ଅନ୍ଧବିଶ୍ୱାସର ଅନ୍ଧଗଳି

ମନ-ମାନଚିତ୍ର/ ଡ. ନରହରି ବେହେରା

ନିଃଶ୍ୱାସଠାରୁ ବିଶ୍ୱାସ ବଡ଼। କାରଣ ନିଃଶ୍ୱାସ ଚାଲିଗଲେ ଆମେ ମରିଥାଉ। କିନ୍ତୁ ବିଶ୍ୱାସ ତୁଟିଗଲେ ଆମକୁ ବାରମ୍ବାର ମରଣଠାରୁ ଅଧିକ ଯନ୍ତ୍ରଣା ଭୋଗିବାକୁ ପଡ଼ିଥାଏ। କିନ୍ତୁ ଏ ବିଶ୍ୱାସ ଯେତେବେଳେ ଦିଗହରା ହୋଇଯାଏ, ବାସ୍ତବତାଠାରୁ ଦୂରେଇ ଯାଇ କେବଳ ଗଭୀର ପରମ୍ପରା ରଜ୍ଜୁରେ ଛନ୍ଦି ହୋଇଯାଏ, ବିଚାରବିମର୍ଶ ବିନା ଅନ୍ଧଭାବରେ ଆମେ ଗ୍ରହଣ କରିନେଉ, ତାକୁ କୁହାଯାଏ ଅନ୍ଧବିଶ୍ୱାସ। ଏହି ଅନ୍ଧବିଶ୍ୱାସ ବ୍ୟକ୍ତି ଓ ସମାଜର କ୍ଷତି ହିଁ କରିଥାଏ। ଆଶ୍ଚର୍ଯ୍ୟର ବିଷୟ ସଭ୍ୟ ମଣିଷ ଆଜି ଗ୍ରହ ଗ୍ରହାନ୍ତରକୁ ବିଜୟ ଯାତ୍ରା ଅବ୍ୟାହତ ରଖିଥିବାବେଳେ ଆମ ସମାଜ ଅନ୍ଧବିଶ୍ୱାସର ଅନ୍ଧଗଳିରେ ଅହରହ ଛଟପଟ ହେଉଛି। ବିଜ୍ଞାନର ବାର୍ତ୍ତା, ସଚେତନାର ପ୍ରୟାସ, ଶିକ୍ଷାର ପ୍ରସାର ପ୍ରଭୃତି ଏ ଅନ୍ଧବିଶ୍ୱାସ ନିକଟରେ ସତେଯେମିତି ପରାହତ ହୋଇଛି। ମଣିଷ ଯେତେ ଶିକ୍ଷିତ ହେଲେ ବି ସହଜରେ ଅନ୍ଧବିଶ୍ୱାସଠାରୁ ନିଜକୁ ମୁକୁଳାଇ ପାରୁନି। ସାତଟି କଞ୍ଚାଲଙ୍କା ସହ ଲେମ୍ବୁକୁ ଦ୍ୱାରବନ୍ଧରେ ଟାଙ୍ଗିଦେଲେ ଲକ୍ଷ୍ମୀ ଖୁସି ହୋଇ ଧନ ପ୍ରଦାନ କରିଥାନ୍ତି। ବାଟରେ କଳା ବିରାଡ଼ି ଦେଖିଲେ ଅଶୁଭ ହୁଏ। ସକାଳୁ କାହା ମୁହଁ ଦେଖିଲେ ଶୁଭ କିମ୍ବା ଅଶୁଭ ହୋଇଥାଏ। ଆଇନା ଭାଙ୍ଗିଗଲେ ଅଶୁଭ ବେଳ ଆସିଯାଏ। ପେଚା ରାବିଲେ କାହାରି ନା କାହାରି ମୃତ୍ୟୁ ହୁଏ। ମଥାରେ କଳା ଟିପା ଲଗାଇଲେ ଅନ୍ୟର ଦୁଷ୍ଟ ନଜର କାଟୁ କରେ ନାହିଁ। ଏହିପରି ଅସଂଖ୍ୟ ଅନ୍ଧବିଶ୍ୱାସ ଘେରି ରହିଛି ଆମ ଚାରିପାଖରେ। ଆଇନାଟିଏ କାଚରେ ତିଆରି ପଡ଼ିଲେ ଭାଙ୍ଗିଯିବ, ପେଚା ପକ୍ଷୀଟିଏ କେଉଁଠି ନା କେଉଁଠି ରାବିବ, କଳା ବିରାଡ଼ିଟି କେଉଁଠି ନା କେଉଁଠି ବୁଲିବ- ଏ ସବୁ ସାଧାରଣ ଘଟଣା। ଏମାନଙ୍କର କାହା ସୌଭାଗ୍ୟ ବା ଦୁର୍ଭାଗ୍ୟ ସହ କିଛି ସମ୍ପର୍କ ନାହିଁ। ଏ କଥାକୁ ଅନେକେ ବିଚାର କରନ୍ତି ନାହିଁ। ବିଶ୍ୱକର୍ମା ପୂଜାଦିନ ଗାଡ଼ିରେ ଲେମ୍ବୁ ଓ ଲଙ୍କାର ମାଳ ଟାଙ୍ଗିବା ପାଇଁ ଶିକ୍ଷିତ ଲୋକମାନେ ଯେମିତି ଭିଡ଼ ଜମାଇଥାନ୍ତି ସେଥିରୁ ଏ ବିଶ୍ୱାସ ପ୍ରତି ସେମାନଙ୍କର କେତେ ଆସ୍ଥା ତାହା ଜଣାପଡ଼ିଥାଏ। ସମାଜରେ ପ୍ରଚଳିତ ଅନ୍ଧବିଶ୍ୱାସର ଯୂପକାଠରେ ପୁରୁଷମାନଙ୍କ ଅପେକ୍ଷା ବେଶି ବଳିପଡ଼ନ୍ତି ନାରୀ। ଆମେ ଏମିତି ପରମ୍ପରା ସୃଷ୍ଟି କରିଛୁ ଯେ, ସବୁକଥାର ଉତ୍ତରଦାୟୀ ହେଉଛନ୍ତି ମହିଳା। ନାରୀଙ୍କୁ ନେଇ ଆମ ସାହିତ୍ୟରେ ଅନେକ କାହାଣୀ, ଉପାଖ୍ୟାନ ରହିଛି। ପ୍ରତି କ୍ଷେତ୍ରରେ ଏପରି ଶୃଙ୍ଖଳ ନିର୍ମାଣ କରାଯାଇଛି ଯେ ସେସବୁକୁ ଡେଇଁ ଚାଲିଯିବା ଜଣେ ନାରୀ ପକ୍ଷରେ ସହଜ ନୁହେଁ। ଏହା ପଛରେ ଯେଉଁ କାରଣ ଥାଉନା କାହିଁକି, ପୁରୁଷର ଅହଂକାର ଏବଂ ନାରୀର ଦୁର୍ବଳ ମନସ୍ତତ୍ତ୍ୱ ହିଁ ଏଥିପାଇଁ ଦାୟୀ। ପରିବାରର ମୁଖ୍ୟ ଅଙ୍ଗ ହେଉଛନ୍ତି ନାରୀ। ତାଙ୍କର ମାନସିକତା, ତ୍ୟାଗ, ପରିବାର ପ୍ରତି ଅନୁରକ୍ତି ହିଁ ଗୋଟିଏ ପରିବାରର ସୁଖଶାନ୍ତିର ମୂଳଦୁଆ ପକାଇଥାଏ। ତେଣୁ କୁହାଯାଏ, ‘ଗୃହିଣୀ ଗୃହମୁଚ୍ୟତେ।’ ପରିବାରର କାହାରି ଦେହ ଖରାପ ହେଲେ କିମ୍ବା ଘରର ଆର୍ଥିକ ଅବସ୍ଥା ବିଗିଡ଼ିଗଲେ ପ୍ରଥମେ ଯଦି କିଏ ବେଶି ବ୍ୟସ୍ତ ହୋଇଯାଆନ୍ତି ସେ ହେଉଛନ୍ତି ନାରୀ। ସେ ସମସ୍ୟାର ଆଶୁ ସମାଧାନ ବା ଟିକିଏ ଆଶ୍ୱାସନା ପାଇଁ ବ୍ୟସ୍ତ ହୋଇ ଦୌଡ଼ିଯାଆନ୍ତି କୋଉ ବଇଦ, ଗୁଣିଆ କିମ୍ବା କେଉଁ ମନ୍ଦିରକୁ। ସେହି ଦୁର୍ବଳ ମୁହୂର୍ତ୍ତରେ ଯିଏ ଯାହା ପରାମର୍ଶ ଦିଏ ସେ ତାକୁ ସହଜରେ ଗ୍ରହଣ କରିନିଅନ୍ତି। ଅମୁକ ଦେବତାଙ୍କୁ ଶାନ୍ତ କରିବା ପାଇଁ ଅମୁକ ବିଧିବିଧାନ କରିବା ଉଚିତ, ଅମୁକ ଗୁଣିଆ ବା ଅମୁକ ବାବାଙ୍କର ପରାମର୍ଶ ନେବା ଉଚିତ କିମ୍ବା ଘରର ଅମୁକ କୋଣରେ ଅମୁକ ପ୍ରତିକାର କଲେ ଦଶା କଟିଯିବ ଇତ୍ୟାଦି କଥାକୁ ସେ ଆଗ୍ରହରେ ଗ୍ରହଣ କରିନିଅନ୍ତି। ପରମ୍ପରାକ୍ରମେ ଏହି ପ୍ରଥା ଶାଶୁଠାରୁ ବୋହୂ ପାଖକୁ ଏବଂ ମା’ଠାରୁ ଝିଅ ପାଖକୁ ଗଡ଼ି ଆସି ଏମିତି ଅସ୍ଥିମଜ୍ଜାଗତ ହୋଇଯାଏ ଯେ ସେସବୁକୁ ସହଜରେ ନାରୀମାନେ ଛାଡ଼ିପାରନ୍ତି ନାହିଁ। ଆମ ସମାଜ ନାରୀମାନଙ୍କର ସହନଶୀଳତା ଏବଂ ଦୁର୍ବଳ ମାନସିକତାକୁ ଆଧାର କରି ଅନେକ ଅନ୍ଧବିଶ୍ୱାସର ନିର୍ଯାତନା ଲଦି ଦେଇଛି। ନବବଧୂଟିଏ ଘରେ ପାଦ ଦେବାପରେ କିଛି ଅଘଟଣ ଘଟିଲେ ବୋହୂଟି ହୋଇଯାଏ ଅଲକ୍ଷଣୀ। ସବୁ ଯନ୍ତ୍ରଣା ତା’ ଉପରେ ଅଜାଡ଼ି ଦିଆଯାଏ। ସ୍ବାମୀ ମଦୁଆ ହେଲେ ବୋହୂର ଦୋଷ, ପୁଅଝିଅ ଅବାଟରେ ଗଲେ ମା’ର ଦୋଷ। ସତେଯେମିତି ଦୋଷର ପାହାଡ଼ ଉପରେ ବସିଛି ନାରୀ। ଯଦି ପିଲାଟିଏ କୋଳମଣ୍ଡନ ନ କଲା କିମ୍ବା ପୁତ୍ର ସନ୍ତାନଟିଏ ନ ହୋଇ କେବଳ ଝିଅ ଜନ୍ମ ହେଲା, ତା’ହେଲେ ସବୁ ଦୋଷ ଚାଲିଯାଏ ବୋହୂ ମୁଣ୍ଡକୁ। ସ୍ବାମୀର କିଛି ଦୋଷ ଧରାଯାଏ ନାହିଁ। ନାରୀଙ୍କୁ ନିର୍ଯାତନା ଦେବା ପାଇଁ ବାଟଟିଏ ଖୋଜି ପଣ୍ଡିତେ କହି ଯାଇଛନ୍ତି- ‘ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟା।’ ଏହାକୁ ଆୟୁଧ କରି ପୁତ୍ରପ୍ରାପ୍ତି ପାଇଁ କେହି କେହି ପ୍ରଥମ ପନତ୍ୀଙ୍କୁ ନିର୍ଯାତନା ଦେବା ସହିତ ଦ୍ୱିତୀୟ ବିବାହ କରୁଛନ୍ତି। ନାରୀମାନଙ୍କୁ ଶୃଙ୍ଖଳାବଦ୍ଧ କରିବା ପାଇଁ ଆମ ପଣ୍ଡିତମାନେ ମଧ୍ୟ କିଛି କମ୍‌ ବ୍ୟବସ୍ଥା କରିନାହାନ୍ତି। ସଂସ୍କୃତ ଶ୍ଳୋକମାନ ପ୍ରକ୍ଷିପ୍ତ କରି ଜନମାନସକୁ ବିଭ୍ରାନ୍ତ କରି ରଖିଛନ୍ତି। ବେହେଡ଼ା ଦାନ୍ତୀ କିମ୍ବା ପିଙ୍ଗଳବର୍ଣ୍ଣର ଆଖି ଥିବା ନାରୀ ରାଜକନ୍ୟା ହେଲେ ମଧ୍ୟ ବିବାହଯୋଗ୍ୟା ନୁହନ୍ତି ବୋଲି ଦର୍ଶାଇ ପଣ୍ଡିତ କହିଲେ- ‘ନଷ୍ଟା କୁଦନ୍ତୀ ଯଦି ପିଙ୍ଗଳାକ୍ଷୀ ନ ସା ବିବାହ୍ୟା ଯଦି ରାଜକନ୍ୟା।’ ଦେହର ଆକୃତି ସହିତ ଜୀବନର ସୁଖଦୁଃଖର କି ସମ୍ପର୍କ ଅଛି ତାହା ବୁଝିବା କଷ୍ଟ। କିନ୍ତୁ ଆମ ସମାଜ ସେହି ତତ୍ତ୍ୱକୁ ଗଣ୍ଠିଧନ କରି ଧରି ରଖିଛି। ଏବେ ଦେଖାଯାଉଛି, ଏହି ଶାରୀରିକ ଆକୃତିର ନାରୀମାନେ ବହୁ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରି ସୁଖରେ ଅଛନ୍ତି। ନିଜକୁ ସୁନ୍ଦରୀ ବୋଲି ପ୍ରତିପାଦିତ କରିବା ପାଇଁ ଆଧୁନିକ ମହିଳାମାନେ ଆଖିରେ ଲେନ୍‌ସ ଲଗାଇ ଆଖିକୁ ପିଙ୍ଗଳବର୍ଣ୍ଣ କରୁଛନ୍ତି। ଏଥିରେ କିଛି ଅଘଟଣ ଘଟିଛି କି? ସତୀ ଏବଂ ଡାହାଣୀ- ଏହି ଦୁଇଟି ଶବ୍ଦରେ ନାରୀମାନଙ୍କୁ ବହୁ ପ୍ରାଚୀନ କାଳରୁ ବାନ୍ଧି ଦିଆଯାଇଛି। ସତୀତ୍ୱ ନାଁରେ ସେମାନଙ୍କୁ ଅନେକ ନିର୍ଯାତନା ମଧ୍ୟ ଦିଆଯାଇଛି। କିନ୍ତୁ ପୁରୁଷମାନଙ୍କୁ ସାତଖୁଣ୍‌ ମାଫ୍‌। ରାମାୟଣରେ ମା’ ସୀତାଙ୍କୁ ଏଥିପାଇଁ ଅଗ୍ନିପରୀକ୍ଷା ଦେବାକୁ ପଡ଼ିଛି। ମହାଭାରତରେ ଦ୍ରୌପଦୀଙ୍କ ମନଗହନକୁ ପରୀକ୍ଷା କରିବା ପାଇଁ ତାଙ୍କୁ ସତ ଆମ୍ବର ପରୀକ୍ଷା ଦେବାକୁ ପଡ଼ିଛି, ମାତ୍ର ଅର୍ଜୁନଙ୍କୁ କିମ୍ବା ଭୀମଙ୍କୁ ବହୁପନତ୍ୀ ସମ୍ପର୍କରେ ପ୍ରଶ୍ନ କରାଯାଇ ନାହିଁ କି ତାଙ୍କ ପ୍ରେମର ଗଭୀରତାକୁ ପରୀକ୍ଷା କରାଯାଇ ନାହିଁ। ଜମଦଗ୍ନିଙ୍କ ପନତ୍ୀ ରେଣୁକା ଗନ୍ଧର୍ବଙ୍କୁ ଚାହିଁଦେବାରୁ ତାଙ୍କୁ ହତ୍ୟା କରାଯାଇଛି। ଏହି ‘ସତୀ’ ଶବ୍ଦଟି ଏତେ ଶକ୍ତିଶାଳୀ ଥିଲା ଯେ ମଧ୍ୟଯୁଗୀୟ ଭାରତରେ ତା’ର କଳାବାଦଲ ଘେରି ରହିଥିଲା। ପରବର୍ତ୍ତୀ ସମୟରେ ଏହା ବନ୍ଦ କରାଯାଇଥିଲେ ମଧ୍ୟ ଏବେ ବି ତା’ର ଗନ୍ଧ କୋଉଠି ନା କୋଉଠି ବାରି ହୋଇପଡ଼ୁଛି। ରାଜସ୍ଥାନରେ ୧୯୮୭ ମସିହାରେ ରୂପ କନୱାରଙ୍କୁ ସତୀପ୍ରଥାର ଅନୁସରଣରେ ଦଗ୍ଧ କରାଯିବା ଘଟଣା ତା’ର ଏକ ଉଦାହରଣ। ୧୮ବର୍ଷୀୟା ଏହି କିଶୋରୀ ମାତ୍ର ସାତ ମାସ ପୂର୍ବରୁ ବିବାହ କରିଥିବା ସ୍ବାମୀଙ୍କର ଅକାଳ ବିୟୋଗ ହେବାରୁ ନିଷ୍ଠୁର ଭାବେ ତାଙ୍କୁ ସ୍ବାମୀଙ୍କ ଚିତାଗ୍ନିରେ ଜଳାଇ ଦିଆଯାଇଥିଲା। ସତୀ ପ୍ରଥା ପରି ଏବେ ‘ଡାହାଣୀ’ର କୁସଂସ୍କାର ଆମ ସମାଜକୁ କବଳିତ କରିଛି। ଡାହାଣୀ ସନ୍ଦେହରେ ଉଲଗ୍ନ କରି ରାସ୍ତାରେ ନିର୍ଯାତନା ଦେବା, ଗଛରେ ବାନ୍ଧି ପିଟିବା, ଜବରଦସ୍ତ ବିଷ୍ଠା ଖୁଆଇବା, ଲଣ୍ଡା କରି ଚୂନକଳା ବୋଳିବା ପରି ଅତ୍ୟନ୍ତ ଅମାନୁଷିକ କାର୍ଯ୍ୟ କରିବାରେ ଆମ ବିବେକ ଟିକିଏ ବି ବାଧା ଦେଉନାହିଁ। ଅତ୍ୟନ୍ତ ଦୁଃଖର ବିଷୟ ଏପରି ନିର୍ଯାତନା ଦେଉଥିବା ଲୋକଙ୍କ ଭିତରେ ଅନେକ ମହିଳା ସାମିଲ ହୋଇଥାନ୍ତି। ଜଣେ ମହିଳା ଆଉ ଜଣେ ମହିଳାଙ୍କର ଦୁଃଖ ଓ ଯନ୍ତ୍ରଣାକୁ ଉପଲବ୍ଧି ନ କରିପାରିବା କେବଳ ଦୁଃଖର ବିଷୟ ନୁହେଁ, ନାରୀ ସମାଜର ଅଧୋଗତିର ମଧ୍ୟ ଏକ କାରଣ। ପ୍ରଥମେ ନାରୀ ହିଁ ସଚେତନ ହେବା ଆବଶ୍ୟକ। ନାରୀ ଗୋଟିଏ ଶକ୍ତି, ଗୋଟିଏ ପରିବାରର ପ୍ରାଣକେନ୍ଦ୍ର ଓ ସମାଜର ଆଦ୍ୟଭୂମି। ସେ ଯେପର୍ଯ୍ୟନ୍ତ ଏପରି ଅନ୍ଧବିଶ୍ୱାସରେ ନିର୍ଯାତିତା ହେଉଥିବେ ସେପର୍ଯ୍ୟନ୍ତ ଆମେ ସ୍ବାଧୀନ ସଭ୍ୟ ମଣିଷ ବୋଲି ନିଜକୁ ବିଚାର କରିବା ଏକ ଆମତ୍ପ୍ରବଞ୍ଚନା ମାତ୍ର।

ବାସୁଦେବବାସ୍ୟମ୍‌, ଜଗନ୍ନାଥବିହାର, ବାଇପାସ୍‌, ଭଦ୍ରକ, ମୋ: ୯୪୩୮୪୬୫୪୭୮



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri