ଫେରାଇବାର ବେଳ

ସମ୍ପାଦକୀୟ/ଆଜିର ଅର୍ଥନୀତି

ଗତ ଜୁନ୍‌ ମାସଠାରୁ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଦୈନିକ ସଂଶୋଧନ କରିବା ପାଇଁ କେନ୍ଦ୍ର ସରକାର ଯେଉଁ ନିୟମ ପ୍ରଣୟନ କଲେ, ତାହା ପରଠାରୁ ଏହି ମୂଲ୍ୟ କେବଳ ବଢ଼ିଚାଲିଛି। ଯେହେତୁ ଦୈନିକ ବଢ଼ୁଥିବା ଏହି ମୂଲ୍ୟ ଅତ୍ୟନ୍ତ ନଗଣ୍ୟ ବା କେଇ ପଇସା ମାତ୍ର, ତାହା ଉପଭୋକ୍ତାମାନଙ୍କର ଦୃଷ୍ଟି ଆକର୍ଷଣ କରିପାରୁ ନାହିଁ। ଯଦି ଏହି ମୂଲ୍ୟବୃଦ୍ଧିକୁ ସାପ୍ତାହିକ ବା ପାକ୍ଷିକ ହିସାବ କରାଯାନ୍ତା, ତେବେ ତାହା ଆଖିଦୃଶିଆ ହୁଅନ୍ତା। ଖାଉଟିମାନଙ୍କୁ ଭୁତେଇ ମୂଲ୍ୟ ବୃଦ୍ଧି କରିବା ପାଇଁ ଗୁପ୍ତ ଉଦ୍ଦେଶ୍ୟ ରଖି ତୈଳ କମ୍ପାନୀମାନେ ଦୈନିକ ଭିତ୍ତିରେ ମୂଲ୍ୟ ସଂଶୋଧନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ ଜନସାଧାରଣଙ୍କ ଚାପ ଆଗରେ ମୁଣ୍ଡ ନୁଆଇଁ ଗତମାସରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଆମଦାନୀ ଶୁଳ୍କ ୨ ଟଙ୍କା ହ୍ରାସ କରିଥିଲେ। କେତେକ ରାଜ୍ୟ ମଧ୍ୟ କେନ୍ଦ୍ର ସରକାରଙ୍କ ପନ୍ଥା ଅନୁସରଣ କରି ଖାଉଟିଙ୍କ ବୋଝ ସାମାନ୍ୟ ହାଲୁକା କରିବା ପାଇଁ ଏହା ଉପରୁ ମୂଲ୍ୟଯୁକ୍ତ କର (ଭାଟ୍‌) ସାମାନ୍ୟ ହ୍ରାସ କରିଛନ୍ତି। ଚଳିତ ସପ୍ତାହ ପ୍ରାରମ୍ଭରେ କେତେକ ଗବେଷଣା ସଂସ୍ଥା ପୂର୍ବାନୁମାନ କରିଛନ୍ତି ଯେ, ନିକଟ ଭବିଷ୍ୟତରେ ତୈଳ ଦରରେ ବେଧଡ଼କ ବୃଦ୍ଧି ଘଟିବ। ଯଦି ସେମାନଙ୍କ ଅନୁମାନ ସତ୍ୟ ହୁଏ, ତେବେ ପେଟ୍ରୋଲ ଦର ୮୦ ଟଙ୍କା ଓ ଡିଜେଲ ଦର ୭୦ ଟଙ୍କା ଛୁଇଁପାରେ। ବ୍ରେଣ୍ଟ୍‌ କ୍ରୁଡ୍‌ (ଅଶୋଧିତ ବ୍ରେଣ୍ଟ ପେଟ୍ରୋଲିୟମ୍‌ ତୈଳ) ମୂଲ୍ୟରେ ସମ୍ଭାବ୍ୟ ବୃଦ୍ଧି ହେଉଛି ଏହାର କାରଣ। କମ୍ପାନୀମାନଙ୍କର ଏପରି ସମ୍ଭାବ୍ୟ ବେଧଡ଼କ ମୂଲ୍ୟ ବୃଦ୍ଧିକୁ ସରକାର ଅନୁମତି ଦେବା ଉଚିତ ନୁହେଁ। ଯଦିଚ ଭାରତର ତୈଳ ଚାହିଦାର ୮୦ ପ୍ରତିଶତ ଆମଦାନି କରାଯାଇଥାଏ, ତଥାପି ସେଥି ମଧ୍ୟରେ ବ୍ରେଣ୍ଟ ତୈଳର ପରିମାଣ ହେଉଛି ୨୮ ପ୍ରତିଶତ। ଅନ୍ତର୍ଜାତୀୟ ବଜାରରେ ବର୍ତ୍ତମାନ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ପ୍ରାୟ ୬୦ ଡଲାରରେ ପହଞ୍ଚିଛି। ଭାରତୀୟ ମୁଦ୍ରାରେ ଏହା ହେବ ଟ୩,୮୪୯.୪୩। ସପ୍ତାହେ ତଳେ ମୂଲ୍ୟ ବଢ଼ିବା ଆରମ୍ଭ କରିବା ପୂର୍ବରୁ ପ୍ରାୟ ତିନିବର୍ଷ ଧରି ଅଶୋଧିତ ତୈଳ ମୂଲ୍ୟ କମ୍‌ ରହି ଆସିଥିଲା। ୨୦୧୫ରେ ଏହା ୪୦ ଡଲାରକୁ ଖସିଆସିଥିଲା ଏବଂ କିଛି ସପ୍ତାହ ପୂର୍ବେ ଏହା ୫୦ ଡଲାର ତଳେ ଥିଲା। ଅଶୋଧିତ ତୈଳ ଦର ହ୍ରାସର ଲାଭ ଖାଉଟିମାନଙ୍କୁ ଦେବା ପାଇଁ ସରକାର କେବେ ବି ଚାହିଁନାହାନ୍ତି। ଅଶୋଧିତ ତୈଳ ଦର ୧୦୦ ଡଲାରରୁ ଖସି ୪୦ ଡଲାରରେ ପହଞ୍ଚିବା ପର୍ଯ୍ୟନ୍ତ ସରକାର କେବେ ବି ଖୁଚୁରା ବଜାରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଆନୁପାତିକ ଭାବେ ହ୍ରାସ କରି ଖାଉଟିମାନଙ୍କୁ ଏହାର ଲାଭ ଦେଇ ନ ଥିଲେ। ବରଂ ଏହା ମାଧ୍ୟମରେ ସରକାର ନିଜର ରାଜକୋଷ ବୃଦ୍ଧି କରିଚାଲିଥିଲେ। ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ପରିବର୍ତ୍ତେ ସରକାର ଏହା ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିଚାଲିଥିଲେ। ଖାଉଟିଙ୍କ ସ୍ବାର୍ଥକୁ ସରକାର କେବେ ବି ଗୁରୁତ୍ୱ ଦେଇ ନାହାନ୍ତି। ଅନ୍ତର୍ଜାତୀୟ ବଜାରରେ ତୈଳ ଦର କମ୍‌ ଥିଲେ ମଧ୍ୟ ଖାଉଟିମାନେ ପେଟ୍ରୋଲ ପମ୍ପରୁ ଚଢ଼ା ଦରରେ ପେଟ୍ରୋଲ ଓ ଡିଜେଲ କିଣିବାକୁ ବାଧ୍ୟ ହେଉଛନ୍ତି। ଗତ ଦୁଇବର୍ଷ ଧରି କେନ୍ଦ୍ର ସରକାର ଯଦି ଆମଦାନୀ ଶୁଳ୍କ ବୃଦ୍ଧି କରିଚାଲି ନ ଥାନ୍ତେ, ତେବେ ଡିଜେଲ ଓ ପେଟ୍ରୋଲ ଦର ବର୍ତ୍ତମାନ ଯଥାକ୍ରମେ ୧୫ ଓ ୧୩ ଟଙ୍କା କମ୍‌ ରହିଥାନ୍ତା। ବର୍ତ୍ତମାନ ବିଭିନ୍ନ ଅନ୍ତର୍ଜାତୀୟ କାରଣରୁ ଅଶୋଧିତ ତୈଳ ଦର ବୃଦ୍ଧିର ସମ୍ଭାବନା ଥିବାବେଳେ ତୈଳ କମ୍ପାନୀଗୁଡ଼ିକ ଏହି ଚାପକୁ ଖାଉଟିଙ୍କ ଉପରେ ଲଦି ନ ଦେଇ ନିଜେ ସହିନେବା ଉଚିତ। ପେଟ୍ରୋଲ ଓ ଡିଜେଲ ଦର ସରକାରୀ ନିୟନ୍ତ୍ରଣମୁକ୍ତ ହେବା ପରେ ଏହା କେବଳ ବିଭିନ୍ନ ବାହ୍ୟ କାରକ ଯଥା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଏବଂ ଟଙ୍କାର ବିନିମୟ ମୂଲ୍ୟର ହ୍ରାସବୃଦ୍ଧି ଅନୁସାରେ ନିର୍ଦ୍ଧାରିତ ହେବା ଉଚିତ। କିନ୍ତୁ ସେପରି ହେବାର ଦେଖାଯାଉ ନାହିଁ। ଅଶୋଧିତ ତୈଳ ଦର ହ୍ରାସ ବା ଟଙ୍କାର ବିନିମୟ ମୂଲ୍ୟ ବୃଦ୍ଧିରୁ ଫାଇଦା ଉଠାଇ ସରକାର କେବଳ ନିଜର ରାଜସ୍ବ ବୃଦ୍ଧି କରିଚାଲିଛନ୍ତି। ପାଞ୍ଚମାସ ତଳେ ଦୈନିକ ଭିତ୍ତିରେ ତୈଳ ଦର ସଂଶୋଧିତ ହେବାର ନିୟମ ଲାଗୁ ହେବା ପର୍ଯ୍ୟନ୍ତ ତିନିବର୍ଷ ହେଲା ସରକାର ଏପରି କରିଚାଲିଥିଲେ। କେତେକ ଗବେଷଣା ସଂସ୍ଥାର ପୂର୍ବାନୁମାନ ଅନୁସାରେ ଯଦି ଅଶୋଧିତ ତୈଳ ଦର ୬୫ ଡଲାର ହିଡ଼ ଡିଏଁ, ତେବେ କେନ୍ଦ୍ର ସରକାର ଆମଦାନୀ ଶୁଳ୍କ ହ୍ରାସ କରି ପେଟ୍ରୋଲ ଓ ଡିଜେଲର ମୂଲ୍ୟବୃଦ୍ଧିକୁ ରୋକିବା ଉଚିତ, ଯାହାଫଳରେ ଖାଉଟିମାନଙ୍କୁ ଅତିରିକ୍ତ ବୋଝ ବହନ କରିବାକୁ ପଡ଼ିବ ନାହିଁ। ତାହା ହେଲେ ମୁଦ୍ରାସ୍ଫୀତି ନିୟନ୍ତ୍ରଣାଧୀନ ରହିବ ଏବଂ ସୁଧହାର ହ୍ରାସ କରିବା ନିମନ୍ତେ ରିଜର୍ଭ ବ୍ୟାଙ୍କ୍‌କୁ ବିଚାର କରିବା ଲାଗି ଅବସର ମିଳିବ। ତିନିବର୍ଷ ହେଲା କେନ୍ଦ୍ର ସରକାର ଯେଉଁ ଲାଭ ମାରିନେଇ ଆସିଛନ୍ତି, ତାହା ଆଗାମୀ ଦିନରେ ପୂର୍ବାନୁମିତ ପରିସ୍ଥିତିରେ ଖାଉଟିଙ୍କୁ ଫେରାଇବାର ବେଳ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri