ହିନ୍ଦୁ କିଏ

ଦେବଦତ୍ତ ପଟ୍ଟନାୟକ

ଦିନେ ଜଣେ ସାମ୍ବାଦିକା ବାରମ୍ବାର କହିଚାଲିଥିଲେ କର୍ମତତ୍ତ୍ୱ ତାଙ୍କ ପାଇଁ କିପରି ସମସ୍ୟା ସୃଷ୍ଟି କରିଥିଲା। ଅବଶ୍ୟ ସେ କର୍ମ ସମ୍ବନ୍ଧରେ ଯାହା ବୁଝିଥିଲେ, ତାହା ଆପଣ ଊନବିଂଶ ଶତାବ୍ଦୀର ଖ୍ରୀଷ୍ଟିଆନ୍‌ ମିଶନାରୀଙ୍କ ପାଖରେ ପାଇବେ, ଯାହାଙ୍କର ଏଜେଣ୍ଡା ଥିଲା ତାଙ୍କ ଧର୍ମ ହିଁ ବାସ୍ତବ ଧର୍ମ ବୋଲି ପ୍ରମାଣ କରିବା। ୟୁରୋପୀୟ ପ୍ରାଚୀନବାଦୀମାନଙ୍କ କର୍ମବାଦ ସହ ହିନ୍ଦୁ ଦର୍ଶନର ସାମଞ୍ଜସ୍ୟ ରହିଛି। ହିନ୍ଦୁମାନଙ୍କ ପରି ସେମାନେ ଭାବୁଥିଲେ ଯେ ସବୁକିଛି ପୂର୍ବ ନିର୍ଦ୍ଧାରିତ। ମଣିଷ ଚାହିଁଲେ ନିଜର ସ୍ବାଧୀନ ଇଚ୍ଛାଶକ୍ତି ବଳରେ କିଛି ବି ବଦଳାଇଦେଇ ପାରିବ ନାହିଁ। ମିଶନାରୀମାନେ ଯୁକ୍ତି କରୁଥିଲେ ଯେ ହିନ୍ଦୁଧର୍ମରେ କେହି ଚାହିଁଲେ ନିଜର ଜାତି ବଦଳାଇପାରିବ ନାହିଁ। ସେ ଯେଉଁ କୁଳରେ ଜନ୍ମ ହୋଇଛି, ସେହି ଜାତିର ବୋଲି ପରିଗଣିତ ହୋଇଥାଏ। କିନ୍ତୁ ଖ୍ରୀଷ୍ଟିଆନ ଧର୍ମରେ ଜଣେ ନିଜର ଜାତି ବଦଳାଇପାରିବ। କାରଣ ଖ୍ରୀଷ୍ଟିଆନ ଧର୍ମରେ ସ୍ବାଧୀନ ଇଚ୍ଛା ଓ ପସନ୍ଦକୁ ଗୁରୁତ୍ୱ ଦିଆଯାଏ। ବିଂଶ ଶତାବ୍ଦୀରେ ଏହି ଯୁକ୍ତିରୁ ଜନ୍ମଲାଭ କଲା ଯୁକ୍ତିବାଦ ଓ ଧର୍ମନିରପେକ୍ଷତାବାଦ। ଯୁକ୍ତିବାଦୀମାନେ ତର୍କ କଲେ ଯେ, ନିଜର ପସନ୍ଦ କରିବାର ସ୍ବାଧୀନ ଅଧିକାର ଥିବାରୁ ଈଶ୍ୱର ବିଶ୍ୱାସ ଆଦି ଭଳି ଅଯୌକ୍ତିକ ଅନ୍ଧବିଶ୍ୱାସ ବଦଳରେ ଯାହା ତର୍କସଙ୍ଗତ ତାକୁ ହିଁ ଗ୍ରହଣ କରିବା ଉଚିତ। ବର୍ତ୍ତମାନ ଅଗ୍ରଣୀ ନ୍ୟୁରୋବାୟୋଲୋଜିଷ୍ଟମାନେ କହୁଛନ୍ତି ଯେ, ସମ୍ଭବତଃ ସ୍ବାଧୀନ ଇଚ୍ଛା ହେଉଛି ଏକ ମାନବୀୟ ଭ୍ରମ ଏବଂ ଖ୍ରୀଷ୍ଟିୟାନମାନଙ୍କ ଦ୍ୱାରା ସୃଷ୍ଟ ଏକ ଅନ୍ଧବିଶ୍ୱାସ। ମଣିଷର ମସ୍ତିଷ୍କ ହେଉଛି ଅତ୍ୟନ୍ତ ଜଟିଳ, ଯାହା ପରିବେଶରେ ନିଜେ ସ୍ବାଧୀନ ଭାବରେ ବଞ୍ଚୁଛି ବୋଲି ବିଶ୍ୱାସ ସୃଷ୍ଟି କରି ନିଜକୁ ହିଁ ବୋକା ବନାଏ। ତେବେ ହିନ୍ଦୁଧର୍ମ କ’ଣ ଭାଗ୍ୟବାଦୀ? ଏହାର ଉତ୍ତର ଉଭୟ ହଁ ଓ ନା। ପ୍ରସଙ୍ଗ ଉପରେ ଉତ୍ତର ନିର୍ଭର କରେ। କାରଣ କର୍ମ ମାନେ ଉଭୟ କ୍ରିୟା ଓ ପ୍ରତିକ୍ରିୟା। ବେଦରେ କର୍ମ ମାନେ ଧାର୍ମିକ ବିଧିବିଧାନ ପାଳନ କରିବା। ଉପନିଷଦରେ କର୍ମ ମାନେ ପ୍ରତିକ୍ରିୟା: ଆମର ବର୍ତ୍ତମାନ ଅବସ୍ଥା ହେଉଛି ଅତୀତ କର୍ମର ଫଳଶ୍ରୁତି। ବୌଦ୍ଧ ଜାତକ କହେ: ଭଲ କର୍ମ କଲେ ଭଲ ଫଳ ମିଳେ। ତେଣୁ ଆପଣ ବର୍ତ୍ତମାନ ଯଦି ଭଲ କାମ କରିବେ, ତେବେ ତାହା ଭବିଷ୍ୟତକୁ ବଦଳାଇଦେଇପାରିବ। ଏହା ମଧ୍ୟ କର୍ମ। ହିନ୍ଦୁ ପୁରାଣ ରାମାୟଣ ଓ ମହାଭାରତ ଅନୁସାରେ ଭବିତବ୍ୟକୁ ବଦଳାଇବା ସହଜ ନୁହେଁ। ଏ ବିଶ୍ୱରେ ଅନେକ ଶକ୍ତିର ପ୍ରଭାବ ଆମ ଉପରେ ଥାଏ ଏବଂ ସେସବୁ ଆମ ନିୟନ୍ତ୍ରଣରେ ନ ଥାଏ। ସେଥିପାଇଁ ଆମର ଜୀବନ ଆମ ସ୍ବାଧୀନ ଇଚ୍ଛା ଅନୁସାରେ ପରିଚାଳିତ ହୁଏ ନାହିଁ, ବରଂ ଅନ୍ୟମାନଙ୍କ ଇଚ୍ଛା ଆମ ଉପରେ କାର୍ଯ୍ୟକାରୀ ହୁଏ। ରାମ ନିଜ ଇଚ୍ଛାରେ ବା ତାଙ୍କ ପିତା ଦଶରଥଙ୍କ ଆଦେଶ ପାଳନ କରିବାକୁ ବନକୁ ଯାଇ ନ ଥିଲେ। ସେ ଯାଇଥିଲେ ତାଙ୍କ ବିମାତା କୈକେୟୀଙ୍କ ଇଚ୍ଛା ପୂରଣ କରିବା ପାଇଁ। କୈକେୟୀଙ୍କୁ ଏକଦା ଦଶରଥ ଦୁଇଟି ବର ପ୍ରଦାନ କରିଥିଲେ। ସେହି ବର ସେ ଦରକାର ବେଳେ ମାଗିନେବେ ବୋଲି କହିଥିଲେ। ଧାଈ ମନ୍ଥରାର ପ୍ରରୋଚନାରେ ନିଜ ପୁଅକୁ ନିରଙ୍କୁଶଭାବେ ରାଜା କରାଇବା ପାଇଁ କୈକେୟୀ ଦଶରଥଙ୍କଠାରୁ ପ୍ରଥମ ବରରେ ରାମଙ୍କ ୧୪ ବର୍ଷ ବନବାସ ଓ ଦ୍ୱିତୀୟ ବରରେ ଭରତଙ୍କ ପାଇଁ ରାଜଗାଦି ମାଗିନେଲେ। ତା’ପରେ ଆମେ ଜାଣିଲୁ ଯେ ରାମ ହେଉଛନ୍ତି ଭଗବାନ୍‌ ବିଷ୍ଣୁଙ୍କ ଅବତାର। ରାବଣ ପରି ପାପୀମାନଙ୍କୁ ବିନାଶ କରି ଧର୍ମ ସଂସ୍ଥାପନ ପାଇଁ ତାଙ୍କର ଆବିର୍ଭାବ। ରାବଣର ଦୁଷ୍କର୍ମରୁ ହିଁ ରାମଙ୍କ ଭଗବତ୍ତା ପ୍ରକଟିତ। ପୁଣି ରାମଙ୍କ ଅବତାର ଗ୍ରହଣ ପଛରେ ଅନ୍ୟ କାହାଣୀ ବି ଅଛି। ପୃଥିବୀରେ ମଣିଷ ରୂପରେ ଜନ୍ମଗ୍ରହଣ କରିବା ପାଇଁ ଶୁକ୍ରାଚାର୍ଯ୍ୟ ବିଷ୍ଣୁଙ୍କୁ ଅଭିଶାପ ଦେଇଥିଲେ ଏବଂ ବିଷ୍ଣୁ ତାହା ମଥାପାତି ଗ୍ରହଣ କରିନେଇଥିଲେ। ରାମଙ୍କ ବନବାସ ପଛରେ କାହିଁକି ଅନେକ ଆଶୀର୍ବାଦ ଓ ଅଭିଶାପର କାହାଣୀ ରହିଛି? ଗୋଟିଏ ଘଟଣା ପଛରେ ଅନେକ କାରଣ ଥାଏ ବୋଲି ଏହା ଆମକୁ ଜଣାଇଦେଉଛି। ତେଣୁ କୌଣସି ଘଟଣା ବ୍ୟକ୍ତିଗତ ନିୟନ୍ତ୍ରଣରେ ନ ଥାଏ। ଅବଶ୍ୟ ମୋର ସାମ୍ବାଦିକ ବନ୍ଧୁ ଓ ମିଶନାରୀମାନେ କହିବେ ଯେ, ଏସବୁ ବାହାନା, କାରଣ ନୁହେଁ। ଊନବିଂଶ ଶତାବ୍ଦୀରେ ସମସ୍ତେ ପ୍ରମାଣ କରିବାକୁ ଚାହିଁଲେ ଯେ ସବୁ ଧର୍ମ ସମାନ। କିନ୍ତୁ ପ୍ରକୃତରେ ସବୁ ଧର୍ମ ସମାନ ନୁହେଁ। ପ୍ରତ୍ୟେକ ଧର୍ମରେ ଭିନ୍ନ ଭିନ୍ନ ମତବାଦ ରହିଛି। ଆବ୍ରାହମୀୟ ବିଶ୍ୱାସ ଅନୁସାରେ ଈଶ୍ୱରଙ୍କ ଇଚ୍ଛାରେ ଶୂନ୍ୟରୁ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟି ହୋଇଛି। କିନ୍ତୁ ହିନ୍ଦୁ ପୁରାଣ ମତରେ ବିଷ୍ଣୁଙ୍କ ନିଦ୍ରାଭଙ୍ଗ ହେବାରୁ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟି ହୋଇଛି। ଏଣୁ ଉଭୟ ଧର୍ମର ବିଶ୍ୱାସରେ ଭିନ୍ନତା ରହିଛି। ସାମାଜିକ ପରମ୍ପରା ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ଜାତିରେ ଜନ୍ମ ହୋଇଥାନ୍ତି। ଆପଣ ଚାହିଁଲେ ନିଜର ଜାତି ବା ଲିଙ୍ଗ ବଦଳାଇପାରିବେ ନାହିଁ। ନିଜର ପତି ବା ପତ୍ନୀକୁ ବି ଆପଣ ବଦଳାଇପାରିବେ ନାହିଁ। ଜାତି ଅନୁସାରେ କୌଳିକ ବୃତ୍ତି ବା କର୍ମ ବି ନିର୍ଦ୍ଧାରିତ ହୁଏ। ତେବେ ହିନ୍ଦୁଧର୍ମରେ ଏହି ପରମ୍ପରା ଓ ନିୟମ କିଏ ତିଆରି କଲା? କୌଣସି ହିନ୍ଦୁ ତାହା ଜାଣନ୍ତି ନାହିଁ। କିନ୍ତୁ ଊନବିଂଶ ଶତାବ୍ଦୀରେ ୟୁରୋପୀୟ ଅନୁବାଦକମାନେ ଆମ ମନରେ ବିଶ୍ୱାସ ଜନ୍ମାଇ ଦେଇଛନ୍ତି ଯେ, ଏହି ନିୟମ ମନୁ ତିଆରି କରିଛନ୍ତି, ଯିଏ ଇଜିପ୍ଟରେ ମୋସାଙ୍କ ସହ ତୁଳନୀୟ। ଆମେ ବିଶ୍ୱାସ କରିବାକୁ ଚାହୁଁ ଯେ, ସ୍ବାଧୀନ ଇଚ୍ଛା ମାଧ୍ୟମରେ ଜାତିବାଦକୁ ଲଦିଦିଆଯାଇଛି। ପୁଣି ସେହି ସ୍ବାଧୀନ ଇଚ୍ଛା ମାଧ୍ୟମରେ ଜାତିବାଦକୁ ଧ୍ୱଂସ କରିଦିଆଯାଇପାରେ। ବିକଳ୍ପ ଭାବେ ବିଚାର କଲେ ଯେତେବେଳେ ଆମେ ନିଦ୍ରାଗତ ଥାଉ, ସେତେବେଳେ ସଇତାନ ରାଜୁତି କରେ। ଯେତେବେଳେ ଆମେ ଅନ୍ୟମାନଙ୍କ ପ୍ରତି ଧ୍ୟାନ ଦେଉ ନାହିଁ, ସେତେବେଳେ ସମାଜରେ ଜାତିଗତ ଉଚ୍ଚନୀଚ ଭେଦଭାବ ସୃଷ୍ଟି ହୋଇ ସମାଜ ଖଣ୍ଡବିଖଣ୍ଡିତ ହୋଇଯାଏ। ଯେତେବେଳେ ଆମେ ଜାଗ୍ରତ ଥାଉ ସେତେବେଳେ ସବୁ ଭଲ କାମ ହୁଏ। ବର୍ତ୍ତମାନ ଆମେ ଜାତିବାଦର କୁପରିଣାମ ବିଷୟରେ ସଚେତନ। ତେଣୁ ଆମେ ଏପରି କ୍ରିୟା (କର୍ମ) କରିପାରିବା ଯାହାର ପ୍ରତିକ୍ରିୟା (କର୍ମ) ଜାତିବାଦକୁ ଧ୍ୱଂସ କରିଦେବ। ଏହା ଭାଗ୍ୟବାଦ ନୁହେଁ। ଏହା ଆମର ଦାୟିତ୍ୱ। କିନ୍ତୁ ଆମେ ଜାଣୁ ଯେ, ପ୍ରତ୍ୟେକ ହସ୍ତକ୍ଷେପ (କର୍ମ)ର ନିଜସ୍ବ ପରିଣତି (କର୍ମ) ରହିଛି। ତେଣୁ ରାଷ୍ଟ୍ରର ସକାରାତ୍ମକ ଭେଦଭାବକୁ ହିନ୍ଦୁ ପରମ୍ପରାର ବିରୋଧୀ ଓ ପ୍ରତିହିଂସାମୂଳକ ବୋଲି ବିଚାର କରାଯାଇପାରେ।

(ଲେଖକ ଜଣେ ବିଶିଷ୍ଟ ପୁରାଣବିତ୍‌ ଏବଂ ପୁରାଣଶାସ୍ତ୍ର ଉପରେ ସେ ଅନେକ ପୁସ୍ତକ ରଚନା କରିଛନ୍ତି। ତାଙ୍କ ପୁସ୍ତକଗୁଡ଼ିକ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଥିବା ମଡର୍ନ ବୁକ୍‌ ଡିପୋ, ଫୋନ୍‌- ୦୬୭୪-୨୫୩୪୩୭୩, modbooks.bbsr@gmail.comରେ ଉପଲବ୍ଧ।)

ଲେଖକଙ୍କ ଇମେଲ୍‌: devdutt@devdutt.com



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri