ଏଇ ଭାରତରେ

ଶିକ୍ଷାଦୀକ୍ଷାରେ ଭାରତୀୟମାନେ ଯେତେ ଉପରକୁ ଉଠିଲେ ମଧ୍ୟ, ଯେତେ ଆଧୁନିକ ହେଲେ ବି ଭାଗ୍ୟବାଦୀ ଚିନ୍ତାଧାରାରୁ ଊର୍ଦ୍ଧ୍ୱକୁ ଉଠିପାରୁ ନାହାନ୍ତି। ଚାକିରି କ୍ଷେତ୍ରରେ ହେଉ କି ପାରିବାରିକ, ସ୍ବାମୀ-ସ୍ତ୍ରୀ ମନୋମାଳିନ୍ୟ ଆଦି ସମସ୍ୟା ଦେଖାଦେଲେ ଭାଗ୍ୟକୁ ଦୋଷ ଦେଇଥାଆନ୍ତି। ଭାଗ୍ୟଦୋଷ କାଟିବା ସକାଶେ କେତେକେ ଗ୍ରହଶାନ୍ତି କରିବାକୁ ମଧ୍ୟ ପଶ୍ଚାତ୍‌ପଦ ହୁଅନ୍ତି ନାହିଁ। କେବଳ ସାଧାରଣ ଲୋକଙ୍କଠାରେ ନୁହେଁ, ଗ୍ରହନକ୍ଷତ୍ର ଚଳନ ନେଇ ବଦ୍ଧମୂଳଧାରଣା ଉଚ୍ଚବର୍ଗରେ ମଧ୍ୟ ଦେଖିବାକୁ ମିଳୁଛି। ଏ କ୍ଷେତ୍ରରେ ଭଣ୍ଡ ତାନ୍ତ୍ରିକମାନେ ଫାଇଦା ଉଠାଉଛନ୍ତି। ନିକଟରେ ଭୋପାଳର ଏକ ଜାତୀୟକୃତ ବ୍ୟାଙ୍କର ଜଣେ ମହିଳା ଅଧିକାରୀ ଶନିଗ୍ରହ ପ୍ରକୋପରୁ ରକ୍ଷା ପାଇବା ପାଇଁ ତାନ୍ତ୍ରିକ ଉପରେ ବିଶ୍ୱାସ କରି ବିପୁଳ ଅର୍ଥ ଓ ଅଳଙ୍କାର ଠକେଇର ଶିକାର ହୋଇଥିବା ଖବର ସାମ୍ନାକୁ ଆସିଛି। ମହିଳା ଅଧିକାରିଣୀ ଜଣକ ରୁହନ୍ତି ଭୋପାଳର ଏକ ସମ୍ଭ୍ରାନ୍ତ କଲୋନୀରେ। ପ୍ରାଚୁର୍ଯ୍ୟ ସତ୍ତ୍ୱେ ପାରିବାରିକ ଶାନ୍ତି ନ ଥିଲା। ଦିନେ ଜଣେ ବ୍ୟକ୍ତି ତାଙ୍କୁ କହିଲେ ଶନି ପ୍ରକୋପରୁ ଏଭଳି ଘଟୁଛି। ସେ ତାଙ୍କୁ ଘରେ ଏକ ଗ୍ରହପୂଜାର ପରାମର୍ଶ ଦେଲେ। ଏଥିରେ ରାଜି ହୋଇଗଲେ ମହିଳା ଅଧିକାରୀ ଜଣକ। ଉକ୍ତ ତାନ୍ତ୍ରିକଙ୍କୁ ଡକାଇ ଘରେ ପୂଜାର ଆୟୋଜନ ହେଲା। କିନ୍ତୁ ଭଣ୍ଡ ତାନ୍ତ୍ରିକ ସେମାନଙ୍କୁ ବିଭିନ୍ନ ଖର୍ଚ୍ଚର ଆଳ ଦେଖାଇ ନଗଦ ଟଙ୍କା ଓ ପ୍ରାୟ ୪ଲକ୍ଷ ଟଙ୍କାର ଅଳଙ୍କାର ଲୁଟିନେଇ ଗଲେ। ଏହା ଜାଣିବା ପରେ ଏହି ଅଧିକାରିଣୀ ପୋଲିସରେ ଜଣାଇଥିଲେ। ଘଟଣାର ତଦନ୍ତ କରି ପୋଲିସ ଭୋପାଳ ସହରର ପିପ୍‌ଲାନୀ ଅଞ୍ଚଳରୁ ଅମ୍ରିତ ଜୋଷୀ ନାମକ ଜଣେ ୪୦ ବର୍ଷର ଯୁବକଙ୍କୁ ଗିରଫ କରିଛି। ଶନି ପ୍ରକୋପରୁ ରକ୍ଷା ପାଇବା ପାଇଁ ବିଶ୍ୱାସର ବଶବର୍ତ୍ତୀ ହୋଇ ବ୍ୟାଙ୍କ ଅଧିକାରିଣୀ ଯେଉଁଭଳି ଠକେଇର ଶିକାର ହେଲେ ତାହା ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri