ଅନାଥ ଶିଶୁ: ସୁରକ୍ଷା ଓ ଥଇଥାନ

ନିରଞ୍ଜନ ମହାନ୍ତି

ପୋଷ୍ୟ ସନ୍ତାନ ଗ୍ରହଣ ବ୍ୟବସ୍ଥା ଏକ ଆଇନସିଦ୍ଧ ପ୍ରକ୍ରିୟା। ବର୍ତ୍ତମାନ ଶିଶୁ ସୁରକ୍ଷା ବ୍ୟବସ୍ଥା ସମସ୍ୟା ମଧ୍ୟରେ ଗତି କରୁଛି। ଭାରତ ସରକାରଙ୍କ ସେଣ୍ଟ୍ରାଲ୍‌ ଆଡପ୍‌ସନ ରିସୋର୍ସ ଏଜେନ୍ସି (କାରା), ଓଡ଼ିଶା ସରକାରଙ୍କ ଷ୍ଟେଟ୍‌ ଆଡପ୍‌ସନ ରିସୋର୍ସ ଏଜେନ୍ସି (ସାରା) ଏବଂ ବିଭିନ୍ନ ଜିଲାରେ ଥିବା ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ଗୁଡ଼ିକ କାର୍ଯ୍ୟକ୍ଷମ ଥିବା ସତ୍ତ୍ୱେ ବହୁ ଶିଶୁ ସେମାନଙ୍କର ପାରିବାରିକ ଅଧିକାରରୁ ବଞ୍ଚତ୍ତ ହେଉଛନ୍ତି। ଅବଶ୍ୟ ଏହି ସଂସ୍ଥାଗୁଡ଼ିକ ସେମାନଙ୍କର ନୈତିକ ଦାୟିତ୍ୱ ତୁଲାଇବାରେ ଅବହେଳା କରୁନାହାନ୍ତି। ତଥାପି ଶିଶୁ ସୁରକ୍ଷା ବ୍ୟବସ୍ଥା ଅଧିକ କ୍ରିୟାଶୀଳ ହେବା ଆବଶ୍ୟକ। ସମଗ୍ର ଭାରତରେ ୪୫୦ ଏବଂ ଓଡ଼ିଶାରେ ୨୭ଟି ଶିଶୁ ସୁରକ୍ଷା ସଂସ୍ଥା ବା ‘ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ସଂସ୍ଥା’ କାର୍ଯ୍ୟକ୍ଷମ ଅଛନ୍ତି। ଏହା ବ୍ୟତୀତ ଆହୁରି ଅନେକ ସଂସ୍ଥା ଅଛନ୍ତି, ଯେଉଁମାନେ ସରକାରୀ ସ୍ତରରେ ପଞ୍ଜୀକୃତ ହୋଇନାହାନ୍ତି। ଏହି ସଂସ୍ଥାଗୁଡ଼ିକ ମାଧ୍ୟମରେ ଶିଶୁ ଲାଳନପାଳନ ଓ ପୋଷ୍ୟ ସନ୍ତାନ ପ୍ରଦାନ ବ୍ୟବସ୍ଥାକୁ ଆଇନଗତ ଭାବେ କାର୍ଯ୍ୟକାରୀ କରାଯାଉଛି।ଦରଦୀ ମଣିଷର ସହୃଦୟ ଆବେଗ ଝଙ୍କାର ସୃଷ୍ଟି କରିଥିଲା ବିଶ୍ୱ ଇତିହାସରେ ୧୯୯୩ରେ ନେଦରଲାଣ୍ଡର ହେଗ୍‌ଠାରେ, ଯେଉଁଠାରେ କି ବିଶ୍ୱର ଏକଶତ ରାଷ୍ଟ୍ର ମିଳିତ ହୋଇ ଶିଶୁ ସୁରକ୍ଷା ସନନ୍ଦରେ ସ୍ବାକ୍ଷର କରିଥିଲେ। ଏହି ସନନ୍ଦ ମଧ୍ୟରେ ଥିଲା କୌଣସି ଶିଶୁକୁ ବେଆଇନ୍‌ ଭାବେ ଟ୍ରାକିଂ କରାଯାଇପାରିବ ନାହିଁ, ଘରୋଇ ପୋଷ୍ୟ ସନ୍ତାନ ଗ୍ରହଣକୁ ଅଗ୍ରାଧିକାର ଦିଆଯିବ। ଅନୈତିକ ଭାବେ କୌଣସି ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଦିଆଯାଇପାରିବ ନାହିଁ। ଏହି ସନନ୍ଦରେ ଭାରତ ସ୍ବାକ୍ଷର କରିଥିଲା ୧୦ ବର୍ଷ ପରେ ୨୦୦୩ରେ। ପୋଷ୍ୟ ସନ୍ତାନ ଗ୍ରହଣ ବ୍ୟବସ୍ଥାର ସ୍ବଚ୍ଛତା ରକ୍ଷା କରିବା ନିମନ୍ତେ ଭାରତ ସରକାର ୧୯୯୦ ମସିହାରେ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ବଳ ସଂସ୍ଥା ବା କାରା ଗଠନ କଲେ। ଯେଉଁସବୁ ଶିଶୁ କଲ୍ୟାଣ ସଂଗଠନ ପୋଷ୍ୟ ସନ୍ତାନ ଗ୍ରହଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରୁଥିଲେ, କାରା ଗଠନ ଫଳରେ ସେମାନଙ୍କର ସ୍ବାଧୀନତା ସଙ୍କୁଚିତ ହେଲା ଏବଂ ପୋଷ୍ୟ ସନ୍ତାନ ଗ୍ରହଣ ବ୍ୟବସ୍ଥାକୁ ଆଇନସିଦ୍ଧ କରାଗଲା। ତେବେ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ କାରା ପକ୍ଷରୁ ୧୯୯୫ ମସିହାରେ ନୋ ଅବ୍‌ଜେକସନ ସାର୍ଟିଫିକେଟ୍‌ ଶିଶୁ କଲ୍ୟାଣ ସଂସ୍ଥାଗୁଡ଼ିକୁ ପ୍ରଦାନ କରାଗଲା। ପୋଷ୍ୟ ସନ୍ତାନ ଗ୍ରହଣ କାର୍ଯ୍ୟରେ ଲିପ୍ତ ଥିବା ପ୍ରତ୍ୟେକ ସଂସ୍ଥାଦ୍ୱାରା ଇଚ୍ଛୁକ ସ୍ବଦେଶୀ ଅବା ବିଦେଶୀ ମାତାପିତାଙ୍କ ପକ୍ଷରୁ ଜିଲା ଦୌରାଜଜ୍‌ କୋର୍ଟରେ ଆବେଦନ କରିବାର ବ୍ୟବସ୍ଥା କରାଗଲା। ପୋଷ୍ୟ ସନ୍ତାନ ଗ୍ରହଣ ନୀତି ନିୟମକୁ ସୁସଂହତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର୍ର ସରକାର ୨୦୦୦ ମସିହାରେ ଶିଶୁ ଓ କିଶୋର ନ୍ୟାୟ ଆଇନ ପ୍ରଣୟନ କଲେ। ଏହି ଆଇନରେ ୨୦୦୬ରେ ସଂଶୋଧନ ହୋଇଥିଲା। ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟାକୁ ଆହୁରି ସୁଗମ କରିବା ପାଇଁ ୨୦୧୫ରେ ଶିଶୁ କିଶୋର ଆଇନର ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଗଲା। କୌଣସି ଶିଶୁ କଲ୍ୟାଣ ଅନୁଷ୍ଠାନ ସିଧାସଳଖ ଇଚ୍ଛୁକ ମାତାପିତାଙ୍କୁ ପୋଷ୍ୟ ସନ୍ତାନ ପ୍ରଦାନ କରିପାରିବେ ନାହିଁ। ଉଭୟ ପୋଷ୍ୟ ସନ୍ତାନ ପ୍ରଦାନକାରୀ ସଂସ୍ଥା ଓ ଗ୍ରହଣକାରୀ ମାତାପିତା ଜୁଭେନାଇଲ୍‌ ଜଷ୍ଟିସ୍‌ ଆକ୍ଟ ମୁତାବକ କାର୍ଯ୍ୟ କରିବାକୁ ବାଧ୍ୟ। ପ୍ରତ୍ୟେକ ଶିଶୁକୁ ପୋଷ୍ୟ ସନ୍ତାନ ଗ୍ରହଣ ଉପଯୋଗୀ ହେବାକୁ ହେଲେ ଜିଲା ଶିଶୁ କଲ୍ୟାଣ ସମିତି ମାଧ୍ୟମରେ ସଂପୃକ୍ତ ଶିଶୁ ନିମନ୍ତେ ସେଥିପାଇଁ ଅନୁମତି ଆଣିବାକୁ ହେବ। ପୂର୍ବରୁ ଥିବା ହିନ୍ଦୁ ଆଡପ୍‌ସନ ମେଣ୍ଟେନାନ୍ସ ଆକ୍ଟ ଏବଂ ଗାର୍ଡ଼ିଆନଶିପ୍‌ ୱାର୍ଡ଼ ଆକ୍ଟ ଏବେ ଜୁଭେନାଇଲ୍‌ ଜଷ୍ଟିସ୍‌ ଆକ୍ଟରେ ସାମିଲ ହୋଇଯାଇଛି। ଏବେ ଭାରତରୁ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ କାରା ପୋର୍ଟାଲରେ ୧୭ ହଜାରରୁ ଊର୍ଦ୍ଧ୍ୱ ଦେଶୀ ଓ ବିଦେଶୀ ଇଚ୍ଛୁକ ମାତାପିତା ନାମ ପଞ୍ଜୀକରଣ କରିଛନ୍ତି। ତେବେ ଏକ ପରିସଂଖ୍ୟାନରୁ ଜଣାପଡ଼େ ଯେ, ଏବେ ଭାରତର ଶିଶୁକଲ୍ୟାଣ ଅନୁଷ୍ଠାନଗୁଡ଼ିକରେ ଆଇନସମ୍ମତ ଭାବେ ମାତ୍ର ଏକ ହଜାର ଶିଶୁ ପୋଷ୍ୟ ସନ୍ତାନ ଗ୍ରହଣ ଉପଯୋଗୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ଶୂନରୁ ଦୁଇ ବର୍ଷ ମଧ୍ୟରେ ଶତକଡ଼ା ୮୦ ଭାଗ ଶିଶୁ ଅଛନ୍ତି। ଭାରତର ପ୍ରତ୍ୟେକ ପ୍ରାଦେଶିକ ସରକାର ଯଦି ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ବିତ ନ କରନ୍ତି, ବହୁ ଅସହାୟ ଶିଶୁ ଆଇନର ସହାୟତାରୁ ବଞ୍ଚତ୍ତ ହେବେ। କୌଣସି ଶିଶୁକୁ ଅସହାୟତା ଭିତରକୁ ଠେଲି ଦିଆ ନ ଯାଉ। ଅନାଥ ଶିଶୁମାନଙ୍କର ଥଇଥାନ ନିମନ୍ତେ ସେମାନଙ୍କୁ ପୋଷ୍ୟ ସନ୍ତାନ ଭାବେ ନିଃସନ୍ତାନ ମାତାପିତାଙ୍କୁ ଆଇନଗତ ପ୍ରକ୍ରିୟା ମାଧ୍ୟମରେ ପ୍ରଦାନ କରାଯାଉ। କୌଣସି ଶିଶୁକୁ ଅନାଥାଶ୍ରମରେ ବେଶି ଦିନ ରହିବାକୁ ଦିଆ ନ ଯାଇ ତାକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଉ।

ଭୁବନେଶ୍ୱର, ମୋ- ୯୪୩୭୮୮୫୧୫୦



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri