ବଜେଟ୍‌ ଟିମ୍‌ ପ୍ରସ୍ତୁତ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ରାଜସ୍ବ ସଚିବ ହସମୁଖ ଆଧିଆଙ୍କୁ ଅର୍ଥ ସଚିବ ଭାବେ ନିଯୁକ୍ତି ଦିଆଯିବା ଫଳରେ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ବାର୍ଷିକ ବଜେଟ୍‌ ପ୍ରସ୍ତୁତିର ସେ ମୁଖ୍ୟ ଦାୟିତ୍ୱରେ ରହିବେ। ଅର୍ଥ ମନ୍ତ୍ରଣାଳୟରେ ଆଧିଆ ବରିଷ୍ଠତମ ଅଧିକାରୀ ହୋଇଥିବା ବେଳେ ତାଙ୍କର ସହକର୍ମୀମାନଙ୍କ ମଧ୍ୟରେ ଅଛନ୍ତି ୧୯୮୪ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ଅର୍ଥ ସେବା ସଚିବ ରାଜୀବ କୁମାର, ବ୍ୟୟ ସଚିବ ଅଜୟ ନାରାୟଣ ଝା, ଦୀପମ୍‌ ସଚିବ ନୀରଜ କୁମାର ଗୁପ୍ତା ଏବଂ ଅର୍ଥନୈତିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗ। ଆଧିଆ ରାଜସ୍ବ ସଚିବ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱରେ ରହିବେ। ଅବଶ୍ୟ ଗତ ଅକ୍ଟୋବରରେ ଅଶୋକ ଲାଭାସାଙ୍କ କାର୍ଯ୍ୟକାଳ ପୂରିଯିବା ପରେ ଆଧିଆଙ୍କୁ ପଦୋନ୍ନତି ମିଳିବ ବୋଲି ଆଶା କରାଯାଉଥିଲା। ବିମୁଦ୍ରୀକରଣ ଏବଂ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ପ୍ରଭୃତି ସରକାରଙ୍କ ବିଭିନ୍ନ ସଂସ୍କାର ନୀତିକୁ କାର୍ଯ୍ୟକାରୀ କରାଇଥିବା ଆଧିଆ ହେଉଛନ୍ତି ପ୍ରଧାନମନ୍ତ୍ରୀଙ୍କ ଖାସ୍‌ ଲୋକ। ମୋଦି ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ସେ ଥିଲେ ତାଙ୍କର ପ୍ରମୁଖ ସଚିବ। ୨୦୦୧ ଗୁଜରାଟ ଭୂକମ୍ପ ଦୁର୍ଗତଙ୍କୁ ଥଇଥାନ କରାଇବା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା, ଯାହାର ସେ ସଫଳ ରୂପାୟନ କରିଛନ୍ତି। ତା’ଛଡ଼ା ମୋଦିଙ୍କ ଅମଳରେ ରାଜ୍ୟରେ ଭାଇବ୍ରାଣ୍ଟ ଗୁଜରାଟ ନିବେଶକ ସମ୍ମିଳନୀ ତାଙ୍କରି ଯୋଗୁ ସଫଳ ହୋଇଥିଲା। ଗତ ଆର୍ଥିକ ବର୍ଷ ଭଳି ୨୦୧୮ ଫେବୃୟାରୀ ପହିଲାରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଦ୍ୱାରା ନୂତନ ବର୍ଷର ବଜେଟ୍‌ ଉପସ୍ଥାପିତ ହୋଇପାରେ। ଯୋଗକୁ ଏହା ହେଉଛି ମୋଦି ସରକାରର ଶେଷ ଓ ପଞ୍ଚମ ପୂର୍ଣ୍ଣାଙ୍ଗ ବଜେଟ୍‌।

ଟି ବୋର୍ଡର ଅନିଶ୍ଚିତ ଭବିଷ୍ୟତ

ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଟି ବୋର୍ଡକୁ ଭାଙ୍ଗିଦେବେ ବୋଲି ଦିଲ୍ଲୀରେ ଜନରବ ଶୁଣିବାକୁ ମିଳୁଛି। କେନ୍ଦ୍ର ସରକାର ଉକ୍ତ ବୋର୍ଡକୁ ଭାଙ୍ଗି ଦୁଇ ବା ତିନୋଟି ସଂସ୍ଥାରେ ପରିଣତ କରିବା ସହ ଏଥିରେ କାର୍ଯ୍ୟରତ ବାବୁମାନଙ୍କୁ ଚା ବ୍ୟବସାୟର ରାଜଧାନୀ କଲିକତାରୁ ଅନ୍ୟତ୍ର ବଦଳି କରିବାକୁ ମସୁଧା କରୁଛନ୍ତି। ବୋର୍ଡର ପ୍ରଥମ ଅଣ-ଆଇଏଏସ୍‌ ଓ ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପ୍ରଭାତ କମଲ ବେଜ୍‌ବଡ଼ୁଆ, ଯେ କି ଏହାର ସମ୍ଭାବ୍ୟ ଶେଷ ମୁଖ୍ୟ, ସେ କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଉକ୍ତ ଚା ନିୟାମକ ବୋର୍ଡକୁ ସରକାର ଅନ୍ୟ କୃଷି ବୋର୍ଡ ସହ ମିଶାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପୁଣି ଜନରବ ଶୁଣିବାକୁ ମିଳୁଛି ଯେ, ସରକାର ହୁଏତ ଚା ବୋର୍ଡକୁ କଫି ବୋର୍ଡ ଓ ମସଲା ବୋର୍ଡ ସହ ମିଶାଇ ଏକାକାର କରିଦେଇପାରନ୍ତି। ୨୦୧୬-୧୭ରୁ ଆରମ୍ଭ କରି ତିନିବର୍ଷ ପାଇଁ ମଞ୍ଜୁର ଅର୍ଥକୁ ଅର୍ଥମନ୍ତ୍ରୀ ବ୍ୟାପକଭାବେ ହ୍ରାସ କରିଦେବା ଘଟଣା ସମ୍ଭାବ୍ୟ ପଦକ୍ଷେପର ଏକ ସୂଚକ ବୋଲି କୁହାଯାଇପାରେ। ଚା ବୋର୍ଡ ୮୦୦ କୋଟି ଟଙ୍କା ମାଗିଥିବା ବେଳେ ତାକୁ ମାତ୍ର ୫୪୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହାଦ୍ୱାରା ସ୍ପଷ୍ଟତଃ ଚା ବୋର୍ଡ ପରି ସ୍ବୟଂଶାସିତ ସଂସ୍ଥାର ଗୁରୁତ୍ୱ ହ୍ରାସ ପାଇଛି। ତେବେ ସରକାର ଆଗକୁ କ’ଣ କରୁଛନ୍ତି ଜାଣିବା ପାଇଁ ପାଠକେ ଏହି ସ୍ତମ୍ଭ ଉପରେ ନଜର ରଖିଥାନ୍ତୁ।

ଅବସରପ୍ରାପ୍ତ ବାବୁଙ୍କ ଉଦ୍‌ବେଗ

କେନ୍ଦ୍ର ସରକାରଙ୍କ ଏକକ ପରିଚୟ ପ୍ରକଳ୍ପ ‘ଆଧାର’ ବିପକ୍ଷରେ ବିଭିନ୍ନ ମହଲରେ ସ୍ବର ଉଠିବାର ଦେଖାଯାଉଛି। ବିଭିନ୍ନ ସେବା କ୍ଷେତ୍ରରେ ଆଧାର ସଂଯୋଗୀକରଣକୁ ବାଧ୍ୟତାମୂଳକ କରିବା ନେଇ ଏପର୍ଯ୍ୟନ୍ତ ସୁପ୍ରିମ୍‌କୋର୍ଟ ତାଙ୍କର ସର୍ବଶେଷ ରାୟ ଶୁଣାଇ ନାହାନ୍ତି। ଏ ଅବସ୍ଥାରେ ଛଅଜଣ ଅବସରପ୍ରାପ୍ତ ବରିଷ୍ଠ ବାବୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଆଧାର ସମ୍ପର୍କରେ ନିଜର ଉଦ୍‌ବେଗ ପ୍ରକାଶ କରିଛନ୍ତି। ବରିଷ୍ଠ ଅବସରପ୍ରାପ୍ତ ବାବୁମାନେ ପ୍ରଧାନମନ୍ତ୍ରୀଙ୍କୁ ନିଜର ମତାମତ ଜଣାଇବାରେ ଏହା ହେଉଛି ବୋଧହୁଏ ଦ୍ୱିତୀୟ ଥର। ଚଳିତବର୍ଷ ପ୍ରାରମ୍ଭରେ ୬୫ ଜଣ ଅବସରପ୍ରାପ୍ତ ବାବୁ ଏହାଦ୍ୱାରା ଏକଚ୍ଛତ୍ରବାଦ ବୃଦ୍ଧି ପାଉଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ। ଏଥର ପୁଣି ଅନୁରୂପ ଅଭିଯୋଗ ବାଢ଼ିଥିବା ବାବୁମାନେ ହେଉଛନ୍ତି: ପୂର୍ବତନ ଦିଲ୍ଲୀ ଅର୍ଥ ନିଗମ ଅଧ୍ୟକ୍ଷ ଏମ୍‌.କେ. ବେଜ୍‌ବଡ଼ୁଆ, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟ ଶାସନ ସଚିବ ଏସ୍‌.କେ. ଦାସ, ସୂଚନାପ୍ରଯୁକ୍ତି ବିଭାଗର ପୂର୍ବତନ ସଚିବ କେ.କେ. ଜସ୍‌ଓ୍ବାଲ, ଗୁଜରାଟର ପୂର୍ବତନ ଅତିରିକ୍ତ ମୁଖ୍ୟ ସଚିବ ସି.କେ. କୋଶୀ, ଜାତୀୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ (ଏନ୍‌ଆଇଆର୍‌ଡି)ର ପୂର୍ବତନ ମହାନିର୍ଦ୍ଦେଶକ ଲଳିତ ମାଥୁର ଏବଂ ଗୁଜରାଟର ପୂର୍ବତନ ଅତିରିକ୍ତ ମୁଖ୍ୟ ସଚିବ ଡ. ଭି.ଭି. ରାମସୁବ୍ବା ରାଓ। ସରକାରଙ୍କ ଏକକ ପରିଚୟ ପ୍ରକଳ୍ପରେ ସ୍ବଚ୍ଛତାର ଅଭାବ, ତଥ୍ୟ ଗୋପନୀୟତାର ଅଭାବ ଆଦି ନେଇ ବିଭିନ୍ନ ମହଲରୁ ଅଭିଯୋଗ ଉଠୁଥିବା ବେଳେ ଅବସରପ୍ରାପ୍ତ ବାବୁମାନଙ୍କ ଉକ୍ତ ଚିଠି ଆଧାର ସମ୍ପର୍କରେ ପୁନର୍ବିଚାର କରିବା ପାଇଁ ସରକାରଙ୍କ ଉପରେ କିଛିଟା ଚାପ ପକାଇବ ବୋଲି ଆଶା କରାଯାଏ।

Email: dilipcherian@gmail.com



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri