ବିଜ୍ଞାନ ଓ ବିଶ୍ୱାସ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ

ମାନବ ସଭ୍ୟତାର ବିକାଶ ଓ ବିବର୍ତ୍ତନ ମଧ୍ୟରେ ବିଜ୍ଞାନ ଓ ବୌଦ୍ଧିକତାର ଶିଖର ସ୍ପର୍ଶ ସତ୍ତ୍ୱେ ଏ ଜଗତରେ ବିଜ୍ଞାନୀଙ୍କ ଅପେକ୍ଷା ବିଶ୍ୱାସୀ ଓ ଅନ୍ଧବିଶ୍ୱାସୀଙ୍କ ସଂଖ୍ୟା ଢେର୍‌ ଅଧିକ। ଅଶିକ୍ଷା, ଅଜ୍ଞତା ଓ ଅସଭ୍ୟତା ମଧ୍ୟରେ ବଞ୍ଚୁଥିବା କେବଳ ପାହାଡିମୁଲକର ଆଦିବାସୀ ନୁହନ୍ତି, ଶିକ୍ଷା ସଭ୍ୟତାର ଆଲୋକ ରାଜ୍ୟରେ ବିଚରଣ କରୁଥିବା ସଭ୍ୟ ଶିକ୍ଷିତ ସମ୍ପ୍ରଦାୟ ବି ବେଳେବେଳେ ବିଜ୍ଞାନ ବିରୋଧରେ ବିଦ୍ରୋହ କରି ବିଶ୍ୱାସର ବିଜୟବାନା ଉଡାଇଚାଲନ୍ତି। ପ୍ରକୃତରେ ବିଜ୍ଞାନ ଯେଉଁଠି ବିଫଳ ହୁଏ, ସେଠି ମଣିଷର ବିଶ୍ୱାସଠାରୁ ବାସ୍ତବତାକୁ ବିଚ୍ଛିନ୍ନ କରିବା କଷ୍ଟକର ହୋଇପଡେ। ଅଳ୍ପଦିନ ତଳେ ନିଜ ବାପାଙ୍କ ଶ୍ରାଦ୍ଧ ସମ୍ପନ୍ନ କରିବା ପାଇଁ ଗାଁକୁ ଯାଇଥିବାବେଳେ ଜଣେ ପଦାର୍ଥ ବିଜ୍ଞାନର ବରିଷ୍ଠ ପ୍ରାଧ୍ୟାପକ ଯାହାକିଛି ସାମ୍ନା କରିଥିଲେ ତାହା ତାଙ୍କ ଭଳି ଜଣେ ବିଜ୍ଞାନୀଙ୍କୁ ମଧ୍ୟ ବିଜ୍ଞାନ ଓ ବିଶ୍ୱାସର ଦ୍ୱନ୍ଦ୍ୱର ଦୋଛକିରେ ଛିଡା କରାଇଦେଇଥିଲା। କଥାଟି ଏହିପରି। ଏ ବର୍ଷ ଦୁର୍ବଳ ମୌସୁମୀ କାରଣରୁ ସ୍ବଳ୍ପ ବୃଷ୍ଟି ଯୋଗୁ ଚାଷକାର୍ଯ୍ୟ ଗୁରୁତର ପ୍ରଭାବିତ ହେଉଥିବାରୁ ବୃଷ୍ଟିଦେବତା ଇନ୍ଦ୍ରଦେବଙ୍କୁ ପ୍ରସନ୍ନ କରିବା ଉଦ୍ଦେଶ୍ୟରେ ଅଧ୍ୟାପକ ସିଦ୍ଧାର୍ଥଙ୍କ ଗାଁରେ ଆୟୋଜିତ ହେଉଥିଲା ଏକ ସାର୍ବଜନୀନ ଯଜ୍ଞ। ଏହି ଯଜ୍ଞାନୁଷ୍ଠାନର ନେତୃତ୍ୱ ନେଉଥିଲେ ସଦ୍ୟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦରୁ ଅବସର ନେଇଥିବା ସିଦ୍ଧାର୍ଥଙ୍କ କକା। କକାଙ୍କ ସହ କଥା ହେଲାବେଳେ ଏ ପ୍ରକାର ଏକ ଅନ୍ଧବିଶ୍ୱାସକୁ ତାଙ୍କର ସମର୍ଥନ ଉପରେ ପ୍ରଶ୍ନ ଉଠାଇଥିଲେ ସେ। କହିଥିଲେ, ”ବର୍ଷା ପାଇଁ ଯାଗଯଜ୍ଞ, ଇନ୍ଦ୍ରପୂଜା, ବେଙ୍ଗ ବିବାହ ଆଦି ଉପଚାର ଅନ୍ଧବିଶ୍ୱାସର ଗୋଟିଏ ଗୋଟିଏ ଉଦାହରଣ। ଇନ୍ଦ୍ର ସନ୍ତୁଷ୍ଟ ହେଲେ ବର୍ଷା ବର୍ଷେନା କି ଦୈବୀ କୃପାରେ ମୌସୁମୀ ପ୍ରବାହିତ ହୁଏନା। ପୃଥିବୀ ନାମକ ଏକ ଗ୍ରହରେ ଯେଉଁ ମହାଜାଗତିକ ଧାରାରେ ଜୀବଜଗତର ସଞ୍ଚାର ହୋଇଛି, ବର୍ଷା, ମୌସୁମୀ ପ୍ରବାହ ଆଦି ସେଇ ଧାରାର ଏକ ଅଂଶବିଶେଷ। ସେଇ ଧାରାରେ ବେଳେ ବେଳେ ବିଭ୍ରାଟ ଘଟେ। ଏ ବର୍ଷର ଅଳ୍ପ ବୃଷ୍ଟି ଓ ସେ ନେଇ ସମ୍ଭାବ୍ୟ ମରୁଡିର ଆଶଙ୍କା ସେଇ ବିଭ୍ରାଟର ଏକ ପରିପ୍ରକାଶ ମାତ୍ର। ସେଥିପାଇଁ ଯାଗଯଜ୍ଞର ଆୟୋଜନ ଏକ ନିଷ୍ଫଳ ପ୍ରଚେଷ୍ଟା ମାତ୍ର। ”ପୃଥିବୀ ପରିଚାଳିତ ହେଉଥିବା ପ୍ରକୃତିର ରହସ୍ୟମୟ ମହାଜାଗତିକ ଧାରାରେ ବିଭ୍ରାଟ ହେବ ସିନା, ବିଜ୍ଞାନରେ ବିଭ୍ରାଟ ହେବ କାହିଁକି? ଏହା ହିଁ ଥିଲା ସିଦ୍ଧାର୍ଥଙ୍କୁ ଚମକାଇ ଦେଲା ଭଳି ସୁରକକାଙ୍କ ପ୍ରଶ୍ନ। ଏବର୍ଷ ମୌସୁମୀ ପ୍ରବାହର ଯଥେଷ୍ଟ ପୂର୍ବରୁ ତୁମ ବିଜ୍ଞାନ ଦ୍ୱାରା ପରିଚାଳିତ ଏ ଦେଶର ପାଣିପାଗ ବିଭାଗ ଏ ବର୍ଷ ସ୍ବାଭାବିକଠାରୁ ଆହୁରି ଭଲ ବୃଷ୍ଟିପାତ ହେବ ବୋଲି ଭବିଷ୍ୟବାଣୀ କରିଥିଲା। କିନ୍ତୁ ଓଡିଶାର ବାରଟିରୁ ଊର୍ଦ୍ଧ୍ୱ ଜିଲାରେ ଚାଷଜମି ଫାଟି ଆଁ କଲାଣି କାହିଁକି? କୃତ୍ରିମ ଉପଗ୍ରହ ଜରିଆରେ ବର୍ଷା, ବାତ୍ୟା, ବଜ୍ରପାତ ଆଦି ପ୍ରାକୃତିକ ଦୁର୍ବିପାକ ସମ୍ପର୍କରେ ପ୍ରାକ୍‌ ସୂଚନା ଦେଉଥିବା ବିଜ୍ଞାନ ଏ ଯାଏଁ ଭୂମିକମ୍ପ ସଂକ୍ରାନ୍ତରେ ଭବିଷ୍ୟବାଣୀ କରିବାରେ ଅସମର୍ଥ ଥିଲା। ଏଥର ମୌସୁମୀ ବର୍ଷା ସମ୍ପର୍କରେ ଏହାର ପୂର୍ବ ସୂଚନା ଭୁଲ୍‌ ପ୍ରମାଣିତ ହୋଇଥିବାରୁ ଲୋକମାନେ ବିଜ୍ଞାନ ଉପରେ ଭରସା କରିବେ କାହିଁକି? ବିଜ୍ଞାନଠାରୁ ମୁହଁ ଫେରାଇ ଲୋକେ ଯଦି ନିଜ ନିଜର ବିଶ୍ୱାସକୁ ନେଇ ଯାଗଯଜ୍ଞ, ପୂଜାପଦ୍ଧତି ଦ୍ୱାରା ବର୍ଷାକୁ ଆବାହନ କରନ୍ତି, ତେବେ ବିଜ୍ଞାନୀମାନେ ନାକ ଟେକିବେ କାହିଁକି? ସୁରକକାଙ୍କ ପ୍ରଶ୍ନର ସମୁଚିତ ଉତ୍ତର ଖୋଜୁ ଖୋଜୁ ସିଦ୍ଧାର୍ଥ କହିଲେ, ”ହୋଇପାରେ, ବେଳେବେଳେ ବିଜ୍ଞାନର ସିଦ୍ଧାନ୍ତ ଭ୍ରମାତ୍ମକ।“ ମାତ୍ର ତାହା ବୋଲି ଯାହା ପ୍ରମାଣସିଦ୍ଧ ନୁହେଁ, ସେଭଳି ଅନ୍ଧବିଶ୍ୱାସକୁ ବିଜ୍ଞାନ ଗ୍ରହଣ କରିନେବ, ଏହା ମଧ୍ୟ ସମ୍ଭବ ନୁହେଁ। ଇନ୍ଦ୍ର ଜଣେ ଦେବତା, ଯିଏ ତୃପ୍ତ ହେଲେ ବର୍ଷା କରାନ୍ତି, ଯିଏ ବେଙ୍ଗ ବିବାହ ଦେଖି ପ୍ରସନ୍ନ ହୁଅନ୍ତି, ଏ ସବୁ ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦେଲେ ବିଜ୍ଞାନ ଆଉ ଜ୍ଞାନଦାୟୀ ହୋଇ ରହିବନାହିଁ। ସୁରକକାଙ୍କ ଭଳି ଜଣେ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକଙ୍କର କୈଫିୟତ ଥିଲା ଆହୁରି ତୀକ୍ଷ୍‌ଣ। କଲେଜ ଶିକ୍ଷକ ସିଦ୍ଧାର୍ଥଙ୍କୁ ସେ ବୁଝାଇଦେଲେ। ଅନ୍ଧବିଶ୍ୱାସ ଏକ ଅତିରଞ୍ଜିତ ଶବ୍ଦ। ବିଶ୍ୱାସ ମାତ୍ରକେ ସବୁବେଳେ ଅନ୍ଧ। କୌଣସି କାଳରେ କୌଣସି ବିଶ୍ୱାସର କେବେ ଆଖି ନ ଥିଲା, ଆଜି ବି ନାହିଁ। ଜ୍ଞାନ ବା ବିଜ୍ଞାନ ପରି ଏହା ଦେଖିପାରେନା କି ଦେଖାଇପାରେନା। ତଥାପି ବିଜ୍ଞାନଠାରୁ ବିଶ୍ୱାସର ପ୍ରଭାବ ଅଧିକ। ବିଜ୍ଞାନ ଯେତେ ଚମତ୍କାରିତା ପ୍ରଦର୍ଶନ କଲେ ବି କମ୍ପ୍ୟୁଟର, ଇଣ୍ଟରନେଟ୍‌ ଭଳି ବରଦାନ ଦେଇ ଜନଜୀବନରେ ଯେତେ ପ୍ରଭାବ ବିସ୍ତାର କଲେ ମଧ୍ୟ କମ୍‌ ବିଜ୍ଞାନ ଓ ବେଶି ବିଶ୍ୱାସକୁ ନେଇ ଏ ଜଗତ ତିଷ୍ଠି ରହିଛି। ତାଙ୍କ ଯୁକ୍ତି ସପକ୍ଷରେ ସୁରକକା ଯେଉଁ ଦୃଷ୍ଟାନ୍ତଟି ପେଶ୍‌ କଲେ, ତାହା ଥିଲା ବିଜ୍ଞାନର ଊର୍ଦ୍ଧ୍ୱରେ ଥିବା ବିଶ୍ୱାସ ସପକ୍ଷରେ ଏକ ଉଜ୍ଜ୍ୱଳ ପରିଭାଷା। କହିଲେ, କେଇଦିନ ତଳେ ଯୋଡାମୁଣ୍ଡ ଶିଶୁ ଜଗାବଳିଆଙ୍କ ମୁଣ୍ଡଦ୍ୱୟ ବିଚ୍ଛିନ୍ନ କରିବାର ଦାୟିତ୍ୱ ନେଇଥିବା ଚାଳିଶଜଣିଆ ଡାକ୍ତରୀ ଦଳର ମୁଖ୍ୟ ତଥା ପ୍ରଖ୍ୟାତ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ ମହାପାତ୍ର ଏହି ଅପରେଶନର ସଫଳତା ସମ୍ପର୍କରେ କହିଥିଲେ, ଭାରତରେ ପ୍ରଥମ ଥର ପାଇଁ ଏହି ବିରଳ ଅସ୍ତ୍ରୋପଚାରକୁ ସଫଳତାର ସହ ନିର୍ବାହ କରିଛୁ। ତେଣିକି ସଫଳତା ଭଗବାନଙ୍କ ଉପରେ। କିଏ ଏହି ଭଗବାନ? ଡାକ୍ତର ଅଶୋକ ମହାପାତ୍ରଙ୍କ ଭଳି ଜଣେ ବିଜ୍ଞାନୀଙ୍କ ପାଇଁ ସେ ବିଜ୍ଞାନର ବସ୍ତୁ ନା ବିଶ୍ୱାସର ଠାକୁର? କେବଳ ସୁରକକା ନୁହନ୍ତି, ଆମ ସମାଜର ବେଶ୍‌ ଭାଗ ଲୋକ ଏ କଥା ଜାଣିଛନ୍ତି ଯେ ଚିକିତ୍ସା ବିଜ୍ଞାନର ବିଶାରଦମାନେ ସେମାନଙ୍କ ସମସ୍ତ ଦକ୍ଷତା ସତ୍ତ୍ୱେ ଚିକିତ୍ସାର ସଫଳତା ପାଇଁ ଏମିତି ଏକ ଶକ୍ତି ନିକଟରେ ଆତ୍ମସମର୍ପଣ କରନ୍ତି, ଯାହାକୁ ସେମାନେ ଜାଣନ୍ତିନାହିଁ କି ସେମାନଙ୍କ ଜ୍ଞାନ ବିଜ୍ଞାନ ତାକୁ ମାନନ୍ତି ନାହିଁ। ପ୍ରଫେସର ମହାପାତ୍ରଙ୍କ ପରି ପ୍ରାୟ ସମସ୍ତ ଡାକ୍ତର କହନ୍ତି, ଆମେ ଚିକିତ୍ସା କରୁ ସିନା, ସେ (ସେଇ ଅଦୃଶ୍ୟ ଶକ୍ତି) ସୁସ୍ଥ କରନ୍ତି। ଆଉ ସେଥିପାଇଁ ବୋଧହୁଏ କେତେକ ଚିକିତ୍ସକ ରୋଗ ପାଇଁ ବ୍ୟବସ୍ଥାପତ୍ର ଲେଖିବା ପୂର୍ବରୁ ନିଜ କଲମଟିକୁ କପାଳରେ ଛୁଅଁାନ୍ତି ବା ଅପରେଶନ କରିବା ପୂର୍ବରୁ ଛୁରିଟିକୁ ମୁଣ୍ଡରେ ଲଗାନ୍ତି। ଚିକିତ୍ସା ଶାସ୍ତ୍ର ଏକ ବିଜ୍ଞାନ। ତଥାପି ରୋଗୀ ଓ ଚିକିତ୍ସକ ଉଭୟ ରୋଗମୁକ୍ତି ପାଇଁ ସେଇ ଅଦୃଷ୍ଟ ଶକ୍ତି ଉପରେ ବିଶ୍ୱାସ ରଖନ୍ତି। ବିଜ୍ଞାନ ଉପରେ ବିଶ୍ୱାସର କି ଶକ୍ତିଶାଳୀ ବିଜୟ ସତେ! ଆଉ ଏକ ରୋଚକ ଦୃଷ୍ଟାନ୍ତ। ଆର୍ଯ୍ୟଭଟ୍ଟ-୨୭ ଉତ୍‌କ୍ଷେପଣ ପାଇଁ ଅବଗଣନା ଆରମ୍ଭ ହେବାକୁ ଅଳ୍ପ ସମୟ ବାକି ଥାଏ। ଭାରତୀୟ ମହାକାଶ ଗବେଷଣା ସଂସ୍ଥାରେ କାର୍ଯ୍ୟରତ ପ୍ରତ୍ୟେକ ମହାକାଶ ବିଜ୍ଞାନୀ ଅତ୍ୟନ୍ତ ଉତ୍ସୁକତାର ସହ ଅପେକ୍ଷା କରି ରହିଥାନ୍ତି ଉତ୍‌କ୍ଷେପଣର ଚରମ ମୁହୂର୍ତ୍ତକୁ। ସେମାନଙ୍କ ବର୍ଷ ବର୍ଷର ସାଧନା ଓ ନିରଳସ ଉଦ୍ୟମର ଫଳପ୍ରସବ ମୁହୂର୍ତ୍ତ ଉପସ୍ଥିତ। ମନରେ ଆଶା ଓ ଆଶଙ୍କାର ଦ୍ୱନ୍ଦ୍ୱ। ଉତ୍‌କ୍ଷେପଣ କେନ୍ଦ୍ରରେ ବହୁ ପଦାଧିକାରୀଙ୍କ ଭିଡ। ମାତ୍ର ଏ ସବୁର ମୂଳକର୍ତ୍ତା ଇସ୍ରୋର ନିର୍ଦ୍ଦେଶକ କସ୍ତୂରୀରଙ୍ଗନ୍‌ କାହାନ୍ତି ? କିଛି ସମୟ ପରେ ତାଙ୍କୁ ଆବିଷ୍କାର କରାଗଲା ଗୋଟିଏ କୋଣରେ ଚୁପ୍‌ଚାପ୍‌ ବସି ବିଷ୍ଣୁ ସହସ୍ରନାମ ଜପୁଥିବା ଅବସ୍ଥାରେ। ସଫଳତାର ସହ ଉତ୍‌କ୍ଷେପଣ ଶେଷ ହେଲା ପରେ ତୃପ୍ତିର ଉଲ୍ଲାସରେ ଯେତେବେଳେ ଚାରିଆଡ ଗୁଞ୍ଜରିତ, ସେତେବେଳେ ଜଣେ ବିସ୍ମୟାଭିଭୂତ ସାମ୍ବାଦିକ ତାଙ୍କୁ ପ୍ରଶ୍ନ କଲେ, ଏତେ ବଡ ବୈଜ୍ଞାନିକ ହୋଇ ବି ଆପଣ ପୁଣି ଈଶ୍ୱରବିଶ୍ୱାସୀ? ଆପଣଙ୍କ ସହକାରୀମାନଙ୍କ ଧ୍ୟାନ କମ୍ପ୍ୟୁଟରର ପରଦା ଉପରେ ନିବିଷ୍ଟ ଥିଲାବେଳେ ଆପଣ ଧ୍ୟାନ କରୁଥିଲେ ସେହି ଈଶ୍ୱରଙ୍କୁ, ଯିଏ ଚିରକାଳ ବିଜ୍ଞାନ ବଳୟର ବାହାରେ! କସ୍ତୂରୀ ରଙ୍ଗନ୍‌ ହସିଲେ। କହିଲେ, ବିଜ୍ଞାନପ୍ରସୂତ ଜ୍ଞାନକୌଶଳରେ ଆମେ ଯାନଟିକୁ ଗଢିଥିଲୁ। ତାହା ମଧ୍ୟରେ ଉପରକୁ ଉଠିବାର ଶକ୍ତି ସଞ୍ଚାର କରିଥିଲୁ। କିନ୍ତୁ ତାହା ଉଠିବ କି ନାହିଁ ଆମେ ଜାଣି ନ ଥିଲୁ। ଉଠିବ ବୋଲି ଆମେ କେବଳ ବିଶ୍ୱାସ କରୁଥିଲୁ। ସେଇ ବିଶ୍ୱାସକୁ ବାସ୍ତବତାରେ ପରିଣତ କରିବା ପାଇଁ ମୁଁ ବିଷ୍ଣୁ ସହସ୍ର ନାମ ଜପ କରୁଥିଲି। ସୁତରାଂ ବିଜ୍ଞାନ ଓ ବିଶ୍ୱାସ ନିଜ ନିଜ ଜାଗାରେ ଥାଆନ୍ତୁ। ସୁରକକାଙ୍କ ପରି ଦୁନିଆର ଅଗଣିତ ଲୋକ, ଯେଉଁମାନେ ନିଜ ନିଜର ବିଶ୍ୱାସକୁ ନେଇ ବଞ୍ଚତ୍ ରହିଛନ୍ତି, ସେମାନଙ୍କ ବିଶ୍ୱାସରେ ବିଜ୍ଞାନ ହସ୍ତକ୍ଷେପ ନ କରୁ। କାରଣ ବିଜ୍ଞାନକୁ ଅସ୍ବୀକାର କରିବାର ଯେମିତି କିଛି କାରଣ ନାହିଁ, ସେମିତି ବିଶ୍ୱାସକୁ ଅବିଶ୍ୱାସ କରିବାର କିଛି ଯୁକ୍ତି ମଧ୍ୟ ନାହିଁ।

ମୋ: ୮୮୯୫୬୨୪୧୦୫



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri