କଲମର ଇତିବୃତ୍ତ

ଶିବରାମ ଶତପଥୀ

କୁହାଯାଏ କଲମ ଖଣ୍ଡାଠାରୁ ଶକ୍ତିଶାଳୀ। ଥରେ ପ୍ରୟୋଗ କଲେ ଖଣ୍ଡା ଜଣକୁ କ୍ଷତାକ୍ତ କରେ କିନ୍ତୁ କଲମ ଏକାସାଙ୍ଗରେ ଲକ୍ଷ ଲକ୍ଷ ଲୋକଙ୍କୁ ଉତ୍‌ପ୍ରେରିତ କରିବାର ଅନେକ ଉଦାହରଣ ଅଛି। କଲମ ଦ୍ୱାରା ଲିଖିତ ଏକ ପତ୍ର ପ୍ରାପକ କ୍ଷତରେ ମଲମ ବୋଳିବା ସଙ୍ଗେ ସଙ୍ଗେ ଲେଖକର ଆତ୍ମପ୍ରସାଦ ଓ ଆତ୍ମବିଶ୍ୱାସ ବୃଦ୍ଧି କରେ। ସହସ୍ର ବର୍ଷ ପୂର୍ବେ ମସୀ ଯେପରି ଶକ୍ତିଶାଳୀ ଥିଲା ଆଜି ବି ସେପରି। କଲମ ବିବିଧ ସଂଗଠନମୂଳକ କାର୍ଯ୍ୟ ସହିତ ସାଂସ୍କୃତିକ ପରିବର୍ତ୍ତନ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରେ। ବୈଦିକ ଯୁଗରେ ଅବଶ୍ୟ କଲମ ନ ଥିଲା। ଗୁରୁଠାରୁ ଶିଷ୍ୟ ଶୁଣିଶୁଣି ମନେ ରଖୁଥିବାରୁ ବେଦର ଅନ୍ୟ ନାମ ଶ୍ରୁତି। ଉପନିଷଦ୍‌ର ଅର୍ଥ ପାଖରେ ବସିବା। ଗୁରୁ ପାଖରେ ବସି ଶିଷ୍ୟ ଗୂଢ ମନ୍ତ୍ରଗୁଡିକର ରହସ୍ୟ ଓ ପ୍ରୟୋଗ ବିଧି ଆଦି ଶିକ୍ଷା କରୁଥିବାରୁ ତାହା ହେଲା ଉପନିଷଦ୍‌। ପୁରାଣ ଯୁଗ ବେଳକୁ ତାଳପତ୍ରରେ ଲିପିବଦ୍ଧ କରି ଅନେକ ବର୍ଷ ସଂରକ୍ଷଣ କରିବାକୁ ଲୌହ ଲେଖନୀର ଉଦ୍ଭାବନ ହେଲା। କ୍ରମଶଃ ପେପିରସ୍‌ରୁ କାଗଜ ତିଆରି ହେବା ପରେ ସ୍ୟାହିରେ ବୁଡାଇ ଲେଖାଯାଉଥିବା କାଠି କଲମ ଓ ପରକଲମ ସୃଷ୍ଟି ହେଲା। ୧୮୮୪ରେ ଲୁଇସ୍‌ ଓ୍ବାଟରମ୍ୟାନ୍‌ ନାମକ ଜଣେ ଆମେରିକୀୟ ଝରକଲମର ଉଦ୍ଭାବକ ବୋଲି ପ୍ରସିଦ୍ଧି ଲାଭ କରିଛନ୍ତି। ତଥାପି ଏହାର ୫୭ବର୍ଷ ପୂର୍ବରୁ ଅର୍ଥାତ୍‌ ୧୮୨୭ରେ ପେତ୍ରାଚେ ପୋନାରୁ ନାମକ ଜଣେ ରୋମାନିଆନ୍‌ ଗଣିତଜ୍ଞ ବିଶ୍ୱର ପ୍ରଥମ ଝରକଲମ ଉଦ୍ଭାବନ କରିଥିଲେ। ଫାଉଣ୍ଟେନ ପେନ୍‌ର ଉଦ୍ଭାବନ ପରେ ପରକଲମ ଓ କାଠିକଲମ ଲୋପ ପାଇଗଲା। ୧୯୬୦ରେ ବଲ୍‌ ପଏଣ୍ଟ ପେନ୍‌ ବା ଡଟ୍‌ପେନ୍‌ର ବହୁଳ ବ୍ୟବହାର ଆରମ୍ଭ ହେଲା, ଯଦିଚ ୧୯୩୮ରେ ଲାଜ୍‌ଲୋ ଯୋସେଫ ବିରୋ ନାମକ ଜଣେ ହଙ୍ଗେରୀୟଙ୍କ ଦ୍ୱାରା ଡଟ୍‌ପେନ୍‌ ଉଦ୍ଭାବନ ହୋଇଥିଲା। ଜାପାନର ଓସାକା ସହରସ୍ଥିତ ସାକୁରା କଲର ପ୍ରଡକ୍ଟ କମ୍ପାନୀ ଏପରି ଏକ ସ୍ୟାହିର ପରିକଳ୍ପନା କଲା, ଯାହା ପୃଥିବୀରେ ପ୍ରଚଳିତ ହୋଇ ନ ଥିଲା। ପରିଣାମତଃ ୧୯୯୭ରେ ବିଶ୍ୱର ପ୍ରଥମ ଜେଲ୍‌ ପେନ୍‌ର ଉଦ୍ଭାବନ ହେଲା। ବର୍ତ୍ତମାନ ଯାହା ଦେଖିବାକୁ ମିଳୁଛି ପରକଲମ ପରି ଝରକଲମ ମଧ୍ୟ ଆଉ କିଛିବର୍ଷ ପରେ କେବଳ ମ୍ୟୁଜିୟମରେ ଦେଖିବାକୁ ମିଳିବ। କଲମର ବିକଳ୍ପ ଭାବେ ଯେଉଁ ପେନ୍‌ସିଲ୍‌ ବ୍ୟବହୃତ ହୁଏ ତା’ର ଉଦ୍ଭାବନର କାହାଣୀ ମଧ୍ୟ କମ୍‌ ରୋମାଞ୍ଚକର ନୁହେଁ। ଯଦିଚ ଲେଡ୍‌ ପେନ୍‌ସିଲ୍‌ କୁହାଯାଏ ତଥାପି ବ୍ୟବହୃତ ପେନ୍‌ସିଲରେ ସୀସା ଧାତୁର ବ୍ୟବହାର ମୋଟେ ନାହିଁ। ଗ୍ରାଫାଇଟ୍‌ ଓ ଚିକିଟା ମାଟିର ମିଶ୍ରଣରେ ପେନ୍‌ସିଲ୍‌ର ସୀସା ନିର୍ମିତ ହୁଏ। ଖ୍ରୀ:ଅ ୧୫୬୪ରେ ଇଂଲଣ୍ଡର କ୍ୟୁବ୍ରିଆଠାରେ ଗ୍ରାଫାଇଟ୍‌ ଖଣିର ସନ୍ଧାନ ପ୍ରଥମେ ମିଳିଥିଲା। କର୍ନଡ ଗେସ୍‌ନେର ନାମକ ଜଣେ ବ୍ୟକ୍ତି ଏ ଗ୍ରାଫାଇଟ୍‌କୁ କାଟି ପ୍ରଥମେ ଲେଖିବାରେ ବ୍ୟବହାର କରିଥିଲେ। ଆଜିକାଲି ଆମେ ଯେଉଁ ପେନ୍‌ସିଲ୍‌ ବ୍ୟବହାର କରୁଛେ ତାକୁ ୧୭୯୫ରେ ନିକୋଲାସ୍‌ ଯାକ୍ୱେସ କାନ୍ତେ ନାମକ ନେପୋଲିଅନଙ୍କ ସୈନ୍ୟବାହିନୀର ଜଣେ ବୈଜ୍ଞାନିକ ଉଦ୍ଭାବନ କରିଥିଲେ। ପିଲାଏ ପାଠପଢା ଆରମ୍ଭ କଲାବେଳେ ପ୍ରଥମ ଦୁଇ ତିନି ବର୍ଷ ତ କେବଳ ପେନ୍‌ସିଲ୍‌ରେ ଲେଖିବାକୁ ଦିଆଯାଏ। ଡଟ୍‌ପେନ୍‌ ବର୍ତ୍ତମାନ ୟୁଜ ଆଣ୍ଡ ଥ୍ରୋ ପେନ୍‌ ଭାବେ ଉପଲବ୍ଧ। ରିଫିଲର ଦାମ୍‌ ଚାରି ଟଙ୍କା ହେଲାବେଳକୁ ନୂଆପେନ୍‌ର ଦାମ୍‌ କେବଳ ପାଞ୍ଚଟଙ୍କା। ଦୋକାନୀ କହୁଛି, ଆଜ୍ଞା ଆମେ ଆଉ ରିଫିଲ ରଖୁନୁ। ଦୀର୍ଘଦିନ ଧରି ରିଫିଲ ପଡିରହିଲେ ସେଗୁଡିକ ଶୁଖିଯାଉଛି। ଝରକଲମର କଥା କିନ୍ତୁ ସେପରି ନ ଥିଲା। ପଞ୍ଚମରୁ ଦଶମ ଶ୍ରେଣୀ ଯାଏ ମୋ ପାଖରେ କେବଳ ଗୋଟିଏ ଝରକଲମ ଥିଲା। ଝରକଲମର ଦାମ୍‌ ମଧ୍ୟ ଅପେକ୍ଷାକୃତ ବେଶି ଥିଲା। କେବଳ ବର୍ଷରେ ଥରେ ପାଳି (ନିବ୍‌) ବଦଳାଇବାକୁ ପଡୁଥିଲା। ପାଳିଟିରେ ଇରିଡିଅମ୍‌ ଟିପ୍‌ ଥିଲା। ଅବଶ୍ୟ ପ୍ରାୟ ମାସରେ ଥରେ ନିବ୍‌ ଟଙ୍ଗ୍‌ ଖୋଲି ଝରକଲମଟିକୁ ଉଷୁମ ପାଣିରେ ସଫା କରୁଥିଲି। ସ୍ମୃତି ଶାସ୍ତ୍ର (ବିଶେଷତଃ ମନୁସ୍ମୃତି) ଓ ଅଷ୍ଟାଦଶ ପୁରାଣ ଆର୍ଯ୍ୟାବର୍ତ୍ତରେ ଏକ ସୁସମାହିତ ସମାଜ ପ୍ରତିଷ୍ଠା କରିବାରେ ପ୍ରଧାନ ସାଧନ ହୋଇଥିଲା। ମନୀଷୀମାନଙ୍କ ସମୃଦ୍ଧ ଚିନ୍ତାଧାରା ସେମାନଙ୍କ ରଚନାବଳୀରେ ସମ୍ୟକ୍‌ ପ୍ରତିଫଳିତ ହୋଇଥାଏ। ତାହା କ୍ଷମତାଲିପ୍ସୁ, ସ୍ବେଚ୍ଛାଚାରୀ ସମ୍ରାଟ୍‌ଙ୍କୁ ନିୟନ୍ତ୍ରଣାଧୀନ କରିବାରେ ସହାୟକ ହୋଇଥାଏ। ୟୁରୋପରେ ଭୋଲ୍‌ଟାୟର, ମଣ୍ଟେସ୍କୁ ଓ ରୁଷୋଙ୍କ ରଚନାମାନ କିପରି ବିପ୍ଳବ ସୃଷ୍ଟି କରିଥିଲା ତାହା ବର୍ଣ୍ଣନା କରିବା ନିଷ୍ପ୍ରୟୋଜନ। ଡଟ୍‌ପେନ୍‌ ଓ ଜେଲ୍‌ ପେନ୍‌ର ଉଦ୍ଭାବନ ପରେ ଲୋକେ ଝରକଲମକୁ ଭୁଲିଗଲେ। ଏବେ କମ୍ପ୍ୟୁଟରର ଉଦ୍ଭାବନ ପରେ ଲୋକେ କାଗଜକଲମର ବ୍ୟବହାର ନିରର୍ଥକ ମନେ କରୁଛନ୍ତି। କମ୍ପ୍ୟୁଟର ଟିପା ଖାତା ପରି ବ୍ୟବହାର କରାଯାଉଥିବା ସ୍ଥଳେ ଚିଠିପତ୍ରର ଆଦାନ ପ୍ରଦାନ ଇଣ୍ଟରନେଟ୍‌ ଦ୍ୱାରା ହୋଇପାରୁଛି। କଲମର ବ୍ୟବହାର କେବଳ ଦସ୍ତଖତରେ ସୀମିତ ରହୁଛି। ”କେତେବେଳେ ପିଏ କଳାପାଣି ମୁହିଁ କେତେବେଳେ ପିଏ ନାଲି, ପାଣି ଶୁଖିଗଲେ ମୁହଁ ଶୁଖିଯାଏ ଆଉ ନ ପାରଇ ଚାଲି।“ ଝରକଲମ ପାଇଁ ଏହା କୁହାଯାଇଥିବା ସ୍ଥଳେ ଏହା ମଦ୍ୟପଙ୍କ ପ୍ରତି ଅଭିପ୍ରେତ ବୋଲି କିଛି ବଗୁଲିଆ ଟୋକା ଏହା ଉପରେ ମନ୍ତବ୍ୟ ଦେଲେ। ଶିଳାଲିପି, ତାମ୍ରଫଳକରୁ ତାଳପତ୍ର ପୋଥି ଦେଇ କଲମର ଉଦ୍ଭାବନ ବାସ୍ତବିକ ଖୁବ୍‌ ରୋମାଞ୍ଚକର। ଜ୍ଞାନ ଆହରଣରେ ମନୁଷ୍ୟର ଆଗ୍ରହ ଓ ଅଧ୍ୟବସାୟର ଦ୍ୟୋତକ ହେଉଛି କଲମ, ଏଥିରେ ଦ୍ୱିରୁକ୍ତି ନାହିଁ।

ମୋ- ୦୭୯୭୮୭୮୬୮୧୬



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri