ପ୍ରେମୀ ପୁରୁଷ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ

ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ଜ୍ୟେଷ୍ଠପୁତ୍ର ଶ୍ରୀଅମରେନ୍ଦ୍ରନାଥ ଚକ୍ରବର୍ତ୍ତୀ ଯିଏକି ଶ୍ରୀଶ୍ରୀବଡ଼ଦା ନାମରେ ସର୍ବଜନ ସମାଦୃତ, ଥିଲେ ଜଣେ ରହସ୍ୟମୟ ବ୍ୟକ୍ତିତ୍ୱର ଅଧିକାରୀ। କଠୋର ଏବଂ କୋମଳ ଦୁଇ ବିପରୀତ ଭାବର ଅପୂର୍ବ ସମାବେଶ ଲକ୍ଷ୍ୟ କରାଯାଇଛି ତାଙ୍କଠାରେ। ଅନ୍ୟାୟ, ଅତ୍ୟାଚାର ଏବଂ ଆଦର୍ଶ ବା ଇଷ୍ଟବିରୋଧୀ କାର୍ଯ୍ୟକଳାପକୁ ପ୍ରତିହତ କରିବାରେ ସେ ଥିଲେ ବଜ୍ର ଭଳି କଠୋର ଏବଂ ଅନମନୀୟ। କିନ୍ତୁ ଏହି କଠୋରତାର ଅନ୍ତରାଳରେ ତାଙ୍କ ହୃଦୟରେ ପ୍ରତିଟି ମଣିଷ, ଜୀବଜନ୍ତୁ ଏପରିକି ବୃକ୍ଷଲତାଙ୍କ ପାଇଁ ଏକ ଅନାବିଳ ପ୍ରେମର ଫଲ୍‌ଗୁଧାରା ନିତ୍ୟ ପ୍ରବାହିତ ଥିଲା। ସେ ଯେମିତି ‘ବଜ୍ରାଦପି କଠୋରାଣି ମୃଦୁନି କୁସୁମାଦପି’। ତାଙ୍କର ବ୍ୟକ୍ତିତ୍ୱ ଥିଲା ସାଗର ପରି ଗଭୀର ଏବଂ ଅଟଳ ମେରୁ ଭଳି ମହୀୟାନ୍‌। ସାଧାରଣତଃ ତାଙ୍କ ସମ୍ମୁଖରେ ଛିଡା ହୋଇ କଥା କହିବାର ସାହସ କାହାରି ହେଉ ନ ଥିଲା। କିନ୍ତୁ କେହି ଯେବେ ସେହି ଅଟଳ ଗାମ୍ଭୀର୍ଯ୍ୟର ଅନ୍ତରାଳରେ ଲୁଚି ରହିଥିବା ତାଙ୍କର ଦରଦୀ ହୃଦୟର ସ୍ପର୍ଶ ଟିକେ ପାଉଥିଲା, ସେ ତାଙ୍କୁ ଜୀବନରେ କେବେ ବି ଭୁଲିପାରୁ ନ ଥିଲା। ତାଙ୍କ ସମ୍ବନ୍ଧରେ ଶ୍ରୀଶ୍ରୀଠାକୁର ନିଜେ ହିଁ କହିଛନ୍ତି- ବଡପୁଅର ବାହାରର ରୂପ ଦେଖି ତା’ର ସ୍ବରୂପ ବୁଝିବା କଠିନ। ସେ ବଡ଼ ସଚ୍ଚା। ଯଦି କେହି ତା’ ଭିତରେ ପଶିପାରେ, ବୁଝିନେବ କୈସା ମାଲ୍‌। ଶ୍ରୀଶ୍ରୀଠାକୁରଙ୍କୁ ଟିକେ ସ୍ବସ୍ତି ଦେବା ପାଇଁ ଏବଂ ତାଙ୍କ ଲୋକକଲ୍ୟାଣକର ଭାବଧାରାକୁ ଜନସମାଜରେ ସଗୌରବେ ପ୍ରତିଷ୍ଠା କରିବା ପାଇଁ ସେ ଆଶୈଶବ ସାଧନା କରି ଆସିଛନ୍ତି। ତାଙ୍କର ବଳିଷ୍ଠ ନେତୃତ୍ୱରେ ସତ୍‌ସଙ୍ଗ ସମସ୍ତ ବାଧାବିଘ୍ନ ଅତିକ୍ରମ କରି ଆଜି ଏକ ବିରାଟ ଗଣଆନ୍ଦୋଳନରେ ପରିଣତ ହୋଇଛି। ଏଥିପାଇଁ ତାଙ୍କୁ ସହିବାକୁ ପଡିଛି ଅନେକ ନିନ୍ଦା, ସମାଲୋଚନା ଏବଂ ସ୍ବଜନ-ବିଦ୍ୱେଷ। କିନ୍ତୁ କୌଣସି ପରିସ୍ଥିତି ତାଙ୍କୁ କର୍ତ୍ତବ୍ୟ ପଥରୁ ଟଳାଇ ପାରିନାହିଁ। ସବୁଠାରୁ ବଡକଥା ହେଲା ଯେଉଁମାନେ ତାଙ୍କୁ ନିନ୍ଦା କରିଛନ୍ତି, ତାଙ୍କ ବିରୋଧରେ ବାରମ୍ବାର ଚକ୍ରାନ୍ତ କରିଛନ୍ତି, ସେମାନଙ୍କ ପ୍ରତି ମଧ୍ୟ ତାଙ୍କର ଭଲପାଇବାରେ ଟିକିଏ ବି ଭଟ୍ଟା ପଡିନାହିଁ। ଅନ୍ୟର ପ୍ରରୋଚନାରେ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଜଣେ ପଣ୍ଡା ଶେଷରେ ନିଜର ଭୁଲ୍‌ ବୁଝିପାରି ଅନୁତପ୍ତ ହୋଇଥିଲେ। ପରେ ସେ ବଡ଼ଦାଙ୍କର ଜଣେ ପରମ ହିତାକାଂକ୍ଷୀ ହୋଇ ପ୍ରତିବର୍ଷ ତାଙ୍କ ଜନ୍ମତିଥିରେ ୧୦୮ ବେଲପତ୍ରରେ ବୈଦ୍ୟନାଥଙ୍କ ପୂଜା କରି ତାଙ୍କ ପାଇଁ କଲ୍ୟାଣ ଭିକ୍ଷା କରୁଥିଲେ। ଅସହାୟ, ରୋଗାକ୍ରାନ୍ତ, ଦୁର୍ବଳ ଲୋକ ବଡ଼ଦାଙ୍କ ଦୃଷ୍ଟିରେ ପଡିଲେ ସେ ସଙ୍ଗେ ସଙ୍ଗେ ଆପ୍ରାଣ ଚେଷ୍ଟା କରି ତାହାର ଦୁଃଖ ଦୂର କରୁଥିଲେ। ଅନିଲ ମୁଖାର୍ଜୀ ନାମକ ଜଣେ ଗୁରୁଭାଇଙ୍କର ଟିକେ ମୁଣ୍ଡଦୋଷ ଥିଲା। ଥରେ ଶ୍ରୀଶ୍ରୀବଡ଼ଦା ଜିପ୍‌ ଚଳାଇ ଗଲାବେଳେ ଦେଖିଲେ ସେ ରାସ୍ତାକଡରେ ଗୋଟିଏ ଆମ୍ବଗଛ ମୂଳେ ଅଚେତ ହୋଇପଡିଛି। ତାହାର ସର୍ବାଙ୍ଗରେ ଘା ହୋଇଛି ଏବଂ ବିଷ୍ଠା ଜୁଡୁବୁଡୁ ହୋଇ ସେ ପଡିରହିଛି। ବଡଦା ସେହି ଅବସ୍ଥାରେ ହିଁ ତାକୁ ତୋଳିନେଇ ଗାଡିରେ ଶୁଆଇ ନେଇ ଆସିଲେ ଏବଂ ତାଙ୍କ ସହଧର୍ମିଣୀଙ୍କ ଉପରେ ତାହାର ଶୁଶ୍ରୂଷାର ଦାୟିତ୍ୱ ଦେଇ ଗାଡି ଧୋଇ ସ୍ନାନ କରିବାକୁ ଗଲେ। ମା’ଙ୍କର ସସ୍ନେହ ପରିଚର୍ଯ୍ୟା ଏବଂ ଚିକିତ୍ସାରେ ଅନିଲଭାଇ କ୍ରମେ ସୁସ୍ଥହୋଇ ଉଠିଲେ ଏବଂ ବଡ଼ଦାଙ୍କ ପରିବାରର ଜଣେ ସଦସ୍ୟ ବନିଗଲେ। କ’ଣ କଲେ ମଣିଷ ଭଲ ହେବ, ଭଲରେ ରହିବ, ସେମାନଙ୍କର ଜୀବନ ସହଜ ଓ ଆନନ୍ଦମୁଖର ହେବ- ଏହା ହିଁ ଥିଲା ତାଙ୍କର ସବୁଦିନର ଲକ୍ଷ୍ୟ। କେତେ ପାଗଳଙ୍କୁ ସେ ଭଲ କରିଛନ୍ତି, କେତେ ଚୋରଙ୍କୁ ସ୍ବାଭାବିକ କରିଛନ୍ତି ତାହାର ଇୟତ୍ତା ନାହିଁ। ପ୍ରତିଟି ମଣିଷର ଭୁଲତ୍ରୁଟିଗୁଡିକୁ ସୁଧାରି, ଜୀବନ ଉନ୍ନତିର କଳାକୌଶଳମାନ ଶିକ୍ଷାଦେଇ ତାକୁ ଉନ୍ନତ, ସମୃଦ୍ଧ କରି ତୋଳିବା ଥିଲା ତାଙ୍କର ନିତ୍ୟଦିନର ସାଧନା। କେବଳ ମଣିଷ ନୁହେଁ ପଶୁପକ୍ଷୀଙ୍କ ପ୍ରତି ମଧ୍ୟ ଥିଲା ତାଙ୍କର ଅସୀମ ଭଲପାଇବା। ଆଶ୍ରମରେ ଗୋଟିଏ ଛୋଟ ଚିଡିଆଖାନା କରି ଅନେକ ପଶୁପକ୍ଷୀ ରଖିଥିଲେ। ସେହି ପଶୁପକ୍ଷୀମାନେ ତାଙ୍କୁ ଏତେ ଭଲପାଉଥିଲେ ଯେ ସେ ସେହି ରାସ୍ତାରେ ଗଲାବେଳେ ସେମାନେ ତାଙ୍କ ନିକଟକୁ ଆସିବାକୁ ଉଚ୍ଛନ୍ନ ହେଉଥିଲେ। ତାଙ୍କର ସୁପୁତ୍ର ଏବଂ ସମ୍ପ୍ରତି ଆମର ଆଚାର୍ଯ୍ୟଦେବ ଶ୍ରୀଶ୍ରୀଦାଦା (ଶ୍ରୀଅଶୋକ ଚକ୍ରବର୍ତ୍ତୀ) ତାଙ୍କର ପିଲାଦିନର ଅଭିଜ୍ଞତା ବର୍ଣ୍ଣନା କରି କହିଛନ୍ତି- ୧୯୫୩ ମସିହାରେ ଆମ ଘର ଷୋଡ଼ଶୀଭବନ ସାମ୍ନାରେ ଜଣେ ସାପୁଆକେଳା ଏବଂ ତା’ର ଚେଲା ସାପଖେଳ ଦେଖାଇଲେ। ଆମେ ସମସ୍ତେ ବାପାଙ୍କ ଘର ସାମ୍ନା ଫାଙ୍କା ଜାଗାରେ ସାପଖେଳ ଦେଖିବାକୁ ଆସିଲୁ। ବାପା ମଧ୍ୟ ଆସି ଛିଡାହେଲେ। କେଳା ତାହାର ତିନିଚାରିଟା ପେଡିରୁ ବିଷଧର ସାପ ବାହାର କରି ଖେଳ ଦେଖାଇଲା। ସେତେବେଳେ ବାପା ଆଉ ଗୋଟିଏ ପେଡି ଦେଖାଇ କହିଲେ ସେଥିରେ କ’ଣ ଅଛି ଦେଖାଅ। ସେ କହିଲା ସେଥିରେ ଏକ ସଦ୍ୟ ଧରାହୋଇଥିବା ବିଷଦାନ୍ତ ଥିବା ଭୟଙ୍କର ଗୋଖର ସାପ ଅଛି। ବାପା ସେଇଟା ଦେଖିବାକୁ ଚାହିଁବାରୁ କେଳା ସମସ୍ତଙ୍କୁ ଦୂରକୁ ଘୁଞ୍ଚିଯିବାକୁ କହି ପେଡିଟା ଖୋଲିଲା। ଖୋଲିବା ମାତ୍ରେ ଗୋଟିଏ ବିରାଟ ଗୋଖର ସାପ ଅତ୍ୟନ୍ତ କ୍ରୁଦ୍ଧ ହୋଇ କେଳା ଆଡକୁ ମାଡିଗଲା। ବାପା ଆଗେଇଯାଇ ସାପଟାକୁ ଧରି ନିଜ ଗଳାରେ ଗୁଡାଇଦେଲେ। ସଙ୍ଗେ ସଙ୍ଗେ ସାପଟା ଶାନ୍ତ ହୋଇଗଲା। ବୃକ୍ଷଲତା ପ୍ରତି ଥିଲା ତାଙ୍କର ଅପରିସୀମ ମମତା। ଶ୍ରୀଶ୍ରୀଦାଦା ଲେଖିଛନ୍ତି- ଫିଲାନଥ୍ରପି ଅଫିସ ସାମ୍ନାରେ ଦୁଇଟା କୃଷ୍ଣଚୂଡାଗଛ ଥିଲା। ଦକ୍ଷିଣ ଦିଗ ଗଛଟାର ସ୍ବାସ୍ଥ୍ୟ ଖୁବ୍‌ ଭଲ ଥିଲା। ଉତ୍ତରଦିଗର ଗଛଟା ଶୁଖି ବିବର୍ଣ୍ଣ ଅବସ୍ଥା। ଦିନେ ଜିତେନ୍‌ ଦେବବର୍ମଣଦା ଲୋକ ଲଗାଇ ସେହି ଗଛଟା କାଟିବାକୁ ବସିଥାନ୍ତି। ବାପା ଦେଖି କାଟିବାକୁ ମନାକଲେ- କହିଲେ, ସେଟା ହୁଏତ ବଞ୍ଚିଯାଇପାରେ। ସେ ଗଛଟା ଦେହରେ ହାତ ବୁଲାଇଦେଇ ଚାଲିଗଲେ। କିଛିଦିନ ପରେ ସ୍ବାଭାବିକ ସ୍ବାସ୍ଥ୍ୟ ଫେରିପାଇ ଗଛଟା ବଢିବାକୁ ଆରମ୍ଭ କଲା।(ଆତ୍ମଜନେର କଥା)।

(ଶ୍ରୀଶ୍ରୀବଡ଼ଦାଙ୍କ ଜନ୍ମଦିବସ ଉପଲକ୍ଷେ)

୫୦୬, ନୟାପଲ୍ଲୀ, ଭୁବନେଶ୍ୱର, ମୋ-୯୪୩୭୨୮୭୯୬୪



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri