ରତିପତ୍ତି, ସାମାଜିକ ପ୍ରତିଷ୍ଠା ଖୁବ୍‌ ଆକର୍ଷଣୀୟ ମନେହୁଏ। ବହୁ ପନ୍ଥା ଆପଣେଇ- କେହି କେହି ବାଣିଜ୍ୟ ବ୍ୟବସାୟ, କଳକାରଖାନା, ଚାକିରିବାକିରି ଆଉ କେହି ଚାଷବାସ କରି ଅର୍ଥ ଉପାର୍ଜନ କରିବା ସଙ୍ଗେ ସଙ୍ଗେ ନିଜକୁ ସମାଜରେ ପ୍ରତିଷ୍ଠା କରନ୍ତି। ସଂଖ୍ୟା କମ୍‌ ହେଲେ ମଧ୍ୟ କିଛି ଲୋକଙ୍କୁ ରାଜନୀତି ଖୁବ୍‌ ଭଲ ଲାଗେ। ଏଥିପାଇଁ ସେମାନେ ପ୍ରଥମେ ନିଜକୁ ବହୁ ଜନହିତକର ସମାଜ ମଙ୍ଗଳ କାମରେ ନିୟୋଜିତ କରନ୍ତି। ହାତରୁ ଖାଇ ଘୋଡା ଆଗରେ ଦୌଡନ୍ତି। ଲୋକସମ୍ପର୍କ ବଢି ପାଞ୍ଚ ଲୋକରେ ମାନ୍ୟଗଣ୍ୟ ହୋଇପାରିଲେ, ସୁବିଧା ସୁଯୋଗ ସୃଷ୍ଟି କରିପାରିଲେ ରାଜନୀତିକୁ ସେମାନେ ଓହ୍ଲେଇ ଆସନ୍ତି। ପ୍ରାଥମିକ ସ୍ତରରେ ଏହା ଖୁବ୍‌ କଷ୍ଟସାଧ୍ୟ। ଥରେ ଏଥିରେ ପ୍ରତିଷ୍ଠିତ ହୋଇପାରିଲେ ଆପଣାଛାଏ ମାନସମ୍ମାନ, ଧନଜନ, ପ୍ରତିପତ୍ତି ସବୁ କିଛି ପାଖରେ ଅଜାଡି ହୋଇପଡେ- କେତେକଙ୍କୁ ସ୍ବର୍ଗ ଚାରିଅଙ୍ଗୁଳି ଦେଖାଯାଏ। ବୈଜ୍ଞାନିକଟି କିଛି ଉଦ୍ଭାବନ କରିପାରିଲେ ନିଜର ଜୀବନ ସାର୍ଥକ ମନେକରେ। ଏହାର ଅନ୍ତର୍ନିହିତ ସୌନ୍ଦର୍ଯ୍ୟରେ ସେ ନିଜେ ଆନନ୍ଦିତ ହେବା ସଙ୍ଗେ ଦୁନିଆକୁ ମଧ୍ୟ ଆନନ୍ଦମୁଖର କରେ। ସମସ୍ତଙ୍କୁ ସୁନ୍ଦର ଲାଗେ ପୁରୁଣା ଦିନର ସ୍ମୃତି। ସଙ୍ଗୀତ ସୁନ୍ଦର କିନ୍ତୁ ସ୍ମୃତି ଏହାଠାରୁ ଅଧିକ ସୁନ୍ଦର ଓ ଚିତ୍ତାକର୍ଷକ- "Memories are sweeter than melody." ଭଗବାନଙ୍କ ସୃଷ୍ଟିରେ ସବୁ ସୁନ୍ଦର। ସୁନ୍ଦର ଅନୁଭବ କରିବା ନିଜର ମାନସିକତା ଉପରେ ନିର୍ଭର କରେ। ‘ଯାହାକୁ ଯିଏ ରସିଲା ତାକୁ କିଆଫୁଲ ପରି ବାସିଲା’- ଭଲ ମନ୍ଦ ବିଚାର କରି କେହି କାହାର ସୌନ୍ଦର୍ଯ୍ୟରେ ଆକର୍ଷିତ ହୁଅନ୍ତିନି। ଗୋଲାପର ରୂପଗନ୍ଧ ଖୁବ୍‌ ସୁନ୍ଦର। କିନ୍ତୁ ଗୋଲାପ କଣ୍ଟାର ଆଘାତ ନିରାନନ୍ଦ ସୃଷ୍ଟିକରେ। ପଦ୍ମର ସୌନ୍ଦର୍ଯ୍ୟରେ ବିମୋହିତ ଭ୍ରମରଟି ଏହାର ମୋହ ଛାଡି ନ ପାରି ରାତ୍ରିର ଆଗମନରେ ଏହାର ପାଖୁଡାରେ ବନ୍ଦୀହୋଇ ଅଣନିଃଶ୍ୱାସୀ ହୋଇ ମରିଯାଏ। ପତଙ୍ଗମାନେ ଅଗ୍ନିର ଆକର୍ଷଣରେ ଏଥିରେ ପଡି ମୃତ୍ୟୁବରଣ କରନ୍ତି। ଘିଅମହୁରେ ଭାସୁଥିବା ଲୋକ ବଗଡା ଭାତ ଓ ଶାଗଖରଡା ମଧ୍ୟ ଇଚ୍ଛା କରେ। ଖଟପଲଙ୍କ, ଡନ୍‌ଲପ୍‌ ଗଦି ଓ ଶୀତତାପ ନିୟନ୍ତ୍ରିତ ପବନରେ ଆରାମ ଭୋଗ କରୁଥିବା ଲୋକ ଡାକ୍ତରଙ୍କ ପରାମର୍ଶରେ ଏସବୁ ତ୍ୟାଗକରି ଖାଲି ଖଟ, ବିନା ତକିଆ ଓ ବିନା ଏସିରେ ଶୋଇବାକୁ ବାଧ୍ୟ ହୁଏ। ଅତି ଆଡମ୍ବର ଓ ଆରାମପୂର୍ଣ୍ଣ ଜୀବନ ନିରାନନ୍ଦର କାରଣ ହୁଏ। ପାଖରେ ଭରପୂର ସୌନ୍ଦର୍ଯ୍ୟ ଥିଲେ ମଧ୍ୟ ଏହା ମଣିଷକୁ ନିହାତି ମାମୁଲି ମନେହୁଏ। ପର ସ୍ତ୍ରୀ, ପର ଧନଦୌଲତ ନିଜଠାରୁ ନୂ୍ୟନ ହେଲେ ମଧ୍ୟ ଅଧିକ ସୁନ୍ଦର ଲାଗେ- ଆକର୍ଷଣୀୟ ମନେହୁଏ। କଥାରେ ଅଛି ‘ପରଘର ତିଅଣ ସୁନ୍ଦର’। ପାଖରେ ଯେତେବେଳେ ଯାହା ସୁନ୍ଦର ମିଳେ ଏହାର ରୂପଗୁଣ ସେତେ ଗୁରୁତ୍ୱ ବହନ କରେନି। କାରଣ ଗଁା କନିଆ ସିଙ୍ଘାଣିନାକୀ। ମଣିଷ ଜୀବନ ପାଇଁ ଖରାବର୍ଷା, ଶୀତବସନ୍ତ ସବୁର ଆବଶ୍ୟକତା ଅଛି। ଏସବୁ ସତ୍ତ୍ୱେ ଖରାଦିନର ମୁଣ୍ଡଫଟା ଖରା, ବର୍ଷାଦିନର ଝଡବର୍ଷା ଓ ଶୀତଦିନର ହାଡଭଙ୍ଗା ଶୀତ ଭଲ ଲାଗେନି। ବସନ୍ତ ଖୁବ୍‌ କ୍ଷଣସ୍ଥାୟୀ। ଏହାକୁ ଉପଭୋଗ କରୁ କରୁ କେତେବେଳେ ଏହା ଚାଲିଯାଏ ଜଣାପଡେନି। ଅର୍ଥ ସମସ୍ତଙ୍କ ପାଖରେ ମଧୁର ଓ ସୁନ୍ଦର- Money money money, brighter than sunshine, sweeter than honey। ତେବେ ଅସୁନ୍ଦର ବିନା ସୁନ୍ଦରର ସ୍ଥିତି କଳ୍ପନା କରାଯାଇପାରେନା। ଅନ୍ଧାର ନ ଥିଲେ ଆଲୋକର ମହିତ୍ତ୍ୱ ବୁଝି ହୁଅନ୍ତା କି? ତେଣୁ ମନ୍ଦରେ ଭଲ, ଦୁଃଖରେ ସୁଖ ଓ ଅସୁନ୍ଦରରେ ସୁନ୍ଦରର ଅନ୍ବେଷଣ କରିବା ଉଚିତ।

ରାମିଆଗଞ୍ଜ, ମାର୍ଶାଘାଇ, କେନ୍ଦ୍ରାପଡ଼ା, ମୋ- ୯୪୩୯୮୭୯୦୨୨



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri