ସମ୍ପାଦକୀୟ/ ଟଙ୍କା ମାଧ୍ୟମରେ ଏକତା

ଅର୍ଥନୀତି ଏକ ଜଟିଳ ବିଷୟ, ଯାହା ଅଧିକାଂଶଙ୍କ ପକ୍ଷେ ବୁଝିବା ସହଜ ହୋଇ ନ ଥାଏ। ସେଥିପାଇଁ ବିଶେଷଜ୍ଞମାନଙ୍କ ସହାୟତା ଲୋଡ଼ାଯାଇଥାଏ। ସରକାରୀ ପରିସଂଖ୍ୟାନ ଅନୁଯାୟୀ ଜନସଂଖ୍ୟାବହୁଳ ରାଷ୍ଟ୍ର ଭାରତରେ ଶିକ୍ଷିତ ହେଉଛନ୍ତି ୭୪.୦୪ ପ୍ରତିଶତ। ଅଳ୍ପ ବିଦ୍ୟା ଲାଭ କରିଥିବା ବ୍ୟକ୍ତି ମଧ୍ୟ ଏହିଭଳି ସଂଖ୍ୟା ଶୁଣି ହସିବ। ସରକାର କହୁଛନ୍ତି ୨୫.୯୬ ପ୍ରତିଶତ ଅଶିକ୍ଷିତ। କିନ୍ତୁ ଅବଶିଷ୍ଟ ସଂଖ୍ୟାର, ସମ୍ଭବତଃ ୫୦ ପ୍ରତିଶତ ନିଜର ବଙ୍କାଟଙ୍କା ଅକ୍ଷରରେ ଦସ୍ତଖତ କରିବା ଶିଖିଛନ୍ତି। ସେଥିପାଇଁ ମଧ୍ୟ ସେମାନଙ୍କୁ ଅନେକ କଷ୍ଟ କରିବାକୁ ପଡ଼ିଥାଏ। ସେହିଭଳି ନାଗରିକଙ୍କୁ ଶିକ୍ଷିତ ଦର୍ଶାଇ ପରିସଂଖ୍ୟାନ ମାଧ୍ୟମରେ ସବୁ ଯୋଜନାକୁ ବାଟବଣା କରିଦିଆଯାଉଛି। ଯେହେତୁ ଏହିଭଳି ମୌଳିକ ତଥ୍ୟରେ ମିଥ୍ୟାର ଆଶ୍ରୟ ନିଆଯାଉଛି, ସେହେତୁ ଭାରତବର୍ଷର ସବୁ ଯୋଜନା ଅଧାପନ୍ତରିଆ ହୋଇ ରହିଯାଉଛି। ତଥାପି ସ୍ବୀକାର କରିବାକୁ ହେବ ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଏବର ନୂଆ ଘୋଷଣା ଅନେକାଂଶରେ ସ୍ବାଗତଯୋଗ୍ୟ। ସର୍ବୋଚ୍ଚ ବ୍ୟାଙ୍କ କହିବା ଅନୁଯାୟୀ ସାଧାରଣ ଲୋକଙ୍କ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ଥିବା ବ୍ୟାଙ୍କ ସେବାର ଅଂଶ ସମ୍ପର୍କରେ ସବୁ ନାଗରିକ ସଚେତନ ହୋଇପାରୁ ନାହାନ୍ତି। ତେଣୁ ଆର୍‌ବିଆଇ ବିଭିନ୍ନ ମୁଦ୍ରା ନୀତି ଓ ନୂତନ ନିୟମ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଚିନ୍ତା କରିଛି। ଅର୍ଥ କାରବାର ବେଳେ କ’ଣ କରିବା ଉଚିତ ଓ କ’ଣ ଅନୁଚିତ, ସେହି ସମ୍ବନ୍ଧୀୟ ତଥ୍ୟ ନାଗରିକଙ୍କୁ ଦେବା ଲାଗି ବିଭିନ୍ନ ଗଣମାଧ୍ୟମ ଜରିଆରେ ସଚେତନତା ସୃଷ୍ଟି କରିବା ସକାଶେ ଏହି ସଂସ୍ଥା ଅଭିଯାନ ଚଳାଇବାକୁ ସ୍ଥିର କରିଛି। ବିଶେଷକରି ଆଞ୍ଚଳିକ ଭାଷାରେ ସ୍ଥାନୀୟ ଲୋକଙ୍କୁ ଅବଗତ କରାଇବା ନିମନ୍ତେ ଓଡ଼ିଆ ସମେତ ୧୪ ଭାଷାକୁ ଚୟନ କରାଯାଇଛି। ସାଧାରଣତଃ ଅର୍ଥନୀତି ସମ୍ବନ୍ଧୀୟ ସଚେତନତାଧର୍ମୀ ଲେଖା ଇଂଲିଶ୍‌ କିମ୍ବା ହିନ୍ଦୀ ଭାଷାରେ ପ୍ରକାଶ କରାଯାଉଥିବା ଦେଖିବାକୁ ମିଳେ। ଅବଶ୍ୟ ବିମୁଦ୍ରୀକରଣ ଏବଂ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଜନସାଧାରଣଙ୍କ ବୁଝିବା ସକାଶେ କ୍ଳିଷ୍ଟ ଥିବା ଉପଲବ୍‌ଧି କରି କେନ୍ଦ୍ର ସରକାର ଏହାକୁ ବିଭିନ୍ନ ଭାରତୀୟ ଭାଷାରେ ଗଣମାଧ୍ୟମରେ ପ୍ରଚାର କରୁଛନ୍ତି। ଅନୁରୂପ ଭାବେ ଆର୍‌ବିଆଇ ପରି କେନ୍ଦ୍ରୀୟ ବ୍ୟାଙ୍କ ଅନେକ ସମୟରେ ମୁଦ୍ରା ନୀତି ଘୋଷଣାଠାରୁ ଆରମ୍ଭ କରି ବିଭିନ୍ନ ଯୋଜନାକୁ ଆଞ୍ଚଳିକ ଭାଷାରେ ଅଧିକ ପ୍ରଚାର କରିବାର ଯେଉଁ ଚିନ୍ତା କରିଛି ନିଶ୍ଚିତ ସ୍ବାଗତଯୋଗ୍ୟ। ଦେଖିବାକୁ ଗଲେ ଆର୍‌ବିଆଇ ହେଉଛି ଦେଶର କେନ୍ଦ୍ରୀୟ ବା ଶୀର୍ଷ ବ୍ୟାଙ୍କିଙ୍ଗ୍‌ ସଂସ୍ଥା। ଭାରତୀୟ ମୁଦ୍ରା ନୀତିକୁ ନିୟନ୍ତ୍ରଣ କରିବାର ଏକ ସ୍ବାଧୀନ ସଂସ୍ଥା ହୋଇଥିବାରୁ ଏହା ଉପରେ ଦେଶବାସୀଙ୍କ ଭରସା ରହିଛି। ହେଲେ ଗତ କିଛି ବର୍ଷ ହେବ ଦେଖାଯାଉଛି ଯେ, ଆର୍‌ବିଆଇକୁ କେନ୍ଦ୍ର ସରକାର ନିଜ ମନ ମୁତାବକ ବ୍ୟବହାର କରୁଛନ୍ତି। ନିକଟରେ ପାର୍ଲାମେଣ୍ଟରେ ମଧ୍ୟ କେତୋଟି ବିଲ୍‌ ମାଧ୍ୟମରେ ଆର୍‌ବିଆଇକୁ କେନ୍ଦ୍ର ସରକାର ଏକ ଦାସ ସଂସ୍ଥାର ଆକାର ଦେଇସାରିଲେଣି। ଏବେ ଏହି ଶୀର୍ଷ ବ୍ୟାଙ୍କ କହୁଛି ଯେ, ବିଭିନ୍ନ ଆଞ୍ଚଳିକ ଭାଷାରେ ନାଗରିକଙ୍କୁ ସଚେତନ କରିବ, କିନ୍ତୁ ନୂତନ ଭାରତୀୟ ଟଙ୍କାର ରୂପ ଦେଖିଲେ ସେଗୁଡ଼ିକ ପୂର୍ବାପେକ୍ଷା ରଙ୍ଗବେରଙ୍ଗୀ ହେବା ସହିତ କେବଳ ହିନ୍ଦୀ ଅକ୍ଷରକୁ ପ୍ରାଧାନ୍ୟ ଦେଉଥିବାର ହୃଦ୍‌ବୋଧ ହେଉଛି। ଆଞ୍ଚଳିକ ଭାଷାକୁ ସମ୍ମାନ ଦିଆଯିବା ଯେଉଁଭଳି ସ୍ବାଗତଯୋଗ୍ୟ, ସେହିପରି ଭାରତୀୟ ଟଙ୍କା ମାଧ୍ୟମରେ ସବୁ ଆଞ୍ଚଳିକ ଭାଷାକୁ ସମାନ୍ତରାଳ ସମ୍ମାନ ଦେଲେ ଦେଶର ଏକତା ରକ୍ଷା କରିବା ସହଜ ହେବ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri