ସମ୍ପାଦକୀୟ/ସମ୍ଭାଳି ପାରିବେ କି

୨୦୧୭ ଜୁନ୍‌ ୩୦ ମଧ୍ୟରାତ୍ରରେ ପାର୍ଲାମେଣ୍ଟର ବିଶେଷ ଅଧିବେଶନ ଆହ୍ବାନ କରି ନରେନ୍ଦ୍ର ଦାମୋଦରଦାସ ମୋଦି ସରକାର ଦେଶରେ ଏକକ ଟିକସ ବ୍ୟବସ୍ଥା ସାମଗ୍ରୀ ଓ ସେବା କର (ଜିଏସ୍‌ଟି) ପ୍ରଚଳନର ଶୁଭାରମ୍ଭ କଲେ। ଜୁଲାଇ ପହିଲାରୁ ଜିଏସ୍‌ଟି  ସମଗ୍ର ଦେଶରେ ଲାଗୁ ହୋଇଗଲା। କେନ୍ଦ୍ର ସରକାର ଏହାକୁ ପରୋକ୍ଷ ଟିକସ କ୍ଷେତ୍ରରେ ଐତିହାସିକ ପଦକ୍ଷେପ ବୋଲି ଘୋଷଣା କରିଛନ୍ତି। ଇତିମଧ୍ୟରେ ଜିଏସ୍‌ଟି ପ୍ରଚଳନକୁ ସାଢେ ୪ ମାସ ପୂରିବାକୁ ଯାଉଛି। ମାତ୍ର ଏହାକୁ ନେଇ ଦ୍ୱନ୍ଦ୍ୱ ଦୂର ହେଉନାହିଁ। ଜଣାପଡୁଛି ଯେ, ଜିଏସ୍‌ଟିକୁ ଉତ୍ତମ ଟିକସ ବ୍ୟବସ୍ଥା ବୋଲି ଦାବି କରୁଥିବା ମୋଦି ସରକାର ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି। ଏପରି କି ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କୁ ନେଇ ଗଠିତ ଜିଏସ୍‌ଟି ପରିଷଦ ମଧ୍ୟ ବାଉଳା ହେଉଛି। ଏହି ପରୋକ୍ଷ କର ଲାଗୁ ହେବା ପରେ ପରିଷଦର ୨୩ଥର ବୈଠକ ବସିଲାଣି। କିନ୍ତୁ ଚୂଡାନ୍ତ ଭାବେ କୌଣସି ନିଷ୍ପତ୍ତି ନିଆଯାଇପାରୁନାହିଁ। ପ୍ରକୃତ କଥା ହେଉଛି ଜିଏସ୍‌ଟି ପାଇଁ ଭିତ୍ତିଭୂମିରେ ଦୁର୍ବଳତା ରହିଯାଇଥିବା କାରଣରୁ ସରଳ କୁହାଯାଉଥିବା ଏହି ବ୍ୟବସ୍ଥା କ୍ରମେ ଅଧିକ ଜଟିଳ ହେବାରେ ଲାଗିଛି।
ପ୍ରଥମ କଥା ହେଉଛି ସରକାର ଜିଏସ୍‌ଟିକୁ ଏକକ ପରୋକ୍ଷ ଟିକସ ବ୍ୟବସ୍ଥା ବୋଲି କହୁଥିଲେ ମଧ୍ୟ ଏହାକୁ ଚାରିଗୋଟି ସ୍ଲାବ୍‌ରେ ବିଭକ୍ତ କରିଛନ୍ତି। ଏଥିରେ ସର୍ବୋଚ୍ଚ ଟିକସ ହାରକୁ ୨୮ ପ୍ରତିଶତ ରଖାଯାଇଛି । ତା’ ଉପରେ ମଧ୍ୟ ଉପକର ଲଗାଇବାର କ୍ଷମତା ସରକାର ନିଜ ହାତରେ ରଖିଛନ୍ତି । ଜିଏସ୍‌ଟିର ସର୍ବନିମ୍ନ ହାର ରହିଛି ୫ ପ୍ରତିଶତ। କେତେକ ସାମଗ୍ରୀ ଓ ସେବାକୁ ଟିକସମୁକ୍ତ କରାଯାଇଛି। ଆଉ କେତେକ କ୍ଷେତ୍ରରେ ଶୂନ୍ୟ ପ୍ରତିଶତ ରଖାଯାଇଛି। ଏହାର ଅର୍ଥ ହେଉଛି ଶୂନ୍ୟ ପ୍ରତିଶତ ରଖାଯାଇଥିବା ବ୍ୟବସ୍ଥାକୁ କୌଣସି ସମୟରେ ଏକ ନିର୍ଦ୍ଦିଷ୍ଟ ଟିକସ ହାରରେ ପରିବର୍ତ୍ତିତ କରିଦିଆଯାଇପାରେ। ଅନେକ ଦେଶରେ ଜିଏସ୍‌ଟି ପ୍ରଚଳନ ରହିଛି। ମାତ୍ର ସେହିସବୁ ଦେଶ ଏହି ପରୋକ୍ଷ ଟିକସକୁ ଗୋଟିଏ ନିର୍ଦ୍ଦିଷ୍ଟ ହାରରେ ସୀମିତ ରଖିଛନ୍ତି। ଅର୍ଥାତ୍‌ ଏଥିରେ କୌଣସି ଦ୍ୱନ୍ଦ୍ୱର ଅବକାଶ ରହିବ ନାହିଁ। ମୋଦି ସରକାର ଜିଏସ୍‌ଟିକୁ ଏକାଧିକ ସ୍ଲାବ୍‌ରେ ପରିଣତ କରି ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛନ୍ତି। ଏପରି କି ଏନେଇ ତରବରିଆ ଭାବେ ନିଷ୍ପତ୍ତି ନେଇଥିବାରୁ ଏକ ବିଧିବଦ୍ଧ ସଫ୍ଟଓ୍ବେର୍‌ ମଧ୍ୟ ବିକଶିତ କରାଯାଇ ପାରିନାହିଁ। ଅନେକ ମହଲରୁ ବିରୋଧ ହେବା ପରେ ସରକାର ବିଭିନ୍ନ ସାମଗ୍ରୀ ଓ ସେବା ଉପରୁ ଟିକସ ହ୍ରାସ କରିବା ସକାଶେ ବାରମ୍ବାର ପରିଷଦର ବୈଠକ ଡକାଉଛନ୍ତି। ନଭେମ୍ବର ୯ ତାରିଖରେ ଗୁଆହାଟୀଠାରେ ବସିଥିବା ପରିଷଦର ୨୩ତମ ବୈଠକରେ ଏକାଥରକେ ୨୦୦ରୁ ଊର୍ଦ୍ଧ୍ୱ ସାମଗ୍ରୀକୁ ସର୍ବୋଚ୍ଚ ୨୮ ପ୍ରତିଶତ ସ୍ଲାବ୍‌ରୁ ୧୮ କିମ୍ବା ୧୨ ପ୍ରତିଶତ ସ୍ଲାବ୍‌କୁ ଖସାଇ ଦିଆଯାଇଛି। ଏବେ ମାତ୍ର ୫୦ଟି ସାମଗ୍ରୀ ସର୍ବୋଚ୍ଚ ସ୍ଲାବ୍‌ରେ ରହିଛି।
ଜିଏସ୍‌ଟି  ହ୍ରାସ ହେଲା, ଆମେ ସାଧାରଣ ଜନତା ଭାବେ ନିଶ୍ଚିତ ଖୁସି। କିନ୍ତୁ ଏହାର ପରିଣତି କ’ଣ ହେବ ସେ ସମ୍ପର୍କରେ ସରକାର କିଛି ଜଣାଉ ନାହାନ୍ତି। ଅଭିଯୋଗ ଉଠୁଛି ଯେ, ସରକାର ହଠାତ୍‌ ଏଭଳି ଟିକସ ହ୍ରାସ ନିଷ୍ପତ୍ତି ନେବା ପଛରେ ଗୁଜରାଟ ବ୍ୟବସାୟୀଙ୍କ ବିରୋଧ ମୂଳ କାରଣ। ଗୁଜରାଟରେ ଆସନ୍ତା ଡିସେମ୍ବରରେ ବିଧାନସଭା ନିର୍ବାଚନ। ସେହି ରାଜ୍ୟରେ ଭାରତୀୟ ଜନତା ପାର୍ଟି (ଭାଜପା) ଦୀର୍ଘ କାଳ ଧରି ମୁଖ୍ୟତଃ ବ୍ୟବସାୟୀ ଗୋଷ୍ଠୀଙ୍କ ସମର୍ଥନରେ କ୍ଷମତାରେ ରହି ଆସିଛି। ଏବେ ସେହି ଗୋଷ୍ଠୀ ନୂଆ ଟିକସ ବ୍ୟବସ୍ଥା ବିରୋଧରେ ଆନ୍ଦୋଳନ କରୁଥିବାରୁ ମୋଦି ନିଜ ରାଜ୍ୟରେ କ୍ଷମତା ବଞ୍ଚାଇବା ସକାଶେ ଜିଏସ୍‌ଟିକୁ ଅନ୍ୟତମ ଥୋପ ଭାବେ ବ୍ୟବହାର କଲେ। ଅର୍ଥାତ୍‌ ଦେଶର ଅର୍ଥନୀତିକୁ ନେଇ କେନ୍ଦ୍ର ସରକାର ରାଜନୈତିକ ଖେଳ ଖେଳୁଛନ୍ତି। ଏବେ ଗୁଜରାଟ ନିର୍ବାଚନ ଥିବାରୁ ଜିଏସ୍‌ଟି ହ୍ରାସ କରିଦେଲେ। ଗୁଜରାଟ ପରେ ଅନ୍ୟ କୌଣସି ରାଜ୍ୟର ରାଜନୈତିକ ପରିସ୍ଥିତିକୁ ଦେଖି ଏହି ଟିକସରେ ବୃଦ୍ଧି ମଧ୍ୟ କରି ଦିଆଯାଇପାରେ । କାରଣ ହ୍ରାସ ବୃଦ୍ଧିର ସମସ୍ତ ବିକଳ୍ପ ସରକାର ଖୋଲା ରଖିଛନ୍ତି।
୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ କରାଇ ଭାରତୀୟ କାଗଜ ଟଙ୍କା ସହିତ ଯେଉଁ ଭଳି ରାଜନୈତିକ ଖେଳ ଖେଳାଗଲା ତାହାର କୁଫଳ କ୍ରମଶଃ ଲୋକଲୋଚନକୁ ଆସୁଛି । ସନ୍ଦେହ କରାଯାଉଛି ଯେ, ସେହି ମାଡ ଗରିବ ଭାରତୀୟଙ୍କୁ ଆହୁରି ଅନେକ ବର୍ଷ ପର୍ଯ୍ୟନ୍ତ କଷ୍ଟ ଦେଇ ଚାଲିବ । ବିମୁଦ୍ରୀକରଣର ବର୍ଷେ ନ ଯାଉଣୁ ଅପ୍ରସ୍ତୁତ ହୋଇ ଜିଏସ୍‌ଟି ଲାଗୁ କରାଇଦେବା ଅନ୍ୟ ଏକ ସାଂଘାତିକ ପଦକ୍ଷେପ ଯାହାକି କର ଆଦାୟ ଏବଂ ବ୍ୟବସ୍ଥା ଉପରେ ଘୋର ଆଘାତ ପହଞ୍ଚାଇଛି । କୌଣସି ପ୍ରସ୍ତୁତି ବିନା ଏତେବଡ ଅର୍ଥନୈତିକ ନିଷ୍ପତ୍ତି କେବଳ ଜନସାଧାରଣଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇନାହିଁ, ଦେଶର ଆର୍ଥିକ ବ୍ୟବସ୍ଥାକୁ ମଧ୍ୟ ଦୋହଲାଇ ଦେଲାଣି। ସମ୍ଭବତଃ ଏହି ନକାରାତ୍ମକ ପ୍ରଭାବ ଯୋଗୁ ଉଭୟ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ସହଯୋଗୀ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ଗୁଜରାଟ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଭୟଭୀତ ହେଉଛନ୍ତି । ଓଡ଼ିଶାରେ ବସି ଗୁଜରାଟ ନିର୍ବାଚନ ସମ୍ପର୍କରେ  ମତାମତ ଦେବା ଅନୁଚିତ। ଗୁଜରାଟ ଗଣମାଧ୍ୟମ ରିପୋର୍ଟରୁ ମତ ସଂଗ୍ରହ କରି ଜଣାପଡୁଛି ଯେ, ଭାଜପା ଆସନ୍ତା ନିର୍ବାଚନରେ ପୁନର୍ବାର ଜିତିବ। ତଥାପି ଭୟ କାହିଁକି ବୁଝାପଡୁନାହିଁ। ଭୟ ସୃଷ୍ଟି ହୋଇଛି ବୋଲି ଅନ୍ୟ ଏକ ବଡ ଦୃଷ୍ଟାନ୍ତ ହେଉଛି ପାର୍ଲାମେଣ୍ଟ ଶୀତକାଳୀନ ଅଧିବେଶନର ଡାକରା (ସମନ) ଏପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କଠାରୁ ଜାରି କରାଯାଇନାହିଁ। ବିଗତ  ବର୍ଷମାନଙ୍କରେ ଏହି ଡାକରା ନଭେମ୍ବର ପ୍ରଥମ ସପ୍ତାହରେ ଆସୁଥିଲା ଏବଂ ଅଧିବେଶନ ସେହି ମାସର ମଧ୍ୟଭାଗରୁ ଆରମ୍ଭ ହେଉଥିଲା । ଜାତୀୟ ସ୍ତରର ପର୍ଯ୍ୟବେକ୍ଷକଙ୍କ ମତରେ ଏହି ବିଳମ୍ବ ଯୋଗୁ ସମ୍ପୂର୍ଣ୍ଣ ଶୀତ ଅଧିବେଶନ ବାତିଲ କରି ଦିଆଯାଇପାରେ । ତାହା କରାଗଲେ ଭାରତୀୟ ଗଣତନ୍ତ୍ର ପ୍ରତି କୁଠାରାଘାତ ହେବ ।
ମନେହେଉଛି ସତେ ଯେମିତି ଏ ସରକାର ଲୋକଙ୍କ ନିକଟରେ ଉତ୍ତରଦାୟୀ ନୁହନ୍ତି। ଲୋକଙ୍କ ସହନଶୀଳତାର ଫାଇଦା ଉଠାଉଛନ୍ତି। ଲୋକେ ତେଜିଲେ ସରକାର ତାହାକୁ ସମ୍ଭାଳି ପାରିବେ କି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri