ଭେଜାଲ ଚିକେନ୍‌

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଆପଣ ଖାଦ୍ୟ ବେପାରୀଙ୍କଠାରୁ ଏବଂ ସାଣ୍ଡ୍‌ଓ୍ବିଚ୍‌ ପ୍ରଭୃତିରେ ଚିକେନ୍‌ ନାମରେ ଯାହା କିଣନ୍ତି, ତାହା କ’ଣ ପ୍ରକୃତରେ ଚିକେନ୍‌? ବୋଧହୁଏ ନୁହେଁ। ସବ୍‌ଓ୍ବେ ହେଉଛି ଏକ ଗୋଷ୍ଠୀ ଯେଉଁମାନେ ସ୍ବାସ୍ଥ୍ୟ-ସଚେତନ ଗ୍ରାହକଙ୍କୁ ଟାର୍ଗେଟ୍‌ କରିଥାନ୍ତି, ଯେଉଁମାନେ ଅନ୍ୟ ଫାଷ୍ଟ୍‌ଫୁଡ୍‌ ଖାଇବାକୁ ପସନ୍ଦ କରନ୍ତି ନାହିଁ। ତେବେ ଏହା କ’ଣ ପ୍ରକୃତରେ ସ୍ବାସ୍ଥ୍ୟକର? ନିକଟରେ ସିବିସି ମାର୍କେଟ୍‌ପ୍ଲେସ୍‌ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ସବ୍‌ଓ୍ବେ ଚିକେନ୍‌ ସାଣ୍ଡ୍‌ଓ୍ବିଚ୍‌ରେ ମାତ୍ର ୪୨.୮% ଚିକେନ୍‌ ବ୍ୟବହାର କରାଯାଇଥାଏ। ଓଭେନ୍‌ରେ ସେକାଯାଇଥିବା ଯେଉଁ ସାଲାଡ୍‌ ସାଣ୍ଡ୍‌ଓ୍ବିଚ୍‌କୁ ସେମାନେ ସ୍ବାସ୍ଥ୍ୟକର ବୋଲି ଦାବି କରନ୍ତି, ସେଥିରେ ମାତ୍ର ୫୩.୬% ଚିକେନ୍‌ ଥାଏ। ବାକି ସେଥିରେ ଥାଏ ଜିନ୍‌-ପରିବର୍ତ୍ତିତ ଶସ୍ତା ସୋୟା ପ୍ରୋଟିନ୍‌ ଯାହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ପରୀକ୍ଷା କରାଯାଇଥିବା ସାଣ୍ଡ୍‌ଓ୍ବିଚ୍‌ଗୁଡ଼ିକରେ ୫୦ଟି ଉପାଦାନ ମିଳିଛି ଏବଂ କେବଳ ଚିକେନ୍‌ରୁ ୧୬ଟି ଉପାଦାନ ମିଳିଛି। ଏହା ଟ୍ରେଣ୍ଟ ୟୁନିଭର୍ସିଟି ସ୍ଥିତ ଓ୍ବାଇଲ୍‌ଡଲାଇଫ୍‌ ଫରେନ୍‌ସିକ୍‌ ଡିଏନ୍‌ଏ ଲାବରେଟୋରୀରେ ପରୀକ୍ଷା କରାଯାଇଥିଲା। ସବ୍‌ଓ୍ବେରେ ବିକ୍ରି ହେଉଥିବା ତଥାକଥିତ ଚିକେନ୍‌ରେ ୮୫-୯୦% ଚିକେନ୍‌ ଥିବା ଜଣାପଡ଼ିଥିଲା। ପ୍ରକ୍ରିୟାକୃତ ଚିକେନ୍‌ ମଧ୍ୟ ଏକ ମିଶ୍ରଣ। ଅନ୍ୟ ଯେଉଁ ଚାରିଟା ଜିନିଷ ପରୀକ୍ଷା କରାଯାଇଥିଲା, ସେଗୁଡ଼ିକ ହେଉଛି: ଓ୍ବେଣ୍ଡିଜ୍‌, ମ୍ୟାକ୍‌ଡୋନାଲ୍‌ଡସ, ଏଏଣ୍ଡ୍‌ଡବ୍ଲ୍ୟୁ ଏବଂ ଟିମ୍‌ ହର୍ଟନ୍ସ। ଖାଦ୍ୟ ବିଜ୍ଞାନୀମାନଙ୍କ କହିବା ଅନୁସାରେ ଫୁଡ୍‌ ଚେନ୍‌ଗୁଡ଼ିକ ବିକ୍ରି କରୁଥିବା ମାଂସରେ ‘ରିଷ୍ଟ୍ରକ୍ଚର୍ଡ ଉତ୍ପାଦ ବ୍ୟବହାର କରନ୍ତି। ସେମାନେ ଏହାକୁ ପିଙ୍କ୍‌ ସ୍ଲାଇମ୍‌ ବୋଲି କୁହନ୍ତି। ଏହି ସ୍ଲାଇମ୍‌ (ବହଳିଆ ପଦାର୍ଥ)ର ଫଟୋ ଖାଦ୍ୟ ଶିଳ୍ପରେ କାମ କରୁଥିବା କେହି ଜଣେ ଲୁଚାଇ ନେଟ୍‌ରେ ଛାଡ଼ିଦେବା ଫଳରେ ୨୦୧୦ ମସିହାରୁ ଏହା ନେଟ୍‌ରେ ଉପଲବ୍ଧ ହେଉଛି। ପିଙ୍କ୍‌ ସ୍ଲାଇମ୍‌ ସମେତ ରିଷ୍ଟ୍ରକ୍ଚର୍ଡ ଉତ୍ପାଦରେ ଛୋଟ ମାଂସ ବା ବଟା ମାଂସ ରହିବା କଥା। କିନ୍ତୁ ଏଥିରେ ଅନ୍ୟାନ୍ୟ ଜିନିଷ, ରାସାୟନିକ ଦ୍ରବ୍ୟ, ପ୍ରଚୁର ମନୋସୋଡିୟମ୍‌ ଗ୍ଲୁଟାମେଟ୍‌ ବା ଏମ୍‌ଏସ୍‌ଜି (ଯାହା ସ୍ନାୟୁ ପାଇଁ ବିଷାକ୍ତ ଓ କ୍ଷତିକାରକ) ଏବଂ ଅଧିକ ସମୟ ରହିବା ଓ ସ୍ବାଦ ବଢ଼ାଇବା ପାଇଁ ତଥା ଫିଲର ହିସାବରେ ସୋୟା ପ୍ରୋଟିନ୍‌ ପ୍ରଭୃତି ମିଶାଯାଉଛି। ଏହି ମାଂସ ଏତେ ଦୁର୍ଗନ୍ଧଯୁକ୍ତ ଯେ ତାକୁ ଖାଇବା ଉପଯୋଗୀ କରିବା ପାଇଁ ସେଥିରେ ଏମ୍‌ଏସ୍‌ଜି ଓ ଅନ୍ୟାନ୍ୟ ଆଡିଟିଭ୍‌ ମିଶାଇବାକୁ ପଡ଼ିଥାଏ। ତା’ପରେ ରଙ୍ଗ ବି ଦିଆଯାଏ। ସ୍ଲାଇମ୍‌ରେ ଜୀବାଣୁ ଭର୍ତ୍ତି ହୋଇ ରହିଥିବାରୁ ତାକୁ ଜୀବାଣୁଶୂନ୍ୟ କରିବା ପାଇଁ ଆମୋନିଆରେ ବୁଡ଼ାଯାଏ। ତା’ପରେ ଏହାକୁ ବିଭିନ୍ନ କିସମର ଚିକେନ୍‌ଜାତ ଖାଦ୍ୟରେ ବ୍ୟବହାର କରାଯାଏ। ଚିକେନ୍‌ର ପ୍ରକ୍ରିୟାକରଣ କେମିତି କରାଯାଏ? ଏହା ଏକ ଭେଜାଲ ମିଶ୍ରଣକାରୀ ପ୍ରକ୍ରିୟା। ଯେଉଁ କୁକୁଡ଼ା ଆମକୁ ମୋଟା ଓ ମାଂସଳ ଦେଖାଯାଏ, ସେଥିରେ ୪୩% ପାଣି ଭର୍ତ୍ତି କରାଯାଇଥାଏ। ପ୍ରକୃତ କୁକୁଡ଼ା ମାଂସ ସେଥିରେ ୫୧% ଥାଏ। ଏହି ‘ପ୍ଲାଷ୍ଟିକ୍‌’ ଚିକେନ୍‌ର ଅଧିକାଂଶ ମସଲା ଓ ରଙ୍ଗଦିଆ ଚିକେନ୍‌ ନାମରେ ହୋଟେଲ, ଚାଇନିଜ୍‌ ରେଷ୍ଟୁରାଣ୍ଟ, ଢାବା ପ୍ରଭୃତିକୁ ଯାଇଥାଏ। ଉକ୍ତ ପିଙ୍କ୍‌ ସ୍ଲାଇମ୍‌ରୁ ପ୍ରସ୍ତୁତ ସସେଜ୍‌, ସାଲାମି, ଲଞ୍ଚନ୍‌ ମାଂସ, ନଗେଟ୍‌, ବର୍ଗର ପ୍ରଭୃତି ତେଜରାତି ଦୋକାନ ଓ ସୁପର୍‌ମାର୍କେଟ୍‌ ପ୍ରଭୃତିରେ ବିକ୍ରି କରାଯାଏ। ବର୍ତ୍ତମାନ ଟେକ୍ନୋଲୋଜି ମାଧ୍ୟମରେ ୬୦ ପ୍ରତିଶତ ଚିକେନ୍‌ ଥିବା ଚିକେନ୍‌ ବ୍ରେଷ୍ଟ୍‌ ଓ ଫିଲେଟ୍‌ (ଅସ୍ଥି ନ ଥିବା କୁକୁଡ଼ା ମାଂସ) ପ୍ରସ୍ତୁତ କରି ବିକ୍ରି କରାଯାଉଛି। ତେବେ ଏଥିରେ ବାକି ୪୦% କ’ଣ ରହୁଛି? ସେଗୁଡ଼ିକ ହେଉଛି: ଏକ୍ସଟେଣ୍ଡର (ମକାମଣ୍ଡ, ଗହମ ଅଟା, ବାସି ପାଉଁରୁଟି ଇତ୍ୟାଦି), ଫିଲର (ଶସ୍ତା ବର୍ଗରରେ ଦିଆଯାଉଥିବା ପାଉଁରୁଟି ଗୁଣ୍ଡ, କାସାଭା, ଆଳୁ ବା ଚାଉଳ ଗୁଣ୍ଡ), ପାଣି ଇତ୍ୟାଦି। ଆପଣ ନେଟ୍‌ ଦେଖନ୍ତୁ। ଆପଣ ଟିଭିପି ବା ଟେକ୍ସଚର୍ଡ ଭେଜିଟେବୁଲ୍‌ ପ୍ରୋଟିନ୍‌ ନାମରେ କମ୍ପାନୀ ବିଜ୍ଞାପନ ଦେଖିପାରିବେ। ବଟା ଗୋମାଂସ ବା ତୁର୍କୀମାଂସର ବିକଳ୍ପ ଭାବରେ ଟିଭିପିକୁ ବ୍ୟବହାର କରାଯାଇପାରିବ ବୋଲି ବିଜ୍ଞାପନ ଦିଆଯାଇଥାଏ। ଏହା ନିରାମିଷାଶୀମାନେ ବ୍ୟବହାର କରନ୍ତି ନାହିଁ। ମାଂସ ଉତ୍ପାଦ ବିକ୍ରି କରୁଥିବା ଲୋକମାନେ ହିଁ ଏହା ବ୍ୟବହାର କରିଥାନ୍ତି। ସାଧାରଣତଃ ଫିଙ୍ଗାଯାଉଥିବା ଶବର ଦେହାଂଶ, ଯଥା ଘୁଷୁରି ଚମଡ଼ା, ପେଶୀ ପ୍ରଭୃତି, ତରଳା ଚମଡ଼ା ଓ ଅସ୍ଥିରୁ ପ୍ରସ୍ତୁତ ସ୍ବଚ୍ଛ ବହଳିଆ ପଦାର୍ଥ ବା ଜିଲାଟିନ୍‌ ଏଥିରେ ମିଶାଯାଏ। ସସେଜ୍‌ ହେଉଛି ଆଉ ଏକ ମାଂସ ଉତ୍ପାଦ। ଏହା ତଟକା ବା ଫ୍ରିଜ୍‌ରୁ କାଢ଼ି ଗରମ କରି ପରଷାଯାଏ। ଏଥିରେ ୬୦% ମାଂସ, ୧୫% ପାଣି ଏବଂ ୨୫% ଏକ୍ସଟେଣ୍ଡର୍‌ ଓ ଫିଲର୍‌ ଥାଏ। ଲିସେଷ୍ଟର୍‌ଶାୟାର୍‌ ଟ୍ରେଡିଂ ଷ୍ଟାଣ୍ଡାର୍ଡସ ଚିକେନ୍‌ ନଗେଟ୍‌ର ମାନ ସମ୍ପର୍କରେ ଏକ ଅଭିଯୋଗ ପାଇବା ପରେ ୧୭ଟି ବଡ଼ ବଡ଼ ଦୋକାନରୁ ସଂଗ୍ରହ କରିଥିବା ୨୧ଟି ନମୁନା ପରୀକ୍ଷା କଲା। ମାଂସର ପରିମାଣ ସମ୍ପର୍କରେ ଏକତୃତୀୟାଂଶ ନମୁନାରେ ଭୁଲ୍‌ ତଥ୍ୟ ଦିଆଯାଇଥିଲା। ଯେତିକି ମାଂସ ଅଛି ବୋଲି ପ୍ୟାକେଟ୍‌ ଉପରେ ଲେଖା ଥିଲା, ସେଥିରୁ ଗୋଟିକରେ ୧୬% ଓ ଆଉ ଗୋଟିକରେ ୩୦% କମ୍‌ ଥିଲା। ଭେଙ୍କିଜ୍‌ ହେଉଛି ପ୍ରକ୍ରିୟାକୃତ କୁକୁଡ଼ାମାଂସ ବିକ୍ରି କରୁଥିବା ଏକ ଭାରତୀୟ ବ୍ରାଣ୍ଡ୍‌। ସେମାନେ ବିକ୍ରି କରୁଥିବା ଚିକେନ୍‌ ଫ୍ରାଙ୍କ୍‌ରେ ୭୦%, ଚିକେନ୍‌ ଲଲିପପ୍‌ରେ ୩୦%, ମାଂସ ବଲ୍‌ରେ ୬୦%, ଚିକେନ୍‌ ସଲାମିରେ ୫୫% ଏବଂ ମୁର୍ଗ ମସାଲାରେ ୩୦% ମାଂସ ଅଛି। ପ୍ରକ୍ରିୟାକରଣ ପାଇଁ ରଖାଯାଇଥିବା କୁକୁଡ଼ାଙ୍କ ପାଖରୁ ତଦନ୍ତକାରୀ ଦଳ ପୁନଃଚକ୍ରିତ ପେଟ୍‌ ଖାଦ୍ୟ, ଘୁଷୁରି ଓ ଗୋରୁ ପ୍ରୋଟିନ୍‌ ଭର୍ତ୍ତି ହୋଇଥିବା କୁକୁଡ଼ା ବ୍ରେଷ୍ଟ୍‌, ନିଷିଦ୍ଧ କ୍ୟାନ୍‌ସରକାରକ ଆଣ୍ଟିବାୟୋଟିକ୍ସ ପ୍ରଭୃତି ପାଇଛନ୍ତି। ତେଣୁ କୁକୁଡ଼ା ମାଂସ ନାମରେ ଆପଣ ଯାହା ଖାଉଛନ୍ତି, ସେଥିରେ ଗୋରୁ ଓ ଘୁଷୁରି ପ୍ରଭୃତି ଅନ୍ୟ ପ୍ରାଣୀଙ୍କ ମାଂସ ବି ଥାଇପାରେ। ମାଞ୍ଚେଷ୍ଟରସ୍ଥିତ ପବ୍ଲିକ୍‌ ଆନାଲିଷ୍ଟ ଲାବରେଟୋରୀରେ ଡିଏନ୍‌ଏ ପରୀକ୍ଷାରୁ ଏହା ପ୍ରମାଣିତ ହୋଇଛି। ‘ହଲାଲ୍‌’ ମାର୍କା କୁକୁଡ଼ା ମାଂସରେ ଘୁଷୁରି ମାଂସ ଥିବା ଜଣାପଡ଼ିଛି। ଏହାର ଛଅମାସ ପରେ ଆୟର୍ଲାଣ୍ଡ କର୍ତ୍ତୃପକ୍ଷ କୁକୁଡ଼ାମାଂସରେ ଗୋରୁମାଂସ ମିଶାଯାଉଥିବା ଓ ତାହା ଉପଭୋକ୍ତାଙ୍କଠାରୁ ଗୋପନ ରଖାଯାଉଥିବା ପ୍ରକାଶ କରିଛନ୍ତି। ଓଲନ୍ଦାଜ ପ୍ରସେସରଙ୍କଠାରୁ ସଂଗୃହୀତ ୧୭ଟି ନମୁନାରୁ ଏହା ପ୍ରମାଣିତ ହୋଇଛି। କେତେକ ଖାଦ୍ୟ ନିର୍ମାତା ହାଇଡ୍ରୋଲାଇଜ୍‌ଡ ପ୍ରୋଟିନ୍‌ ମିଶାଉଛନ୍ତି ବୋଲି ସଫେଇ ଦିଅନ୍ତି। ତେବେ ଏହା ହେଉଛି ଉଚ୍ଚ ତାପମାତ୍ରାରେ ବା ରାସାୟନିକ ହାଇଡ୍ରୋଲିସିସ୍‌ ପ୍ରକ୍ରିୟାରେ କୁକୁଡ଼ାମାଂସରେ ଅନ୍ୟ ପ୍ରାଣୀଙ୍କ ଅଦରକାରୀ ଅଙ୍ଗ ଯଥା ଚମଡ଼ା, ପର, ହାଡ଼, ଖୁରା ପ୍ରଭୃତି ବାଟି ବା ଗୁଣ୍ଡ କରି ମିଶାଇବା। ମ୍ୟାକ୍‌ଡୋନାଲ୍‌ଡ ପରି କମ୍ପାନୀ ଏକ୍ସପାୟାରୀ ଡେଟ୍‌ ପାରି ହେବାର ପ୍ରାୟ ଏକ ବର୍ଷ ପରେ କୁକୁଡ଼ାମାଂସ ବିକ୍ରି କରିବାର ଦୃଷ୍ଟାନ୍ତ ଅଛି। ସାଂଘାଇ ହୁସି ଫୁଡ୍‌ ଏକବର୍ଷ ତଳର ବାସି କୁକୁଡ଼ାମାଂସକୁ ମ୍ୟାକ୍‌ଡୋନାଲ୍‌ଡ ଏବଂ କେଏଫ୍‌ସି ଓ ପିଜାହଟ୍‌ ମାଲିକ ୟୁମ୍‌ ବ୍ରାଣ୍ଡ୍‌କୁ ବିକ୍ରି କରିଥିବା ଅନୁସନ୍ଧାନରୁ ଜଣାପଡ଼ିଥିଲା। ଲାଭଖୋର ମାଂସଶିଳ୍ପ କେବଳ ନିଜର ଲାଭ ଉପରେ ନଜର ଦେଇଥାଏ। ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି ତା’ର ଖାତିର ନ ଥାଏ। ମାଂସ ଖାଇବା ହେଉଛି ଖରାପ, କିନ୍ତୁ ଏପରି ପ୍ରକ୍ରିୟାକୃତ ମାଂସ ଅତ୍ୟନ୍ତ ଖରାପ ଏବଂ ସମ୍ପୂର୍ଣ୍ଣ ଖାଦ୍ୟ ଅନୁପଯୋଗୀ। ଏ କଥା ଜାଣିଲା ପରେ ଆପଣ ଦୋକାନରୁ ସାଣ୍ଡ୍‌ଓ୍ବିଚ୍‌, ପିଜାହଟ୍‌, ବର୍ଗର, ସସେଜ୍‌ ପ୍ରଭୃତି କିଣି ଆପଣଙ୍କ ପିଲାକୁ ଖାଇବାକୁ ଦେବେ କି?

Email: gandhim@nic.in



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri