ଆଶାର କିମିଆ

ଡ. ପଦାରବିନ୍ଦ ରଥ

ଗୋଟିଏ ଗାଁରେ ଗୋଟେ ପିଲା ଥିଲା। ଭଲ ପାଠ ପଢିବା ସହିତ ସ୍କୁଲରେ ହେଉଥିବା ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ ମଧ୍ୟ ଖୁବ୍‌ ଭଲ କରୁଥିଲା। ସ୍କୁଲ୍‌ ପାଠ ସାରି କଲେଜକୁ ଯିବା ପରେ ତାକୁ ଜଣାପଡିଗଲା, ଏଠି ପ୍ରତିଯୋଗିତାରେ ସଫଳ ହେବା ଏତେ ସହଜ ନୁହେଁ। ସ୍କୁଲର ଚାରିକାନ୍ଥ ଭିତରୁ ବାହାରି କଲେଜର ବିରାଟ ପରିସର ଭିତରେ ନିଜ ପରିଚୟ ଖୋଜିବା ନିହାତି କଷ୍ଟକର। କଲେଜର ପ୍ରଥମ ପ୍ରତିଯୋଗିତାରେ ଯେଉଁଦିନ ସେ ଭାଗ ନେଲା ସେଦିନ ପାଖାପାଖି ଚାଳିଶ ଜଣ ପ୍ରତିଯୋଗୀ ଥିଲେ। ପିଲାଟି ଅସଫଳ ହେଲା। ଉଦାସ ମନରେ ଘରକୁ ଫେରିଲା। ଘରେ ଜେଜେମାଆ ପଚାରିଲେ, କ’ଣ ହେଲାରେ ପୁଅ, କାହିଁକି ମନ ଦୁଃଖ କରିଛୁ? ପିଲାଟି ଜେଜେମାଆ ଆଗରେ ସବୁକଥା କହିଲା। ସବୁ ଶୁଣିସାରି ଜେଜେମାଆ କହିଲେ, ଏଇ କଥା! ଆଛା କହିଲୁ, ତୋ କଲେଜରେ ସର୍ବମୋଟ କେତେ ପିଲା? ପିଲାଟି କହିଲା, ପାଖାପାଖି ଚାରି ହଜାର। ଜେଜେମାଆ କହିଲେ, ଚାରି ହଜାର ପିଲା ଭିତରୁ କେବଳ ଚାଳିଶ ଜଣ ପ୍ରତିଯୋଗିତାରେ ଭାଗ ନେଇଥିଲେ? ପିଲାଟି ହଁ ମାରିଲା। ଜେଜେମାଆ ପୁଣି କହିଲେ, ତା’ ହେଲେ ତୋର ତ ଖୁସି ହେବା କଥା। କଲେଜକୁ ଯିବାର ପ୍ରଥମ ଦିନରେ ହିଁ ତୁ ଶହେ ଜଣରେ ଜଣେ ହୋଇ ସାରିଲୁଣି। ଯେଉଁଠି ତିନି ହଜାର ନଅ ଶହ ଷାଠିଏ ପିଲା ଭାଗ ନେବାକୁ ସାହସ କଲେ ନାହିଁ ସେଠି ତୁ ପ୍ରତିଯୋଗିତାରେ ଭାଗ ନେଇପାରିଲୁ। ଏମିତି ଚେଷ୍ଟା କରି ଚାଲ୍‌, ଦେଖିବୁ, ଦିନେ ତୁ ନିଶ୍ଚୟ ସଫଳ ହେବୁ। ପିଲାଟି ମନରେ ପୁଣି ଥରେ ସାହସ ଆସିଲା। ସବୁ ପ୍ରତିଯୋଗିତାରେ ଭାଗ ନେବାକୁ ମନେ ମନେ ସ୍ଥିର କଲା। କିନ୍ତୁ, ପ୍ରଥମ ବର୍ଷ ଭିତରେ ତିରିଶରୁ ଅଧିକ ପ୍ରତିଯୋଗିତାରେ ଭାଗ ନେଇଥିଲେ ମଧ୍ୟ ସେ କେଉଁ ଗୋଟିକରେ ବି ସଫଳ ହୋଇପାରିଲା ନାହିଁ। ହେଲେ ସେ ଜେଜେମାଆଙ୍କ କଥା ଭଲଭାବରେ ମନେ ରଖିଥାଏ। ପରବର୍ତ୍ତୀ ବର୍ଷ ସେମିତି ସବୁ ପ୍ରତିଯୋଗିତାରେ ଭାଗ ନେଲା। ତିନୋଟିରେ ସଫଳ ହେଲା। ତା’ ପରେ ତା’ର ବିଜୟଯାତ୍ରା ଆଉ କୋଉଠି ଅଟକିନି। କଲେଜର ଶେଷ ଦୁଇ ବର୍ଷରେ ସେ ଚାମ୍ପିୟନ୍‌ ହେଲା। ଆଶାବାଦୀ ଦୃଷ୍ଟିକୋଣ, ଦୃଢ ଆମତ୍ବିଶ୍ୱାସ ଏବଂ ଅବିରତ ଚେଷ୍ଟା ଦ୍ୱାରା ସଫଳତା ମିଳିବାର ଏହା ଗୋଟିଏ ଛୋଟ ଉଦାହରଣ ମାତ୍ର। ଅନେକ ସମୟରେ ଆମର ଦୃଷ୍ଟିକୋଣ ଆମ ସମସ୍ୟାମାନଙ୍କର କଠୋରତା ସ୍ଥିର କରେ। ଗୋଟିଏ ଗ୍ଲାସ୍‌ରେ ଅଧା ପାଣି ଥିଲେ ଆମେ ତାକୁ ଅଧା ଖାଲି କିମ୍ବା ଅଧା ଭର୍ତ୍ତି କହି ପାରିବା। କିନ୍ତୁ, ଅଧା ଭର୍ତ୍ତି କହିଲେ ଆଶାବାଦକୁ ସୂଚାଇବ ଏବଂ ଅଧା ଖାଲି କହିଲେ ନିରାଶାର ପରିଚାୟକ ହେବ। ଏପରି ପରିସ୍ଥିତିରେ ଆଶାବାଦକୁ ଆପଣାଇବା ଶ୍ରେୟସ୍କର। ଆଉ ଗୋଟିଏ ଉଦାହରଣ ଦେଖାଯାଉ। ଥରେ ଗୋଟିଏ ଜୋତା କମ୍ପାନୀରେ ସେଲ୍‌ସମ୍ୟାନ୍‌ ପାଇଁ ଇଣ୍ଟରଭ୍ୟୁ ହେଉଥାଏ। ଦୁଇଜଣ ସାଙ୍ଗ ଇଣ୍ଟରଭ୍ୟୁ ଦେବାକୁ ଯାଇଥାନ୍ତି। ସେମାନଙ୍କ ଭିତରୁ ଜଣେ କୃତକାର୍ଯ୍ୟ ହେଲା। ଦୁଇଜଣଙ୍କୁ ଗୋଟିଏ ହିଁ ଚଳଚ୍ଚିତ୍ର ଦେଖାଯାଇଥିଲା, ଯେଉଁଥିରେ ସୁଦୂର କେଉଁ ଏକ ଅନୁନ୍ନତ ଗାଁର ଲୋକମାନଙ୍କର ଫୁଙ୍ଗୁଳା ପାଦକୁ ଦେଖା ଯାଇଥିଲା ଏବଂ ଉଭୟଙ୍କୁ ପୃଥକ୍‌ ପୃଥକ୍‌ ଭାବରେ ସେଇ ଗାଁରେ ଜୋତାର ଚାହିଦା ଆକଳନ କରିବାକୁ କୁହାଯାଇଥିଲା। ଅକୃତକାର୍ଯ୍ୟ ହୋଇଥିବା ବନ୍ଧୁ ଜଣକ ସ୍ବାଭାବିକ ଭାବରେ କହିଥିଲେ ଯେ ସେ ଗାଁରେ ଜୋତାର କୌଣସି ଚାହିଦା ନାହିଁ। କାରଣ ଯେଉଁଠି ଲୋକ ଏତେ ଅନୁନ୍ନତ, ସେଠି ଜୋତା କିଏ ପିନ୍ଧିବ? କିନ୍ତୁ ସେହି ପ୍ରଶ୍ନର କୃତକାର୍ଯ୍ୟ ହୋଇଥିବା ବନ୍ଧୁ ଜଣକ ଭିନ୍ନଭାବରେ ଉତ୍ତର ଦେଲେ। ତାଙ୍କ ଅନୁସାରେ, ଯେଉଁଠି ଲୋକ ଏତେ ଅନୁନ୍ନତ, ସେଠି ସେମାନଙ୍କୁ ଉନ୍ନତ କରିବାର ସମ୍ଭାବନା ସେତିକି ଅଧିକ। ତେଣୁ ସେଠି ଜୋତା ବିକ୍ରିର ସମ୍ଭାବନା ମଧ୍ୟ ଅଧିକ। ଅନେକ ସମୟରେ ଦେଖାଯାଇଛି, ବାରମ୍ବାର ବିଫଳ ହେଲାପରେ ଆମତ୍ବିଶ୍ୱାସ ଦୋହଲିଯାଏ। ସେଇ ଦୁର୍ବଳ ମୁହୂର୍ତ୍ତରେ ନିରାଶାର ବାଦଲ ପୁନର୍ବାର ଚେଷ୍ଟା କରିବାର ଉସତ୍ାହକୁ ଢାଙ୍କି ପକାଏ। କିନ୍ତୁ ସେଇଠି ଆମକୁ ମନେ ରଖିବାକୁ ହେବ, ରାତ୍ରିର ଶେଷ ପର୍ଯ୍ୟାୟରେ ଅନ୍ଧାରର ଘନତ୍ୱ ସର୍ବାଧିକ ଥାଏ। ମହାବାତ୍ୟାର ବିଭୀଷିକା ପରେ ଆକାଶରେ ସୂର୍ଯ୍ୟ ନିଶ୍ଚୟ ଦେଖାଦିଏ। କିଏ ଜାଣେ, ହୁଏ ତ ଆମ ସଫଳତା ଆମଠାରୁ ଶେଷ ପ୍ରଚେଷ୍ଟାର ପ୍ରତୀକ୍ଷାରେ ଥାଇପାରେ! ଏଇଠି ଗୋଟିଏ ଅତି ଶିକ୍ଷଣୀୟ କାହାଣୀ ମନେପଡେ। ଗୋଟିଏ କାଠୁରିଆ ଜଙ୍ଗଲରୁ କାଠ ଆଣି ଘରକୁ ଫେରୁଥାଏ। ଥରେ ସେ ବାଟରେ ପଡୁଥିବା ଗୋଟିଏ ଶିବ ମନ୍ଦିରରେ ଲେଖା ହୋଇଥିବା ଦେଖିଲା- ପାଖ ନଦୀରୁ ଯିଏ ଶହେ ଆଠ କଳସ ପାଣିରେ ଶିବଙ୍କ ଅଭିଷେକ କରିବ, ସେ ରାଜାଧିରାଜ ହେବ। କାଠୁରିଆ ମୁଣ୍ଡରୁ କାଠକୁ ତଳେ ଥୋଇ ପାଖରେ ଥିବା କଳସ ନେଇ ନଦୀମୁହାଁ ହେଲା। ଏକ, ଦୁଇ, ଏମିତି କରି ଶହେ ସାତ କଳସ ପାଣି ଆଣି ଶିବଙ୍କ ଉପରେ ଢାଳିଲା। ଶେଷ କଳସ ପାଣି ଆଣି ଆସିଲା ବେଳକୁ ଭାବିଲା, କାଇଁ, ରାଜା ହେବାର କୌଣସି ଲକ୍ଷଣ ତ ଦିଶୁନି ! କେହି ମଜାରେ ଏମିତି ଲେଖି ଦେଇଥିବ। ମୋର ଅଯଥାରେ ଏତେ ସମୟ ଓ ପରିଶ୍ରମ ଯାହା ବୃଥା ଗଲା। ଏହା ଭାବି ପାଣି ସହିତ କଳସକୁ ଶିବଲିଙ୍ଗ ଉପରେ ଫୋପାଡି ଦେଲା। ହଠାତ୍‌ ଭଗବାନ ଶିବ ଆବିର୍ଭୂତ ହେଲେ ଏବଂ କହିଲେ- ରେ ମୂଢ, ଯଦି ବିଶ୍ୱାସ ନ ଥିଲା ତେବେ ଆରମ୍ଭ କରୁଥିଲୁ କାହିଁକି? ଯଦି ଆରମ୍ଭ କଲୁ, ତେବେ ଶେଷ ପର୍ଯ୍ୟାୟରେ ନ ପହଞ୍ଚତ୍ ପରିତ୍ୟାଗ କଲୁ କାହଁକି? କାଠୁରିଆ ନିଜ ଭୁଲ ବୁଝିପାରିଲା। ସେ ପରିଶ୍ରମ କଲା, କିନ୍ତୁ ଆଶାବାଦ ଏବଂ ଆମତ୍ବିଶ୍ୱାସକୁ ଶେଷ ପର୍ଯ୍ୟନ୍ତ ବଳବତ୍ତର ରଖିପାରିଲା ନାହିଁ। ଅନେକ ସମୟରେ ଆମେ ନିଜକୁ ଆମଠାରୁ ଭଲରେ ଥିବା ଲୋକମାନଙ୍କ ସହିତ ତୁଳନା କରୁ। ଯାହା ଆମ ପାଖରେ ନାହିଁ, ତାହା ଯଦି ଅନ୍ୟ କାହା ପାଖରେ ଥାଏ, ତେବେ ଆମେ ବ୍ୟତିବ୍ୟସ୍ତ ହୋଇପଡୁ। ନିଜ ଆବଶ୍ୟକତା ମୁତାବକ ସାଧନ ଆମ ପାଖରେ ନ ଥିଲେ ଆମେ ଦୁଃଖୀ ହୋଇପଡୁ, ଯାହାକି ଆମ ସଫଳତାର ପରିପନ୍ଥୀ ହୁଏ ଏବଂ ତତ୍‌ ସହିତ ସ୍ବାସ୍ଥ୍ୟହାନିର କାରଣ ବି ହୁଏ। କିନ୍ତୁ ସେତେବେଳେ ଆମେ ନିଜଠାରୁ ପ୍ରତିକୂଳ ଅବସ୍ଥାରେ ଥିବା ଅସଂଖ୍ୟ ଲୋକଙ୍କ ବିଷୟରେ ଭାବିବାକୁ ହୁଏତ ଅସମର୍ଥ ହୋଇପଡୁ। ଅନ୍ୟ କାହାର ପାଦରେ ଦାମିକା ଜୋତା ଦେଖିଲେ ଆମେ ନିଜର ପୁରୁଣା ଏବଂ କମ୍‌ ଦାମ୍‌ର ଜୋତାକୁ ଦେଖି ନିଜକୁ ନୂ୍ୟନ ଭାବୁ। କିନ୍ତୁ ଏକଥା ଆମେ ଭୁଲିଯାଉ ଯେ ଏ ଦୁନିଆରେ ଏମିତି କେତେ ଲୋକ ଅଛନ୍ତି ଯାହା ପାଖରେ ଏଇ କମ୍‌ ଦାମ୍‌ର ଜୋତା ବି ନାହିଁ। ଆହୁରି ଅନେକ ଲୋକ ବି ଅଛନ୍ତି ଯାହା ପାଖରେ ଜୋତା ପିନ୍ଧିବାକୁ ପାଦ ହିଁ ନାହିଁ। ସେମାନଙ୍କ ତୁଳନାରେ ଆମେ ଭାଗ୍ୟଶାଳୀ ନୋହୁଁ କି? ତେଣୁ ମଣିଷ ପ୍ରତ୍ୟେକ ପରିସ୍ଥିତିରେ ଆଶାବାଦୀ ହେବା ସହିତ ଯାହା ବି ଆମ ପାଖରେ ଅଛି ତାକୁ ନେଇ ଖୁସି ହେବା ପ୍ରୟୋଜନ।

ମୋ-୮୮୦୦୬୩୬୫୭୬, rath2005@gmail.com



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri