ଗୋଟିଏ ଦେଶ, ଗୋଟିଏ ଶିକ୍ଷା

ଡ. ଅମରେନ୍ଦ୍ର ଦାସ

ଏକବିଂଶ ଶତାବ୍ଦୀର ଭାରତବର୍ଷକୁ ବିକଶିତ କରିବାକୁ ହେଲେ ଏକମାତ୍ର ମାଧ୍ୟମ ଉନ୍ନତ ଶିକ୍ଷା ବ୍ୟବସ୍ଥା। ଉତ୍ତମ ଶିକ୍ଷା ବ୍ୟବସ୍ଥା ହିଁ ଦେଶରୁ ଦାରିଦ୍ର୍ୟ, ଅପପୁଷ୍ଟି, ଅର୍ଥନୈତିକ ବିଭେଦ, ସାମାଜିକ ବୈଷମ୍ୟ, ଅନ୍ଧବିଶ୍ୱାସ ଆଦିରୁ ମୁକ୍ତି ଦେଇପାରିବ। କିନ୍ତୁ ବିିଡମ୍ବନାର ବିଷୟ, ଯେଉଁ ଭାରତ ଏକବିଂଶ ଶତାବ୍ଦୀକୁ ନିଜର ଜ୍ଞାନ ଏବଂ ବାହୁବଳରେ ଅକ୍ତିଆର କରିବାକୁ ସ୍ବପ୍ନ ଦେଖୁଛି ସେ ଦେଶର କୋଟି କୋଟି ନାଗରିକ ଶାରୀରିକ ଏବଂ ବୌଦ୍ଧିକ ଅପପୁଷ୍ଟିରେ ଆକ୍ରାନ୍ତ। ଆମ ରାଜ୍ୟର ସାଢେ ଚାରିକୋଟି ନାଗରିକଙ୍କ ମଧ୍ୟରୁ ପ୍ରାୟ ଅଧାଭାଗ ପେଟର କ୍ଷୁଧା ଓ ଅପପୁଷ୍ଟିରେ ଜର୍ଜରିତ ଥିବାବେଳେ ଏବେ ସେମାନଙ୍କୁ ବୌଦ୍ଧିକ ଭାବରେ ପଙ୍ଗୁ କରିଦେବା ପାଇଁ ଚକ୍ରାନ୍ତ ଚାଲିଛି। ଦେଶ ସ୍ବାଧୀନ ହେବାର ସତୁରି ବର୍ଷ ପରେ ମଧ୍ୟ ମଧ୍ୟଯୁଗୀୟ ସାମନ୍ତବାଦୀ ମାନସିକତାରୁ ମୁକ୍ତି ହୋଇପାରିନାହାନ୍ତି ଗଣତନ୍ତ୍ରର ଶାସନଦଣ୍ଡ ଧରିଥିବା ଆମ ଜନପ୍ରତିନିଧିମାନେ ଏବଂ ତାଙ୍କର ଗୁମାସ୍ତାମାନେ। ଇଂରେଜ ଶାସନ ସମୟରେ ଇଂଲିଶ ଭାଷାରେ ପାଠ ପଢି ଇଂରେଜମାନଙ୍କର ଗୋଲାମି କରି ନିଜ ମାଟିର ଭଉଣୀଭାଇଙ୍କୁ ହୀନଚକ୍ଷୁରେ ଦେଖିଲେ। ଦେଶ ସ୍ବାଧୀନତା ପରେ ଶିକ୍ଷା ବ୍ୟବସ୍ଥାକୁ ଭାଗ ଭାଗ କରି ଧନୀ ପାଇଁ ଗୋଟିଏ ଏବଂ ଗରିବ ପାଇଁ ଗୋଟିଏ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରି ସେହି ବିଭେଦକୁ ବଳବତ୍ତର ରଖିବା ପାଇଁ ଚେଷ୍ଟା ଚଳାଇଛନ୍ତି। ଏ ଦେଶର ସମ୍ବିଧାନ ସଙ୍କଳ୍ପ ରଖେ ଦେଶର ସମସ୍ତ ନାଗରିକଙ୍କୁ ସମାନ ଚକ୍ଷୁରେ ଦେଖିବା ପାଇଁ ଏବଂ ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ପାଇଁ। କିନ୍ତୁ ଶିକ୍ଷା କ୍ଷେତ୍ରରେ ଏପରି ବିଭାଜନ କାହିଁକି? ସମସ୍ତ ଶିଶୁଙ୍କୁୁ ନିଃଶୁଳ୍କ ଏବଂ ବାଧ୍ୟତାମୂଳକ ଶିକ୍ଷା ଦେବା ପାଇଁ ଆଇନ ପ୍ରଣୟନ ପରେ ବି ଧନୀ ଓ ଗରିବ ପିଲାଙ୍କୁ ଦୁଇପ୍ରକାରର ଶିକ୍ଷା ପ୍ରଦାନ ପାଇଁ ଏ ବ୍ୟବସ୍ଥା କାହିଁକି? ଶିକ୍ଷା ଆଇନ ପ୍ରଣୟନ କରୁଥିବା ଏବଂ ଏହାର କାର୍ଯ୍ୟକାରିତା ପାଇଁ ନ୍ୟସ୍ତ ଅଧିକାରୀଙ୍କ ପିଲା କାହିଁକି ଏହି ମାଗଣା ଶିକ୍ଷା ବ୍ୟବସ୍ଥାର ଅନ୍ତର୍ଭୁକ୍ତ ନୁହନ୍ତି? ସର୍ବଶିକ୍ଷା ଅଭିଯାନ ଓ ଶିକ୍ଷା ଅଧିକାର ଆଇନ ପରିସରରେ କେବଳ ଗରିବ ପିଲା କାହିଁକି? ଏହି ଅଭିଯାନର ବାସ୍ତବ ଚିତ୍ର ଦେଖିଲେ ମନେହୁଏ ଏହା ସର୍ବଶିକ୍ଷା ଅଭିଯାନ ନୁହେଁ ବରଂ ଗରିବ ଶିକ୍ଷା ଅଭିଯାନ। ନୂଆ ଯୋଜନା ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚକରି ଶିକ୍ଷା ବ୍ୟବସ୍ଥାରେ କେଉଁ ପରିବର୍ତ୍ତନ ଅଣାଯାଇଛି? ଏବେ ବି ଅନେକ ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ। ଶ୍ରେଣୀଗୃହ ଥିଲେ ଶିକ୍ଷକ ନାହାନ୍ତି, ଶିକ୍ଷକ ଥିଲେ ସେ ପ୍ରଶିକ୍ଷିତ ନୁହନ୍ତି। ପ୍ରଶିକ୍ଷିତ ହୋଇଥିଲେ ପାଠ ପଢାଇବାକୁ ସମୟ ନାହିଁ। ଶିକ୍ଷକର ପ୍ରଧାନ କାର୍ଯ୍ୟ ପାଠ ପଢାଇବା। କିନ୍ତୁ ସରକାରଙ୍କ ନୀତି ଅନୁସାରେ ଶିକ୍ଷକମାନେ ପିଲାଙ୍କ ପାଇଁ ପୋଷାକ କିଣିବେ, ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରିବେ। ତା’ ସହ ଜନଗଣନା, ଦାରିଦ୍ର୍ୟ ଗଣନା, ଭୋଟର ପରିଚୟପତ୍ର, ଆଧାର କାର୍ଡ ଆଦି ସବୁ କାମ କରିବେ। ସ୍ବଚ୍ଛ ଭାରତ ଅଭିଯାନରେ ତିଆରି ହୋଇଥିବା ପାଇଖାନା ସଫା କରିବେ ମଧ୍ୟ। କାରଣ ଶିକ୍ଷକ ଆଜି ଅସହାୟ। ପିଲାଟିକୁ ଶିକ୍ଷା ବ୍ୟତୀତ ଅନ୍ୟ କୌଣସି କାମ ଦେଇପାରିବେ ନାହିଁ। ତା’ହେଲେ ଗଣମାଧ୍ୟମରେ ନିନ୍ଦିତ ହେବେ ଏବଂ ଦରମା ବନ୍ଦ ହେବ। ଚାକିରି ବି ଚାଲିଯିବାର ଡର। ଏସବୁ ଭିତରେ ପ୍ରତିଦିନ କାଗଜପତ୍ର କାମ ଅନେକ। କେତେ ଚାଉଳ ଆସିଲା, ରୋଷେଇ ହେଲା ଆଦି ସବୁର ହିସାବ ବି ରଖିବାକୁ ହେବ। ରୋଷେଇ ଖରାପ ହେଲେ ବି ଶିକ୍ଷକ ଦାୟୀ। ସରକାର ବି ତାଗିଦ୍‌ କରିଛନ୍ତି ପିଲା ପାଠ ପଢୁ ନ ପଢୁ କାଗଜପତ୍ରରେ ଯେମିତି ହେଲେ ଦେଖାଇବାର ଅଛି ଯେ ପ୍ରଥମ ଶ୍ରେଣୀରେ ନାମଲେଖାଇଥିବା ପ୍ରତ୍ୟେକ ଛାତ୍ରୀଛାତ୍ର ଅଷ୍ଟମ ଶ୍ରେଣୀ ପାସ୍‌ କରିଛନ୍ତି। ଏବେ ପୁଣି ପିଲାଙ୍କର ପାଠପଢା ଦିବସଠାରୁ ଶିକ୍ଷକମାନଙ୍କର ତାଲିମ୍‌ ଦିବସ ଅଧିକ। ତେଣୁ ଶିକ୍ଷକ ତାଲିମ ସରୁ ସରୁ ଶିକ୍ଷାବର୍ଷ ଶେଷ। ଏ ସବୁ ଭିତରେ ପାଠପଢା ପ୍ରତି ନାଁ ସରକାରଙ୍କର ଗୁରୁତ୍ୱ ଅଛି ନା ଶିକ୍ଷକ ପାଖରେ ସମୟ ଅଛି। ଏସବୁ ବିଷୟରେ ବେଶ୍‌ ଅବଗତ ଆମ ଶିକ୍ଷା ପ୍ରଶାସକ ଏବଂ ଶିକ୍ଷା ନିୟମ ନିର୍ଦ୍ଧାରକ। ସେଥିପାଇଁ ସେମାନେ ତାଙ୍କ ପିଲାଙ୍କୁ ପଠାନ୍ତି ନାହିଁ ଏହି ଗରିବ ଶିକ୍ଷା ଅଭିଯାନରେ ସାମିଲ ହେବାକୁ। ସେମାନଙ୍କ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ଓ ନାମୀ ଘରୋଇ ଇଂଲିଶ ମାଧ୍ୟମ ବିଦ୍ୟାଳୟ ଅଛି। ଏ ପରିସ୍ଥିତିରେ ସରକାରୀ ବିଦ୍ୟାଳୟରେ ପାଠ ପଢାଯାଉଛି କି ନାହିଁ କିଏ ଦେଖିବ? ଗରିବ ମାଆବାପା ପିଲାର ପୋଷାକ ଓ ମଧ୍ୟାହ୍ନଭୋଜନ ପାଇଗଲେ ବେଶ୍‌ ଖୁସି। ପିଲା କ’ଣ ପଢିଲା ଜାଣିବାକୁ ତାଙ୍କର ନା ଜ୍ଞାନ ଅଛି ନା ସମୟ ଅଛି। ସାଧାରଣ ଜନତାଙ୍କୁ ଭୁଆଁ ବୁଲାଇବା ପାଇଁ ସରକାର ପ୍ରତ୍ୟେକ ବର୍ଷ ନୂଆ ନୂଆ ଯୋଜନାର ଶୁଭାରମ୍ଭ କରନ୍ତି। ଡିପିଇପି, କଳାପଟା ଅଭିଯାନ, ସର୍ବଶିକ୍ଷା ଅଭିଯାନ, ଶିକ୍ଷା ଅଧିକାର ଆଇନ, ମାଗଣା ଭୋଜନ, ପୋଷାକ, ସାଇକେଲ ଆଦି ଏମିତି ଅନେକ ନୂଆ ଯୋଜନା। ଏମିତି ପ୍ରତିବର୍ଷ ନୂଆ ଯୋଜନା ଶୁଣି ଶୁଣି ଗରିବ ମାଆବାପା ଆଶା ବାନ୍ଧନ୍ତି କିଛି ଭଲ ହେବ। କିନ୍ତୁ ପ୍ରକୃତରେ ଭକୁଆ ପାଲଟିଗଲେଣି ବିଚରା ଗରିବ ମାଆବାପା। ଗରିବ ଓ ଧନୀ ପିଲାଙ୍କ ମଧ୍ୟରେ ଶିକ୍ଷା ବ୍ୟବସ୍ଥାରେ ବିଭେଦ ସୃଷ୍ଟି କରି ସରକାର ସନ୍ତୁଷ୍ଟ ନୁହନ୍ତି। ଶିକ୍ଷକମାନେ ଯେମିତି ଏକତ୍ରିତ ହୋଇ ନ ପାରନ୍ତି ସେଥିପାଇଁ ମଧ୍ୟ ଅତି ସୁନ୍ଦର ଯୋଜନା- ଶିକ୍ଷା ଯୋଜନା ଯେତେ, ଶିକ୍ଷକମାନଙ୍କର ପ୍ରକାର ସେତେ। ପ୍ରତ୍ୟେକ ନୂଆ ଯୋଜନାରେ ଏକ ନୂଆ ପ୍ରକାରର ଶିକ୍ଷକ ନିଯୁକ୍ତି। କିଏ ଠିକା, କିଏ ଚୁକ୍ତି, କିଏ ନିୟମିତ ଏମିତି ଅନେକ ଜାତିଭେଦ ସୃଷ୍ଟି କରିଛନ୍ତି ସରକାର। ଏମାନଙ୍କ ମଧ୍ୟରୁ କେତେଜଣଙ୍କର ବେତନ ଗାଁର ମିସ୍ତ୍ରି ଓ ମଜୁରିଆଙ୍କଠାରୁ ବି କମ୍‌। ସେମାନେ ନିଜର ପେଟ ପୋଷିବା ପାଇଁ ଅନ୍ୟ କିଛି ଜୀବିକା ଆପଣେଇବାକୁ ବାଧ୍ୟ। ନିଜର ଦରମା ବଢାଇବା ଏବଂ ଚାକିରିକୁ ସ୍ଥାୟୀ କରିବା ପାଇଁ ପୁଣି ରାଜଧାନୀରେ ଯାଇ ଧାରଣା ଦେବାକୁ ହେବ। ତେଣୁ ଜଣେ ଭଲ ଛାତ୍ର ଶିକ୍ଷକ ହେବା କଥା ଭାବିପାରିବ ନାହିଁ। ଆମ ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ଦୁର୍ବଳତା ଜାଣିପାରି ପୁଣି ଏକ ନୂଆ ଯୋଜନା ପ୍ରଣୟନ କରିଛନ୍ତି। ରାଜ୍ୟର ପ୍ରତି ବ୍ଲକ୍‌ ସ୍ତରରେ ଆଦର୍ଶ ବିଦ୍ୟାଳୟ ଖୋଲିବେ। ଏହି ଆଦର୍ଶ ବିଦ୍ୟାଳୟରେ ପୁଣି ଇଂଲିଶରେ ପାଠ ପଢାଯିବ। ଅନେକ ଗବେଷଣାରୁ ଜଣାପଡେ ଯେ ପିଲାଦିନେ ମାତୃଭାଷାରେ ପଢିଲେ ପିଲାର ବୁଝିବା ଶକ୍ତି ଅଧିକ ହୁଏ। ଯଦି ସାଧାରଣ ବିଦ୍ୟାଳୟରେ ଶ୍ରେଣୀଗୃହ ତିଆରି ଓ ପର୍ଯ୍ୟାପ୍ତ ଶିକ୍ଷକ ନିଯୁକ୍ତି କରିବା ପାଇଁ ସରକାରଙ୍କ ପାଖରେ ଅର୍ଥ ନାହିଁ, ତେବେ ଆଦର୍ଶ ବିଦ୍ୟାଳୟ ପାଇଁ ଅର୍ଥ କେଉଁଠୁ ଆସିବ? ଶିକ୍ଷା ବ୍ୟବସ୍ଥାରେ ଏତେସବୁ ବିଭେଦ ଦେଖିଲେ ମନେହୁଏ ସରକାର ରାଜ୍ୟ ବା ଦେଶର ଶିକ୍ଷା ବ୍ୟବସ୍ଥା ବିଷୟରେ ଆଦୌ ଚିନ୍ତିତ ନୁହନ୍ତି। ରାଜ୍ୟବାସୀ ମଧ୍ୟ ଟଙ୍କିକିଆ ଚାଉଳ, ମଧ୍ୟାହ୍ନଭୋଜନ ଓ ମାଗଣା ପୋଷାକ ପାଇ ଖୁସୀ। ଆମ ଦେଶରେ ‘ଗୋଟିଏ ଦେଶ: ଗୋଟିଏ ଶିକ୍ଷା ବ୍ୟବସ୍ଥା’ର ପ୍ରଚଳନ ଯେପର୍ଯ୍ୟନ୍ତ ନ ହୋଇଛି, ସେ ପର୍ଯ୍ୟନ୍ତ ସୁଧାର ଆସିବ ନାହିଁ।

ମୋ-୯୪୩୯୯୨୩୬୨୬



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri